ଡେସ୍କ: ଅଧ୍ୟାପକ, ଛାତ୍ର ଓ ପୂର୍ବତନ ଛାତ୍ର ସମାଜ ଶୈକ୍ଷିକ ଉତ୍କର୍ଷତା, ବୈଜ୍ଞାନିକ ଭାବନା ଏବଂ ମାନବିକ ମୂଲ୍ୟବୋଧର ଆଲୋକବର୍ତ୍ତିକା ହେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନ ଅଡିଟୋରିୟମଠାରେ ଓୟୁଏଟି ଅଧିନସ୍ଥ କଲେଜ୍ ଅଫ ବେସିକ ସାଇନ୍ସ୍ ଆଣ୍ଡ ହ୍ୟୁମାନିଟିଜ୍ର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ରାଜ୍ୟପାଳ କହିଛନ୍ତି, ୬୦ ବର୍ଷ ଧରି ବିଜ୍ଞାନ ଏବଂ ଅନ୍ୟାନ୍ୟ ମୌଳିକ ବିଷୟଗୁଡ଼ିକ ଯୁବମାନସରେ ପ୍ରତିଫଳିତ କରାଇବାରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ଶୈକ୍ଷିକ ଭିତ୍ତିଭୂମି ସ୍ଥାପନ କରିଛି, ଯେଉଁମାନେ ଗବେଷଣା, ଶିକ୍ଷାଦାନ, ପ୍ରଶାସନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ଅବଦାନ ରଖିଛନ୍ତି। ଛଅ ଦଶନ୍ଧିର ଯାତ୍ରା କେବଳ ପାଳନ ପାଇଁ ମାଇଲଖୁଂଟ ନୁହେଁ, ବରଂ ଦେଶ ପାଇଁ ସାମଗ୍ରିକ ମାନବ ସମ୍ବଳ ଗଠନ କରିବାରେ ମୌଳିକ ବିଜ୍ଞାନ ଏବଂ ମାନବିକତାର ପ୍ରାସଙ୍ଗିକତାର ଉଦାହରଣ ବୋଲି ରାଜ୍ୟପାଳ କହିଛନ୍ତି।
ଜାତୀୟ ଶିକ୍ଷାନୀତି – ୨୦୨୦ ଶିକ୍ଷା, ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ନମନୀୟତା ଉପରେ ଗୁରୁତ୍ୱ ଦେଇଛି ବୋଲି କହିବା ସହ ରାଜ୍ୟପାଳ ଜାତୀୟ ଶିକ୍ଷା ନୀତି ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ସାମାଜିକ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।
ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ମୌଳିକ ବିଜ୍ଞାନ ହେଉଛି ଉଦ୍ଭାବନର ମୂଳଦୂଆ। ଆଜିର ସମୟରେ ଜଳବାୟୁ ପରିବର୍ତ୍ତନ ଏକ ସମସ୍ୟା ରୂପେ ଉଭା ହୋଇଛି। ଏହାର ମୁକାବିଲା କରିବା ପାଇଁ ଆମକୁ ବିଜ୍ଞାନ ସମ୍ମତ ପଦକ୍ଷେପ ଆପଣେଇବାକୁ ହେବ। ଏତଦ୍ବ୍ୟତୀତ ହୀରକ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀମାନେ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରି ରାଜ୍ୟ ତଥା ଦେଶ ଗଠନରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ।



