ସିବଲ, ସିଂଘଭୀ, ତନ୍‌ଖାଙ୍କୁ ପ୍ରଧାନ ବିଚାରପତିଙ୍କ ଅଦାଲତ ମନା

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ତିନିଜଣ ବରିଷ୍ଠ ଆଇନଜୀବୀ କପିଲ ସିବଲ, ଅଭିଷେକ ମନୁ ସିଂଘଭୀ ଓ ବିବେକ ତନ୍‌ଖାଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଦାଲତରେ ମାମଲା ଲଢିପାରିବେ ନାହିଁ ବୋଲି ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ କଟକଣା ଜାରି କରାଯାଇଛି। ଏହି ତିନିଜଣ ଆଇନଜୀବୀ କଂଗ୍ରେସ ଦଳର ହୋଇଥିବାବେଳେ ସେମାନେ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ମସୁଧା କରୁଥିବାରୁ ସେମାନଙ୍କ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ସଭାପତି ମନନ ମିଶ୍ର କହିଛନ୍ତି। କୌଣସି ସାଂସଦ କିମ୍ବା ବିଧାୟକଙ୍କୁ ଓକିଲାତି ପେସାରୁ ନିବୃତ କରିବାର ନିୟମ ନାହିଁ। ତେବେ ସଂପୃକ୍ତ ଆଇନଜୀବୀ ଯଦି ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର କୌଣସି ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବେ, ତାହାହେଲେ ତାଙ୍କୁ ସଂପୃକ୍ତ ବିଚାରପତିଙ୍କ ଅଦାଲତରେ ମାମଲା ଲଢିବାର ସୁଯୋଗରୁ ବଞ୍ଚିତ କରାଯିବ ବୋଲି ମନନ ମିଶ୍ର ମତବ୍ୟକ୍ତ କରିଛନ୍ତି। ବାର୍‌ କାଉନସିଲର ଏଭଳି ନିଷ୍ପତ୍ତିକୁ ତିନିଜଣ ଆଇନଜୀବୀ ପ୍ରତିବାଦ କରିଛନ୍ତି। କେଉଁ ବିଚାରପତିଙ୍କ ଅଦାଲତରେ କେଉଁ ଆଇନଜୀବୀ ମାମଲା ଲଢିବେ, ସେ ସମ୍ପର୍କିତ ନିଷ୍ପତ୍ତି ନେବାର ଅଧିକାର ବାର୍‌ କାଉନସିଲ ହାତରେ ନାହିଁ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ଚଳିତବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଚେଲମେଶ୍ୱର, ଜଷ୍ଟିସ ମଦନ ଲୋକୁର, ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଜୋସେଫ କୁରିଏନ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ। ଏହାକୁ ନେଇ ସେତେବେଳେ ଦେଶବ୍ୟାପୀ ବିତର୍କ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି କଂଗ୍ରେସ, ଏନସିପି ଓ ସମାଜବାଦୀ ପାର୍ଟି ବର୍ତ୍ତମାନ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା ଚଳାଇଛନ୍ତି।

Leave A Reply