ଡିସେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଏନର୍ଜି ଲିଡର୍ସ ଶିଖର ସମ୍ମିଳନୀ, ଶକ୍ତି କ୍ଷେତ୍ରରେ ରାଷ୍ଟ୍ର ପାଇଁ ଏକ ମହଦାକାଂକ୍ଷୀ ଯାତ୍ରା ଆରମ୍ଭ କରିଛି। ୯୦ ଦଶକର ପ୍ରାରମ୍ଭରୁ ରାଜ୍ୟ ପ୍ରଥମ ଥର ପାଇଁ ବ୍ୟାପକ ବିଦ୍ୟୁତ୍ କ୍ଷେତ୍ର ସଂସ୍କାର ଗ୍ରହଣ କରିବା ପରେ ଏହା ହେଉଛି ଆଉ ଏକ ଅଗ୍ରଣୀ ପଦକ୍ଷେପ। ଗତ ଦଶନ୍ଧିରେ ଭାରତର ଶକ୍ତି କାହାଣୀ ଏହାର ବିକାଶ ଯାତ୍ରାରେ ସବୁଠାରୁ ପରିବର୍ତ୍ତନକାରୀ ଅଧ୍ୟାୟ ମଧ୍ୟରୁ ଗୋଟିଏ। ଯେତେବେଳେ ଦୀର୍ଘକାଳୀନ ବିଦ୍ୟୁତ୍ ଅଭାବ ସାଧାରଣ କଥା ଥିଲା, ସେହି ସମୟରୁ ଦେଶ ଆଜି ବିଶ୍ୱସନୀୟ ଭାବରେ ସର୍ବନିମ୍ନ ଅଭାବ ସହିତ ୨୫୦ ଗିଗାୱାଟର ସର୍ବାଧିକ ଚାହିଦା ପୂରଣ କରୁଛି।
ସାର୍ବଜନୀନ ଘରୋଇ ବିଦ୍ୟୁତ୍କରଣ, ଏକଦା ଏକ ମହଦାକାଂକ୍ଷୀ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଆଜି ଏକ ବାସ୍ତବତା ପାଲଟିଛି। ଏହି ସଫଳତାଗୁଡ଼ିକ କେବଳ ଏକ ଜାତୀୟ ପ୍ରତିବଦ୍ଧତା ନୁହେଁ ବରଂ ଭାରତର ଶକ୍ତି ପରିବର୍ତ୍ତନର ଅଗ୍ରଭାଗରେ ଥିବା ରାଜ୍ୟଗୁଡ଼ିକର ଅସାଧାରଣ ପ୍ରୟାସକୁ ମଧ୍ୟ ପ୍ରତିଫଳିତ କରୁଅଛି। ଏହି ସଫଳତା ପଛରେ ଭାରତର ଏକ ପରିଭାଷିତ ବୈଶିଷ୍ଟ୍ୟ ରହିଛି, ତାହା ହେଉଛି ଆମର ବିବିଧତା। ସୌରଶକ୍ତି ସମୃଦ୍ଧ ରାଜସ୍ଥାନରୁ ଉତ୍ତର ପୂର୍ବର ଜଳବିଦ୍ୟୁତ୍ କରିଡର ପର୍ଯ୍ୟନ୍ତ, ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ପବନଶକ୍ତିର ପ୍ରଚୁର ଉତ୍ସ ଠାରୁ ଦକ୍ଷିଣାଞ୍ଚଳରେ ବାୟୋମାସ୍ର ଅପାର ସମ୍ଭାବନା ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ର ନିଜର ଶକ୍ତି ଏବଂ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛନ୍ତି। ଏହି ବିବିଧତାକୁ ପରିଚାଳନା କରିବା ସହଜ ନୁହେଁ।
ପରିବର୍ତ୍ତନଶୀଳ ନବୀକରଣକୁ ଗ୍ରୀଡ୍ରେ ଏକୀକୃତ କରିବା, ଅସମାନ ବୈଷୟିକ କ୍ଷମତାକୁ ସୁଧାରିବା ଏବଂ ସ୍ଥାନୀୟ ପରିସ୍ଥିତି ସହ ଖାପ ଖୁଆଇବା ଆଦି ପ୍ରଶାସନିକ ଆହ୍ୱାନ ସୃଷ୍ଟି କରୁଛି; କିନ୍ତୁ ଏହି ବିବିଧତାକୁ ଏକ ପ୍ରତିବନ୍ଧକ ଭାବରେ ଦେଖାଯିବା ଉଚିତ୍ ନୁହେଁ। ପ୍ରକୃତରେ, ଏହା ଭାରତର ସର୍ବଶ୍ରେଷ୍ଠ ଉପଲବ୍ଧ ସୁଯୋଗ ମଧ୍ୟରୁ ଗୋଟିଏ। ସାରା ଦେଶରେ, ରାଜ୍ୟଗୁଡ଼ିକ ନବସୃଜନ କେନ୍ଦ୍ର ଭାବରେ ଉଭା ହେଉଛନ୍ତି-ନୂତନ ନିୟାମକ ପଦ୍ଧତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ଅଗ୍ରଣୀ ଆର୍ଥିକ ମଡେଲ, ଶକ୍ତି କ୍ଷେତ୍ରରେ ଥିବା ଅପାର ସମ୍ଭାବନାକୁ ପୁନଃଭାଷିତ କରୁଅଛି। ଏହି ପରୀକ୍ଷଣଗୁଡ଼ିକ ଜାତୀୟ ସ୍ତରରେ ଗ୍ରହଣୀୟ ହେବା ସହିତ ଏକ ସଂରଚିତ କ୍ରସ ଲର୍ଣ୍ଣିଂ ଏବଂ ଏକ ପ୍ଲାଟଫର୍ମ ପାଇବା ପାଇଁ ଯୋଗ୍ୟ, ଯାହା ଫଳରେ ରାଜ୍ୟ ରାଜ୍ୟ ମଧ୍ୟରେ ଏକ ଶିକ୍ଷଣୀୟ ପରିବେଶ ସୃଷ୍ଟି ହୋଇପାରିବ। ଦୀର୍ଘ ସମୟ ଧରି ଭାରତରେ ଏକ ସହଭାଗିତାମୂଳକ ପରିବେଶ ସୃଷ୍ଟି କରିବା ପାଇଁ ଏକ ଦୃଢ଼ ବ୍ୟବସ୍ଥାର ଅଭାବ ରହିଥିଲା। ରାଜ୍ୟଗୁଡ଼ିକ ସହଭାଗୀ ସଂଘୀୟତାକୁ ସୁଦୃଢ଼ କରିବା ଲାଗି ନେତୃତ୍ୱ ନେଉଥିବାରୁ ଏବେ ଏହାର ଏକ ସଫଳ ଧାରା ଆରମ୍ଭ ହୋଇଛି। ବିଶ୍ୱ ଶକ୍ତି ନେତା ସମ୍ମିଳନୀ (ଜିଇଏଲ୍ଏସ୍) ୨୦୨୫ ହେଉଛି ଏପରି ଏକ ପ୍ରଚେଷ୍ଟା, ଯାହା ଏହି ଶୂନ୍ୟତାକୁ ପୂରଣ କରିବାକୁ ଚେଷ୍ଟା କରୁଅଛି।
ଜିଇଏଲ୍ଏସ୍ ୨୦୨୫ ସହଭାଗିତାମୂଳକ ପ୍ରଶାସନର ଏକ ନୂତନ ଓ ବ୍ୟାବହାରିକ ମଡେଲକୁ ପ୍ରତିନିଧିତ୍ୱ କରେ, ଯାହା ରାଜ୍ୟଗୁଡିକୁ ପରସ୍ପରଠାରୁ ସିଧାସଳଖ ଶିଖିବା ସହିତ ଯେଉଁଗୁଡିକ କାର୍ଯ୍ୟକାରୀଯୋଗ୍ୟ ଓ ପ୍ରମାଣ ଆଧାରିତ ତାହା ଉପରେ ଆଲୋଚନା କରିବେ। ଏହି ଶିଖର ସମ୍ମିଳନୀରେ ନୀତି ସମ୍ବନ୍ଧୀୟ ବିତର୍କ ପରିବର୍ତ୍ତେ ସଫଳ ପ୍ରୟାସଗୁଡିକ କିଭଳି ଅନ୍ୟ ରାଜ୍ୟରେ ପ୍ରଣୟନ କରାଯାଇ ପାରିବ, ତାହାରି ଉପରେ ଗୁରୁତ୍ୱ ଦିଆଯିବ। ଗ୍ରିଡ ପରିଚାଳନାରେ ନବସୃଜନ, ଶକ୍ତି ସଂରକ୍ଷଣରେ ସଫଳତା, ନବୀକରଣୀୟ ବିସ୍ତାର ପାଇଁ ନୂତନ ବିତ୍ତୀୟ ଢାଞ୍ଚା ଏବଂ ସ୍ମାର୍ଟ ଚାହିଦା ଯୁକ୍ତ ମଡେଲ ସ୍ଥାପନ ମାଧ୍ୟମ ଇତ୍ୟାଦି, ଏହି ସମ୍ମିଳନୀର ଆଲୋଚନା ବିଷୟଗୁଡିକରେ ସ୍ଥାନିତ ହେବ। ସହଭାଗୀ ଶିକ୍ଷାର ମଧ୍ୟ ଆଉ ଏକ ଶକ୍ତିଶାଳୀ ପ୍ରଭାବ ଅଛି: ଏହା ସୁସ୍ଥ ପ୍ରତିଯୋଗିତାକୁ ଇନ୍ଧନ ଯୋଗାଏ। ଯେତେବେଳେ ରାଜ୍ୟଗୁଡ଼ିକ ଦେଖନ୍ତି ଅନ୍ୟମାନେ କଣ ହାସଲ କରିଛନ୍ତି, ସେମାନେ କିପରି କ୍ଷତି ହ୍ରାସ କରିଛନ୍ତି, ଯୋଗାଣ ଗୁଣବତ୍ତାରେ ଉନ୍ନତି କରିଛନ୍ତି କିମ୍ବା ସ୍ୱଚ୍ଛ ଶକ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିଛନ୍ତି – ଏହା ସେମାନଙ୍କୁ ସେମାନଙ୍କ ନିଜସ୍ୱ ମାନଦଣ୍ଡ ବୃଦ୍ଧି କରିବାକୁ ପ୍ରେରଣା ଦେଉଅଛି। ଏହି ଆବେଗ ପ୍ରଧାନମନ୍ତ୍ରୀଙ୍କ ସହଭାଗୀ ତଥା ସୁସ୍ଥ ପ୍ରତିଯୋଗିତାମୂଳକ ସଂଘୀୟ ବ୍ୟବସ୍ଥା ପାଇଁ ଥିବା ଆହ୍ୱାନକୁ ପ୍ରତିଫଳିତ କରେ। ଏହିଭଳି ମଡେଲ ପୂର୍ବରୁ ଅନେକ କ୍ଷେତ୍ରକୁ ପରିବର୍ତ୍ତନ କରିସାରିଛି ଏବଂ ଶକ୍ତି କ୍ଷେତ୍ରରେ ମଧ୍ୟ ସମାନ କାର୍ଯ୍ୟ କରିପାରିବ।
ଭାରତ ଯେତେବେଳେ ତାହାର ମହଦାକାଂକ୍ଷୀ ନେଟ୍ ଜିରୋ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି, ଏହି ଯାତ୍ରାରେ ନିରନ୍ତର ପୁନର୍ବିଚାର ଓ ସଂଶୋଧନର ଆବଶ୍ୟକତା ରହିଛି। ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟା ଶୀଘ୍ର ଉନ୍ନତି କରିବ, ଉପଭୋକ୍ତାଙ୍କ ଚାହିଦାର ଆକାର ଓ ପ୍ରବଣତା ମଧ୍ୟ ପରିବର୍ତ୍ତିତ ହେବ ଏବଂ ସମୟ ସହିତ ନୂଆ ନୂଆ ଆହ୍ୱାନ ସୃଷ୍ଟି ହେବ। ଜିଇଏଲ୍ଏସ୍ ଭାରତର ଏକ ନିଜସ୍ୱ ମଞ୍ଚ ଭାବେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି, ଯାହାକୁ ଆମେ ଭାରତର ଦେଶୀୟ ‘କୋପ୍’ ବୋଲି ବିଚାର କରିପାରିବା। ଏଠାରେ ଶକ୍ତି କ୍ଷେତ୍ରର ନେତୃମଣ୍ଡଳୀମାନେ ଏକସାଙ୍ଗେ ବସି ପ୍ରଗତିର ସମୀକ୍ଷା କରିବେ, ସମସ୍ୟାଗୁଡିକ ଚିହ୍ନଟ କରିବେ ଏବଂ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ତାହାର ସମାଧାନ ନିମନ୍ତେ ଚେଷ୍ଟା କରିବେ, ଯାହାକି ସାମୂହିକ ସଂକଳ୍ପକୁ ଅଧିକ ଶକ୍ତିଶାଳୀ କରିବ।
୨୦୩୬ ଓ ୨୦୪୭ ପାଇଁ ଓଡ଼ିଶା ଏହାର ଭିଜନ ମାଧ୍ୟମରେ ସମ୍ପୂର୍ଣ୍ଣ ଅଙ୍ଗୀକୃତ ଯେ ୨୦୩୬ ସୁଦ୍ଧା ନବୀକରଣୀୟ ଶକ୍ତି ଉତ୍ସରୁ ଓଡ଼ିଶାର ବିଦ୍ୟୁତ୍ ଆବଶ୍ୟକତାର ଅତିକମ୍ରେ ୩୩% ଭାଗୀଦାରି ରହିବ ଯାହା ୨୦୪୭ ସୁଦ୍ଧା ୫୦%କୁ ବୃଦ୍ଧି ପାଇବ। ଭାରତର ବିଭିନ୍ନ ରାଜ୍ୟଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ମାଧ୍ୟମରେ ନେଟ୍ ଜିରୋକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ। ଏହା କେନ୍ଦ୍ରର ମଧ୍ୟ ଏକମାତ୍ର ଦାୟିତ୍ୱ ହୋଇପାରିବ ନାହିଁ। ଏହା ଏକ ଦୃଢ଼, ଆତ୍ମବିଶ୍ୱାସୀ ଓ ଅଭିନବ ଶକ୍ତି ସଂଘୀୟତା ଦ୍ୱାରା ପରିଚାଳିତ ହେବା ଆବଶ୍ୟକ, ଯେଉଁଠାରେ ରାଜ୍ୟଗୁଡ଼ିକର ନେତୃତ୍ୱ ନେବା ଲାଗି ଆବଶ୍ୟକ ଜ୍ଞାନ, କ୍ଷମତା ରହିବ। ଜିଇଏଲ୍ଏସ୍ ୨୦୨୫ ସେହି ଦିଗରେ ଏକ ପଦକ୍ଷେପ। ରାଜ୍ୟଗୁଡ଼ିକୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା, ଗଠନମୂଳକ ଭାବରେ ସହଯୋଗ କରିବା ଏବଂ ପରସ୍ପରଠାରୁ ଶିଖିବା ଏବଂ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ସାମୂହିକ ଭାବରେ ସମାଧାନ କରିବା ପାଇଁ ସକ୍ଷମ କରି ଏକ ଶକ୍ତି ଇକୋସିଷ୍ଟମ ନିର୍ମାଣ କରିପାରିବାରେ ସକ୍ଷମ ହେବ।
ଭାରତ ଶକ୍ତି ପରିବର୍ତ୍ତନର ଦ୍ୱାରଦେଶରେ ଛିଡ଼ା ହୋଇଛି ଯାହା ଆଗାମୀ ପିଢ଼ି ପାଇଁ ଏହାର ଆର୍ଥିକ ଏବଂ ପରିବେଶଗତ ଭବିଷ୍ୟତକୁ ଆକାର ଦେବ। ତେଣୁ ରାଜ୍ୟ ନେତୃତ୍ୱକୁ ସୁଦୃଢ କରିବା କେବଳ ଏକ ବିକଳ୍ପ ନୁହେଁ, ବରଂ ଏହା ଅତ୍ୟନ୍ତ ଆବଶ୍ୟକ ଏବଂ ଜିଇଏଲ୍ଏସ୍ ଭଳି ପଦକ୍ଷେପ ମାଧ୍ୟମରେ ଆମେ ନିଶ୍ଚିତ କରିପାରିବା ଯେ ନେଟ୍ ଜିରୋ ଆଡ଼କୁ ଭାରତର ପଥ କେବଳ ଏକ ମହଦାକାଂକ୍ଷୀ ଯାତ୍ରା ନୁହେଁ, ବରଂ ଏକ ହାସଲଯୋଗ୍ୟ ଲକ୍ଷ୍ୟ।



