ପାରଳାଖେମୁଣ୍ଡି : ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି। ସାକ୍ଷରତା ହାର ବୃଦ୍ଧି ସହ ପିଲାଙ୍କୁ ସ୍କୁଲମୁହାଁ କରିବା ପାଇଁ ସରକାର ମାଗଣା ଶିକ୍ଷାଦାନ, ମଧ୍ୟାହ୍ନଭୋଜନ ଏବଂ ମାଗଣା ପୋଷାକ ଯୋଗାଣ କରୁଛନ୍ତି। ଏହାସତ୍ତ୍ବେ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଉନି। ରାଜ୍ୟ ସରକାର ବାଲବାଟିକା ବ୍ୟବସ୍ଥା ପ୍ରଚଳନ ସହ ୧୫ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ନିଯୁକ୍ତି ଭଳି ପଦକ୍ଷେପ ନେଇଛନ୍ତି। କିନ୍ତୁ ଏତେ ସବୁ ସତ୍ତ୍ବେ ଆଦିବାସୀ ଅଧ୍ୟୁଷିତ ଜିଲାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇପାରୁନି। ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ ଆଙ୍କୁଡୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏକ ବିଚିତ୍ର ଶିକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ମାତ୍ର ୧୯ ଜଣ ପିଲାଙ୍କ ପାଇଁ ୮ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି।
୧୯୧୪ ମସିହାରେ ଆଙ୍କୁଡୁରେ ପ୍ରତିଷ୍ଠିତ ଏହି ପ୍ରାଥମିକ ବିଦ୍ୟାଳୟ ପରବର୍ତ୍ତୀ ସମୟରେ ୨୦୧୭-୧୮ ବର୍ଷରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିବର୍ତ୍ତିତ ହୋଇଛି। ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି କାରଣରୁ ଏହି ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯାଇଥିବା କୁହାଗଲା। ହେଲେ ୧୯୧୪ରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ୨୦୧୫ ବେଳକୁ ୪୦ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ କେବଳ ୧୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
ସେଥିମଧ୍ୟରୁ ବାଲବାଟିକାରେ ଦୁଇଜଣ, ପ୍ରଥମ, ଅଷ୍ଟମ ଓ ନବମ ଶ୍ରେଣୀରେ ଜଣେ ମଧ୍ୟ ଛାତ୍ରଛାତ୍ରୀ ନଥିବା ବେଳେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଜଣେ ଲେଖାଏଁ ପିଲା ଅଧ୍ୟୟନ କରୁଛନ୍ତି। ସେହିପରି ପଞ୍ଚମରେ ୩ଜଣ, ଷଷ୍ଠରେ ୪ଜଣ, ସପ୍ତମରେ ୨ଜଣ ଓ ଦଶମରେ ୫ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେପଟେ ୧୯ ଛାତ୍ରଛାତ୍ରୀଙ୍କ ପାଇଁ ବାଲବାଟିକା ଓ ପ୍ରଥମରୁ ପଞ୍ଚମ ସକାଶେ ୪ଜଣ ଓ ଷଷ୍ଠରୁ ଦଶମ ପାଇଁ ଆଉ ୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ପ୍ରାଥମିକ ଶିକ୍ଷାଦାନ ପାଇଁ ୮ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୪ଜଣ ଏବଂ ହାଇସ୍କୁଲ ଶିକ୍ଷା ପାଇଁ ୧୧ଜଣ ଛାତ୍ରଛାତ୍ରୀଙ୍କୁ ୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଏହି ବିଦ୍ୟାଳୟରେ ରହିଥିବା ୮ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଆସନ୍ତା ୨ମାସ ଭିତରେ ଜଣେ ଶିକ୍ଷକ ଅବସର ନେବେ। ଜଣେ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ଅଗଷ୍ଟ ୧୪ ତାରିଖରୁ ରହିଛନ୍ତି। ସେହିପରି ଦୁଇଜଣ ଶିକ୍ଷକଙ୍କୁ ବି.ଏଲ୍.ଓ ତଥା ଭୋଟର ଅନୁସଂଖ୍ୟାନ ଦାୟିତ୍ବ ଦିଆଯାଇଛି। ସେପଟେ କିଛି ଶିକ୍ଷକ ବର୍ଷବର୍ଷ ଧରି ଏଠାରେ ରହିଛନ୍ତି। ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଗାଁ ଗାଁ ବୁଲି ସଚେତନ କରିବା ପ୍ରୟାସ ବିଫଳ ହୋଇଛି। ଏପରିକି କିଛି ଛାତ୍ରଛାତ୍ରୀଙ୍କ ଯାତ୍ରା ଖର୍ଚ୍ଚ ମଧ୍ୟ ନିଜେ ଶିକ୍ଷକ ଶିକ୍ଷୟିତ୍ରୀ ବହନ କରିଥିଲେ ସୁଦ୍ଧା ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଛି। ଏହି ଗ୍ରାମରେ ଦାଦନ ଏକ ପ୍ରମୁଖ ସମସ୍ୟା। ଗ୍ରାମର ଅଧିକାଂଶ ଲୋକ ତାମିଲନାଡୁ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଛନ୍ତି। ବିଦ୍ୟାଳୟର ଅସ୍ଥିତ୍ବ ବଞ୍ଚାଇ ରଖିବା ସକାଶେ ଏକ ଛାତ୍ରାବାସ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।



