୧୦ତାରିଖ ସୁଦ୍ଧା ରାସ୍ତାଘାଟ ହେବ ବୁଲା ଗୋରୁମୁକ୍ତ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାସ୍ତାରେ ଆଉ ଖୋଲା ଗୋରୁ ବୁଲୁଥିବାର ଦେଖିବାକୁ ମିଳିବ ନାହିଁ। ଏଭଳି ସମସ୍ତ ଗୋରୁଙ୍କୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ଆଶ୍ରୟସ୍ଥଳରେ ଭର୍ତ୍ତି କରିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏ ସମ୍ପର୍କରେ ସେ ସମସ୍ତ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି। ବୁଲା ଗୋରୁଗାଈ ଫସଲ ନଷ୍ଟ କରୁଥିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗକ୍ରମେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଲୋକେ ବୁଲା ଗୋରୁଙ୍କୁ ସରକାରୀ ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଭର୍ତ୍ତି କରୁଥିବାବେଳେ ଏଥିରୁ ସେମାନଙ୍କ ବାରଣ କରାଯାଇଛି। ଆଶ୍ରୟସ୍ଥଳରୁ ଗୋରୁ ନେବାକୁ ଆସୁଥିବା ବ୍ୟକ୍ତି ବା ଏହି ଗୋରୁର ମାଲିକଙ୍କ ଉପରେ ମଧ୍ୟ ଅର୍ଥଦଣ୍ଡ ଜାରି କରାଯାଇଛି। ଏଥିସହିତ ବୁଲା ଗୋରୁଙ୍କ ଲାଳନପାଳନ ପାଇଁ ସହଯୋଗ କରିବାକୁ ରାଜ୍ୟର ସମସ୍ତ ରାଷ୍ଟ୍ରାୟତ ସଂସ୍ଥା ବା ପିଏସ୍ୟୁ ଉପରେ ସରକାର ୦.୫ ପ୍ରତିଶତ ସେସ୍ ଲଗାଇଛନ୍ତି। ଏହି ଅର୍ଥରେ ଅଧିକ ଆଶ୍ରୟସ୍ଥଳ ନିର୍ମାଣ କରାଯିବ ଓ ଗୋରୁଙ୍କ ରକ୍ଷଣାବେକ୍ଷଣ କରାଯିବ। ଗୋ-ରକ୍ଷଣ ବାବଦରେ ସରକାର ଚଳିତ ବର୍ଷର ବଜେଟରେ ୯୫କୋଟିର ବ୍ୟୟବରାଦ ମଧ୍ୟ କରିଛନ୍ତି।