ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ କଂଗ୍ରେସର ରାଜ୍ୟସଭା ସାଂସଦ ରେଣୁକା ଚୌଧୁରୀଙ୍କ କାର୍ଯ୍ୟକୁ ନେଇ ଦଳ ସମାଲୋଚିତ ହୋଇଥିବାବେଳେ ରେଣୁକାଙ୍କ ବୟାନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ରେଣୁକା ଏକ କୁକୁର ସହ ସଂସଦରେ ପହଞ୍ଚିଥିଲେ। ଅବଶ୍ୟ ଗୃହରେ ପ୍ରବେଶ କରିବା ପୂର୍ବରୁ ସେ କୁକୁରକୁ ଘରକୁ ପଠାଇ ଦେଇଥିଲେ। ତେବେ ବୁଲା କୁକୁରକୁ ଆଣିଥିବାରୁ ଏହା କିଛି ସମୟ ପାଇଁ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା। ଏ ପ୍ରସଙ୍ଗରେ ପଚରାଯିବାରୁ ରେଣୁକା କହିଥିଲେ ଯେ ସଂସଦକୁ କୁକୁର ନ ଆଣିବା ପାଇଁ କିଛି ନିୟମ ରହିଛି କି? ବାଟରେ ଆସୁଥିବାବେଳେ ସେ ବୁଲା କୁକୁରକୁ ଅସହାୟ ଅବସ୍ଥାରେ ଦେଖିଥିଲେ। ତେଣୁ ଦୟା ପରବଶ ହୋଇ ଉକ୍ତ କୁକୁରକୁ ଘରେ ରଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି।
କୁକୁରଟି ଯଦି କାହାକୁ କାମୁଡି ଥାନ୍ତା, ତାହାହେଲେ କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରାଯାଇଥିଲା। ଜବାବରେ ରେଣୁକା କହିଥିଲେ ଯେ କୁକୁର ନୁହେଁ, ସଂସଦ ଭିତରେ ଥିବା ଲୋକମାନେ ହିଁ କାମୁଡିଥାନ୍ତି। ରେଣୁକା ଏହି ମର୍ମରେ ବିଜେପି ସାଂସଦଙ୍କୁ ନିଶାଣ କରିଥିଲେ। ଅପରପକ୍ଷରେ ରେଣୁକାଙ୍କ ଏତାଦୃଶ ବୟାନକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଏଭଳି ମନ୍ତବ୍ୟ ଦେଇ ରେଣୁକା ସବୁ ସାଂସଦଙ୍କୁ କୁକୁର ସହ ତୁଳନା କରିଛନ୍ତି ବୋଲି ବିଜେପି ମୁଖପାତ୍ର ସେହଜାଦ ପୁନାୱାଲା କହିଛନ୍ତି।



