କିନାଲୋଇ ଧାନ କ୍ରୟ କେନ୍ଦ୍ରରେ କଟନୀଛଟନୀ ଅଚଳାବସ୍ଥା
ରେଙ୍ଗାଲି: ମିଲର୍ସ କଟନୀ ଛଟନୀ ଜିଦରେ ଅଟଳ ଏବଂ ଚାଷୀ ବିନା କଟନୀ ଛଟନୀ ଜିଦରେ ଅଟଳ ଯୋଗୁଁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ କିନାଲୋଇ ଧାନ କ୍ରୟ କେନ୍ଦ୍ରରେ ଗତ ନଭେମ୍ବର ମାସ ୨୨ ତାରିଖରୁ ପଡିଥିବା ଧାନ ବିକ୍ରି ହୋଇ ପାରି ନାହିଁ। ୨୨ ତାରିଖ ଅନେକ ଚାଷୀଙ୍କ ଟୋକନ୍ ଅବଧି ଶେଷ ହେଉଛି। ଏଣୁ ୨୨ ତାରିଖ ସୁଦ୍ଧା ଧାନ ବିକ୍ରି ନହେଲେ ଚାଷୀ ପୁରୁଣା ରାଞ୍ଚିରୋଡ ଜୁନାଡିହି ଛକରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି କିନାଲୋଇ ପଞ୍ଚାୟତ ମା’ ବୀଣାପାଣି କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ବୁଦ୍ଧଦେବ ନାୟକ, ମିତ୍ରଭାନୁ ପଟେଲ, ନିରୋଜ ପୁରୋହିତ, ଟିଙ୍କୁ ନାୟକ, କେଶବ କୁମୁରା ପ୍ରମୁଖଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏସଂକ୍ରାନ୍ତରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଗତ ରବିବାର ଦିନ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଧାନ କ୍ରୟକେନ୍ଦ୍ର ପରିଦର୍ଶନ କରି ଦୀର୍ଘ ଦିନ ହେଲା ଚାଷୀଙ୍କ ଧାନ କଟନୀ ଛଟନୀ ଆଳରେ କ୍ରୟକେନ୍ଦ୍ରରେ ପଡ଼ିରହି କିଣା ଯାଉ ନଥିବା ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ସରକାର ନିଜେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଶୀଘ୍ର ବିନା କଟନୀ ଛଟନୀରେ ଚାଷୀଙ୍କ ଧାନ କିଣିବାକୁ ଦାବୀ କରିଥିଲେ। ଶ୍ରୀ ହରିପାଲ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ଟେଲିଫୋନରେ ଯୋଗାଯୋଗ କରି ଶୀଘ୍ର ଧାନକିଣି ନେବାକୁ ନିର୍ଦ୍ଦେଶ ଦେଇ ଥିଲେ। ଏହାପରେ ମଙ୍ଗଳବାର ଦିନ ଡିଆରସିଏସ୍, ଏଆରସିଏସ୍, ଏସିଏସଓ ୮ଜଣ ମିଲର୍ସଙ୍କୁ ଧାନ କ୍ରୟକେନ୍ଦ୍ରକୁ ଡାକି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ ସବୁ ସମାଧାନ ହୋଇ ପାରି ନଥିଲା। ବିନା କଟନୀ ଛଟନୀରେ ଧାନ କିଣିବୁ ନାହିଁ ବୋଲି ମିଲର୍ସ ରୋକ୍ ଠୋକ୍ ଜବାବ ଦେଇଥିଲେ।
ରାଜ୍ୟ ସରକାର ବିନା କଟନୀ ଛଟନୀରେ ଧାନ କିଣା ଯିବ। ଧାନମଣ୍ଡିରେ ମିଲର୍ସ ଓ ଦଲାଲ୍ ରାଜ୍ ଉଚ୍ଛେଦ ହେବ ବୋଲି କରିଥିବା ଘୋଷଣା କାଗଜ ବାଘ ତଥା ଧୂଆଁବାଣରେ ପରିଣତ ହୋଇଛି। ମିଲର୍ସ ଓ ଦଲାଲ୍ ମାନଙ୍କ କବଜାରେ ଧାନ କିଣାବିକା ଚାଲିଛି। କିନାଲୋଇ ଧାନ କ୍ରୟକେନ୍ଦ୍ରର ସ୍ଥିତି ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ।
କିନାଲୋଇ ଧାନ କ୍ରୟକେନ୍ଦ୍ରରେ ନଭେମ୍ବର ୨୨ତାରିଖରୁ ୭୦ ପ୍ୟାକେଟ, ଡିସେମ୍ବର ୬ ତାରିଖରୁ ୧୬୦ ପ୍ୟାକେଟ ଏବଂ ଗତ ୧୩ ତାରିଖରୁ ୩ ହଜାର ୮୩୮ ପକେଟ ଧାନ ଖୋଲା ଆକାଶ ତଳେ ପଡି ରହିଛି। ମିଲର୍ସଙ୍କ ଇଚ୍ଛା ଅନୁସାରେ କଟନୀ ଛଟନୀ ପାଇଁ ଚାଷୀ ରାଜି ହେଉ ନଥିବାରୁ ଏ ଅଚଳାବସ୍ଥା ଦୂର ହେଉନାହିଁ।
Comments are closed.