ସେବାର ବିଜ୍ଞାପିତ ରୂପ
ଯଦୁମଣି ପାଣିଗ୍ରାହୀ
ଭାରତୀୟ ମହାନ ସଂସ୍କୃତିରେ ସେବାକୁ ମଣିଷ ଜୀବନର ଶ୍ରେଷ୍ଠ ଧର୍ମ ଭାବେ ବିଚାର କରାଯାଇଛି। ପୁରାଣ ଯୁଗରୁ ଆରମ୍ଭ କରି ପୁଣି ଆଧୁନିକ ଯୁଗ ଯାଏ ଏହି ଗୁଣରେ ସମୃଦ୍ଧ ମଣିଷମାନେ ସର୍ବଦା ଅନନ୍ୟ ଓ ଅସାଧାରଣ ଭାବେ ଗଣ୍ୟ ହୋଇ ଆସିଛନ୍ତି। ସେଥିପାଇଁ ତ ମାନବ ସେବାକୁ ମାଧବ ସେବାର ଆଖ୍ୟା ଦିଆଯାଇଛି। ଈଶ୍ୱର ସମସ୍ତଙ୍କ ହୃଦୟରେ ଏହି ମହାନ ଗୁଣ ଭରି ଦେଇଥିଲେ ମଧ୍ୟ ଅଜ୍ଞତା ବଶତଃ ଅନେକ ସେବା କରିବାର ସୌଭାଗ୍ୟରୁ ବଞ୍ଚିତ ହୋଇଥାନ୍ତି। ମୁଷ୍ଟିମେୟ ଲୋକଙ୍କ ଠାରେ ଏହି ଗୁଣ ପ୍ରକଟିତ ହୋଇଥାଏ। ଯେଉଁମାନେ ଦେବଦୂତ ଭଳି ଆବିର୍ଭୂତ ହୋଇ ମାନବ ସେବାରେ ନିଜକୁ ନିରନ୍ତର ଓ ନିରବଚ୍ଛିନ୍ନ ଭାବେ ସମର୍ପିତ କରି ପାରିଛନ୍ତି ସେମାନେ ଆମର ନମସ୍ୟ। ଏମାନେ ନିଜର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଦୁଃସ୍ଥ ଓ ଅସହାୟ ମଣିଷର ସେବା କରି ଶାନ୍ତି ଓ ଆତ୍ମସନ୍ତୋଷ ଲାଭ କରଥାନ୍ତି। ଆମ ପୁରାଣଶାସ୍ତ୍ରରେ ସେବାର ମହତ୍ତ୍ୱ ସଂପର୍କରେ ଅନେକ କଥା ବର୍ଣ୍ଣନା କରାଯାଇଛି। ମଣିଷ କେବଳ ନିଜ ପାଇଁ ଜନ୍ମ ଗ୍ରହଣ କରିନାହିଁ ବରଂ ଅନ୍ୟର ଆଖିର ଲୁହକୁ ପୋଛିଦେଇ ତା’ ଓଠରେ ଧାରେ ହସ ଖେଳାଇ ଦେବା ହେଉଛି ପ୍ରକୃତ ସେବା ଆଉ ମଣିଷପଣିଆର ଯଥାର୍ଥ ପରିଚୟ। ପ୍ରକୃତରେ ଯେଉଁମାନେ ସେବାର ମହତ୍ତ୍ୱକୁ ବେଶ୍ ଭଲ ଭାବେ ବୁଝିଛନ୍ତି ଓ ଏହାର ସୁଫଳକୁ ଅଙ୍ଗେ ନିଭାଇଛନ୍ତି, ସେମାନେ ଆଜୀବନ ନିଜକୁ ସେବା କ୍ଷେତ୍ରରେ ସମର୍ପିତ କରି ଦେଇଛନ୍ତି।
ଗାନ୍ଧୀ, ଗୋପବନ୍ଧୁ ଓ ବିବେକାନନ୍ଦଙ୍କ ଭଳି ଏମିତି ବହୁ ଯୋଗଜନ୍ମା ଓ ମହାପୁରୁଷ ଏ ମାଟିରେ ଜନ୍ମ ନେଇଥିଲେ ଯେଉଁମାନେ ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏ ନିଜକୁ ମାନବ ସେବାରେ ସମର୍ପି ଦେଇଥିଲେ। ଦୁଃଖ ନୈରାଶ୍ୟରେ ବୁଡି ରହିଥିବା ମଣିଷ ଆଖିରୁ ଲୁହ ପୋଛି ଦେଇ ସେମାନଙ୍କୁ ଆତ୍ମ ବିଶ୍ୱାସର ସହିତ ବଞ୍ଚିବାକୁ ଆଶା ଭରସା ଯୋଗାଇ ଦେଉଥିଲେ ସେମାନେ। ରୋଗଶୋକର ଘନଘଟା ଭିତରେ ସନ୍ତାପିତ ମଣିଷର ଦୁଃଖ ଦୈନ୍ୟ ଦେଖି ସେମାନେ ବିଚଳିତ ହୋଇ ପଡୁଥିଲେ। ଢୋକେ ପିଇ, ଦଣ୍ଡେ ଜିଇ ଅଭାବ ଓ ଅସୁବିଧାରେ ଦିନ କାଟୁଥିବା ଏବଂ ଦିନକୁ ଦି’ଓଳି ଦି’ମୁଠା ଖାଇବାକୁ ନପାଇ ଶଢି ଶଢି ଅତି ଦୀନହୀନ ଜୀବନ ବିତାଉଥିବା ମଣିଷଙ୍କ ଲାଗି ସେମାନେ ଆଶାର ଆଲୋକବର୍ତ୍ତିକା ସାଜିଥିଲେ। ତେଣୁ ଯଥାର୍ଥରେ ସେମାନେ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ମଧୁସୂଦନ ରାଓଙ୍କ ଭାଷାରେ-ପର ଦୁଃଖ ଦେଖି କାନ୍ଦେ ଯା’ ପରାଣ ମହତ ମଣିଷ ସେହି, ପର ହିତ ଲାଗି ଦିଏ ଯେ ଜୀବନ ତା’ ଠାରୁ ବଡ କେ ନାହିଁ। ସେବା ହିଁ ଅସଲ ବଡ଼ପଣିଆ। ମଣିଷକୁ ଅନ୍ତରର ସହ ଭଲ ପାଇବା, ମଣିଷର ସେବା କରିବା, ଏହା ଠାରୁ ବଳି ମହତ କାର୍ଯ୍ୟ ଆଉ କ’ଣ ବା ଥାଇପାରେ। ସେ ସେବାରେ ନା ଥିଲା ପାଇବାର ଆଶା ନା ଥିଲା ଆତ୍ମପ୍ରଚାରର ଅଭିଳାଷ। କେବଳ ନିଃସ୍ୱାର୍ଥପର ସେବା ହିଁ ସେବା। ସେଥିପାଇଁ ତ ସଚ୍ଚା ସେବକଟିଏ ସର୍ବଜନ ବିଦିତ, ସମସ୍ତଙ୍କର ଅତି ପ୍ରିୟ ଓ ଆପଣାର ତଥା ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ।
ଏବେ କିନ୍ତୁ ସେବାର ସଂଜ୍ଞା ବଦଳି ଯାଇଛି। ସେବା ନାଁରେ କେବଳ ଆତ୍ମ ପ୍ରଚାର ହିଁ ଚାଲିଛି। ସାମାଜିକ ଗଣମାଧ୍ୟମ ଏବେ ନିଜକୁ ବିଜ୍ଞାପିତ କରିବାର ପ୍ରମୁଖ ମାଧ୍ୟମ ହୋଇଛି। ତା’ଛଡା ଖବରକାଗଜ ପୃଷ୍ଠା ଓ ଟିଭି ପରଦାରେ ଯିଏ ଯେତେ ନିଜକୁ ପ୍ରଚାର ଓ ପ୍ରସାର କରାଇ ପାରିଲା ସେ ହିଁ ହେଲା ଆଗଧାଡିର ସେବକ। ବର୍ତ୍ତମାନର ସମୟରେ ସମାଜସେବା କରିବାକୁ ବିଭିନ୍ନ ବ୍ୟକ୍ତି ବିଶେଷ, ସ୍ୱେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ନେତା ଓ ସରକାରୀ ଦଳଙ୍କ ଯାଏ ସମସ୍ତେ ଆଗ୍ରହ ପ୍ରକାଶ କରିବା ସହିତ ବେଶ୍ ତତ୍ପର ଓ ଚଳଚଞ୍ଚଳ ହୋଇ ଉଠୁଥିବା ପ୍ରାୟ ସମସ୍ତେ ଅନୁଭବ କରୁଥିବେ।
ରୋଗଗ୍ରସ୍ତ ମଣିଷଟିଏ ହେଉ ଅବା ବନ୍ୟା, ବାତ୍ୟା କିମ୍ବା ଘରପୋଡି ପ୍ରପୀଡିତ ମଣିଷ ହେଉ ସେମାନଙ୍କୁ ସାମାନ୍ୟ କିଛି ଖାଦ୍ୟ କିମ୍ବା ଆର୍ଥିକ ସହାୟତା ପ୍ରଦାନ କରିଦେଇ ନିଜର ବା ନିଜ ସଙ୍ଗଠନର ବଦାନ୍ୟତା ଓ ମହାନତାକୁ ବିଜ୍ଞାପିତ କରିବାକୁ ଆଗେଇ ଆସୁଛନ୍ତି ସମସ୍ତେ। ଲୋକପ୍ରିୟତା ଅର୍ଜନ କରିବା ତଥା ସମାଜରେ ନିଜ ପରିଚୟ ଓ ପ୍ରତିଷ୍ଠାକୁ ବଢାଇବା ଲକ୍ଷ୍ୟରେ କିଛି ଧନଶାଳୀ ବ୍ୟକ୍ତି ଏବେ ସେବାକୁ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଅନ୍ୟ କେତେକ ଦୁଃଖୀ ରଙ୍କୀ ଓ ଗରିବଙ୍କୁ ଯେତିକି ବି ସହାୟତା ପ୍ରଦାନ କରୁଛନ୍ତି ତା’ଠାରୁ ଅଧିକ ପ୍ରଚାର, ପ୍ରସାରରେ ଖର୍ଚ୍ଚ କରୁଛନ୍ତି। କିଏ ଜୋତା, କିଏ ଛତା ତ କିଏ କମ୍ବଳ ବାଣ୍ଟି ନିଜକୁ ବା ନିଜ ସଙ୍ଗଠନକୁ ସେବା କ୍ଷେତ୍ରରେ ଅଗ୍ରଣୀ ବୋଲି ସାବ୍ୟସ୍ତ କରିବାକୁ ଲାଗି ପଡିଛନ୍ତି। ଆଉ କିଛି ସେବାକୁ ପ୍ରମୁଖ ମାଧ୍ୟମ କରି ସରକାରୀ ପୁରସ୍କାର ଓ ପ୍ରୋତ୍ସାହନକୁ ହାତେଇନେବା ସର୍ବୋପରି ନିଜକୁ ରାଜନୈତିକ ଦଳର ନେତାଙ୍କ ଦୃଷ୍ଟି ଆକର୍ଷଣ କରାଇ ରାଜନୀତିରେ ପ୍ରବେଶ କରିବା ଭଳି ମତଲବରେ ବି ରହିଛନ୍ତି। କିଛି ଲୋକ ବି ମତ ଦିଅନ୍ତି ଯେ ଲୋକଙ୍କ ସେବା କରିବାର ବଳିଷ୍ଠ ମାଧ୍ୟମ ହେଉଛି ରାଜନୀତି। ଅର୍ଥାତ୍ ରାଜନୀତି ମାଧ୍ୟମରେ ଲୋକଙ୍କର ପ୍ରକୃତ ସେବା କରାଯାଇ ପାରିବ। ପ୍ରକୃତରେ ଏହା ଏକ ବାହାନା ମାତ୍ର।
ରାଜନୀତିରେ ଥିବା ଆଜିକାଲିର ନେତା ମାନେ ସାଧାରଣ ଲୋକଙ୍କର କି ପ୍ରକାର ସେବା କରୁଛନ୍ତି ତାହା ସମସ୍ତଙ୍କୁ ଊଣାଅଧିକେ ଜଣା। ସେହିପରି ଶାସନରେ ଥିବା ଦଳ ଲୋକଙ୍କ ହିତ ପାଇଁ ଯଦି ବା କିଛି ପଦକ୍ଷେପ ନେଉଛନ୍ତି ବା ଯୋଜନା ପ୍ରଣୟନ କରୁଛନ୍ତି ତେବେ ତା’ର ପ୍ରଚାର ଏତେ ମାତ୍ରାରେ କରାଯାଉଛି ଯେ ଯେମତି ରାତାରାତି ଲୋକଙ୍କର ଭାଗ୍ୟ ବଦଳିଯିବ। ଲୋକଙ୍କର ସବୁ କଷଣ ଘୁଞ୍ଚିଯିବ, ଆଖି ପିଛୁଳାକେ ଦୁନିଆର ସବୁ ସମସ୍ୟାର ସମାଧାନ ହୋଇଯିବ। ଏହା ସେବା ନୁହେଁ କେବଳ ଆତ୍ମପ୍ରଚାର। ଲୋକଙ୍କର ପ୍ରକୃତ ସେବା କରୁଥିବା ବ୍ୟକ୍ତି, ସଙ୍ଗଠନ ହେଉ କି ରାଜନୈତିକ ଦଳ ହୁଅନ୍ତୁ ଏଭଳି ପ୍ରଚାର କରିବାରେ କ’ଣ ଯଥାର୍ଥତା ଅଛି। ଯଦି ଲୋକଙ୍କ ହିତ ଲାଗି କେହି କିଛି ବି ନିଷ୍ଠାପର ତଥା ନିଃସ୍ୱାର୍ଥପର ଭାବେ କରୁଥାଏ ତେବେ ତାହା ଦିନେ ନା ଦିନେ ଲୋକଙ୍କ ଦ୍ୱାରା ଆଦୃତ ଓ ପ୍ରଶଂସିତ ହେବ। ଆଉ ଲୋକେ ତା’ର ମୂଲ୍ୟ ବି ଠିକ୍ ସମୟରେ ତାଙ୍କୁ ଫେରାଇଦେବେ। ମନ ଭିତରେ କୌଣସି ସ୍ୱାର୍ଥ ଓ ମନ୍ଦ ଉଦ୍ଦେଶ୍ୟ ରଖି କରାଯାଉଥିବା ସେବା ପ୍ରକୃତ ସେବା ନୁହେଁ କିମ୍ବା ସେବା କରୁଥିବା ବ୍ୟକ୍ତି ବା ସଙ୍ଗଠନ ପ୍ରଚାରଧର୍ମୀ ହେବା ଆଦୌ ଗ୍ରହଣୀୟ ନୁହେଁ। ସଦାସର୍ବଦା ମହତ ଉଦ୍ଦେଶ୍ୟ ନେଇ ତଥା ଲୋକଙ୍କ ହିତ ଲାଗି କାମ କରିବା ହେଉଛି ପ୍ରକୃତ ସେବା। ଏହି ଚେତନା ସମସ୍ତଙ୍କ ଭିତରେ ଜାଗ୍ରତ ହେବା ଉଚିତ୍।
Comments are closed.