ଦଳ ମାନ୍ୟତା ପ୍ରସଙ୍ଗ : ସୁପ୍ରିମକୋର୍ଟ ଗଲେ ଉଦ୍ଧବ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ନିର୍ବାଚନ କମିସନ (ଇସି) ପ୍ରକୃତ ଶିବସେନା ଦଳ ବୋଲି ମାନ୍ୟତା ପ୍ରଦାନ କରିବା ସହ ଧନୁ ଏବଂ ତୀର ଚିହ୍ନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଇସିଙ୍କ ଏହି ନିଷ୍ପତ୍ତିରେ କ୍ଷୁବ୍ଧ ଉଦ୍ଧବ ଠାକ୍‌ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସୋମବାର ଉଦ୍ଧବଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପୀଠରେ ମାମଲାର ତୁରନ୍ତ ଶୁଣାଣି ପାଇଁ ମତ ରଖିଥିଲେ। ତେବେ ତାଙ୍କ ଆବେଦନକୁ ପ୍ରଧାନ ବିଚାରପତି ଖାରଜ କରି ଦେଇଥିଲେ। ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ ଉପଯୁକ୍ତ ପଦ୍ଧତିରେ ଆବେଦନ କରିବାକୁ ପ୍ରଧାନ ବିଚାରପତି କହିଥିଲେ।
ଅନ୍ୟପକ୍ଷରେ ଇସିକୁ ତୁରନ୍ତ ଭାଙ୍ଗି ଦେବା ଉଚିତ୍‌ ବୋଲି ସୋମବାର କହିଛନ୍ତି ଉଦ୍ଧବ। ପ୍ରକୃତ ଶିବସେନା କିଏ ସେ ସମ୍ପର୍କରେ ନିଷ୍ପତ୍ତି କାହିଁକି ତରବରିଆ ଭାବେ ଇସି ନେଲେ ସେ ନେଇ ଉଦ୍ଧବ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଗୋଷ୍ଠୀ ଇସି ଉପରକୁ ବିଶ୍ବାସ ହରାଇଥିବା ଉଦ୍ଧବ କହିଥିଲେ। ସେହିପରି ନିର୍ବାଚନ ମାଧ୍ୟମରେ ନିର୍ବାଚନ କମିସନର ପଦ ପୂରଣ କରାଯିବା ଉଚିତ୍‌ ବୋଲି ସେ ମତ ଦେଇଥିଲେ। ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ପ୍ରଦାନ ସହ ଦଳୀୟ ସଙ୍କେତ ପ୍ରଦାନ କରାଯିବା ଅନୁଚିତ୍‌। ମାମଲାର ବିଚାର ସମୟରେ ଇସି ସମଗ୍ର ଘଟଣାକ୍ରମ ଉପରେ ନଜର ରଖିବା ଉଚିତ୍‌ ଥିଲା। ଇସି ଏକତରଫା ଭାବେ ନିଷ୍ପତ୍ତି ନେଇଥିବା ସେ ଅଭିଯୋଗ କରିଥିଲେ। ତାଙ୍କ ଗୋଷ୍ଠୀ ବିରୋଧରେ କେତେକ ମହଲରୁ ଷଡ଼ଯନ୍ତ୍ର କରଯାଉଥିବା ଉଦ୍ଧବ କହିଥିଲେ। ବିଜେପି ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ଉଦ୍ଧବ ମତ ଦେଇଥିଲେ।

Comments are closed.