www.samajalive.in
Monday, December 15, 2025
24.1 C
Bhubaneswar

ଗରୁଡ କିପରି ହେଲେ ମହାପ୍ରଭୁଙ୍କ ପରମ ଭକ୍ତ

ଶ୍ରୀମନ୍ଦିରର ଜଗମୋହନ ଓ ଭୋଗମଣ୍ଡପ ମଧ୍ୟବର୍ତ୍ତୀ ନାଟ ମଣ୍ଡପ ମଧ୍ୟରେ ଦଶଫୁଟ ଉଚ୍ଚତାର ଏକ ସ୍ତମ୍ଭ ଉପରେ ରହିଛନ୍ତି ଯୋଡ଼ହସ୍ତ ଗରୁଡ଼ ମୂର୍ତ୍ତି। ଗରୁଡ଼ଙ୍କୁ ଦର୍ଶନ କଲାପରେ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି। ଶ୍ରଦ୍ଧାଳୁ ଦୁଇବାହୁ ପ୍ରସାରିତ କରି ଗରୁଡ଼ସ୍ତମ୍ଭକୁ କୁଣ୍ଢାଇ ପକାଇଥାନ୍ତି। ଅନେକ ଭକ୍ତ ଏହି ସ୍ତମ୍ଭକୁ ଆଲିଙ୍ଗନ କଲାବେଳେ ଭାବନ୍ତି ସତେକି ସେମାନେ ସ୍ବୟଂ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଲିଙ୍ଗନ କରୁଛନ୍ତି।

ଗରୁଡ଼ ହେଉଛନ୍ତି ଭଗବାନ ବିଷ୍ଣୁ (ଶ୍ରୀ ଜଗନ୍ନାଥ)ଙ୍କର ମୁଖ୍ୟ ବାହନ ତଥା ପରମ ଭକ୍ତ। ଗରୁଡ଼ଙ୍କୁ ଦର୍ଶନ କରିବା ପରେ ହିଁ ସେମାନେ ନିଜର ଆଖିକୁ ରତ୍ନବେଦୀ ଉପବେସନ କରିଥିବା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ କରନ୍ତି। ଗରୁଡ଼ସ୍ତମ୍ଭ ଆଲିଙ୍ଗନ କଲେ ସମସ୍ତ ପାପ ଦୂର ହୁଏ ବୋଲି ଲୋକବିଶ୍ବାସ ରହିଛି । ପ୍ରଥମେ ଶ୍ରୀଗରୁଡ଼ଙ୍କୁ ଦର୍ଶନ ନକରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଫଳ ଲାଭ ହୋଇନଥାଏ ବୋଲି ପ୍ରବାଦ ଅଛି। ତେଣୁ ଶ୍ରୀମନ୍ଦିରକୁ ଆଗମନ କରୁଥିବା ଶ୍ରଦ୍ଧାଳୁ ଭକ୍ତବୃନ୍ଦ ପ୍ରଥମେ ଗରୁଡ଼ ସ୍ତମ୍ଭଙ୍କୁ ସ୍ପର୍ଶ କରି ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥାନ୍ତି । ଏପରିକି ବହୁ ପ୍ରାଚୀନ ସମୟରୁ ଶ୍ରୀମନ୍ଦିରକୁ ଆଗମନ କରି ଅନେକ ସାଧୁସନ୍ଥ, ଯୋଗୀ, ମହାପୁରୁଷ ଗରୁଡ଼ ସ୍ତମ୍ଭ ପଛ ପାର୍ଶ୍ୱରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭକରିଛନ୍ତି। ଶ୍ରୀଚୈତନ୍ୟ ସବୁବେଳେ ଏହି ଗରୁଡ଼ ସ୍ତମ୍ବ ପାଖରେ ରହି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ। ତାଙ୍କର ଅଙ୍ଗୁଠି ଚିହ୍ନ ଏବେବି ଗରୁଡ଼ ସ୍ତମ୍ଭର ବାମପଟେ ଭୋଗ ମଣ୍ଡପ ଦ୍ବାର ଦେଶରେ ରହିଥିବାର ଜନଶ୍ରୁତି ରହିଛି।

- Advertisement -

ଗରୁଡ଼ ସ୍ତମ୍ଭର ମହିମା ଅପାର । ଏହାକୁ ସ୍ପର୍ଶ କଲେ ବହୁ ଦୂରାରୋଗ୍ୟ ରୋଗରୁ ମୁକ୍ତି ମିଳେ ବୋଲି ଜନଶ୍ରୁତି ରହିଛି । ପୁନଶ୍ଚ ଗରୁଡ଼ ସ୍ନାନ ଜଳରେ ସ୍ନାନ କଲେ ଅଭୀଷ୍ଟ ଫଳ ମିଳେ ବୋଲି ମଧ୍ୟ କୁହାଯାଏ । ଗରୁଡ଼ ବିଗ୍ରହଙ୍କ ସ୍ନାନ ପରେ ତାଙ୍କର ସ୍ନାନଜଳ ଟୋପାଏ ମହାଦାରୁଣ ବ୍ୟାଧିଗସ୍ତ ଶରୀର ଉପରେ ପଡ଼ିଲେ ତାହା ଦୂର ହୁଏ ବୋଲି ବହୁ ପୁରାତନ ସମୟରୁ ବିଶ୍ବାସ ରହିଛି । ତେଣୁ ଗରୁଡ଼ ସ୍ନାନବେଳେ ବହୁ ଭକ୍ତ ଅପେକ୍ଷା କରିଥାନ୍ତି। ଗରୁଡ଼ସ୍ତମ୍ଭର ସ୍ନାନଜଳକୁ ପ୍ରତ୍ୟେକ ଅମାବାସ୍ୟା, ସଂକ୍ରାନ୍ତି, ଶନିବାର ଓ ମଙ୍ଗଳବାର ତ୍ରହ୍ୟ ସ୍ପର୍ଶ ତିଥିରେ ଧର୍ମନିଷ୍ଠ ବ୍ୟକ୍ତିମାନେ ନିଜ ଶରୀରରେ ସିଞ୍ଚନ କରି ସର୍ବରୋଗ ନିବାରକ ଭାବରେ ବ୍ୟବହାର କରିଥାଆନ୍ତି। ଲୋକବିଶ୍ବାସ ରହିଛି ଗରୁଡ଼ଙ୍କ ସ୍ନାନୋଦକ ପାନ କଲେ ରୋଗ, ସର୍ପଭୟ, ଭୂତପ୍ରେତାଦି ଭୟ, ଯମଦଣ୍ଡ ଓ ସ୍ତ୍ରୀମାନଙ୍କର ବନ୍ଧ୍ୟାଦୋଷ ଦୂର ହୋଇଥାଏ।

ପକ୍ଷୀରାଜ ଗରୁଡଙ୍କ ଆବିର୍ଭାବ ଓ ବିଷ୍ଣୁଙ୍କ ବାହନ ହେବାର ପୌରାଣିକ କଥା ମହାଭାରତର ଆଦି ପର୍ବରେ ବର୍ଣ୍ଣିତ ହୋଇଛି। ପରମ ବିଷ୍ଣୁ ଭକ୍ତ ପକ୍ଷୀରାଜ ଗରୁଡ଼ ପିତା କଶ୍ୟପଙ୍କ ବର ଯୋଗୁ ବଳୀୟାନ ହୋଇ ସ୍ୱର୍ଗରେ ଦେବତାମାନଙ୍କୁ ପରାଜିତ କରି ଅମୃତ କଳସ ଆଣିବାରେ ସମର୍ଥ ହୋଇଥିଲେ। ଗରୁଡ଼ ଅମୃତ କଳସ ନେଇ ଫେରୁଥିବା ସମୟରେ ଭଗବାନ ବିଷ୍ଣୁଙ୍କର ଆବିର୍ଭାବ ଘଟିଲା। ତାଙ୍କର ତୀକ୍ଷ୍ଣ ବୁଦ୍ଧି, ତେଜସ୍ମିତା ଓ ପ୍ରବଳ ପରାକ୍ରମ ଦେଖି ବିଷ୍ଣୁ ପ୍ରୀତ ହୋଇ ତାଙ୍କୁ ବର ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଗରୁଡ଼ ବିଷ୍ଣୁଙ୍କ ମାୟାରେ ବିମୋହିତ ହୋଇ ଶରଣାପନ୍ନ ପୂର୍ବକ କହିଥିଲେ- ହେ ପ୍ରଭୁ ସର୍ବଦା ଆପଣଙ୍କର ଧ୍ବଜାରେ ସ୍ଥାନ ଦିଅନ୍ତୁ। ବିଷ୍ଣୁ ‘ତଥାସ୍ତୁ’ କହି ବର ପ୍ରଦାନ କରିଥିଲେ।

ସେହିଦିନ ଠାରୁ ଗରୁଡ଼ ଭଗବାନ ବିଷ୍ଣୁଙ୍କର ଯୁଗଯୁଗ ଧରି ବାହନ ହୋଇ ରହିଗଲେ। ଗରୁଡ଼ ହିନ୍ଦୁ ପୁରାଣମାନଙ୍କରେ ପକ୍ଷୀ ଦେବତା ଭାବରେ ଖ୍ୟାତ ହେଲେ ହେଁ ତାଙ୍କର ସ୍ୱତନ୍ତ୍ର ପୂଜା ପ୍ରାୟ କରାଯାଏ ନାହିଁ। ବିଷ୍ଣୁଙ୍କ ବାହନ ରୂପେ ହିଁ ତାଙ୍କୁ ବିଷ୍ଣୁଙ୍କ ସହିତ ପୂଜା କରାଯାଇଥାଏ। ସେଥିପାଇଁ ଗରୁଡ଼ଙ୍କର ଗୋଟିଏ ନାଁ ବିଷ୍ଣୁରଥ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ନିତ୍ୟ ସେବକ ଗରୁଡ଼।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories