Patra electronics

କେବେ ଖୋଲିବ ଭେଣ୍ଡିଂ ଜୋନର ତାଲା

ଭବାନୀପାଟଣା : ସହରର ସୌନ୍ଦର୍ଯ୍ୟକରଣ, ରାସ୍ତା ଚଉଡା ପାଇଁ ଏକଦା ରାସ୍ତା କଡ ଦୋକାନୀଙ୍କୁ ଉଠାଗଲା। ସେମାନଙ୍କୁ ସ୍ଥାୟୀ ଦୋକାନ ପ୍ରଦାନ ଆଦି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ସ୍ଥାପନ ହେଲା। ପିପଲ ନାଲା, ଡାକ୍ତରଖାନା ଛକ, ଆର୍ଟିଓ ଅଫିସ, ସର୍କିଟ ହାଉସ ଆଦି ବିଭିନ୍ନ ଛକରେ ନଗରପାଳିକା ପକ୍ଷରୁ ବହୁ ସଂଖ୍ୟାରେ ଅସ୍ଥାୟୀ ଦୋକାନ ଘର ତିଆରି ହେଇଛି। ଅଥଚ ନିର୍ମାଣର ବର୍ଷେ, ଦୁଇବର୍ଷ ପରେ ବି ସେସବୁ ଦୋକାନଘର କାହାକୁ ଦିଆଯାଇନାହିଁ।

ସୂଚନା ଅନୁଯାୟୀ କଲେଜ  ଛକ ନିକଟ ପିପଲ ନାଳା କୂଳରେ ୧୪ ଟି ଦୋକାନ ଘର ତିଆରି ହେଇଛି। ନିର୍ମାଣର ପ୍ରାୟ ବର୍ଷେ ପରେ ବି ସେଗୁଡିକ କାହାକୁ ଦିଆଯାଇନାହିଁ। ଫଳରେ ଅବ୍ୟବହୃତ ହେଇ ସେଗୁଡ଼ିକ ପଡ଼ି ରହିଛି। କେତେକ ସ୍ଥାନରେ ସିମେଣ୍ଟ ଚଟାଣ ଫାଟି ଆଁ କଲାଣି। ସେହିଭଳି ଡାକ୍ତରଖାନା ଛକରେ ୩୪ ଟି ଦୋକାନଘର ତିଆରି ହେଇଛି।  ସେଥିମଧ୍ୟରୁ ପ୍ରାୟ ୪,୫ ଟି ଦୋକାନ ଘର ବଣ୍ଟନ ହେଇ ବ୍ୟବହାର ହେଉଛି। ଅଥଚ ଅନ୍ୟ ଦୋକାନଘର ଗୁଡ଼ିକ ଅବ୍ୟବହୃତ ଭାବେ ପଡ଼ିଛି। ସେଥିମଧ୍ୟରୁ କେଉଁ ଦୋକାନର ଟିଣ ସଢି ଗଲାଣି ତ ଆଉ କେଉଁ ଦୋକାନଘରର ପିଣ୍ଡି ଭାଙ୍ଗି ଗଲାଣି। ସମଗ୍ର ଅଞ୍ଚଳଟି ଅପରିଷ୍କାର ହେଇ ପଡ଼ିରହିଛି। ସେହିଭଳି ସର୍କିଟ ହାଉସ ଛକରେ ତିଆରି ହେଇଥିବା ୬ ଟି ଦୋକାନର ଅବସ୍ଥା ବି ଏକାଭଳି। ଆର୍ଟିଓ ଅଫିସ ଛକରେ ମହିଳା ମହାବିଦ୍ୟାଳୟ କାନ୍ଥକୁ ଲାଗି ଏଇ କିଛି ମାସତଳେ ୧୮ଟି ନୂଆଁ ଦୋକାନ ଘର ନିର୍ମାଣ ହେଇଛି। ଅଥଚ ସେଗୁଡିକ ମଧ୍ୟ ବନ୍ଦ ପଡ଼ିଛି। ଫଳରେ ସେହି ସ୍ଥାନରେ ଛୋଟ ମୋଟ ବ୍ୟବସାୟ କରି ଚଳୁଥିବା ଦୋକାନୀ ଏବେ ହାତ ବନ୍ଦ କରି ବସିଛନ୍ତି।

ତେବେ ଗୋଟାଏ ପକ୍ଷରେ ଭେଣ୍ଡିଂଙ୍ଗ ଜୋନରେ ବହୁ ଦୋକାନ ଘର ଅବ୍ୟବହୃତ ଭାବେ ବନ୍ଦ ପଡ଼ିଛି। ହେଲେ ଅନ୍ୟପକ୍ଷରେ ବିଭିନ୍ନ ସମୟରେ ରାସ୍ତାକଡ଼ରୁ ଉଚ୍ଛେଦ ହେଇଥିବା ଦୋକାନୀମାନେ ବ୍ୟବସାୟ ବନ୍ଦ ଥିବାରୁ ଘରେ ବସି ରହିଛନ୍ତି। ପୁରୁଷ ପୁରୁଷ ଧରି ରାସ୍ତାକଡ଼ରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପ୍ରାୟ ୫୪ ଜଣ ଉଠା ଦୋକାନୀଙ୍କୁ ବିଭିନ୍ନ କାରଣରୁ କିଛି ବର୍ଷ ତଳେ ଉଚ୍ଛେଦ କରାଗଲା। ଦୋକାନ ଖଣ୍ଡେ ପାଇବାକୁ ବିସ୍ଥାପିତ ଦୋକାନୀ ସଂଘ ଗତ ୨୦୨୨ ନଭେମ୍ବର ମାସରେ ୪୭ ଦିନଧରି ଆନ୍ଦୋଳନ କଲେ। ଖୁବଶୀଘ୍ର ସେମାନଙ୍କୁ ଭେଣ୍ଡିଙ୍ଗ ଜୋନରେ ଅବସ୍ଥାପିତ କରାଯିବ ବୋଲି ପ୍ରତିଶ୍ରୁତି ମିଳିଲା। ଅଥଚ ପ୍ରତିଶ୍ରୁତିର ପ୍ରାୟ ଦେଢ଼ ବର୍ଷ ପରେ ବି ନଗରପାଳିକା ପ୍ରତିଶ୍ରୁତି ପାଳନ କଲା ନାହିଁ। କାରଣ ଇତି ମଧ୍ୟରେ ଦୁଇ ଜଣ ନଗରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ହେଲାଣି। ଏଣୁ ପ୍ରତିଶ୍ରୁତି ଦେଇଥିବା ଅଧିକାରୀ ଏବେ ଆଉ ନାହାନ୍ତି।

ନୂଆଁ ଅଧିକାରୀ ବିସ୍ଥାପିତ ଦୋକାନୀ କିମ୍ବା ପ୍ରତିଶ୍ରୁତି ସଂକ୍ରାନ୍ତରେ କିମ୍ବା କିଛି ଜାଣି ନାହାନ୍ତି। ନଗରପାଳ ଅଛନ୍ତି , ହେଲେ ଦୋକାନ ଆବଣ୍ଟନ ସଂକ୍ରାନ୍ତରେ କିଛି ଜାଣି ନାହାନ୍ତି। କେବଲ ଭେଣ୍ଡିଙ୍ଗ ଜୋନ ତିଆରି ହେଇ ଠିକାଦାରଙ୍କୁ ବିଲ ମିଳିଗଲେ ସମସ୍ତଙ୍କ କାମ ସରିଗଲା ଭଳି ଲାଗୁଛି। ତେବେ ଗୋଟାଏ ପଟେ ଭେଣ୍ଡିଙ୍ଗ ଜୋନ ଗୁଡ଼ିକ ଅବ୍ୟବହୃତ ଭାବେ ପଡ଼ିଥିବାବେଳେ ଅନ୍ୟପଟେ ବିସ୍ଥାପିତ ଦୋକାନୀମାନେ ବ୍ୟବସାୟ କରିନପାରି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଏନେଇ ନଗରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ସତ୍ତ୍ୱେ ପ୍ରତିକ୍ରିୟା ମିଳିପାରିଲା ନାହିଁ। ତେବେ ଉଠା ଦୋକାନୀଙ୍କ ପାଇଁ ଉଦ୍ଦିଷ୍ଟ ଦୋକାନ ଗୁଡ଼ିକ ଯଦି ଆବଣ୍ଟନ ହେଉନି ତେବେ କେବଳ ଠିକାଦାରଙ୍କୁ ଖୁସି କରିବାକୁ ଭେଣ୍ଡିଙ୍ଗ ଜୋନ ପରେ ଭେଣ୍ଡିଙ୍ଗ ଜୋନ ନିର୍ମାଣ ହେଉଛି କି ବୋଲି ବିସ୍ଥାପିତ ଦୋକାନୀଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।

Comments are closed.