ଦୁବାଇ: ଟ୍ବେଣ୍ଟି୨୦ ବିଶ୍ବକପ୍ର ସୁପର-୧୨ ପର୍ଯ୍ୟାୟର ପ୍ରଥମଦିନରେ ଉଭୟ ମ୍ୟାଚ୍ କମ୍ ସ୍କୋର୍ ବିଶିଷ୍ଟ ହୋଇଛି। ଶନିବାର ଗ୍ରୁପ୍-୧ର ୨ୟ ମ୍ୟାଚ୍ରେ ୨ ଥର ଚମ୍ପିଆନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍କୁ ସହଜରେ ୬ ୱିକେଟରେ ଇଂଲଣ୍ଡ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ର ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହେବାରୁ ଏହା ୧୪.୨ ଓଭରରେ ମାତ୍ର ୫୫ ରନ୍କରି ଅଲ୍ଆଉଟ ହୋଇଥିଲା। ପରେ ୮.୨ ଓଭରରେ ୪ ୱିକେଟ ହରାଇ ୨୦୧୦ ସଂସ୍କରଣର ଚମ୍ପିଆନ୍ ଇଂଲଣ୍ଡ ବିଜୟୀ ହୋଇଥିଲା। ଏହି ବିଜୟରୁ ଇଂଲଣ୍ଡ ୨ ପଏଣ୍ଟ ପାଇ ଅଭିଯାନ ଆରମ୍ଭ କରିଛି। ୱେଷ୍ଟଇଣ୍ଡିଜ୍କୁ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ର ବଡ଼ ଦାବିଦାର ଭାବେ ଗଣନା କରା ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ରେ ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟାଟିଂକରିବା ତା’ର ପ୍ରଶଂସକଙ୍କୁ ନିରାଶ କରିଛି। ପୂରା ମ୍ୟାଚ୍ରେ ମୋଟ ୧୧୧ ରନ୍ ହୋଇଥିବା ବେଳେ ୧୪ଟି ୱିକେଟ ପଡ଼ିଥିଲା।
ଇଂଲଣ୍ଡ ମାତ୍ର ୫୬ ରନ୍ର ପିଛା କରିଥିବା ବେଳେ ଆରମ୍ଭରୁ ଏହା ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ୨୧ ରନ୍ର ଓପ୍ନିଂ ଭାଗିଦାରୀ ପରେ ଜେସନ୍ ରୟ ୧୧ ରନ୍କରି ଆଉଟ ହୋଇଥିଲେ। ପରେ ଜନି ବେୟାରଷ୍ଟୋ ୯, ମୋଇନ୍ ଅଲୀ ୩ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୧ ରନ୍କରି ଆଉଟ ହୋଇଥିଲେ। ଏହାପରେ ଜୋସ୍ ବଟ୍ଲର (୨୨ ବଲ୍ରୁ ୨୪) ଓ ଅଧିନାୟକ ଇଓନ୍ ମୋର୍ଗାନ୍ (୭ ବଲ୍ରୁ ୭) ଅପରାଜିତ ରହି ଦଳକୁ ଜିତାଇଥିଲେ। ବାମହାତି ସ୍ପିନର ଆକିଲ ହୋସେନ୍ ୨ଟି ୱିକେଟ ନେଇଥିଲେ। ମୋଇନ୍ ଅଲୀ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଟସ୍ ଜିତି ଇଂଲଣ୍ଡ ଫିଲ୍ଡିଂର ନିଷ୍ପତ୍ତି ନେବା ପରେ ଏହାର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଇଣ୍ଡିଜ୍ର ଦୁଇ ଓପ୍ନର ଲେଣ୍ଡଲ ସିମନ୍ସ ୩ ଓ ଏଭିନ୍ ଲୁଇସ୍ ୬ ରନ୍କରି ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିଥିବା କ୍ରିସ୍ ଗେଲ୍ ୩ଟି ଚୌକା ସହ ୧୩ ରନ୍ କରି ପାରିଥିଲେ। ସିମ୍ରନ୍ ହେତ୍ମେୟର ୨ଟି ଚୌକା ସହ ୯ ରନ୍ କରିଥିଲେ। ଆଦିଲ ରସିଦ୍ ୪ଟି ଏବଂ ଟାଇମାଲ ମିଲ୍ସ ଓ ମୋଇନ୍ ଅଲୀ ୨ଟି ଲେଖାଏଁ ୱିକେଟ ନେଇଥିଲେ।


