ପ୍ରିକ୍ୱାର୍ଟରରେ ନାଦାଲ ଓ ଷ୍ଟିଫେନ୍‍ସ

0

ନ୍ୟୁୟର୍କ : ଚଳିତ ସିଜିନର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଖେଳାଯାଇଥିବା ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍‍ସରେ କାଁ ଭାଁ ବିପର୍ଯ୍ୟୟ ଘଟିଥିବାବେଳେ ରାଫେଲ ନାଦାଲ, ଜୁଆନ ମାର୍ଟିନ ଡେଲ ପୋଟ୍ରୋ, କେଭିନ ଆଣ୍ଡରସନ, ସ୍ଲୋଏନ ଷ୍ଟିଫେନ୍‍ସ, ଏଲିନା ଶ୍ୱିତୋଲିନା ପ୍ର୍ରମୁଖ ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି।
ଶୁକ୍ରବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ୩ୟ ରାଉଣ୍ଡ ମ୍ୟାଚରେ ଟପ୍‍ ସିଡ୍‍ ସ୍ପେନର ରାଫେଲ ନାଦାଲ ୫-୭, ୭-୫, ୭-୬, ୭-୬ ସେଟ୍‍ରେ ରୁଷର କାରେନ ଖାଚାନୋଭ୍‍ଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ୱାର୍ଟରରେ ନାଦାଲ ଜର୍ଜିଆର ଅଣସିଡେଡ୍‍ ଖେଳାଳି ନିକୋଲାସ ବାସିଲାସ୍‍ଭିଲିଙ୍କୁ ଭେଟିବେ। ଏଥରକୁ ମିଶାଇ ନାଦାଲ ୟୁଏସ ଓପନରେ ମୋଟ ଦଶଥର ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ୩ୟ ସିଡ୍‍ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲ ପୋଟ୍ରୋ ୭-୫, ୭-୬, ୬-୩ ସେଟ୍‍ରେ ୩୧ଶ ସିଡ୍‍ ସ୍ପେନର ଫର୍ଣ୍ଣାଣ୍ଡୋ ଭେର୍ଡାସ୍କୋଙ୍କୁ ପରାସ୍ତ କରିଥିବାବେଳେ ୫ମ ସିଡ୍‍ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ୪-୬, ୬-୩, ୬-୪, ୪-୬, ୬-୪ ସେଟ୍‍ରେ ୨୮ଶ ସିଡ୍‍ ଇସ୍ରାଏଲର ଡେନିସ ସାପୋଭାଲୋଭ୍‍ଙ୍କୁ, ୯ମ ସିଡ୍‍ ଅଷ୍ଟ୍ରିଆର ଡୋମିନିକ୍‍ ଥିଏମ ୩-୬, ୬-୩, ୭-୬, ୬-୪ ସେଟ୍‍ରେ ଆମେରିକାର ଟେଲର ଫ୍ରିଜ୍‍ଙ୍କୁ, ୧୧ଶ ସିଡ୍‍ ଆମେରିକାର ଜନ ଇସନର ୭-୬, ୬-୭, ୬-୩, ୭-୫ ସେଟ୍‍ରେ ସର୍ବିୟାର ଡୁସାନ ଲାଜୋଭିକ୍‍ଙ୍କୁ, ୨୦ଶ ସିଡ୍‍ କ୍ରୋଏସିଆର ବୋର୍ନା କୋରିକ୍‍ ୬-୩, ୭-୫, ୬-୨ ସେଟ୍‍ରେ ରୁଷର ଡାନିଲ ମେଦଭେଦେଭ୍‍ଙ୍କୁ ଓ ୨୫ଶ ସିଡ୍‍ କାନାଡାର ମିଲୋସ ରାଓନିକ୍‍ ୭-୬, ୬-୩, ୬-୪ ସେଟ୍‍ରେ ସ୍ୱିଜରଲାଣ୍ଡର ଷ୍ଟାନିଲାସ ୱାରିଙ୍କାଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ୱାର୍ଟରରେ ଡେଲ ପୋଟ୍ରୋ-କୋରିକ୍‍, ଆଣ୍ଡରସନ-ଥିଏମ ଓ ରାଓନିକ୍‍-ଇସ୍‍ନରଙ୍କ ମଧ୍ୟରେ ମୁକାବିଲା ହେବ।
ମହିଳା ସିଙ୍ଗଲ୍‍ସ ୩ୟ ରାଉଣ୍ଡରେ ୩ୟ ସିଡ୍‍ ଆମେରିକାର ସ୍ଲୋଏନ ଷ୍ଟିଫେନ୍‍ସ ୬-୩, ୬-୪ ସେଟ୍‍ରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରିଥିବାବେଳେ ୭ମ ସିଡ୍‍ ୟୁକ୍ରେନର ଏଲିନା ଶ୍ୱିତୋଲିନା ୬-୪, ୬-୪ ସେଟ୍‍ରେ ଚୀନର କ୍ୱିଆଙ୍ଗ୍‍ ୱଙ୍ଗ୍‍ଙ୍କୁ, ୮ମ ସିଡ୍‍ ଚେକ୍‍ ରିପବ୍ଲିକ୍‍ର କ୍ୟାରୋଲିନା ପ୍ଲିସ୍କୋଭା ୬-୪, ୭-୬ ସେଟ୍‍ରେ ଆମେରିକାର ସୋଫିଆ କେନିନ୍‍ଙ୍କୁ, ୧୫ଶ ସିଡ୍‍ ବେଲଜିୟମର ଏଲିସ ମର୍ଟନ୍‍ସ ୬-୩, ୭-୬ ସେଟ୍‍ରେ ଚେକ୍‍ ରିପବ୍ଲିକ୍‍ର ବାର୍ବାରା ଷ୍ଟ୍ରାଇକୋଭାଙ୍କୁ, ୧୭ଶ ସିଡ୍‍ ଆମେରିକାର ସେରେନା ୱିଲିୟମ୍‍ସ ୬-୧, ୬-୨ ସେଟ୍‍ରେ ୧୬ଶ ସିଡ୍‍ ସ୍ୱଦେଶର ଭିନସ ୱିଲିୟମ୍‍ସଙ୍କୁ, ୧୮ଶ ସିଡ୍‍ ଆଲିସନ ବାର୍ଟି ୬-୩, ୬-୪ ସେଟ୍‍ରେ କ୍ୟାରୋଲିନା ମୁଚୋଭାଙ୍କୁ ଓ ୧୯ଶ ସିଡ୍‍ ଲାଟ୍‍ଭିଆର ଆନାସ୍ତାସିଆ ସେବାସ୍ତୋଭା ୪-୬, ୬-୧, ୬-୨ ସେଟ୍‍ରେ ରୁଷର ଏକେଟାରିନା ମାକାରୋଭାଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ୱାର୍ଟରରେ ଷ୍ଟିଫେନ୍‍ସ ମର୍ଟସଙ୍କୁ, ସେରେନା କାଇଆ କାନେପିଙ୍କୁ, ଶ୍ୱିତୋଲିନା ସେବାସ୍ତୋଭାଙ୍କୁ ଓ ପ୍ଲିସ୍କୋଭା ବାର୍ଟିଙ୍କୁ ଭେଟିବେ।

Leave A Reply