ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୫ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବଡ଼ ଦିନ ଓ ନବ ବର୍ଷ ୨୦୨୫କୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ଅଧ୍ୟକ୍ଷ ସମସ୍ତଙ୍କୁ ନିବେଦନ କରିବା ସହିତ ବଡ଼ଦିନ ଓ ନବବର୍ଷ ପାଳନ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫେକ୍ ମେସେଜ୍ ବା ଖବର ଉପରେ ନଜର ରଖି ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଚର୍ଚ୍ଚର ମୁଖ୍ୟ, ଥାନା ଅଧିକାରୀ, ତହସିଲ୍ଦାର ଓ ବିଡିଓ ମାନଙ୍କୁ ନେଇ ଏକ ହ୍ୱାଟ୍ସ ଆପ୍ ଗ୍ରୁପ୍ କରିବାକୁୁୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ସେହିପରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରୀଶ ବିସି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ସମସ୍ତ ଆଇ.ଆଇ.ସି ଓ ଏସ୍.ଡି.ପି.ଓ. ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ। ଗ୍ରୁପ୍ରେ ସେଭଳି କିଛି ଖବର ଆସିଲେ ପୋଲିସ ବିଭାଗ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବିସି କହିଥିଲେ। ଖ୍ରୀଷ୍ଟିୟାନ୍ ଜନକଲ୍ୟାଣ ସମିତ ସଭାପତ ସୁରଞ୍ଜନ ନାୟକ, ଉପ-ସଭାପତି ମୋଜେସ୍ ଦିଗାଲ ପର୍ବ ପାଳନ ସମୟରେ ବିଦ୍ୟୁତ୍ କାଟ୍ ନ କରିବା ଏବଂ ନିଶା ଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗୁ କରିବାକୁ ନିବେଦନ କରିଥିଲେ। ବିଭିନ୍ନ ସମ୍ପ୍ରଦାୟରୁ ଆସିଥିବା ମୁଖ୍ୟମାନେ ମଧ୍ୟ ବିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପରିଚାଳନା କରିଥିବାବେଳେ ଉପ-ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଓ ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୂୟାଁ ଏବଂ କୃପାସିନ୍ଧୁ ବେହେରା ସମସ୍ତ ସରକାରୀ ପଦାଧିକାରୀ, ବିଭିନ୍ନ ସମ୍ପ୍ରଦାୟର ଜିଲ୍ଲା ତଥା ବ୍ଲକ ମୁଖ୍ୟ, ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।



