୧୦୦ ବର୍ଷର ସ୍ୱତନ୍ତ୍ର ଓଡିଶାରେ ଆମେ ଗଢିବା ‘ଶ୍ରେଷ୍ଠ ଓଡିଶା, ସଶକ୍ତ ଓଡିଶା:ମୁଖ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ
ଭୁବନେଶ୍ୱର: ଓଡିଶା ଦିବସ ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀମାନଙ୍କ ସ୍ୱାଭିମାନର ମହୋତ୍ସବ। ଅସ୍ମିତାର ମହୋତ୍ସବ। ଜଣେ ଓଡିଆ ଭାବରେ ଆମ ଗୌରବମୟ ଇତିହାସ, ଆମ ଭାଷା, ଆମ ସାହିତ୍ୟ ଓ ଆମ ସଂସ୍କୃତିକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଲକ୍ଷ୍ୟ ଏକ ସଶକ୍ତ ଓଡିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍ଘାଟନ କରି ଏହା କହିଛନ୍ତି । ଭର୍ଚୁଆଲ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ଓଡିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ ଓ କଳାକୁ ସମୃଦ୍ଧ କରିଥିବା ସ୍ୱନାମଧନ୍ୟ ବ୍ୟକ୍ତିତ୍ୱଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦିବସ ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀମାନଙ୍କ ସ୍ୱାଭିମାନର ମହୋତ୍ସବ। ଅସ୍ମିତାର ମହୋତ୍ସବ। ଜଣେ ଓଡିଆ ଭାବରେ ଆମ ଗୌରବମୟ ଇତିହାସ, ଆମ ଭାଷା, ଆମ ସାହିତ୍ୟ ଓ ଆମ ସଂସ୍କୃତିକୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ଲକ୍ଷ୍ୟ ଏକ ସଶକ୍ତ ଓଡିଶା। ଆଉ ୧୩ ବର୍ଷ ପରେ ଆମେ ସ୍ୱତନ୍ତ୍ର ଓଡିଶାର ଶହେ ବର୍ଷ ପାଳନ କରିବା। ୧୦୦ ବର୍ଷର ସ୍ୱତନ୍ତ୍ର ଓଡିଶାରେ ଆମେ ଗଢିବା ‘ଶ୍ରେଷ୍ଠ ଓଡିଶା, ସଶକ୍ତ ଓଡିଶା’। ୨୦୩୬ ଓଡିଆ ଜାତିର ବର୍ଷ ହେବ ବୋଲି ସେ ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ସ୍ୱତନ୍ତ୍ର ଓଡିଶା ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ରାସ୍ତା ଦେଖାଇଥିଲା। ଆଜି ଓଡିଶା ଅନେକ କ୍ଷେତ୍ରରେ ଆଦର୍ଶ ହୋଇଛି। ଦେଶକୁ ବିଭିନ୍ନ କ୍ଷେତ୍ରରେ ମାର୍ଗଦର୍ଶନ କରୁଛି। ଏହା ନିଶଫିତ ଭାବରେ ସବୁ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆଜିର ଓଡିଶା ଅନେକ କ୍ଷେତ୍ରରେ ଏକ ନମ୍ବର ହୋଇଛି। ଆମ ସ୍ୱାଭିମାନକୁ ନୂଆ ଉଚ୍ଚତାକୁ ନେଇଛି। ବିପର୍ଯ୍ୟୟ ମୁକାବିଲାରେ ଆମେ ଏକ ନମ୍ବର। କ୍ରୀଡାର ବିକାଶରେ ଆମେ ଏକ ନମ୍ବର। ସାମାଜିକ କଲ୍ୟାଣରେ ମଧ୍ୟ ଅମେ ଏକ ନମ୍ବର । ଅର୍ଥନୀତି, କୃଷି ଉତ୍ପାଦନ, ପୁଞ୍ଜି ବିନିଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଅନେକ କ୍ଷେତ୍ରରେ ଆମେ ଦେଶର ଆଗୁଆ ରାଜ୍ୟମାନଙ୍କ ସହିତ ସମାନ ହୋଇପାରିଛୁ। ଗରିବୀ କମିଛି। ଗତ ୨୩ ବର୍ଷ ମଧ୍ୟରେ ଆମର ମୁଣ୍ଡ ପିଛା ଆୟ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।
ଏସବୁ ସଫଳତା ପଛରେ ସାଢେ ଚାରି କୋଟି ଓଡିଆଙ୍କ ସାମୂହିକ ଉଦ୍ୟମ ରହିଛି ଏବଂ ଆମର ସାମୂହିକ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତି ଓଡିଆ ଆଜି ବଦ୍ଧପରିକର ବୋଲି ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୩୬ର ଓଡିଶା ପାଇଁ ଆମର ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ଦୃଢ ବିଶ୍ୱାସ ପୋଷଣ କରିଥିଲେ।
ଏହି ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ସଭାପତିତ୍ୱ କରି କହିଲେ ଯେ ଗତ ୮୭ ବର୍ଷ ଭିତରେ ଆମ ରାଜ୍ୟରେ ଥିବା ବିପୁଳ ପ୍ରାକୃତିକ ସମ୍ବଳ ଓ ଦକ୍ଷ ମାନବସମ୍ବଳକୁ ବିନିଯୋଗ କରି ଆମେ ପ୍ରତ୍ୟେକ କ୍ଷେତ୍ରରେ ଆଜି ଅଗ୍ରଣୀ ହୋଇଛୁ । ଆମର ପୂର୍ବସୁରୀମାନେ ଯେଉଁ ସଂଗ୍ରାମ, ତ୍ୟାଗ ଓ ବଳିଦାନ ସ୍ୱୀକାର କରି ଆମ ରାଜ୍ୟକୁ ଗଢ଼ିଥିଲେ, ସେହି ପଦାଙ୍କ ଅନୁସରଣ କରି ଯୁବପିଢ଼ି ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଲେ ଯେ ଆମର ନୌବାଣିଜ୍ୟ, ଐତିହ୍ୟ, ସଂସ୍କୃତି, ପରମ୍ପରା, ବୀରତ୍ୱର ଗାଥା ସମଗ୍ର ବିଶ୍ୱରେ ବିଦିତ। ସମୟ କ୍ରମେ ଆମର ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଚେତନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ ପରିପୁଷ୍ଟ ହୋଇଛି। ଓଡ଼ିଶା ନିଜ ଗୋଡ଼ରେ ଠିଆ ହେବା ପାଇଁ ଚେଷ୍ଟା କରିଛି। ପ୍ରାକୃତିକ ଓ ଖଣିଜ ସଂପଦକୁ ବିନିଯୋଗ କରି ଆମ ରାଜ୍ୟର ବିକାଶର ଜୟଯାତ୍ରା ସୁନିଶ୍ଚିତ ହୋଇଛି । ଆଜି ସମାଜର ସବୁବର୍ଗ, ସ୍ତର ଓ ସଂପ୍ରଦାୟର ଲେକମାନେ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି ବୋଲି ସେ କହିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ଓଡ଼ିଶାର କଳା-ସଂସ୍କୃତି ଅନନ୍ୟ। ଓଡ଼ିଆ ଭାଷା ଓ ସାହିତ୍ୟ ଏହି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ସ୍ଥାନ ନେଇଥିଲା। ଓଡ଼ିଶା ଭାଷା ଦେଶର ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ଆମର ଅନୁଚିନ୍ତାରେ ସ୍ୱାଭିମାନ ଏବଂ ଅସ୍ମିତା ଓ ଭାଷା ପାଇଁ ସ୍ନେହ ରହିଲେ ତାହା ଆମର ପୂର୍ବସୂରୀମାନଙ୍କ ପ୍ରତି ଯଥାର୍ଥ ସମ୍ମାନ ହେବ ବୋଲି ସେ ଉଲ୍ଲେଖ କରିଥିଲେ।
ସମ୍ମାନିତ ଅତିଥି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଉତ୍କଳଗୌରବ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳମଣି ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀର ମୋହନ ଆଦି ଅନେକ ବରପୁତ୍ରଙ୍କ ଅତୁଳନୀୟ ଅବଦାନ ସଂପର୍କରେ ଉଲ୍ଲେଖ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓଡ଼ିଶାର ଗରିମାମୟ ଐତିହ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ପାଠ କରିଥିଲେ। ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ହୋଇଥିଲା ଏବଂ ପୋଲିସବ୍ୟାଣ୍ଡ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ଧୁନ୍ ପରିବେଷଣ କରିଥିଲେ।
ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ ସହ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ଲିଖିତ ‘ଆମେ ଓଡ଼ିଆ’ ସ୍ମାରକୀ ଗ୍ରନ୍ଥର ଦଶମ ଭାଗ ଲୋକାର୍ପିତ ହୋଇଥିଲା। ସମସ୍ତ ଜିଲାରୁ ବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଚୟନ ହୋଇ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କୃତୀ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ରେଡ୍କ୍ରସ୍ ପୁରସ୍କାର ଏବଂ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୩ର ଶ୍ରେଷ୍ଠ ବିବେଚିତ ଦଳ ଓ ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ସଭା ପରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ମୀରା ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ସୁଦାମ ବରାଡ଼ ଓ ସାଥୀଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ହରପ୍ରିୟା ସ୍ୱାଇଁ, ଅଭିଜିତ୍ ମିଶ୍ର, କରୁଣାକର ସେଠୀ, ପ୍ରଦୀପ ପଲେଇ, ଅର୍ପିତା ଚୌଧୁରୀଙ୍କ ଦ୍ୱାରା ସୁଗମ ସଂଗୀତ ପରିବେଷିତ ହୋଇଥିଲା।
ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୨୩ ସମାରୋହରେ ପାଳିତ ହୋଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଏବଂ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Comments are closed.