ଜଗତସିଂହପୁର: ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ତରିକୁନ୍ଦ ନିକଟ ବେହରମପୁର, ସତପୁରା ସମେତ ଅନ୍ୟାନ୍ୟ ସ୍ଥାନରୁ ପ୍ରାୟ ୩୫ଜଣ ସନ୍ଦିଗ୍ଧ ବାଂଲାଦେଶୀ ଲୋକଙ୍କୁ ଆଣି ଅଟକ ରଖି ସେମାନଙ୍କୁ ପଚରାଉଚୁରା କରିବା ସହ ପରିଚୟ ଯାଞ୍ଚ କରାଯାଉଥିଲା। ପରିଚୟ ପତ୍ର ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ବାଂଲାଦେଶ ପଠାଯିବା ଲାଗି ନିଷ୍ପତ୍ତି ହୋଇଛି । ସେମାନଙ୍କୁ ପ୍ରଥମେ ଆଠଗଡ଼ ଠାରେ ଥିବା ଅସ୍ଥାୟୀ ଥଇଥାନ କେନ୍ଦ୍ରକୁ ନିଆଯିବ ଓ ପରେ ସେଠାରୁ ବାଂଲାଦେଶ ପଠାଯିବ ବୋଲି ସ୍ଥିର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨ଜଣ ଏଠାରେ ଜାଗା କିଣିବା ସହ ବ୍ୟାଙ୍କରେ ଜମା ଖାତା ଖୋଲି ଟଙ୍କା ରଖିଥିବା ପୁଲିସ ଜାଣିବାକୁ ପାଇଛି। ଅଧିକ ଯାଞ୍ଚ ପରେ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ବାଂଲାଦେଶ ପଠାଯିବାର ସମ୍ଭାବନା ରହିଛି।
ସିକନ୍ଦର, ମୁତାଲିଫ ଗିରଫ
ଗତ ରବିବାରଠାରୁ ଫେରାର ଥିବା ଅପରାଧୀ ସିକୁ ଓରଫ ସିକନ୍ଦର ଆଲାମ ଓ ତା ଭାଇ ଅବଦୁଲ ମୁତାଲିଫ ଖାଁ ଓରଫ ଟିକିକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଶନିବାର ଭୋର ସମୟରେ ସିକନ୍ଦର ଓ ମୂତାଲିଫକୁ ପୁଲିସ ଭଦ୍ରକ ଜିଲା ଧାମରା ନିକଟରୁ ଗିରଫ କରିଛି। ଉଭୟ ଯାଜପୁରରୁ ଧାମରା ଯାଇ ସେଠାରୁ ବୋଟ ଯୋଗେ ଜଳପଥ ଦେଇ ବାଂଲାଦେଶ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ଉଭୟଙ୍କ ନିକଟରୁ ପୁଲିସ ମୋବାଇଲ ଓ ଲାପଟପ୍ ଜବତ କରିଛି। ସିକନ୍ଦର ଓ ଟିକିକୁ ଧରି ଆଣି ପୁଲିସ ସେ କେବେ ଓ କେତେଜଣ ବାଂଲାଦେଶୀଙ୍କୁ କେମିତି ଆଣି ରଖିଥିଲା ସେ ବିଷୟରେ ପଚରାଉଚରା କରିବା ସହ ସଂଧ୍ୟାରେ ଉଭୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପୁଲିସ ଦୁଇ ଭଇଙ୍କୁ ବାରଙ୍ଗ ପୁଲିସ ବାରାକରେ ରଖି ମାରାଥନ ଜେରା କଲାପରେ ଶନିବାର ରାତିରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଜଗତସିଂହପୁର ଥାନା ଅଧିନ ତରିକୁନ୍ଦ ନିକଟ ବେହରାମପୁର ଓ ବଙ୍ଗାଳିଖରଦା ବସ୍ତିରେ ବଙ୍ଗଳାଦେଶୀ ରହୁଥିବା ଖବର ପାଇ ଗତ ରବିବାର ରାତିରେ ପୁଲିସ ଚଢ଼ାଉ କରିଥିଲା । ତେବେ ପୁଲିସ ଯିବା ସମୟରେ ସିକନ୍ଦର ଆଲାମ, ତାର ଭାଇ ଅବଦୁଲ ମୂତାଲିଫ ଖାଁ ଓରଫ ଟିକି, ୨ ଭଉଣୀ ସାୱନ ଅଜମି, ଓ ପରୱିନ ବିବି ପୁଲିସ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ଯାଇଥିବା ପୁଲିସ ଟିମ ଆକ୍ରମଣ ଶିକାର ହେବା ପରେ ଅନ୍ୟ ପୁଲିସ ଟିମକୁ ଡାକିଥିଲେ ମାତ୍ର ପଛ ପୁଲିସ ଟିମ ପହଞ୍ଚିବାରେ ବିଳମ୍ବ ହେବାରୁ ସିକନ୍ଦର, ତାର ଭାଇ ଟିକି ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ପୁଲିସ ତାଙ୍କ ଘରୁ ଗୋଟିଏ ବନ୍ଧୁକ, ୧୦/୧୨ଟି ଖଣ୍ଡା, କଟୁରୀ ଜବତ କରିଥିଲା। ଏହା ସହ ପୁଲିସ ସିକନ୍ଦରର ୨ ଭଉଣୀଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୁଲିସ ସଂଦିଗ୍ଧ ବାଂଲାଦେଶୀଙ୍କ ସହିତ ଲିଙ୍କଥିବା ସନ୍ଦେହ କରି ସିକନ୍ଦରର ଧନିପୁରସ୍ଥିତ ବାସଭବନରେ ଗୁରୁବାର ଚଢ଼ାଉ କରି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର, ପାସ ବୁକ୍ ସହ ତାର ପାସପୋର୍ଟ ଓ ଗାଡ଼ି ଜବତ କରିଥିଲା। ସିକନ୍ଦର କାଳେ ବାହାରକୁ ପକାଇବ ସେଥିପାଇଁ ପୁଲିସ ତାର ପାସପୋର୍ଟ ରଦ୍ଦ କରିଥିଲା। ପରଦିନ ଜିଲା ପ୍ରଶାସନ ସରକାରୀ ଜମି ଜବରଦଖଲ କରି ବାଂଲାଦେଶୀ ଲୋକଙ୍କୁ ରଖିଥିବା ୧୦ବଖରା ଘର ଭାଙ୍ଗି ଦେଇଥିଲା। ତେବେ ସିକନ୍ଦର ଓ ତାର ଭାଇକୁ ଧରିବା ପାଇଁ ଜିଲା ପୁଲିସ ଏକାଧିକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ସିକନ୍ଦର ବାରମ୍ବାର ମୋବାଇଲ ସିମ ବଦଳାଉ ଥିବା ଯୋଗୁ ତାକୁ ଧରିବା ବିଳମ୍ବ ହୋଇଥିଲା।



