ପ୍ଲାଷ୍ଟିକ୍‍ମୁକ୍ତ ହେବ ତାଜମହଲ

0

ନୂଆଦିଲ୍ଲୀ : ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତଥା ବିଶ୍ୱଐତିହ୍ୟ ତାଜମହଲ ଏବଂ ଏହାର ଆଖପାଖ ଅଞ୍ଚଳ ପ୍ଲାଷ୍ଟିକ୍‍ମୁକ୍ତ ହେବ। ଏଠାରେ କାରଖାନା ପ୍ରତିଷ୍ଠା ଏବଂ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ କରାଯିବ। ତାଜମହଲର ସୁରକ୍ଷା ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ପ୍ରଥମ ଚିଠାପ୍ରସ୍ତାବରେ ଏହି ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଚିଠାପ୍ରସ୍ତାବଟିକୁ ମଙ୍ଗଳବାର ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିକ୍ରମେ ତାଜମହଲ ଭିତରକୁ ପ୍ଲାଷ୍ଟିକ୍‍ ପାଣି ବୋତଲ ପ୍ରବେଶ ନିଷେଧ କରାଯିବା ସହିତ ଏହାର ଆଖପାଖ ଅଞ୍ଚଳକୁ ‘ପ୍ଲାଷ୍ଟିକ୍‍ ରହିତ କ୍ଷେତ୍ର’ ଘୋଷଣା କରାଯିବ। ଅଞ୍ଚଳରେ ଥିବା ସମସ୍ତ ପ୍ରଦୂଷଣ ସୃଷ୍ଟିକାରୀ କାରଖାନା ବନ୍ଦ କରିଦିଆଯିବ। ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଆଗ୍ରାରେ ବିଭିନ୍ନ କେନ୍ଦ୍ର ସ୍ଥାପନ କରାଯିବ। ତାଜମହଲ ଭ୍ରମଣ ନିମନ୍ତେ ପଥଚାରୀଙ୍କ ପାଇଁ ଏକ ଟ୍ରାଫିକ୍‍ ବ୍ୟବସ୍ଥା କରାଯିବ। ଯମୁନା ନଦୀତଟରେ ମଧ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ କରି ସବୁଜ ବନାନୀ ସୃଷ୍ଟି କରାଯିବ ବୋଲି ବିଚାରପତି ଏମ୍‍. ବି. ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ପୀଠଙ୍କୁ ରାଜ୍ୟ ସରକାର ଅବଗତ କରିଛନ୍ତି। ସତରଶ’ ଶତାବ୍ଦୀର ଏହି ସ୍ମୃତି ସ୍ତମ୍ଭର ସୁରକ୍ଷା ଦିଗରେ ଚିନ୍ତା ବ୍ୟକ୍ତ କରି ସୁପ୍ରିମକୋର୍ଟ ଜୁଲାଇ ୧୧ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହା ସୁରକ୍ଷା ନିମନ୍ତେ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Leave A Reply