ମାର୍ଚ୍ଚ ୧୫ରୁ ୧୭ ପର୍ଯ୍ୟନ୍ତ ଉତ୍କଳରେ ସହ-ଶୈକ୍ଷିକ ପ୍ରତିଯୋଗିତା

• ଭାଗନେବେ ୧୪ଟି ବିଶ୍ୱବିଦ୍ୟାଳୟ ଓ ୨ଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ
• ଉଦଯାପନ ଉତ୍ସବରେ ଯୋଗଦେବେ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର

ଭୁବନେଶ୍ୱର: ଶିକ୍ଷା ଗ୍ରହଣ ସହିତ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ଅନ୍ତଃବିଶ୍ୱବିଦ୍ୟାଳୟ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‍ଯାପନ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଆଜି ବାଣୀବିହାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୨ଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଂଶ୍ରଗହଣ କରିବେ। ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଉତ୍କଳ, ରେଭେନ୍ସା, ବ୍ରହ୍ମପୁର, ଫକୀର ମୋହନ, ଗଙ୍ଗାଧର ମେହେର, କଳାହାଣ୍ଡି, ସମ୍ବଲପୁର, ଖଲିକୋଟ, ରାଜେନ୍ଦ୍ର, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଓଏସଓୟୁ, ଓୟୁଟିଆର, ନାଇଜର ଓ ଆଇଜରର ଛାତ୍ରଛାତ୍ରୀ ମଧ୍ୟ ଭାଗ ନେବେ। ଏଥିରେ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି କହିଛନ୍ତି।

prayash

ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବରେ ୧୫ଟି ବିଭାଗ ଯଥା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା, କୁଇଜ, ଚିତ୍ରାଙ୍କନ/ପେଣ୍ଟିଂ, ଏକକ ଅଭିନୟ, ଶାସ୍ତ୍ରୀୟ କଣ୍ଠସଙ୍ଗୀତ, ଲଘୁକଣ୍ଠ ସଙ୍ଗୀତ ଆଦିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩୦ହଜାର, ୨୫ହଜାର ଓ ୨୦ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଆଜି ବାଣୀବିହାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହିତ କୁଳସଚିବ ଡ.ଅଭୟ କୁମାର ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ, ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା, ଆଇନ ବିଭାଗ ପ୍ରାଧ୍ୟାପକ ଡ.ଏମ.କେ.ସାଡୁଆଳ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ସଂଯୋଜିକା ପ୍ରଫେସର ପଦ୍ମାଳୟା ମହାପାତ୍ର ଉପସ୍ଥିତି ରହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଏହାପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତା ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଆଜି ଶେଷ ହେଉଛି। ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ସହ-ଶୈକ୍ଷିକ ପ୍ରତିଭା ପ୍ରତିଯୋଗିତା ତଥା ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେବ।

kalyan agarbati

Comments are closed.