ଏଣିକି ଟ୍ରେନରେ ସ୍ୱଚ୍ଛତା ମୂଲ୍ୟାୟନ କରିବେ ଯାତ୍ରୀ

0

ନୂଆଦିଲ୍ଲୀ : ବଗି ମଧ୍ୟରେ ପରିମଳ ବ୍ୟବସ୍ଥାକୁ କିଭଳି ପରିଚାଳନା କରାଯାଉଛି, ସେ ସମ୍ପର୍କରେ ଯାତ୍ରୀଙ୍କ ମୂଲ୍ୟାୟନକୁ ଆଧାର କରି ଏଣିକି ଯାତ୍ରୀବାହୀ ଟ୍ରେନଗୁଡିକୁ ମାନ୍ୟତା ପ୍ରଦାନ କରାଯିବ। ଯାତ୍ରୀଙ୍କ ରିପୋର୍ଟକୁ ଭିତ୍ତିକରି ପରିମଳ ଦାୟିତ୍ୱ ନେଇଥିବା ଠିକାଦାରଙ୍କ ପାଉଣା ପ୍ରଭାବିତ ହେବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। ଠିକାଦାର ପାଉଥିବା ମାସିକ ପାଉଣାର ୩୦ ପ୍ରତିଶତ ବର୍ତ୍ତମାନ ଯାତ୍ରୀଙ୍କ ରିପୋର୍ଟ ଉପରେ ନିର୍ଭର କରିବ। ଅବଶିଷ୍ଟ ୭୦ ପ୍ରତିଶତ ପାଉଣାକୁ ଦାୟିତ୍ୱରେ ଥିବା ରେଳବାଇ କର୍ମଚାରୀଙ୍କ ରିପୋର୍ଟ ନିର୍ଦ୍ଧାରଣ କରିବ। ଠିକାଦାରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ କିଭଳି ଟ୍ରେନଗୁଡିକୁ ପରିଷ୍କାର ରଖୁଛନ୍ତି, ସେମାନେ ନିୟମିତ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି କି ନାହିଁ, କିଭଳି ସାମଗ୍ରୀ ବ୍ୟବହାର କରୁଛନ୍ତି, ତାହା ରେଳ କର୍ମଚାରୀ ତଦାରଖ କରିବେ। ଟ୍ରେନ ସଫା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଉପସ୍ଥାନ ପାଇଁ ୨୫ ପ୍ରତିଶତ ନମ୍ବର ଧାର୍ଯ୍ୟ କରାଯାଇଥିବାବେଳେ ପରିମଳ ରେକର୍ଡ ପାଇଁ ୧୫ ପ୍ରତିଶତ, ପରିମଳ ସାମଗ୍ରୀର ମାନ, ସୁପରଭାଇଜରଙ୍କ ଅଚାନକ ପରିଦର୍ଶନ ଓ ରକ୍ଷଣାବେକ୍ଷଣ ବାବଦରେ ୧୦ ପ୍ରତିଶତ ଲେଖାଏଁ ନମ୍ବର ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଭାଗରୁ ମିଳିଥିବା ନମ୍ବରକୁ ଏକାଠି କରାଯିବାପରେ ସଂପୃକ୍ତ ଠିକାଦାରଙ୍କ ଜୋରିମାନା କିମ୍ବା ପ୍ରୋତ୍ସାହନ ଭତ୍ତା ନିର୍ଦ୍ଧାରଣ କରାଯିବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। ଯାତ୍ରୀଙ୍କ ମୂଲ୍ୟାୟନ ରିପୋର୍ଟକୁ ଜିପିଏସ ବ୍ୟବସ୍ଥା ଜରିଆରେ ରେକର୍ଡ କରାଯିବ, ଯାହାଫଳରେ କୌଣସି ବ୍ୟକ୍ତି ଏଥିରେ ହେରଫେର କରିପାରିବେ ନାହିଁ। ବର୍ତ୍ତମାନ ଟ୍ରେନରେ ପରିମଳ ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ସବୁଠାରୁ ଚିନ୍ତାର ବିଷୟ ପାଲଟିଛି। ତେଣୁ ଯାତ୍ରୀଙ୍କ ମତାମତକୁ ଅଗ୍ରାଧିକାର ଦିଆଯାଇ, ଏହି ଦାୟିତ୍ୱ ବହନ କରୁଥିବା ଠିକାଦାରଙ୍କୁ ଠିକଣା ରାସ୍ତାକୁ ଅଣାଯାଇପାରିବ ବୋଲି ରେଳ କର୍ତ୍ତୃପକ୍ଷ ଆଶା କରୁଛନ୍ତି।

Leave A Reply