ତିବ୍ବତରେ କୃତ୍ରିମ ବର୍ଷା କରିବ ଚୀନ, ଭାରତକୁ ବନ୍ୟା ଭୟ !
ନୂଆଦିଲ୍ଲୀ : ତିବ୍ବତ ଅଞ୍ଚଳରେ ଚୀନ କୃତ୍ରିମ ବର୍ଷା କରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ତିବ୍ବତ ପାର୍ବତ୍ୟାଞ୍ଚଳରେ ଚୀନ ସିଲ୍ଭର ଆୟୋଡାଇନ ମେସିନ ଲଗାଉଛି । ଏହି ମେସିନ ଦ୍ୱାରା ତିବ୍ବତ ଦେଇ ଯାଉଥିବା ମୌସୁମୀ ବାଦଲଗୁଡ଼ିକରୁ ବର୍ଷା କରାଯାଇପାରିବ । ଚୀନ ସରକାର ସେନାର ଏକ କମ୍ପାନୀକୁ ଏହି କାର୍ଯ୍ୟରେ ନିୟୋଜିତ କରିଛି । ଏପର୍ଯ୍ୟନ୍ତ ସେଠାରେ ପ୍ରାୟ ୫୦୦ ମେସିନ ଲଗାଯାଇଛି । ଚୀନର ଏହି କୃତ୍ରିମ ବର୍ଷାରେ ଭାରତ ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏହାଦ୍ୱାରା ଭାରତର ମୌସୁମୀ ଉପରେ ପ୍ରଭାବ ପଡିବ । ତିବ୍ବତରେ ପ୍ରବଳ ବର୍ଷା ଯୋଗୁଁ ସେଠାରୁ ଭାରତକୁ ପ୍ରବାହିତ ହେଉଥିବା ନଦୀଗୁଡ଼ିକରେ ବନ୍ୟା ଆସିପାରେ । ଉଲ୍ଲେଖ ଯେ ଚୀନର ଦକ୍ଷିଣ ପଟେ ଦୀର୍ଘ ଦିନ ଧରି ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ସେଠାରେ ଦୈନନ୍ଦିନ କାମ ପାଇଁ ବି ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି । ତେବେ ତିବ୍ବତ ଅଞ୍ଚଳରେ ମୌସୁମୀ ବାଦଲରୁ ବର୍ଷା କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଚୀନ ବୈଜ୍ଞାନିକମାନେ ସେଠାକାର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ତିବ୍ବତରେ ବର୍ଷା ହେଲେ ସେଠାରୁ ଦକ୍ଷିଣ ଚୀନକୁ ପ୍ରବାହିତ ନଦୀଗୁଡ଼ିକରେ ଜଳର ଅଭାବ ରହିବ ନାହିଁ । ଫଳରେ ଜଳସଂକଟର ମୁକାବିଲା କରାଯାଇପାରିବ । ବୈଜ୍ଞାନିକଙ୍କ ପରାମର୍ଶକ୍ରମେ ଚୀନ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିଛି । ଚୀନ ସେନା କମ୍ପାନୀ ଚାଇନା ଏରୋସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ତିବ୍ବତର ୬ ଲକ୍ଷ ୨୦ ହଜାର ବର୍ଗ ମାଇଲ ଅଞ୍ଚଳରେ କୃତ୍ରିମ ବର୍ଷା କରିବାକୁ ମେସିନ୍ ଲଗାଯାଉଛି । ଭାରତ ବୈଜ୍ଞାନିକମାନେ ଚୀନର ଏଭଳି ପ୍ରୟାସକୁ ଫାଲତୁ ବୋଲି କହିଛନ୍ତି । ଭାରତ ବୈଜ୍ଞାନିକ ଡି.ଡି ଶିବାନନ୍ଦଙ୍କ କହିବା ଅନୁସାରେ କୃତ୍ରିମ ରୂପରେ ବର୍ଷା କରାଯିବା ପ୍ରାୟ ଫଳପ୍ରଦ ହୋଇନଥାଏ । ଏଥିପାଇଁ ବାଦଲରେ ପର୍ଯ୍ୟାପ୍ତ ପରିମାଣର ପାଣି ଓ ଆଦ୍ରତା ରହିବା ଆବଶ୍ୟକ । କୃତ୍ରିମ ବର୍ଷା ବ୍ୟୟବହୁଳ । ଡ. ପଇଙ୍କ କହିବା ଅନୁସାରେ ଭାରତର ମୌସୁମୀ ବାଦଲ ଆରବ ସାଗର, ଭାରତ ମହାସାଗର ଏବଂ ବଙ୍ଗୋପସାଗରୁ ସୃଷ୍ଟି ହୋଇଥାନ୍ତି । ହିମାଳୟରେ ପିଟି ହେବା ପରେ ବାଦଲଗୁଡ଼ିକ ଭାରତରେ ବର୍ଷି ଥାନ୍ତି । ତିବ୍ବତରେ ସ୍ଥାପିତ ଚୀନ ମେସିିନ୍ ଦ୍ୱାରା ଭାରତ ମୌସୁମୀ ଉପରେ ପ୍ରଭାବ ପଡିବ ନାହିଁ। ଏହାସହ ତିବ୍ବତରେ ବହୁଳ ମାତ୍ରାରେ ବର୍ଷା ହେବା ସମ୍ଭାବନା ବହୁତ୍ କମ। ଉଲ୍ଲେଖ ଯେ ତିବ୍ବତର ପାର୍ବତ୍ୟାଞ୍ଚଳରୁ ବ୍ରହ୍ମପୁତ୍ର, ସତଲଜ, ସିନ୍ଧୁ ନଦୀର ଉତ୍ପତି ହୋଇଛି । ଏହି ନଦୀଗୁଡ଼ିକ ଭାରତରେ ପ୍ରବାହିତ ହେଉଛନ୍ତି।