ପୁରୀ : ଆଗାମୀ ୧୮ରୁ ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ରେଳଗାଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସିରେ ଏହାର ଶୁଭାରମ୍ଭ କରିବେ। ଏହାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ଚାଲିଛି ଜୋରଦାର ପ୍ରସ୍ତୁତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପୁରୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବା ସମ୍ଭାବନା ରହିଛି।
ଏହି ଅବସରରେ ପୁରୀ ରେଳ ଷ୍ଟେସନରେ ଅସ୍ଥାୟୀ ସଭା ମଞ୍ଚ ନିର୍ମାଣ କରାଯାଉଛି। ପ୍ଲାଟଫର୍ମ ଉପରେ ରଙ୍ଗିନ କପଡ଼ା ଲଗାଯିବା ସହ ଫୁଲ ଏବଂ ବେଲୁନ ସଜା ଯାଉଛି। ରେଳ ଟ୍ରାକ୍ରେ ବିଭିନ୍ନ ରଙ୍ଗ କରାଯାଉଛି। ଷ୍ଟେସନ ବାହାରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି। ଘଣ୍ଟାକୁ ୧୮୦ କିମି ବେଗରେ ବନ୍ଦେ ଭାରତ ରେଳଗାଡ଼ି ଚଳାଚଳ କରିବ। ପୁରୀରୁ ହାୱଡ଼ା
ମଧ୍ୟରେ ପହଞ୍ଚିବା ପାଇଁ ଏହାକୁ ପ୍ରାୟ ୬ଘଣ୍ଟା ଲାଗିବ। ଗତ ମାସ ୨୮ରେ ପରୀକ୍ଷାମୂଳକ ଭାବେ ଏହା ଚଳାଚଳ କରିଥିଲା। ସକାଳ ୬ଟା ୧୦ରେ ହାୱଡ଼ାରୁ ବାହାରି ଦିନ ୧୨ଟା ୩୫ରେ ଏହା ପୁରୀରେ ପହଞ୍ଚିଥିଲା। ସେଥିରେ ୧୬ଟି ଶୀତତାପ ନିୟନ୍ତ୍ରିତ ରେଳଡବା ରହିଛି। ରେଳଯାତ୍ରୀ ବିମାନ ସେବା ପରି ସବୁପ୍ରକାର ଆରାମଦାୟକ ଏବଂ ଅତ୍ୟାଧୁନିକ ସେବା ବନ୍ଦେ ଭାରତ ଟ୍ରେନ୍ରେ ପାଇବେ। ଦେଶୀୟ ଜ୍ଞାନ କୌଶଳରେ ଏହି ଟ୍ରେନ୍ ନିର୍ମାଣ କରାଯାଇଛି। ୧୧୨୮ ଆରାମଦାୟକ ଆସନ(ସିଟ୍) ବିଶିଷ୍ଟ ରେଳ ବଗିରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ସ୍ୱୟଂଚାଳିତ ଦୁଆର ରହିଛି। ସବୁ ବଗିରେ ଡିସ୍ପ୍ଲେ ବୋର୍ଡ, ମୋବାଇଲ ଚାର୍ଜିଂ ବ୍ୟବସ୍ଥା, ଜରୁରୀକାଳୀନ ଆଲାରାମ, ଅତ୍ୟାଧୁନିକ ଶୌଚାଳୟ, ପାନୀୟ ଜଳ, ସୁରକ୍ଷା ଓ ୱାଇଫାଇ ବ୍ୟବସ୍ଥା ରହିଛି।
ଏହି ରେଳଗାଡ଼ି ପୁରୀରୁ ଛାଡ଼ି ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର ଏବଂ ଖଡ଼ଗପୁର ଦେଇ ହାୱଡ଼ା ରେଳ ଷ୍ଟେସନରେ ପହଞ୍ଚିବ।
୧୮ରୁ ଗଡ଼ିବ ‘ବନ୍ଦେ ଭାରତ’
Popular Categories



