ମୁଲତବୀ ପରେ ବି ଧାରଣାରେ ବସିରହିଲେ ଟିଡିପି ସାଂସଦ, ବାହାର କଲେ ମାର୍ଶାଲ

0

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭା ମୁଲତବୀ ହେବା ପରେ ବି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ତେଲୁଗ ଦେଶମ ପାର୍ଟି (ଟିଡିପି) ସାଂସଦମାନେ ଗୃହରେ ଧାରଣାରେ ବସିରହିଥିଲେ । ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଟିଡିପି ସାଂସଦମାନେ ଧାରଣାରେ ବସିଥିଲେ । ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ମୁଲତବୀ ହୋଇଯାଇଥିଲା । ଏହାପରେ ବି ଟିଡିପି ସାଂସଦମାନେ ଗୃହରୁ ବାହାରିବାକୁ ମନା କରିଦେଇଥିଲା । ଫଳରେ ମାର୍ଶାଲଙ୍କ ସହାୟତାରେ ସେମାନଙ୍କୁ ଗୃହରୁ ବାହାର କରାଯାଇଥିଲା । ଧାରଣାରେ ବସିଥିବା ବେଳେ ଟିଡିପି ସାଂସଦ ଥୋଟା ସୀତାରାମ ଲକ୍ଷ୍ମୀ, ସିଏମ୍‌ ରମେଶଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଧିବେଶନ ଆରମ୍ଭରୁ ନିରବ ମୋଦି ମହାଘୋଟଲା, ଏସ୍‌ଏସ୍‌ସି ପରୀକ୍ଷା, ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ, ଫେସବୁକ୍‌ ତଥ୍ୟ ଚୋରି, ଅବିଶ୍ୱାସ ପ୍ରସ୍ତାବ, କାବେରୀ ଜଳ ବିବାଦ ନେଇ ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହ ଅଚଳ ହୋଇପଡିବାରୁ ରାଜ୍ୟସଭାରେ ଦୁର୍ନୀତି ନିବାରଣ ବିଲ୍‌ ପ୍ରସଙ୍ଗରେ ଭୋଟଗ୍ରହଣ ହୋଇପାରିନଥିଲା। ସଂସଦ ମୁଲତବୀ ହୋଇଥିବା ପଛରେ କଂଗ୍ରେସ ଦଳର ସାଂସଦମାନେ ମୁଖ୍ୟତଃ ଦାୟୀ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଅଭିଯୋଗ କରିଛନ୍ତି।

Leave A Reply