ଷ୍ଟାର୍ଟଅପ୍‍ ଉଦ୍ୟୋକ୍ତାଙ୍କୁ ମିଳିବ ଅଧିକ ଋଣ

0

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍‍ ଉଦ୍ୟୋକ୍ତାଙ୍କ ପାଇଁ ଋଣ ଅଭାବ ରହିବ ନାହିଁ। ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ଋଣ ମିଳିବ। ବୁଧବାର ଦେଶର ଯୁବ ଉଦ୍ୟୋକ୍ତାମାନଙ୍କ ସହିତ ଭିଡିଓ କନ୍‍ଫେରେନ୍ସିଂରେ ଭାବ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ କେବଳ ବଡ଼ ସହର ନୁହେଁ ଏବେ ଦେଶର ଛୋଟ ସହର ଓ ଗ୍ରାମାଞ୍ଚଳରେ ଉଦ୍ୟୋଗ ଗଢ଼ି ଉଠିବା ଦେଖାଯାଉଛି। ଏପରିକି କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‍ ଗଢ଼ି ଉଠିବା ଶୁଭ ସଙ୍କେତ। କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ଆମେ ସବୁଠାରୁ ବଡ଼ ଆହ୍ୱାନ ରୂପେ ଗ୍ରହଣ କରିଛୁ। ଯୁବବର୍ଗ ଏ କ୍ଷେତ୍ରରେ ଯୋଗଦାନ କରିବା ଉଚିତ। ‘ମେକ୍‍ ଇନ୍‍ ଇଣ୍ଡିଆ’ ଓ ‘ଡିଜାଇନ୍‍ ଇନ୍‍ ଇଣ୍ଡିଆ’ ପାଇଁ ଏହା ସହାୟକ ହୋଇପାରିବ। ଷ୍ଟାର୍ଟଅପ୍‍ ପାଇଁ ପୁଞ୍ଜି, ସାହସ ଓ ଜନସମ୍ପର୍କ ଜରୁରୀ। ଷ୍ଟାର୍ଟଅପ୍‍ର ଗୁରୁତ୍ୱ ଦୃଷ୍ଟିରୁ କେନ୍ଦ୍ର ସରକାର ଷ୍ଟାର୍ଟଅପ୍‍ ଇଣ୍ଡିଆ ଆକ୍‍ସନ୍‍ ପ୍ଲାନ୍‍ ପ୍ରସ୍ତୁତ କରିଛନ୍ତି। ଟିକସ ରିହାତି, ଇନ୍ସପେକ୍ଟର ରାଜ୍‍ର ଉଚ୍ଛେଦ, ଲାଭାଂଶ ଟିକସ ଉଚ୍ଛେଦ ଉପରେ ଗୁରୁତ୍ୱ ଦିଆଯାଉଛି। ଯୁବ ଉଦ୍ୟୋକ୍ତାମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାରୁ ସେମାନଙ୍କୁ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।

Leave A Reply