ଟ୍ରେନ ଶୌଚାଳୟ ଜଳରେ ଚା’ ତିଆରି କରିବାରୁ ଲକ୍ଷେ ଟଙ୍କା ଜରିମାନା
ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ପାଇଁ ଚା’ ଏବଂ କଫି ପ୍ରସ୍ତୁତି ନିମନ୍ତେ ଟ୍ରେନ୍ରେ ଥିବା ଶୌଚାଳୟର ଜଳ ବ୍ୟବହାର କରି ରେଳବାଇର ଜଣେ ବିକ୍ରେତା ଧରାପଡିଛନ୍ତି। ଟ୍ରେନ୍ ଶୌଚାଳୟରୁ ପାଣି ସଂଗ୍ରହ କରିବାର ଭିଡିଓ ଭାଏରାଲ ହେବା ପରେ ସମ୍ପୃକ୍ତ ବିକ୍ରେତାଙ୍କ ଉପରେ ରେଳ କର୍ତ୍ତୃପକ୍ଷ ଏକ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଚେନ୍ନାଇ କେନ୍ଦ୍ରୀୟ- ହାଇଦ୍ରାବାଦ ଚାରମିନାର ଏକ୍ସପ୍ରେସ୍ ତେଲଙ୍ଗାନା ଷ୍ଟେସନରେ ଅଟକିଥିବା ବେଳେ ଏହାର ଜଣେ ଯାତ୍ରୀ ସମ୍ପୃକ୍ତ ବିକ୍ରେତାଙ୍କୁ ଶୌଚାଳୟ ନଳରୁ ଚା’ କେନ୍ରେ ଜଳ ଭରୁଥିବା ଦେଖିଥିଲେ। ତୁରନ୍ତ ନିଜ ମୋବାଇଲରେ ତାହାର ଭିଡିଓ ପ୍ରସ୍ତୁତ କରିଥିଲେ। ଯାତ୍ରୀ ଜଣକ ତାଙ୍କ ଆଡକୁ ଦେଖୁଥିବା ବିକ୍ରେତା ଜାଣିପାରିଥିଲେ। ଏଣୁ ତାଙ୍କୁ ଆଢୁଆଳ କରି କେନ୍ରେ ଜଳ ଭର୍ତ୍ତି କରିବାକୁ ସେ ସବୁ ପ୍ରକାର ଉଦ୍ୟମ କରିଥିଲେ। ମାତ୍ର ତାହା ସମ୍ଭବ ହୋଇ ନ ଥିଲା। ଯାତ୍ରୀ ଜଣକ ତାଙ୍କ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତୁରନ୍ତ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳରେ ରେଳବାଇ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସମ୍ପୃକ୍ତ ରେଳ ବିକ୍ରେତାଙ୍କ ଏଭଳି କାର୍ଯ୍ୟ ଟ୍ରେନ୍ରେ ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ ନେଇ ପୁନଃ ପ୍ରଶ୍ନ ଉଠାଇଛି।