ବିଜୁବାବୁଙ୍କ ଗୋଟିଏ ଲକ୍ଷ୍ୟ ଥିଲା ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତି: ମୁଖ୍ୟମନ୍ତ୍ରୀ

ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

ଭୁବନେଶ୍ୱର: ବିଜୁ ବାବୁ ଥିଲେ ସବୁବେଳେ ଅନନ୍ୟ। ତାଙ୍କର କାମ କରିବାର ତରିକା ମଧ୍ୟ ଥିଲା ଅନନ୍ୟ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଓଡିଶା ଓ ଓଡିଆ ଜାତିର ଉନ୍ନତି। ବିକାଶ, ସଶକ୍ତିକରଣ ଓ ଓଡିଆ ସ୍ୱାଭିମାନ ହିଁ ସବୁବେଳେ ତାଙ୍କର ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଏସବୁ ସହିତ ସେ କେବେ ବି ସାଲିସ କରୁ ନ ଥିଲେ । ଜଣେ ରାଜନେତା ନୁହେଁ, ବରଂ ଜଣେ ଜନନାୟକ ଭାବରେ ସେ ସାରା ଭାରତରେ ପ୍ରସିଦ୍ଧ ଥିଲେ। ବିଜୁବାବୁଙ୍କ ଗୋଟିଏ ଲକ୍ଷ୍ୟ ଥିଲା ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତି। ମହିଳା ସଶକ୍ତିକରଣ ବିଜୁବାବୁଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଥିଲା। ମହିଳାଙ୍କୁ ସଶକ୍ତ କରିବା ଥିଲା ବିଜୁବାବୁଙ୍କ ଅଭିଳାଷ। ଏ ଦିଗରେ ସେ ଅନେକ ମାଇଲ ଖୁଣ୍ଟି ସୃଷ୍ଟି କରିଯାଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି। ବିଜୁ ବାବୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ନିକଟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ମହିଳାମାନେ ବହୁସଂଖ୍ୟାରେ ଭାଗନେଇ ସଫଳତା ହାସଲ କରିବା ତାଙ୍କ ପାଇଁ ବହୁତ ଖୁସିର କଥା। ମା’ମାନେ ହିଁ ହେଉଛନ୍ତି ଆମ ନୂଆ ଓଡିଶାର ସାରଥି ବୋଲି ମତପ୍ରକାଶ କରି ସେ କହିଥିଲେ ଯେ ସେମାନଙ୍କ ଦକ୍ଷତା ଓ ସଫଳତା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ମହାନ ଜନନାୟକ ବିଜୁବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଓଡ଼ିଶାର ଅନନ୍ୟ ପରିଚୟ ଥିଲେ ବିଜୁବାବୁ। ଜୀବିତାବସ୍ଥାରେ ସେ ଥିଲେ ଯେତିକି ଚର୍ଚ୍ଚିତ, ଅବର୍ତ୍ତମାନରେ ମଧ୍ୟ ତାଙ୍କ କୃତି ଓ କୃତିତ୍ୱ ପାଇଁ ଏବର ପିଢ଼ି ପାଖରେ ସେ ସେତିକି ଆଦୃତ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଯେତିକି ଉଲ୍ଲେଖନୀୟ ଥିଲା, ସ୍ୱାଧୀନୋତ୍ତର ଭାରତରେ ସେତିକି ପ୍ରେରଣାଦାୟୀ ଥିଲା। ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ବିଜୁବାବୁଙ୍କ ଅବଦାନ ଚିରକାଳ ପାଇଁ ଅବିସ୍ମରଣୀୟ ।

ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ବିଜୁ ପଟ୍ଟନାୟକଙ୍କୁ ଜଣେ କିମ୍ବଦନ୍ତୀ ପୁରୁଷ ବୋଲି ଅଭିହିତ କରି କହିଥିଲେ ଯେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ତାଙ୍କ ଦେଶପ୍ରୀତି, ଦୁଃସାହସର କାହାଣୀ ଓ ରାଜ୍ୟର ବିକାଶ ପାଇଁ ନେଇଥିବା ପଦକ୍ଷେପ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ମହିଳା ସଶକ୍ତିକରଣ ନିମନ୍ତେ ବିଜୁବାବୁଙ୍କ ଉଦ୍ୟମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଥିଲେ।
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିଜୁ ପଟ୍ଟନାୟକଙ୍କ ଅମ୍ଳାନ ସ୍ମୃତି ଓ ମହାନ ଜୀବନାଦର୍ଶ ଓଡ଼ିଆ ଜାତିର ଇତିହାସକୁ ଗୌରବମଣ୍ଡିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁକ୍ତିସଂଗ୍ରାମର ଦୁର୍ଦ୍ଦର୍ଷ ଯୋଦ୍ଧା ବିଜୁବାବୁଙ୍କୁ ଓଡ଼ିଆ ଜାତିର ସର୍ବାଧିକ ଲୋକପ୍ରିୟ ରାଜନୀତିଜ୍ଞ ବୋଲି ଉଲ୍ଲେଖ କରିଥିଲେ। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ ବିଜୁବାବୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରମିକଙ୍କ ସ୍ୱାର୍ଥରକ୍ଷାଠାରୁ ଆରମ୍ଭ କରି ନାରୀ ସଶକ୍ତିିକରଣ, ପଞ୍ଚାୟତିରାଜ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପାୟନ ଆଦି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍‌ ମହାନ୍ତି ବିଜୁବାବୁଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ପ୍ରବାଦପୁରୁଷ ବିଜୁବାବୁ ଥିଲେ ଅସାଧାରଣ ନେତୃତ୍ୱର ପ୍ରତୀକ। ବିଭାଗୀୟ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Comments are closed.