ସୁପ୍ରିମକୋର୍ଟରେ ସିଧୁଙ୍କ ବିରୋଧରେ ପଞ୍ଜାବ ସରକାରଙ୍କ ଯୁକ୍ତି

0

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଧୁଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ପଞ୍ଜାବ ସରକାର। ୩୦ବର୍ଷର ଏକ ପୁରୁଣା ମାମଲାରେ ସିଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ଦଣ୍ଡିତ କରିବା ଲାଗି ପଞ୍ଜାବ ସରକାରଙ୍କ ଓକିଲ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସିଧୁ ପଞ୍ଜାବ ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ସତ୍ତ୍ୱେ ରାଜ୍ୟ ସରକାର ତାଙ୍କ ବିରୋଧରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ବିଚାରପତି ଜେ ଚେଲମେଶ୍ୱର ଓ ବିଚାରପତି ଏସକେ କୌଲଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠଙ୍କ ନିକଟରେ ପଞ୍ଜାବ ସରକାରଙ୍କ ଓକିଲ କହିଛନ୍ତି ଯେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ଯଥାର୍ଥ। ମାମଲାରେ ସମ୍ପୃକ୍ତ ନ ଥିବା ନେଇ ସିଧୁ ଯେଉଁ ଯୁକ୍ତି ଉପସ୍ଥାପନ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖିବା ପୂର୍ବକ ସିଧୁଙ୍କ ଗିରଫ ଲାଗି ନିର୍ଦେଶ ଦେବାକୁ ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ରାସ୍ତାରେ ଗାଡି ଚଳାଚଳକୁ ନେଇ ୧୯୮୮ରେ ସିଧୁଙ୍କ ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ୨୦୦୬ରେ ହାଇକୋର୍ଟ ଏହି ମାମଲାରେ ସିଧୁ ଓ ତାଙ୍କର ସହଯୋଗୀ ରୁପିନ୍ଦର ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ୩ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଓ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଇଥିଲେ। ୨୦୦୭ରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲେ।

Leave A Reply