www.samajalive.in
Saturday, December 6, 2025
15.1 C
Bhubaneswar

ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ; ଜୋକୋଭିକ୍‍ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ

ନ୍ୟୁୟର୍କ : ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ଏଠାରେ ଚାଲିଥିବା ସିଜିନର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ ଓପନର ପୁରୁଷ ସିଙ୍ଗଲ୍‍ସ ଇଭେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୬ଷ୍ଠ ସିଡ୍‍ ମାନ୍ୟତାପ୍ରାପ୍ତ ଜୋକୋଭିକ୍‍ ୬-୩, ୭-୬, ୬-୩ ସେଟ୍‍ରେ ୩ୟ ସିଡ୍‍ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ପରାସ୍ତ କରିଛନ୍ତି। ଏଥରକୁ ମିଶାଇ ଜୋକୋଭିକ୍‍ ଏଠାରେ ତିନିଥର ଚମ୍ପିଆନ ହେବାସହିତ ମୋଟ ୧୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ଆମେରିକାର ପିଟ୍‍ ସାମ୍ପ୍ରାସ୍‍ଙ୍କ ସମକକ୍ଷ ହୋଇପାରିଛନ୍ତି। ଗ୍ରାଣ୍ଡସ୍ଲାମ ଜିତିବା ପ୍ରସଙ୍ଗରେ ସ୍ୱିଜରଲାଣ୍ଡର ରୋଜର ଫେଡେରର (୨୦ ଟାଇଟଲ) ଓ ସ୍ପେନର ରାଫେଲ ନାଦାଲ (୧୭) ଜୋକୋଭିକ୍‍ଙ୍କଠାରୁ ଆଗରେ ରହିଛନ୍ତି। ପୁରସ୍କାର ବାବଦରେ ଜୋକୋଭିକ୍‍ଙ୍କୁ ୩୮ ଲକ୍ଷ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୭.୪ କୋଟି ଟଙ୍କା) ଓ ରନର୍ସଅପ୍‍ ଡେଲ ପୋଟ୍ରୋଙ୍କୁ ୧୮.୫ ଲକ୍ଷ ଡଲାର (ପ୍ରାୟ ୧୩.୩ କୋଟି ଟଙ୍କା) ପ୍ରଦାନ କରାଯାଇଛି।
ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ ଆର୍ଥର ଆସ୍‍ ଷ୍ଟାଡିୟମ ଛାତକୁ ବନ୍ଦ କରାଯିବାପରେ ମ୍ୟାଚ ଆରମ୍ଭ ହୋଇଥିଲା। ପ୍ରଥମ ସେଟ୍‍ରେ ଜୋକୋଭିକ୍‍ ଦୁଇଥର ଡେଲ ପୋଟ୍ରୋଙ୍କ ସର୍ଭିସ ବ୍ରେକ କରିବା ସହ ଏହାକୁ ୬-୩ରେ ଜିତି ୧-୦ରେ ଆଗୁଆ ରହିଥିଲେ। ତେବେ ଦ୍ୱିତୀୟ ସେଟ୍‍ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା। ଜୋକୋଭିକ୍‍ ଏହି ସେଟ୍‍ରେ ଏକଦା ୩-୧ ଗେମରେ ଆଗୁଆ ରହିଥିଲେ ସୁଦ୍ଧା ଡେଲ ପୋଟ୍ରୋ ଶେଷରେ ଏହାକୁ ୬-୬ ସ୍ଥିତିକୁ ଆଣିପାରିଥିଲେ। ଉଭୟ ଖେଳାଳି ୬ଟି ଲେଖାଏଁ ଗେମ ଜିତିବା ଫଳରେ ଟାଇବ୍ରେକରର ସହାୟତା ନିଆଯାଇଥିଲା। ତେବେ ଜୋକୋଭିକ୍‍ ଏହାକୁ ୭/୪ ପଏଣ୍ଟରେ (୭-୬) ଜିତି ୨-୦ରେ ଆଗୁଆ ରହିଥିଲେ। ତୃତୀୟ ସେଟ୍‍ରେ ମଧ୍ୟ ଜୋକୋଭିକ୍‍ ଏକଦା ୩-୧ ଗେମରେ ଆଗୁଆ ରହିଥିଲେ ସୁଦ୍ଧା ଡେଲ ପୋଟ୍ରୋ ଏହାକୁ ୩-୩ ସ୍ଥିତିକୁ ଆଣିଥିଲେ। ତେବେ ଅଷ୍ଟମ ଗେମରେ ଡେଲ ପୋଟ୍ରୋଙ୍କ ସର୍ଭିସ ବ୍ରେକ କରି ଜୋକୋଭିକ୍‍ ୫-୩ରେ ଆଗେଇ ଯାଇଥିଲେ। ନବମ ଗେମରେ ନିଜର ସର୍ଭିସ ରକ୍ଷା କରିବା ଫଳରେ ଜୋକୋଭିକ୍‍ ୬-୩ରେ ଏହି ସେଟ୍‍ ଜିତିବା ସହ ଚମ୍ପିଆନ ହୋଇଥିଲେ।
୩୧ ବର୍ଷୀୟ ଜୋକୋଭିକ୍‍ ୧୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ୬ ଥର ଅଷ୍ଟ୍ରେଲିଆନ ଓପନ, ଗୋଟିଏ ଥର ଫ୍ରେଞ୍ଚ ଓପନ, ୪ ଥର ୱିମ୍ବଲଡନ ଓ ୩ ଥର ୟୁଏସ ଓପନରେ ଚମ୍ପିଆନ ହୋଇଛନ୍ତି। ଅପରପକ୍ଷରେ ୨୯ ବର୍ଷୀୟ ଡେଲ ପୋଟ୍ରୋ କ୍ୟାରିୟରରେ କେବଳ ଗୋଟିଏ ଥର (୨୦୦୯- ୟୁଏସ ଓପନ) ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ସଫଳ ହୋଇପାରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories