ବାପୁଙ୍କୁ ହତ୍ୟା ପାଇଁ ନାଥୁରାମଙ୍କୁ ବନ୍ଧୁକ ଯୋଗାଇଥିଲେ ସବରକର
ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କ ଅଭିଯୋଗ
ନୂଆଦିଲ୍ଲୀ : ମହାନ ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସବରକରଙ୍କ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ରାହୁଲଙ୍କ ମନ୍ତବ୍ୟକୁ ବିଜେପି ଓ କଂଗ୍ରେସର ସହଯୋଗୀ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନାପସନ୍ଦ କରିଛନ୍ତି। ଏପରିସ୍ଥିତିରେ ସବରକରଙ୍କ ବିରୋଧରେ ଆଉ ଏକ ଟିପ୍ପଣୀ ଦେଇଛନ୍ତି ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ। ତୁଷାର ତାଙ୍କ ଟ୍ବିଟରରେ ଲେଖିଛନ୍ତି ଯେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ସବରକର ସହଯୋଗ କରିଥିଲେ। ବାପୁଙ୍କୁ ହତ୍ୟା ଲାଗି ବ୍ୟବହୃତ ବନ୍ଧୁକ ଗଡସେଙ୍କୁ ସବରକର ଯୋଗାଇଥିଲେ। ବାପୁଙ୍କ ହତ୍ୟାର ଦୁଇଦିନ ପୂର୍ବରୁ ଗଡସେଙ୍କ ପାଖରେ ଆବଶ୍ୟକ ଅସ୍ତ୍ର ନଥିଲା। ନିଜର ଟିପ୍ପଣୀ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ତୁଷାର କହିଛନ୍ତି ଯେ ସେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଅଭିଯୋଗ ନୁହେଁ। ବରଂ ଏହା ଇତିହାସ ଆଧାରିତ। ପୁଲିସ ଏତଲା ଅନୁଯାୟୀ ୧୯୪୮ ଜାନୁଆରୀ ୨୬ ଓ ୨୭ ତାରିଖରେ ସବରକରଙ୍କୁ ନାଥୁରାମ ଓ ବିନାୟକ ଆପତେ ସାକ୍ଷାତ କରିଥିଲେ। ସେତେବେଳେ ନାଥୁରାମଙ୍କ ପାଖରେ ବନ୍ଧୁକ ନଥିଲା। ବନ୍ଧୁକଟିଏ ପାଇବା ଲାଗି ସେ ମୁମ୍ବଇ ସହରକୁ ଖୋଜାଖୋଜି କରିବାକୁ ଆସିଥିଲେ। ମାତ୍ର ସବରକରଙ୍କୁ ଭେଟିବା ପରେ ତାଙ୍କର ଏହି ସମସ୍ୟା ସମାଧାନ ହୋଇ ଯାଇଥିଲା ଓ ସେ ଦିଲ୍ଲୀ ଫେରିଆସିଥିଲେ। ଏହାର ଦୁଇଦିନ ପରେ ଗାନ୍ଧୀଙ୍କୁ ନାଥୁରାମ ହତ୍ୟା କରିଥିଲେ। ଏହା ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ ଯେ ସବରକର ଇଂରେଜଙ୍କୁ ସହଯୋଗ କରିଥିଲେ ଓ ତାଙ୍କ ଠାରୁ ପେନସନ ଗ୍ରହଣ କରିଥିଲେ।
Comments are closed.