ସୁଆଣ୍ଡୋ: ଜୱାଦର ପ୍ରଭାବରେ ପୁରୀ ଜିଲାରେ ୩ ଦିନ ଧରି ବର୍ଷା ଲାଗି ରହିଛି। ଅଦିନିଆ ବର୍ଷା ଯୋଗୁ ସତ୍ୟବାଦୀ ଅଞ୍ଚଳର ଚାଷଜମି ଗୁଡିକରେ ପାଣି ଜମିରହି ଧାନ, କୋବି, ଆଳୁ, ବିନସ୍, ଝୁଡଙ୍ଗ, କଲରା, ମୂଳା, କୋଶଳା, ଧନିଆ ଆଦି ଫସଲ ଉଜୁଡି ଯାଇଛି। ଫଳରେ ଏବେ ମୁଣ୍ଡ ରେ ହାତ ଦେଇ ବସିଛି ଚାଷୀ। କେତେକ ଙ୍କ ଘରେ ଚୁଲି ଜଳୁନି। କୋପରେଟିଭ ସୋସାଇଟି, ମହିଳା ଗ୍ରୁପ, ହାତ ଉଧାରି ଆଣି ଚାଷୀ ମାନେ ବିଲରେ ଫସଲ ଉତାରି ଥିଲେ। ଆଉ ୧୫ ଦିନ ପରେ ଧାନ ଅମଳ କରି ଘରକୁ ଆଣି ଥାନ୍ତା ଚାଷୀ। ଦଇବ ସହିଲାନି ବୋଲି ପୂର୍ଣ୍ଣ ଚନ୍ଦ୍ର ବେହେରା, ଡିହସାହିର ବିଶ୍ୱନାଥ ପରିଡା, ଗୁଆଳିଗୋରଡାର ଚନ୍ଦନ ଖୁଣ୍ଟିଆ, ବାଇଁଶିବାଡିର ରମେଶ ପଲେଇ ପ୍ରମୁଖ ଚାଷୀ କୋହଭରା କଣ୍ଠରେ କହନ୍ତି।
ସେହିପରି ପନିପରିବା ଫସଲ କିଆରି ରେ ଆଣ୍ଠୁଏ ଲେଖାଏଁ ପାଣି ଠିଆ ହୋଇଛି। ବିକଳରେ କୋବି ଗୋଟିକୁ ୪/୫ ଟଙ୍କାରେ ଚାଷୀଟି ଯାଚି ଗୁ଼୍ଞ୍ଜି ଦେଉଥିବା ଦେଖିବାକୁ ମିଳିଛି। ବାତ୍ୟା ସିନା ଟଳି ଗଲା ବୋଲି କୁହାଯାଉଛି ହେଲେ ଜୱାଦର ପ୍ରଭାବରେ ଲଗାଣବର୍ଷା ଚାଷୀକୂଳକୁ ଦୁଖ ଦେଇଗଲା ବୋଲି ଆଲୋଚନା ହେଉଛି। ସଠିକ ଭାବେ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ ଉରଯୁକ୍ତ କ୍ଷତିପୂରଣ ସରକାର ଦେବାକୁ ମୁରଲୀ ରାଉତ, ଜୟକୃଷ୍ଣ ବେହେରା, ହଟିଆ ସାମଲ, ଉତ୍ସବ ସ୍ୱାଇଁ ପ୍ରମୁଖ ଚାଷୀ ଦାବି କରିଛନ୍ତି।



