ଗ୍ରେଡ଼ପେ’ ବୃଦ୍ଧି ଦାବିରେ ଏସ୍ଏସବି ଅଧ୍ୟାପକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ନବରଙ୍ଗପୁର : ରାଜ୍ୟ ଷ୍ଟେଟ୍ ସେଲେକ୍ସନ ବୋର୍ଡ଼ ଦ୍ଵାରା ନିଯୁକ୍ତ ହେଇଥିବା ଏସ୍.ଏସ୍.ବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଗ୍ରେଡ଼ ପେ’ ବୃଦ୍ଧି ଦାବିରେ ନିଜର ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନ କରି ଗତ ଗୁରୁଦିବସ ଠାରୁ କଳାବ୍ୟାଚ୍ ପରିଧାନ ପୂର୍ବକ ପ୍ରତୀକାତ୍ମକ ପ୍ରତିବାଦ କରିଆସୁଛନ୍ତି । ଓଡ଼ିଶା ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ଅଧ୍ୟାପକ ସଂଘର ମିଳିତ ନିଷ୍ପତ୍ତି ଅନୁସାରେ, ନବରଙ୍ଗପୁର ଜିଲା ନବରଙ୍ଗପୁର ମହାବିଦ୍ୟାଳୟ ଓ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଏସ୍.ଏସ୍.ବି ଅଧ୍ୟାପକ-ଅଧ୍ୟାପିକାମାନେ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ର ସମ୍ମୁଖରେ ନିରବତା ଅବଲମ୍ବନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଆସୁଛନ୍ତି । ସୂଚନା ଅନୁସାରେ ଗତ ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟ ସିଲେକ୍ସନ୍ ବୋର୍ଡ଼ ଦ୍ବାରା ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ଖାଲିଥିବା ଅଧ୍ୟାପକ ପଦ ପୂରଣ କରାଯାଇ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ଵ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଏହି ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ୪୬୦୦ ଗ୍ରେଡ଼ ପେ’ ମିଳୁଥିବାରୁ ଏହାକୁ ୫୪୦୦କୁ ବୃଦ୍ଧି କରିବା ପାଇଁ ଦୀର୍ଘ ଆଠ ବର୍ଷ ଧରି ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଥିଲେ ହେଁ ସରକାର ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କରିବା ପରିତାପର ବିଷୟ। କାରଣ ନିକଟରେ ଗଣଶିକ୍ଷା ବିଭାଗ ଦ୍ଵାରା ଯୁକ୍ତଦୁଇ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିବା ପି.ଜି.ଟି (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ) ଙ୍କ ଗ୍ରେଡ ପେ ୪୬୦୦ ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତ ହୋଇଥିବା ଏସ୍ଏସ୍ ବି ଅଧ୍ୟାପକମାନେ ସ୍ନାତକ ଓ ସ୍ନାତକୋତ୍ତର ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ଦରମା ସହିତ ସମାନ ଗ୍ରେଡ଼ ପେ’ ପ୍ରଦାନ କରାଯାଉଥିବାରୁ ସେମାନଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଆଧାରରେ ଉଚ୍ଚଶିକ୍ଷା ଶ୍ରେଣୀ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିଲେ ମଧ୍ୟ ଅଧସ୍ତନ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀର ବେତନ ସହିତ ସମାନ ଦରମା ପାଉଛନ୍ତି। ଏଥିପାଇଁ ସରକାରଙ୍କ ନିକଟରେ ଏସ୍.ଏସ୍.ବି ଅଧ୍ୟାପକମାନେ ନିଜର ମୌଳିକ ପ୍ରାପ୍ୟ ଓ ଉଚିତ୍ ସମ୍ମାନ ପାଇବା ପାଇଁ ୪୬୦୦ ଗ୍ରେଡ଼ ପେ କୁ ସଂଶୋଧନ କରି ୫୪୦୦ କୁ ବୃଦ୍ଧି କରିବା ଲାଗି ବାରମ୍ବାର ଦାବି କରି ଆସୁଥିଲେ ହେଁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ନ ଦେବା ଶିକ୍ଷକ ସମାଜକୁ ନିରାଶ କରିଛି । ଏସ୍ଏସ୍ ବି ଅଧ୍ୟାପକମାନଙ୍କ ନାଯ୍ୟ ଦାବିକୁ ସରକାର ଖୁବ୍ ଶୀଘ୍ର ପୂରଣ ନ କଲେ ଆଗାମୀ ଦିନରେ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ନବରଙ୍ଗପୁର ଶାଖାର ଜିଲା ସଭାପତି ତଥା ନବରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ଅଧ୍ୟାପକ ଡକ୍ଟର ଜାହାଙ୍ଗୀର ମହମ୍ମଦ ସୂଚନା ଦେଇଛନ୍ତି ।
Comments are closed.