ସମ୍ବଲପୁର: ଗତ ୨୦ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ନିଶା ବିରୋଧି ଅଭିଯାନ କ୍ରମରେ ସମ୍ବଲପୁର ପୁଲିସ ୪ ଜଣ ନିଶା ବେପାରୀଙ୍କ ସମେତ ୪ ଜଣ ସଟ୍ଟା ଖେଳାଳି ମାନଙ୍କୁ ଧରିଛି। ଶୁକ୍ରବାର ପୂର୍ବାହ୍ନରେ ସଦର ଏସଡିପିଓ ତୁଫାନ ବାଗ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସହରରେ ଚାଲିଥିବା ଅବୈଧ୍ୟ ସଟ୍ଟା ଓ ନିଶା ଦ୍ରବ୍ୟ କାରବାର ଉପରେ ଚଢ଼ଉ ଅଭିଯାନ ଜାରି ରହିଛି। ଏହି କ୍ରମରେ ସହରର ବିଭିନ୍ନ ଥାନାଞ୍ଚଳରେ ଚଢ଼ଉ କରାଯାଇ ୪ ଜଣ ନିଶା କଫ ସିରପ ବେପାରୀ ଓ ୪ ଜଣ ସଟ୍ଟା କାରବାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଚାଲିଥିବା ଅଭିଯାନ କ୍ରମରେ ବରେଇପାଲି ପୁଲିସ ଦ୍ୱାରା ରେମେଡ ନିକଟସ୍ଥ ଚେପଟି ପୁଲିଆ ନିକଟରେ ଚଢ଼ଉ ସମୟରେ ବୁର୍ଲା ନିବାସୀ ନିଜୁନ ନନ୍ଦ (୨୯) ଙ୍କୁ ଧରିବା ସହିତ ତା ନିକଟରୁ ୬୦ଟି ନିଶା କଫ ସିରପ, ୧୫ଟି ଦେଶୀ ମଦ ପାଉଚ, ୨ଟି ନିଶା ବଟିକା ଷ୍ଟ୍ରିପ ଓ ୧ ଲିଟର ଅପମିଶ୍ରିତ ନିଶା ଦ୍ରବ୍ୟ ଜବତ କରିଛି। ସେହିଭଳି ଅଇଁଠାପାଲି ଥାନା ଅଞ୍ଚଳ ଅଧିନସ୍ଥ ବାଟ ମଙ୍ଗଳା ମନ୍ଦିର ନିକଟରେ ଅବୈଧ୍ୟ ରୂପେ ନିଶା ଦ୍ରବ୍ୟ ବିକ୍ରି କରୁଥିବା ବେଳେ ପୁଲିସ ମାନେଶ୍ୱର ନିବାସୀ ମୋହନ ମେହେର (୨୯) ଓ ଗୁଲୁଣ୍ଡିପାଲି ନିବାସୀ ବିଭିଷଣ ମହାନା (୩୪) ଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ୨୮ଟି ନିଶା କଫ ସିରପ, ୨ଟି ନିଶା ବଟିକା ଷ୍ଟ୍ରିପ, ନଗଦ ୧୧ ହଜାର ୪ ଶହ ଟଙ୍କା, ୨ଟି ମୋବାଇଲ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି। କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀଡୁଙ୍ଗୁରୀ ପଡ଼ା ନିକଟସ୍ଥ ରେଳ ଧାରଣା ନିକଟରେ ସେହି ଅଞ୍ଚଳ ନିବାସୀ ଚନ୍ଦନନ ନାୟକ (୨୦) ଙ୍କୁ ଅବୈଧ୍ୟ ନିଶା ଦ୍ରବ୍ୟ ବିକ୍ରି ସମୟରେ ଧରାଯାଇ ୨୦ଟି ନିଶା କଫ ସିରପ, ୨ଟି ନିଶା ବଟିକା ଷ୍ଟ୍ରିପ, ୨୫ଟି ଦେଶୀ ମଦ ପାଉଚ ଏବଂ ୫ ହଜାର ୫୪୦ ଟଙ୍କା ଜବତ କରିଛି। ଏ ସମ୍ପର୍କରେ ଧନୁପାଲି, ବରେଇପାଲି ଓ କ୍ଷେତରାଜପୁର ଥାନାରେ ମାମଲା ଗୁଡିକ ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଅଦାଲତକୁ ଚାଲାଣ କରାଯାଇଛି।
ସେହିଭଳି ବେଆଇନ ସଟ୍ଟା କାରବାର ଉପରେ ଚଢ଼ଉ ଅଭିଯାନ ସମୟରେ ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଧ ଛକ ନିକଟରେ ଚଢ଼ଉ ସମୟରେ ଆଲୋକ ଦାସ (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ଧରାଯାଇ ତା ନିକଟରୁ ୧୨ ଶହ ୯୦ ଟଙ୍କା, ୨ଟି ସଟ୍ଟା ଚାର୍ଟ, ଗୋଟିଏ ପେନ, ଗୋଟିଏ ସଟ୍ଟା ବହି ଓ ମୋବାଇଲ ଫୋନ ଜବତ କରାଯାଇଛି। ଅନ୍ୟ ଏକ ଚଢ଼ଉରେ ସରଲାକାନୀ ଛକ ନିକଟରୁ କୈଳାଶ ଓରାମ (୨୮) ନାମକ ବ୍ୟକ୍ତିଙ୍କୁ ଧରାଯାଇ ତା ନିକଟରୁ ୧୪ ଶହ ୨୦ ଟଙ୍କା ୨ଟି ସଟ୍ଟା ଚାର୍ଟ, ଗୋଟିଏ ପେନ ଓ ଗୋଟିଏ ସଟ୍ଟା ବହି ଜବତ କରାଯାଇଛି। ସେହିଭଳି କ୍ଷେତରାଜପୁର ଅଞ୍ଚଳରେ ଚଢ଼ଉ ସମୟରେ ଧୁବା ପଡ଼ା ଛକ ଅନାମିକା କ୍ଲବ ନିକଟରୁ ବଡବଜାର ନିବାସୀ ସଞ୍ଜୀବ ପୋଢ଼ (୪୪) ଓ ଅଜୟ ସେନ୍ଦ୍ରିୟା (୨୮) କୁ ଧରାଯାଇ ୪ ହଜାର ୮୨୦ ଟଙ୍କା, ଗୋଟିଏ ସଟ୍ଟା ଚାର୍ଟ ଓ ପେନ ଜବତ କରାଯାଇଛି। ଏ ସମ୍ପର୍କରେ ଧନୁପାଲି ଓ କ୍ଷେତରାଜପୁର ଥାନାରେ ମାମଲା ଗୁଡିକ ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଛି। ଏହି ଚଢ଼ଉ ଅଭିଯାନରେ ସମୁଦାୟ ୧୦୮ଟି ନିଶା କଫ ସିରପ ସମେତ ଅପମିଶ୍ରିତ ନିଶା ଦ୍ରବ୍ୟ ଓ ୧୬ ହଜାର ୯୪୦ ଟଙ୍କା ଜବତ କରାଯାଇଥିବା ବେଳେ ସଟ୍ଟା କାରବାରରେ ସମୁଦାୟ ୭ ହଜାର ୫୩୦ ଟଙ୍କା ଜବତ କରାଯାଇଛି ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି।



