ଭର୍ଟିକାଲ୍ ଗାର୍ଡେନରେ ମଶା ବଂଶବୃଦ୍ଧି
ଖବର ସଂଲଗ୍ନ ଫଟୋଟି ହେଉଛି ଚୀନ୍ର ଚେଙ୍ଗୁଡୁ ପ୍ରାନ୍ତରେ ଥିବା କ୍ବୁଇ ଫରେଷ୍ଟ ଗାର୍ଡେନ୍ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ଥିବା ଆପାର୍ଟମେଣ୍ଟଗୁଡ଼ିକର। ୨୦୧୭ବେଳକୁ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ଭର୍ଟିକାଲ୍ ଗାର୍ଡେନ୍ ଆପାର୍ଟମେଣ୍ଟର ଯୋଜନା ଆରମ୍ଭ ହୋଇ କାର୍ଯ୍ୟକାରୀ ହେଲା। ତହିଁ ପର ବର୍ଷ ଚୀନ୍ର ବର୍ଦ୍ଧିତ ପ୍ରଦୂଷଣକୁ ଲକ୍ଷ୍ୟ କରି ସେଠାକାର ଏକ ବିଲ୍ଡର ସଂସ୍ଥା ଏଭଳି ଆପାର୍ଟମେଣ୍ଟର ନିର୍ମାଣ ଶୀଘ୍ର ଆରମ୍ଭ କଲା। ଚେଙ୍ଗୁଡୁ ପ୍ରାନ୍ତରେ ଦିନକୁଦିନ ପ୍ରଦୂଷଣ ସ୍ତର ବଢ଼ିଚାଲିଥିବାବେଳେ ଏହିଭଳି ସବୁଜିମା ଆପାର୍ଟମେଣ୍ଟ କିଣିବାକୁ ଲୋକଙ୍କ ଆଗ୍ରହ ବଢ଼ିଥିଲା। ୨୦୨୦ ଏପ୍ରିଲ୍ ସୁଦ୍ଧା ଏଠାକାର ୮୨୬ଟି ଆପାର୍ଟମେଣ୍ଟ ବିକ୍ରି ହୋଇଥିବାର ପ୍ରକାଶ। ପ୍ରତ୍ୟେକ ଫ୍ଲାଟ୍ରେ ୨୦ ପ୍ରକାରର ଗଛ ଲଗାଯାଇଥିବାବେଳେ ଜଣେ ବ୍ୟକ୍ତି ଦୂରରୁ ଦେଖିଲେ ମଧ୍ୟ ଫ୍ଲାଟ୍ର ସବୁଜିମାର ଦୃଶ୍ୟକୁ ଜାଣିପାରିବ। କେତେଜଣ ଲୋକ ଫ୍ଲାଟ୍ରେ ରହିବା ଆରମ୍ଭ କରିଥିବାବେଳେ ସେମାନଙ୍କ ଅଭିଯୋଗ ମଧ୍ୟ ଆରମ୍ଭ ହୋଇଗଲାଣି। ବାଲକୋନିରେ ଅଧିକ ସଂଖ୍ୟକ ଗଛ ଲାଗିବା କାରଣରୁ ମଶାଙ୍କ ବଂଶବୃଦ୍ଧି ବଢ଼ିବାରେ ଲାଗିଛି। ଆପାର୍ଟମେଣ୍ଟରେ ରହୁଥିବା ଲୋକ ଏମାନଙ୍କ ଉତ୍ପାତରେ ଅତିଷ୍ଠ ହୋଇଗଲେଣି କହିଲେ ଚଳେ। ସବୁଜିମା ଆପାର୍ଟମେଣ୍ଟ ଯେ ଅନ୍ୟ ଏକ ସମସ୍ୟା ଉତ୍ପନ୍ନ କରିବ, ଏହା ଅଧିକାଂଶଙ୍କ ଚିନ୍ତା ବହିର୍ଭୁତ ଥିଲା। ଖବରଟି ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଆପାର୍ଟମେଣ୍ଟ କର୍ତ୍ତୃପକ୍ଷ ଏହାର ଯଥା ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସମାଧାନର ବାଟ ଆଦୌ ସହଜ ନୁହେଁ ବୋଲି ସେଠାରେ ରହୁଥିବା ଲୋକଙ୍କ ମତ। କାରଣ କେବଳ ଭର୍ଟିକାଲ୍ ଗାର୍ଡେନ୍ ପାଇଁ ଏଇ ଫ୍ଲାଟ୍ ଲୋକେ କିଣିଛନ୍ତି। ଯଦି ଗଛ ଏଠାରୁ ସଫା କରାଯିବ, ତେବେ ଲୋକେ ସେସବୁ ବିକ୍ରି କରି ଅନ୍ୟତ୍ର ରହିବାର ବନ୍ଦୋବସ୍ତ କରିବେ। ମଶାଙ୍କ ଦୌରାତ୍ମ୍ୟରେ ସେଠାରେ ଜୀବନ ଅତିବାହିତ କରିବା ମଧ୍ୟ ସମ୍ଭବପର ନୁହେଁ।
Comments are closed.