ସିଡ୍‌ନୀ​‌ରେ‌ ଏକୁଟିଆ ଅଶ୍ବିନଙ୍କ ଅଭ୍ୟାସ

0

ସିଡ୍‌ନୀ : ଗୁରୁବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍‌ର ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଟେଷ୍ଟରେ ଖେଳିବା ଆଶାରେ ମଙ୍ଗଳବାର ଏକୁଟିଆ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ କଡ଼ା ଅଭ୍ୟାସ କରିଛନ୍ତି ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ। ମଙ୍ଗଳବାର ଭାରତୀୟ ଦଳର ବିଶ୍ରାମଦିନ ଥିବା ବେଳେ ଅଶ୍ବିନ ଏକା ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।
ଆହତ ଥିବାରୁ ଅଶ୍ବିନ ୨ୟ ଓ ୩ୟ ଟେଷ୍ଟରେ ଖେଳିନଥିଲେ। ତେବେ ୪ର୍ଥ ଟେଷ୍ଟ ଖେଳାଯିବାକୁ ଥିବା ସିଡ୍‌ନୀର ପିଚ୍ ଶୁଖିଲା ଅଛି ଏବଂ ଏଥି​‌ରେ ସ୍ପିନରଙ୍କୁ ସହାୟତା ମିଳିବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ସିଡ୍‌ନୀରେ ଅଶ୍ବିନଙ୍କୁ ଖେଳାଇବା ପାଇଁ ଭାରତ ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ଅଶ୍ବିନ ମଙ୍ଗଳବାର ଜୋରଦାର ଅଭ୍ୟାସ କରିଛନ୍ତି। ଗତ ୨ଟି ଟେଷ୍ଟରେ ଖେଳିବାରୁ ବଞ୍ଚିତ ହୋଇଥିବାରୁ ଅଶ୍ବିନଙ୍କର ମ୍ୟାଚ୍ ଅଭ୍ୟାସ ନାହିଁ। ଏଥିପାଇଁ ସେ ଅଧିକ ଦିନେ ଅଭ୍ୟାସ କରିଛନ୍ତି। ବୁଧବାର ଭାରତୀୟ ଦଳ ଅଭ୍ୟାସ ପାଇଁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଓହ୍ଲାଇବ। ଏଣେ ତାଙ୍କ ଦଳର ରଣନୀତିକୁ ଦେଖି ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଶୁଖିଲା ସିଡ୍‌ନୀ ପିଚ୍‌କୁ ଜୀବନ୍ତ କରିବା ପାଇଁ କ୍ୟୁରେଟରଙ୍କୁ ଆହ୍ବାନ ଦେଇଛନ୍ତି। ପିଚ୍‌ରେ ଗତି ଓ ବାଉନ୍‌ସ ଲାଙ୍ଗର ଚାହାନ୍ତି। ତେବେ ଏତେ କମ୍ ସମୟରେ ଏହା ସମ୍ଭବ କି ନାହିଁ; ତାହା ଦେଖିବାକୁ ପଡ଼ିବ। ଯଦି ପିଚ୍‌​‌ରେ ଗତି ଓ ବାଉନ୍‌ସ ରହେ; ତେବେ ଭାରତ ଅପରିବର୍ତ୍ତିତ ଏକାଦଶ ଖେଳାଇପାରେ। ଯଦି ପିଚ୍ ଶୁଖିଲା ରହେ; ତେବେ ରୋହିତ ଶର୍ମାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଖେଳିପାରନ୍ତି। ପୁଣି ଜଣେ ପେସ୍ ବୋଲରଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନ ୨ୟ ସ୍ପିନର ଭାବେ ଖେଳିପାରନ୍ତି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ମିଚେଲ ମାର୍ଶଙ୍କ ସ୍ଥାନରେ ଲେଗ୍‌ସ୍ପିନର ଅଲ୍‌ରାଉଣ୍ଡର ମାର୍ନସ ଲାବୁଶ୍ଚାନ୍ୟେଙ୍କୁ ଖେଳାଇପାରେ।

Leave A Reply