ପରିବାରରେ ପୁରୁଷ ଅପେକ୍ଷା ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ସିଦ୍ଧାନ୍ତ ନେବା କ୍ଷେତ୍ରରେ ଅଂଶଗ୍ରହଣ କରିବା ଉଚିତ

ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ବର: ଦକ୍ଷତା, ଯୋଗ୍ୟତା, ଉପାର୍ଜନ ଆଦି ସବୁ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ଭଳି ଯୋଗ୍ୟତା ଅର୍ଜନ କରିପାରିଛନ୍ତି। ଏହାସତ୍ତ୍ୱେ ମହିଳାମାନଙ୍କୁ ପୁରୁଷଙ୍କ ସମକକ୍ଷ ସ୍ତରକୁ ଅଣାଯାଇ ପାରିନାହିଁ। ସମ୍ପ୍ରତି ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନିଜର ଉତ୍କର୍ଷ ପ୍ରତିପାଦନ କରିବାର ଦକ୍ଷତା ରଖିଛନ୍ତି। ପରିବାରରେ ସମସ୍ତେ ସମାନ ଭାବେ ଦାୟିତ୍ବ ନେବା ଦରକାର। ମହିଳାମାନେ ପୁରୁଷମାନଙ୍କ ସମକକ୍ଷ ହେବାର ପ୍ରତିଯୋଗିତା ପରିବର୍ତ୍ତେ ସିଦ୍ଧାନ୍ତ ନେବା କ୍ଷେତ୍ରରେ ଅଂଶଗ୍ରହଣ କରିବା ଉଚିତ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ପରିବାରରେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ପରିବାରରେ ମହିଳାମାନେ ସିଦ୍ଧାନ୍ତ ନେବା ପ୍ରକ୍ରିୟାର ଏକ ଅଂଶ ହେବା ଜରୁରୀ। କାରଣ ମହିଳାମାନଙ୍କ ସାମାଜିକ ଓ ନେତୃତ୍ବ ନେବା ଅଧିକାର ପ୍ରସଙ୍ଗରେ ସେମାନେ ସ୍ୱାମୀ କିମ୍ବା ପରିବାରବର୍ଗଙ୍କ ଦ୍ୱାରା ପରିଚାଳିତ ନ ହୋଇ ସିଦ୍ଧାନ୍ତ ନିଜେ ନେଇପାରିଲେ ତାହା ପାରିବାରିକ ହିଂସା ରୋକିବାରେ ଅନେକାଂଶରେ ସହାୟକ ହୋଇପାରିବ ବୋଲି କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବେଦ କୁମାରୀ ପ୍ରକାଶ କରିଛନ୍ତି।


ଉତ୍କଳ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍ ୱମେନ୍ସ ଷ୍ଟଡ଼ି ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ବେଦ କୁମାରୀ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କ ଭଳି ପାରଦର୍ଶିତା ଦେଖାଇଛନ୍ତି। ତେଣୁ ମହିଳାମାନଙ୍କର ଅଧିକାର ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଦେଶର ନାଗରିକ ଭାବରେ ନାଗରିକ ଅଧିକାର ସମ୍ପର୍କରେ ସଚେତନ କରାଗଲେ ଅନେକ ସମସ୍ୟା ସମାଧାନ ହୋଇଯିବ ବୋଲି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତି ପ୍ରକାଶ କରିଛନ୍ତି।

prayash

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି କହିଛନ୍ତି ଯେ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ କାର୍ୟ୍ୟ କରିବା ପାଇଁ ସୁଯୋଗ ମିଳୁଛି। ସେଠାରେ ନିଜର ବିଜ୍ଞତା ଓ ଦକ୍ଷତା ପ୍ରଦର୍ଶନ କରି ସେମାନେ ପୁରୁଷଙ୍କଠାରୁ ବି ଆଗକୁ ଯାଇପାରିବେ। ତେବେ ପରିବାରରେ ସମସ୍ତଙ୍କ ପାଇଁ କାର୍ୟ୍ୟ କରିବା ଶୈଳୀରେ ପରିବର୍ତ୍ତନ ଅଣାଯିବା ଦରକାର। ଯାହା ଲିଙ୍ଗଗତ ଭେଦଭାବ ଦୂର କରିବାରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ କହିଥିଲେ ଯେ ପୌରାଣିକ ଯୁଗରେ ମହିଳାମାନେ ନିଜର ପ୍ରତିଭା ଓ ଶକ୍ତି ପ୍ରଦର୍ଶନ କରି ସଫଳତା ପାଇଥିଲେ। ବର୍ତ୍ତମାନ ସମୟରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ। ଆଜି ମହିଳାମାନେ ନିଜର ପରିଶ୍ରମ ଓ ଇଚ୍ଛାଶକ୍ତି ଦ୍ୱାରା ନିଜକୁ ପ୍ରତିଷ୍ଠା କରାଇବାରେ ସଫଳ ହୋଇଛନ୍ତି। ସେମାନଙ୍କର ଏହି ପ୍ରତିଭାକୁ ସର୍ବଦା ସମ୍ମାନ କରିବା ଉଚିତ।


ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜର ନିର୍ଦେଶିକା ପ୍ରଫେସର ଜୟନ୍ତୀ ଦୋରା ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେବା ସହ ଆନ୍ତର୍ଜାତିକ ମହିଳା ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ‘ଜେଣ୍ଡର ଇକ୍ବାଲିଟି ଟୁୱାର୍ଡ୍ସ ସଷ୍ଟେନେବଲ ଟୁମୋରୋ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା।

kalyan agarbati

Comments are closed.