ସାଂସଦ, ବିଧାୟକଙ୍କ ଅପରାଧ ରେକର୍ଡ ରଖି ନ ଥିବାରୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରହିଥିବା ଅପରାଧ ମାମଲା ସମ୍ବନ୍ଧରେ କୌଣସି ରେକର୍ଡ ରଖି ନ ଥିବାରୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଭର୍ତ୍ସନା କରିଛନ୍ତି। ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରହିଥିବା ଅପରାଧ ମାମଲାଗୁଡିକର ତ୍ୱରିତ ଶୁଣାଣି ନିମନ୍ତେ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ଲାଗି ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ସେପ୍ଟେମ୍ବର ୫ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସାଂସଦ ଓ ବିଧାୟକଙ୍କ ବିରୋଧରେ ୧,୫୮୧ଟି ମାମଲା ବିଚାରାଧୀନ ରହିଛି। ଏଗୁଡିକର ଶୁଣାଣି ନିମନ୍ତେ ୧୨ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ ଲାଗି ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ୨୦୧୭ ନଭେମ୍ବରରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଗଣତାନ୍ତ୍ରିକ ସଂସ୍କାର ସଂଘ (ଏଡିଆର)ର ସୂଚନା ଅନୁସାରେ ୩୫% ଭାରତୀୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧ ମାମଲା ବିଚାରାଧୀନ ରହିଛି। ଦେଶର ୧୦୨୪ ଜଣ ବର୍ତ୍ତମାନର ବିଧାୟକ ଓ ସାଂସଦଙ୍କ ବିରୋଧରେ ଅପରାଧ ମାମଲା ରହିଛି। ସେଗୁଡିକ ମଧ୍ୟରୁ ୬୪ଟି ଅପହରଣ ସମ୍ବନ୍ଧୀୟ ମାମଲା। ବିଜେପିର ୧୬ ଜଣ ଏବଂ କଂଗ୍ରେସ ଓ ଆରଜେଡିର ୬ ଜଣ ଲେଖାଏଁ ବିଧାୟକ ଅପହରଣ ମାମଲାରେ ଅଭିଯୁକ୍ତ ଅଛନ୍ତି। ୪୮ଟି ମହିଳାଙ୍କ ବିରୋଧରେ ଅପରାଧ ସମ୍ବନ୍ଧୀୟ ମାମଲା। ଏଥିସହ ୮୧% ମୁଖ୍ୟମନ୍ତ୍ରୀ କୋଟିପତି ବୋଲି ସଂସ୍ଥା ଦର୍ଶାଇଛି।

Leave A Reply