www.samajalive.in
Monday, December 15, 2025
14.1 C
Bhubaneswar

ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ୨୮ରୁ ଔଷଧବୁଡ଼ା ମଶାରୀ ବଣ୍ଟନ

ସୁନ୍ଦରଗଡ଼: ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ ଔଷଧବୁଡ଼ା ମଶାରୀ ବଣ୍ଟନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ୟ୍ୟକ୍ରମ ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବ। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଜିଲ୍ଲା ଟାସ୍କଫୋର୍ସ ବୈଠକରେ ଏ ବାବଦରେ ସମୀକ୍ଷା ସହ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି।

ପ୍ରଥମ ଦଫାରେ ଜିଲ୍ଲାର ୬ଟି ସ୍ଥାନରେ ଔଷଧବୁଡ଼ା ମଶାରୀ ବଣ୍ଟନର ଶୁଭାରମ୍ଭ କରାଯିବ। ତାହା ମଧ୍ୟରେ ରହିଛି ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, ବଣାଇ ସଦର ଏବଂ ହାତୀବାରି, କୁଆରମୁଣ୍ଡା ଓ ଲାଇଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆସୁଥିବା ଅଞ୍ଚଳ । ଜାନୁୟାରୀ ୨ ତାରିଖ ସୁଦ୍ଧା ଏହି ବଣ୍ଟନ କାର୍ଯ୍ୟ ଶେଷ କରାଯିବ ।

- Advertisement -

ଦ୍ୱିତୀୟ ଦଫାରେ ଜାନୁୟାରୀ ୪ରୁ ଜିଲ୍ଲାର ବାକି ଅଞ୍ଚଳରେ ପର୍ୟ୍ୟାୟକ୍ରମେ ମଶାରୀ ବଣ୍ଟନ କରାଯିବ । ପ୍ରାୟ ୩ ସପ୍ତାହ ମଧ୍ୟରେ ବଣ୍ଟନ କାର୍ୟ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ୧୩ ଲକ୍ଷ ୬୪ ହଜାର ୭୨୭ଟି ମଶାରୀ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯିବ । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧ ଲକ୍ଷ ମଶାରୀ ଜିଲ୍ଲାରେ ପହଞ୍ଚିଛି ବୋଲି ଜିଲ୍ଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା ଡାକ୍ତର ମନୋଜ ମହାପାତ୍ର ସୂଚନା ଦେଇଛନ୍ତି ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଔଷଧବୁଡ଼ା ମଶାରୀ ବଣ୍ଟନ ପାଇଁ ୨,୫୭୯ଟି ବଣ୍ଟନ ସ୍ଥାନ ସ୍ଥିର କରାଯାଇଛି । ବିଭିନ୍ନ ଅଞ୍ଚଳର ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ସହ ଅନ୍ୟମାନଙ୍କୁ ମିଶାଇ ୧୩ ହଜାରରୁ ଅଧିକ କର୍ମୀ ଏହି ବଣ୍ଟନ କାର୍ଯ୍ୟରେ ନିୟୋଜିତ ହେବେ। ପ୍ରତି ବ୍ଲକରେ ଗୋଟିଏ ସପ୍ତାହ ମଧ୍ୟରେ ମଶାରୀ ବଣ୍ଟନ କାର୍ୟ୍ୟକ୍ରମ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।
ସରକାରଙ୍କ ପକ୍ଷରୁ ୩ ପ୍ରକାର ମଶାରୀ ହିତାଧିକାରୀଙ୍କ ମଧ୍ୟରେ ମାଗଣାରେ ବଣ୍ଟନ କରାଯାଉଛି । କିଶୋର କିଶୋରୀ, ଦିବ୍ୟାଙ୍ଗ, ବିଧବା, ବୃଦ୍ଧବୃଦ୍ଧାଙ୍କୁ ସିଙ୍ଗଲ ମଶାରୀ ଦିଆଯିବ। ଦମ୍ପତିଙ୍କ ସହ ୫ ବର୍ଷ ବୟସ ମଧ୍ୟରେ ଗୋଟିଏ ସନ୍ତାନ ଥିବା ପରିବାରକୁ ଡବଲ ମଶାରୀ ଏବଂ ଦୁଇ ସନ୍ତାନ କିମ୍ବା ୫ ବର୍ଷରୁ ବଡ଼ ପିଲା ଥିବା ପରିବାରକୁ ଫ୍ୟାମିଲି ସାଇଜ୍ ମଶାରୀ ମିଳିବ।

ହିତାଧିକାରୀମାନେ କିପରି ନିୟମିତ ମଶାରୀ ବ୍ୟବହାର କରିବେ, ସେନେଇ ଜନ ସଚେତନତା ସୃଷ୍ଟି କରାଯିବ । ତା’ ସହିତ ସେମାନେ ଏହାକୁ ବ୍ୟବହାର କରୁଛନ୍ତି କି ନାହିଁ, ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ତାହାର ତଦାରଖ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏହି ଜିଲ୍ଲା ଟାସ୍କଫୋର୍ସ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର, ଡିପିଏଚଓ ଡାକ୍ତର କାହ୍ନୁ ଚରଣ ନାୟକ, ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସବ୍ୟସାଚୀ ପଟ୍ଟନାୟକ, ଏଡିୟୁପିଏଚ୍‌ଓ (ରାଉରକେଲା) ଡାକ୍ତର ପୁଷ୍ପମିତ୍ରା ମିଶ୍ର, ଡିପିଏଚସିଓ ଡାକ୍ତର ମହେନ୍ଦ୍ର ବାଗ୍‌, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅନିଲ କେରକେଟା, ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ, ଡିପିଏମ୍ ଦୀପକ କୁମାର ମହାନ୍ତି, ସୁନ୍ଦରଗଡ଼ ଓ ରାଜଗାଙ୍ଗପୁର ପୌରପାଳିକାର କାର୍ୟ୍ୟନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

୨୦୨୦ ମସିହାରେ ନଭେମ୍ବର ସୁଦ୍ଧା ହୋଇଥିବା ୨ ଲକ୍ଷ ୯୪ ହଜାରରୁ ଅଧିକ ପରୀକ୍ଷାରୁ ୧୫୦୧ ମ୍ୟାଲେରିଆ ପଜିଟିଭ ରେକର୍ଡ କରାଯାଇଛି । ତା’ ସାଙ୍ଗକୁ ଚଳିତ ବର୍ଷ ଏପର୍ୟ୍ୟନ୍ତ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ଶୂନ ରହିବା ଏକ ସଫଳତା ବୋଲି ବିଚାର କରାଯାଉଛି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ନିୟମିତ କାର୍ଯ୍ୟକ୍ରମ ଛଡ଼ା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ବିଭିନ୍ନ ମ୍ୟାଲେରିଆ ନିୟନ୍ତ୍ରଣ ପଦକ୍ଷେପ ମଧ୍ୟ ନିଆଯାଉଛି ।

ଅପରାହ୍ନରେ ରାଜ୍ୟସ୍ତରୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ ଯୋଜନାର ନୋଡାଲ ଅଫିସର ଡାକ୍ତର ମଦନ ମୋହନ ପ୍ରଧାନ ଉପସ୍ଥିତ ରହି ନବନିଯୁକ୍ତ କନିଷ୍ଠ କୀଟତତ୍ତ୍ୱବିତମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାରେ ଭେକ୍ଟରବାହିତ ରୋଗର ସମ୍ପୂର୍ଣ୍ଣ ବିଲୋପ ପାଇଁ ଆବଶ୍ୟକ ଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories