ବୌଦ୍ଧ ଦୀକ୍ଷା ନେଲେ ଥାଇ ଗୁମ୍ଫାର ୧୧ ମୃତ୍ୟୁଞ୍ଜୟୀ ବାଳକ

0

ହଂକଂ : ପାଖାପାଖି ଦୁଇ ସପ୍ତାହର ସଂଘର୍ଷ ପରେ ଥାଇଲାଣ୍ଡର ମୃତ୍ୟୁଗୁମ୍ଫାରୁ ଉଦ୍ଧାର ପାଇ ମୃତ୍ୟୁଞ୍ଜୟୀ ପାଲଟିଥିବା ୧୧ ଜଣ ଥାଇ ଫୁଟବଲ୍‍ ଖେଳାଳି ଏବେ ବୌଦ୍ଧ ଦୀକ୍ଷା ଗ୍ରହଣ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପାରମ୍ପରିକ କାର୍ଯ୍ୟକ୍ରମରେ ସେମାନେ ବୌଦ୍ଧ ଧର୍ମ ଗ୍ରହଣ ଦିଗରେ ପ୍ରଥମ ପାଦ ବଢାଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମ ଫେସ୍‍ବୁକ୍‍ରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଛି। ମୃତ୍ୟୁ ଗୁମ୍ଫାରୁ ପିଲାମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କାମନା ତଥା ଉଦ୍ଧାର ବେଳେ ପ୍ରାଣ ହରାଇଥିବା ଉଦ୍ଧାରକାରୀଙ୍କ ସ୍ମୃତିରେ ପରିବାର ପକ୍ଷରୁ ଏକ ମାନସିକ କରାଯାଇଥିଲା। ଏଥିକ୍ରମେ ଏହି ବାଳକମାନେ ଆଗାମୀ ୯ ଦିନ ପର୍ଯ୍ୟନ୍ତ ଏକ ବୌଦ୍ଧ ମନ୍ଦିରରେ ଅବସ୍ଥାନ କରିବେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବୌଦ୍ଧ ଧର୍ମ ଦ୍ୱାରା ଅନୁପ୍ରାଣିତ ଏହି ବାଳକମାନଙ୍କ କୋଚ୍‍ ଏକାପୋଲ ଚାନ୍ତାୱାଙ୍ଗ ଜଣେ ବୌଦ୍ଧ ସୈନ୍ୟାସୀ ଭାବେ ନିଯୁକ୍ତ ହେବେ। ଚିଆଙ୍ଗ ରାଏର ପ୍ରାଦେଶିକ ମୁଦ୍ରଣ କାର୍ଯ୍ୟାଳୟର ଅଧିକାରୀ ରଚାପୋଲ ଗମ୍‍ଗ୍ରାବୁଆନ ଏହି ସୂଚନା ଦେଇଛନ୍ତି। ଏହି ଫୁଟବଲ୍‍ ଖେଳାଳି ଦଳର ଅନ୍ୟ ଜଣେ ସଦସ୍ୟ ଅଦୁଲ ସାମ-ଅନ୍‍ ଖ୍ରୀଷ୍ଟିଆନ ଧର୍ମାମ୍ବଲମ୍ବୀ। ଏଣୁ ସେ ବୌଦ୍ଧ ଦୀକ୍ଷା ଗ୍ରହଣ କରିବେ ନାହିଁ। କୋଚ୍‍ଙ୍କ ସହ ଏହି ଖେଳାଳିଙ୍କୁ ଉଦ୍ଧାର କରିବାରେ ନିଯୁକ୍ତ ଅଷ୍ଟ୍ରେଲିଆର ୯ ଜଣ ଉଦ୍ଧାରକାରୀଙ୍କୁ ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଷ୍ଟାର୍‍ ଅଫ୍‍ କରେଜ’ ପ୍ରଦାନ କରାଯାଇଛି। ୧୧ରୁ ୧୬ ବର୍ଷ ବୟସ୍କ ଏହି ବାଳକ ଫୁଟବଲ୍‍ ଖେଳାଳି ଓ ତାଙ୍କ କୋଚ୍‍ଙ୍କ ସହିତ ବନ୍ୟାଜଳ ପ୍ଲାବିତ ଉକ୍ତ ଗୁମ୍ଫା ଭ୍ରମଣରେ ଯାଇ ସେଠାରେ ଫସିରହିଥିଲେ। ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ଉଦ୍ଧାରକାରୀ ଦଳ ଅକ୍ଲାନ୍ତ ପରିଶ୍ରମ ପରେ ଜୁଲାଇ ୧୦ ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

Leave A Reply