www.samajalive.in
Thursday, December 11, 2025
14.1 C
Bhubaneswar

ପୋଷାକ ରୁଚିରୁ ଜଳସଙ୍କଟ

କୃଷି, ଶିଳ୍ପ ଓ ଦ୍ରୁତ ସହରୀକରଣ ହିଁ ଜଳସଙ୍କଟର ମୁଖ୍ୟ କାରକ ବୋଲି ଆମେ ଜାଣିଛେ; କିନ୍ତୁ ଆମ ସଭ୍ୟ ସମାଜର ପ୍ରମୁଖ ପରିଚୟ ‘ପୋଷାକ’ର ମଧ୍ୟ ଜଳସଙ୍କଟ ସୃଷ୍ଟି କରିବାରେ କମ୍‌‌ ଭୂମିକା ନାହିଁ। ପୋଷାକରୁ ଜଳସଙ୍କଟର ସୃଷ୍ଟି- ଏହା କିଛିଟା ଅଡ଼ୁଆ ଓ ଅବିଶ୍ୱାସ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ। ସମୟ ବଦଳିବା ସହିତ ମଣିଷ ସମାଜ ଯେତେ ଅତ୍ୟାଧୁନିକ ହେଉଛି ତା’ର ପୋଷାକ ପରିପାଟୀର ପସନ୍ଦ-ନାପସନ୍ଦ ମଧ୍ୟ ସେହି ଅନୁସାରେ ବଦଳିବାରେ ଲାଗିଛି। ଏହା ସହିତ ତାଳ ଦେଇ ପୋଷାକ ଶିଳ୍ପର ଆକାର ବଢ଼଼ୁଛି ଏବଂ ଜଳସଙ୍କଟ ତୀବ୍ର ହେଉଛି। ପରିବେଶବିତ୍‌‌ମାନେ ଏ ଦିଗ ପ୍ରତି ସଚେତନ କରିବା ସହିତ ଏହା ପଛର କାରଣ ଓ ନିରାକରଣ ବିଷୟରେ ମଧ୍ୟ ଆଲୋକପାତ କରିଛନ୍ତି।

ବର୍ତ୍ତମାନର ପୋଷାକ ରୁଚି ମନସ୍କ (ଫ୍ୟାସନ୍‌‌ ଟ୍ରେଣ୍ଡି) ଯୁବପିଢ଼ି ମଧ୍ୟରେ ପୋଷାକ ପାଇଁ ଏକ ଅଘୋଷିତ ପ୍ରତିଯୋଗିତା ଚାଲିଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରାୟ କୋଡ଼ିଏ ବର୍ଷ ମଧ୍ୟରେ ବିଶ୍ୱରେ ପୋଷାକ ଚାହିଦା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ଲୋକମାନଙ୍କର ରୁଚିକୁ ସୁହାଇବା ଭଳି ନୂଆ ନୂଆ ଡିଜାଇନ୍‌‌, ବ୍ରାଣ୍ଡ ଓ ପୋଷାକ ବଜାର ମଧ୍ୟ ବଢ଼଼ିବାରେ ଲାଗିଛି। ପୋଷାକ ରୁଚି ଓ ପୋଷାକ ଶିଳ୍ପର ଏହି ପ୍ରତିଯୋଗିତା କିନ୍ତୁ ପରିବେଶ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କପଡ଼ାର କଞ୍ଚାମାଲ ସୂତା ଉତ୍ପାଦନଠାରୁ ଆରମ୍ଭ କରି ପୋଷାକ ପ୍ରସ୍ତୁତିର ସମ୍ପୂର୍ଣ୍ଣ ପ୍ରକ୍ରିୟା ଯେତେ ବିପୁଳ ପରିମାଣର ଜଳଶୋଷଣ କରୁଛି ଜଳଉତ୍ସକୁ ସେତିକି ପ୍ରଦୂଷିତ କରୁଛି।

- Advertisement -

ପରିବେଶବିତ୍‌‌ଙ୍କ ମତରେ ଏବେ ପୋଷାକ ପୃଥିବୀ ପାଇଁ ଆଉ ଏକ ‘ସ୍ଲୋ ପଏଜନ୍‌‌’ ବା ‘ମଧୁର ବିଷ’ ହୋଇସାରିଛି। ଧାନ ଚାଷ ପାଇଁ ସବୁଠାରୁ ଅଧିକ ପାଣି ଆବଶ୍ୟକ ହେଉଥିବା ଆମେ ଜାଣିଛେ; କିନ୍ତୁ ପରିବେଶବିତ୍‌‌ ଓ କୃଷି ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ, ପୋଷାକ ପାଇଁ ନିତାନ୍ତ ଆବଶ୍ୟକ କଞ୍ଚାମାଲ୍‌‌ ତୁଳା ଉତ୍ପାଦନ ବା କପାଚାଷରେ ଭୂତଳ ଜଳସ୍ତର ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ୧ କିଲୋଗ୍ରାମ୍‌‌ କପା ଉତ୍ପାଦନ ପାଇଁ ୨୨, ୫୦୦ ଲିଟର ପାଣି ଆବଶ୍ୟକ ହୁଏ। କପା ଚାଷ ମୁଖ୍ୟତଃ ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ କରାଯାଉଥିବାରୁ ଅଧିକରୁ ଅଧିକ ଜଳର ଆବଶ୍ୟକତା ପଡ଼ୁଛି। କପା ଉତ୍ପାଦନରେ ଭାରତ ଶୀର୍ଷସ୍ଥାନରେ ଥିବାରୁ ସେହି ଅନୁସାରେ ଦେଶରେ କେତେ ଜଳ ଅପଚୟ ହେଉଥିବ ଅନୁମାନ କରାଯାଇପାରେ। ଭାରତୀୟ କପଡ଼ା ଉଦ୍ୟୋଗ ଦୈନିକ ବିଭିନ୍ନ ପୋଷାକର ପ୍ରକ୍ରିୟାକରଣ ପାଇଁ ୪୨ କୋଟି ୫୦ ଲକ୍ଷ ଗ୍ୟାଲନ୍‌‌ ଜଳ ବ୍ୟବହାର କରିଥାଏ। ୱାର୍ଲଡ ରିସୋର୍ସେସ୍‌‌ ଇନ୍‌‌ଷ୍ଟଚ୍ୟୁଟ୍‌‌ର ରିପୋର୍ଟ ଅନୁସାରେ ୨୦୨୫ରେ ବିଶ୍ୱ ପୋଷାକ ଶିଳ୍ପ ପାଇଁ ବର୍ତ୍ତମାନଠାରୁ ୨୦ରୁ ୩୦ ପ୍ରତିଶତ ଅଧିକ ଜଳର ଆବଶ୍ୟକତା ରହିଛି। ଏଥିରୁ ପୋଷାକ ଶିଳ୍ପ ବିଶ୍ୱ ଜଳସଙ୍କଟକୁ ଅଧିକ ଉତ୍କଟ କରିବ ବୋଲି ଆଶଙ୍କା କରାଯାଉଛି। ସବୁଠାରୁ ଅଧିକ ଜଳ ଆବଶ୍ୟକ ହୁଏ ଜିନ୍ସ କପଡ଼ା ପ୍ରସ୍ତୁତ କରିବା ପାଇଁ। ଏଥିରେ ରାସାୟନିକ ପ୍ରଲେପ ଓ ରଙ୍ଗ ମିଶାଯାଇ ବାରମ୍ୱାର ସଫା କରିବାକୁ ପଡ଼େ। ଏହାପରେ ମଣ୍ଡ ଦେବା ପାଇଁ ପୁନର୍ବାର ଷ୍ଟାର୍ଚରେ ବୁଡ଼ାଇ ରଖାଯାଏ ଓ ପୁଣି ଥରେ ଧୁଆଯାଏ। ଆମେ ପିନ୍ଧୁଥିବା ଗୋଟିଏ ଜିନ୍‌‌ ପ୍ୟାଣ୍ଟ କିମ୍ବା ଜ୍ୟାକେଟ୍‌‌ ପାଇଁ ୮ ହଜାର ଲିଟର ପାଣି ବିନିଯୋଗ ହୁଏ। ଏହି ପରିମାଣର ଜଳ ଜଣେ ବ୍ୟକ୍ତି ୭ ବର୍ଷ ଯାଏ ବ୍ୟବହାର କଲେ ମଧ୍ୟ ଯଥେଷ୍ଟ ହେବ ବୋଲି ପରିବେଶବିତ୍‌‌ମାନେ କହିଛନ୍ତି।

ଆଉ ଏକ ତଥ୍ୟ ଅନୁଯାୟୀ, ଏକ ଟନ୍‌‌ କପଡ଼ାକୁ ରଙ୍ଗ କରିବା ପାଇଁ ପ୍ରାୟ ୨୦୦ ଗ୍ୟାଲନ୍‌‌ ସ୍ୱଚ୍ଛ ପାଣି ଦରକାର ହୋଇଥାଏ। ସେହିପରି ଆମ ଦୈନନ୍ଦିନ ଚଳଣିରେ ଯେତିକି ପାଣି ଅପଚୟ ହୁଏ ସେଥିରୁ ପ୍ରାୟ ୬୦ ଭାଗ ପୋଷାକ ବା ଲୁଗାପଟା ଧୋଇବାରେ ବା ସଫା କରିବାରେ ବ୍ୟବହାର ହୁଏ। ଗୋଟିଏ ମଧ୍ୟମ ପରିମାପର କଟନ୍‌‌ ସାର୍ଟ ପାଇଁ ୨୫୦୦ ଲିଟର, ଗୋଟିଏ ଚମଡ଼ା ବ୍ୟାଗ୍‌‌ ପାଇଁ ୧୦ ହଜାର ଲିଟର, ୧ କିଲୋ ଚମଡ଼ା ପ୍ରସ୍ତୁତି ପାଇଁ ୧୭, ୦୯୩ ଲିଟର, ୧ କିଲୋ ଉଲ୍‌‌ ଉତ୍ପାଦନ ପାଇଁ ୮୪୪ ଲିଟର, ଗୋଟିଏ ଏ୪ ସାଇଜ୍‌‌ କାଗଜ୍‌‌ ପାଇଁ ୧୦ ଲିଟର ଜଳ ବ୍ୟବହାର ହୁଏ। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପରିବେଶକୁ ପ୍ରଦୂଷିତ କରୁଥିବା ବର୍ଜ୍ୟବସ୍ତୁ ମଧ୍ୟରୁ ୫୭% ହେଉଛି କେବଳ କପଡ଼ା। ବିଶ୍ୱସ୍ତରରେ ଫ୍ୟାଶନ୍‌‌ ଶିଳ୍ପରେ ବାର୍ଷିକ ପ୍ରାୟ ୮୦୦୦ କୋଟି ବର୍ଗମିଟରର କପଡ଼ା ଉତ୍ପାଦନ ହୋଇଥାଏ। ସେଥିପାଇଁ ବର୍ଷରେ ୫.୩୦ କୋଟି ଟନ୍‌‌ କପା ସୂତା ବ୍ୟବହୃତ ହୁଏ, ଯାହାର ୭୦ ଭାଗ ସିଧାସଳଖ ବର୍ଜ୍ୟ ଭାବରେ ପରିବେଶକୁ ଦୂଷିତ କରେ। ତା’ ଛଡ଼ା କପଡ଼ା ତିଆରି କାରଖାନାରୁ ବାହାରୁଥିବା ବର୍ଜ୍ୟ ଜଳରେ ସିସା, ପାରଦ ଓ ଆର୍ସେନିକ୍‌‌ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହୁଛି, ଯାହା ନଦୀ ଓ ସମୁଦ୍ରରେ ମିଶିବା ଦ୍ୱାରା ଜଳଜୀବ ଓ ନଦୀ ତଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିପନ୍ନ ହେଉଛି। ଏପରି କି ନଦୀ ଜଳକୁ ପିଇବା ପାଇଁ ବିଶୋଧନ କରି ଯୋଗାଣ କରାଯାଉଥିଲେ ମଧ୍ୟ ସେଥିରେ ରସାୟନିକ କଣିକାମାନ ରହୁଥିବା ପ୍ରମାଣିତ ହୋଇଛି।

ପାଶ୍ଚାତ୍ୟ ଦେଶଗୁଡ଼ିକରେ ମାତ୍ର ୭ ଥର ପିନ୍ଧିବା ପରେ ପୋଷାକଗୁଡ଼ିକୁ ଅଲୋଡ଼ା କରାଯାଉଥିବାରୁ ସେଠାରେ ଗୋଟିଏ ପରିବାର ଦ୍ୱାରା ବର୍ଷକୁ ହାରାହାରି ୩୦ କିଲୋ ଓଜନର ପୋଷାକ ଅଲୋଡ଼ା କରାଯାଉଥିବା ଜଣାପଡ଼ିଛି। କଲରାଡୋ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାର ତଥ୍ୟ ଅନୁଯାୟୀ, କେବଳ ୧୫ % ପୋଷାକ କିମ୍ୱା କପଡ଼ାକୁ ପୁନଃପ୍ରକ୍ରିୟାକରଣ ବା ରିସାଇକେଲ୍‌‌ କରାଯାଏ କିମ୍ୱା ଅଭାବୀ ଲୋକଙ୍କୁ ଦାନ କରାଯାଏ। ବାକି ୮୫% ବାହାରେ ଫୋଫାଡ଼ି ଦିଆଯାଏ କିମ୍ବା ଜଳାଇ ଦିଆଯାଏ। ଏହାଦ୍ୱାରା ବାୟୁମଣ୍ଡଳ ମଧ୍ୟ ପ୍ରଦୂଷିତ ହୁଏ। ୭୨ ପ୍ରତିଶତ କପଡ଼ାରେ ପଲିଷ୍ଟର ଓ ସିନ୍ଥେଟିକ୍‌‌ ଫାଇବର୍‌‌ ବ୍ୟବହାର କରାଯାଏ, ଯାହା ପ୍ରାକୃତିକ ଉପାୟରେ ବିଘଟନ ହେବା ପାଇଁ ପ୍ରାୟ ୨୦୦ ବର୍ଷ ଲାଗିଯାଏ। ଏହାଛଡ଼ା କପଡ଼ା କାରଖାନାଗୁଡ଼ିକରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ମିଥେନ୍‌‌ ଭଳି ସବୁଜଗୃହ ବାଷ୍ପ ବାୟୁକୁ ଅଧିକ ବିଷାକ୍ତ କରେ। ଆମର ଅଧିକାଂଶ ପୋଷାକରେ ବ୍ୟବହାର ହେଉଥିବା ସିନ୍ଥେଟିକ୍‌‌ ଫାଇବର୍‌‌, ଯଥା ପଲିଷ୍ଟର୍‌‌, ଆକ୍ରାଲିକ୍‌‌, ଲାଇଲନ୍‌‌ ଆଦି ଜୀବାଶ୍ମ ଇନ୍ଧନରୁ ପ୍ରସ୍ତୁତ ହୋଇଥାଏ। ତେଣୁ ଏହାର ଉତ୍ପାଦନରେ ଅଧିକ ଶକ୍ତି ଖର୍ଚ୍ଚ ହୁଏ।

ଏହାସହିତ ଫାଇବର୍‌‌ ପ୍ରସ୍ତୁତି ଏବଂ ପରିବହନ ସମୟରେ ବ୍ୟବହାର ହେଉଥିବା ଇନ୍ଧନ ପାଇଁ ଅଧିକ ସବୁଜଗୃହ ବାଷ୍ପ ସୃଷ୍ଟି ହୁଏ। ଶସ୍ତା ସିନ୍ଥେଟିକ୍‌‌ ଫାଇବର୍‌‌ ନାଇଟ୍ରୋଜେନ୍‌‌ ଡାଇଅକ୍ସାଇଡ୍‌‌ ଭଳି ଗ୍ୟାସ୍‌‌ ସୃଷ୍ଟି କରେ, ଯାହାକି ଅଙ୍ଗାରକାମ୍ଳ ତୁଳନାରେ ୩୦୦ଗୁଣ ଅଧିକ ବିଷାକ୍ତ। ତେଣୁ ଆଭିଜାତ୍ୟର ପ୍ରତୀକ ପୋଷାକ ହେଉ ବା ରୁଚିପୂର୍ଣ୍ଣ ସାମଗ୍ରୀ, ଧିମାବିଷ ଭଳି ଏହା ଲୋକଙ୍କୁ ସଙ୍କଟ ମଧ୍ୟକୁ ଟାଣି ନେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ଆମେ ଗୋଟିଏ ଯୋଡ଼ା ପୋଷାକକୁ ୯ ମାସରୁ ଅଧିକ ସମୟ ପାଇଁ ପିନ୍ଧିବା, ତା’ହେଲେ ଅଙ୍ଗାରକ ନିର୍ଗମନ ପରିମାଣକୁ ୩୦ ପ୍ରତିଶତରୁ ଅଧିକ ହ୍ରାସ କରିପାରିବା। ଏବେ ବିଶ୍ୱର ଅନେକ ପୋଷାକ ନିର୍ମାତା ଦୀର୍ଘସ୍ଥାୟୀ ପୋଷାକ ପ୍ରତି ମନ ବଳାଉଛନ୍ତି। ଫ୍ୟାଶନ୍‌‌ ବଜାରକୁ ମଧ୍ୟ ଜୈବିକ ସାମଗ୍ରୀରେ ପ୍ରସ୍ତୁତ ଅନେକ ବ୍ରାଣ୍ଡର କପଡ଼ା ଓ ପୋଷାକ ଆସୁଛି। ଏହାର ଦାମ୍‌‌ ଅଧିକ ରହୁଥିଲେ ମଧ୍ୟ ଲୋକମାନଙ୍କ ଭିତରେ କପଡ଼ାର ପୁନଃପ୍ରକ୍ରିୟାକରଣକୁ ନେଇ ଆଗ୍ରହ ବଢ଼଼ିବ ବୋଲି ଆଶା କରାଯାଉଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories