www.samajalive.in
Wednesday, December 10, 2025
23.1 C
Bhubaneswar

ସମ୍ପାଦକୀୟ : ଶିଳ୍ପ ବିକାଶ

କେବଳ ନଥିର ତଥ୍ୟ ନ ହେଉ

ଗତ ଦଶବର୍ଷ ମଧ୍ୟରେ ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ କାଗଜପତ୍ରରେ ବହୁତ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଥିଲେ ବି ବାସ୍ତବରେ ଚିତ୍ର ନିରାଶାଜନକ। ପ୍ରଥମ କଥା ହେଲା ରାଜ୍ୟରେ ଠିକ୍ କେତୋଟି ଏହିଭଳି ଶିଳ୍ପ ‘କାର୍ଯ୍ୟକ୍ଷମ’ ଅଛି, ସେନେଇ ଖୋଦ୍ ସରକାରଙ୍କ ପାଖରେ କୌଣସି ସ୍ପଷ୍ଟ କିମ୍ବା ନିର୍ଦିଷ୍ଟ ହିସାବ ନାହିଁ। କିଛି ବର୍ଷ ତଳେ ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ସଂଖ୍ୟା ୩ରୁ ୫ ଲକ୍ଷ ମଧ୍ୟରେ ଥିବା କୁହାଯାଉଥିଲା। ଅଥଚ ସଦ୍ୟତମ ତଥ୍ୟ ଅନୁସାରେ ଜୁନ୍ ୨୦୨୪ ସୁଦ୍ଧା ରାଜ୍ୟରେ ‘ଉଦ୍ୟମ’ ପୋର୍ଟାଲ୍‌ରେ ପଞ୍ଜୀକୃତ ଶିଳ୍ପ ସଂଖ୍ୟା ପ୍ରାୟ ୮.୪ ଲକ୍ଷରୁ ଅଧିକ ଦାବି କରାଯାଇଛି। ୨୦୨୪-୨୫ ଅର୍ଥନୈତିକ ସର୍ଭେରେ ମଧ୍ୟ ଏହି କ୍ଷେତ୍ରର ଗୁରୁତ୍ୱ ବିଷୟରେ ଉଲ୍ଲେଖ ଅଛି ସିନା; କିନ୍ତୁ କେତେ ଶିଳ୍ପ ବାସ୍ତବରେ ଉତ୍ପାଦନକ୍ଷମ ଏବଂ କେତୋଟି ବନ୍ଦ ହୋଇପଡିଛି, ତାହାର ସ୍ପଷ୍ଟ ଚିତ୍ର ମିଳିବା କଷ୍ଟକର।

- Advertisement -

ସରକାରୀ ତଥ୍ୟ ଅନୁସାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ଦାବି କରାଯାଉଛି। ହେଲେ ବିକାଶର ଏହି ଧାରା କେବଳ କିଛି ନିର୍ଦିଷ୍ଟ ସହରାଞ୍ଚଳ ଓ ଉନ୍ନତ ଜିଲାଗୁଡ଼ିକରେ ସୀମିତ ରହିଯାଇଛି। ୨୦୧୬ ଓ ୨୦୨୨ର ରାଜ୍ୟ ଶିଳ୍ପ ନୀତି ଜରିଆରେ ସରକାର ପୁଞ୍ଜି ନିବେଶ ଉପରେ ରିହାତି ଏବଂ କ୍ଲଷ୍ଟର ବିକାଶ ପାଇଁ ଅନେକ ଯୋଜନା ଘୋଷଣା କରିଛନ୍ତି; କିନ୍ତୁ ବିଭିନ୍ନ ସମୀକ୍ଷାରୁ ଜଣାପଡିଛି ଯେ, ଯୋଜନା ପ୍ରସ୍ତୁତ କରିବା ଏବଂ ତାହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଭିତରେ ଏକ ବଡ଼ ତାରତମ୍ୟ ରହିଛି। ବିଶେଷକରି ପ୍ରଥମ ଥର ପାଇଁ ବ୍ୟବସାୟ ଆରମ୍ଭ କରୁଥିବା ଯୁବକଯୁବତୀ ଓ କ୍ଷୁଦ୍ର ଉଦ୍ୟୋଗୀମାନେ ଏହାର ସୁଫଳ ପାଇପାରୁ ନାହାନ୍ତି। ଏହି କ୍ଷେତ୍ରର ସବୁଠାରୁ ବଡ଼ ସମସ୍ୟା ହେଉଛି ‘ପୁଞ୍ଜି’ ବା ‘ଋଣ’ର ଅଭାବ। ଅଧିକାଂଶ ଅଣୁ ଉଦ୍ୟୋଗୀଙ୍କୁ ବ୍ୟାଙ୍କରୁ ଋଣ ମିଳିବା କାଠିକର ପାଠ ହୋଇପଡୁଛି। ସରକାର ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ଦ୍ୱାର ବୋଲି ପ୍ରଚାର କରୁଛନ୍ତି, ‘ସିଙ୍ଗଲ୍ ୱିଣ୍ଡୋ’ ବ୍ୟବସ୍ଥାର କଥା କୁହାଯାଉଛି; କିନ୍ତୁ କେବଳ ଅନ୍‌ଲାଇନ୍ ପୋର୍ଟାଲରେ ନାମ ପଞ୍ଜୀକରଣ ସଂଖ୍ୟା ବଢ଼ାଇଦେଲେ ଶିଳ୍ପର ବିକାଶ ହେବନାହିଁ।

ଏହି ପରିପ୍ରେକ୍ଷୀରେ ଆଉ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ସରକାରୀ ତଥ୍ୟ ଅନୁସାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଏତେ ଅଭିବୃଦ୍ଧି ଘଟୁଛି, ତେବେ ରାଜ୍ୟରୁ ବାହାରକୁ ଯାଉଥିବା ଶ୍ରମିକଙ୍କ ସଂଖ୍ୟା କମୁନାହିଁ କାହିଁକି? କେବଳ ଗାଁ ଗହଳିର ଅଶିକ୍ଷିତ ଶ୍ରମିକ ନୁହନ୍ତି, ବରଂ ବୈଷୟିକ ଜ୍ଞାନକୌଶଳ ଥିବା ରାଜ୍ୟର ହଜାର ହଜାର ଶିକ୍ଷିତ ଯୁବକଯୁବତୀ ମଧ୍ୟ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ମୁହାଁଉଛନ୍ତି। ଯଦି ଘର ପାଖରେ ଛୋଟ ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ପର୍ଯ୍ୟାପ୍ତ ତଥା ସ୍ଥାୟୀ ରୋଜଗାର ସୁଯୋଗ ସୃଷ୍ଟି ହେଉଥାନ୍ତା, ତେବେ ଦାଦନ ଶ୍ରମିକ ସମସ୍ୟା ଏତେ ଉତ୍କଟ ହୋଇନଥାନ୍ତା। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ କେବଳ ଏକ ପରିସଂଖ୍ୟାନରେ ନରଖି, ସରକାର ବାସ୍ତବ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ଜରୁରୀ। ଋଣ ପ୍ରଦାନ ବ୍ୟବସ୍ଥାକୁ ସରଳ କରିବା, ବାସ୍ତବରେ କେତେ ଶିଳ୍ପ କାର୍ଯ୍ୟକ୍ଷମ ଅଛନ୍ତି ତାହାର ପ୍ରକୃତ ତଦାରଖ, ଉତ୍ପାଦ ଲାଗି ବଜାର ବ୍ୟବସ୍ଥା କରିବା ଭଳି ପଦକ୍ଷେପ ନେଲେ ଓଡ଼ିଶାରେ ଶିଳ୍ପ ବିକାଶର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories