ବାଙ୍କୀ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

କଳାପଥର (ବାଙ୍କୀ): ବାଙ୍କୀ କଚେରୀ ପଡିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଏହି ମେଳା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର କଟକ ଡକ୍ଟର ସୁଜାତା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗ୍ରାମାଞ୍ଚଳ ଚାଷୀଙ୍କ ଅର୍ଥ ନୈତିକ ବିକାଶ ହେଲେ ରାଜ୍ୟର ବିକାଶ ହେବ। ସରକାର ସମସ୍ତ ପ୍ରକାର କୃଷି ଯନ୍ତ୍ରପାତିକୁ ରିହାତି ଦରରେ ଚାଷୀମାନଙ୍କୁ କୃଷି ବିଭାଗ ମାଧ୍ୟମରେ ଯୋଗାଇ ଦେଉଛନ୍ତି। ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ପହଁଚିଲେ କୃଷି ଓ କୃଷକର ବିକାଶ ହେବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ।

୩ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଟ୍ରାକ୍ଟର, ପାୱାରଟିଲର, ଧାନଅମଳ, ଧାନରୁଆ, ମଞ୍ଜି ସଫା ଓ ରୋଟାଭେଟର , ଘାସଛେଦନ, କୋଡାଖୋସା, ଘାସକଟା, ଗାତଖୋଳା , ଧାନକଳ, ମକାଛଡା, ଡାଲିକଳ, ତେଲ କଳ, ମୁଢ଼ିମିଲ୍‌, ବିହନ ବୁଣା, ସାରବୁଣା ଓ ଔଷଧ ଛିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ବିକ୍ରି ପାଇଁ ପ୍ରଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଙ୍କୀ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ କୁମାର ରଥ, ଆଠଗଡ଼ ବ୍ଳକ ପୂର୍ବତନ ଅଧ୍ୟକ୍ଷ ସୁଧାକର ସାହୁ, ବାଙ୍କୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ବିଶ୍ୱନାଥ ଦାସ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ଅଭିଭାଷଣ ରଖିଥିଲେ। କୃଷି ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା ଯୋଗଦେଇ ବିଭିନ୍ନ କୃଷିଯନ୍ତ୍ରପାତି ର ବ୍ୟବହାର ଓ ଜ୍ଞାନକୌଶଳ ଉପଯୋଗିତା ଉପରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଙ୍କୀ ଉପଖଣ୍ଡ ଅଧିନ ଦୁଇଟି ବ୍ଲକର ଚାଷୀମାନେ ଯୋଗ ଦେଇଥିବା ବେଳେ ବାଙ୍କୀ କୃଷି ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.