୨୦୨୪ ସାଧାରଣ ନିର୍ବାଚନରେ ଦେଶ ଅନେକ ମୁକାବିଲାର ସମ୍ମୁଖୀନ ହେବାକୁ ଯାଉଛି। ଦେଶ ଭିତରେ ଅଜସ୍ର ସମସ୍ୟା ରହିଛି; କିନ୍ତୁ ବିଦେଶନୀତିରେ ଅସମ୍ଭବ ମୁକାବିଲା। କାନାଡାର ଖଲିସ୍ଥାନ ଘଟଣା, ମାଲଦ୍ୱୀପରେ ନୂଆ ରାଷ୍ଟ୍ରପତି ଚିନପନ୍ଥୀ ନେତାର ଆବିର୍ଭାବ, ଭାରତରେ ତାଲିବାନ ସରକାରର ଦୂତାବାସ ବନ୍ଦ ହେବା, ଆଫଗାନିସ୍ଥାନର ରାଗ କିମ୍ବା ନେପାଳ – ଭୁଟାନର ଚୀନ୍ପ୍ରେମ ପ୍ରମୁଖ ନରେନ୍ଦ୍ର ମୋଦୀଙ୍କୁ ମୁକାବିଲା କରିବାକୁ ହେବ।
ଏଣେ ଦେଶରେ ଇସ୍ରାଏଲ-ହମାସ୍ ଯୁଦ୍ଧରେ ସେୟାରବଜାର ଧ୍ୱଂସ। ଆର୍ଥିକ ଅବସ୍ଥା ଭଲନାହିଁ। ତୈଳ ଦର ବୃଦ୍ଧିପାଉଛି। ଏ ଯୁଦ୍ଧରେ ପଶ୍ଚିମ ଏସିଆର ଅନ୍ୟାନ୍ୟ ଦେଶ ମାତିଗଲେ – ଡିଜେଲ, ପେଟ୍ରୋଲ, ଗ୍ୟାସ ଉପରେ ଭୀଷଣ ପ୍ରଭାବ ପଡ଼ିବ। ଆମ ଦେଶରେ ଦର ହୁହୁହୋଇ ବଢିଯିବ। ଡିଜେଲ, ପେଟ୍ରୋଲ, ଗ୍ୟାସ୍ ଦାମ ବଢ଼ିଲେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦାମ ଆକାଶଛୁଆଁ ହେବ। ୨୪ ନିର୍ବାଚନ ବର୍ଷରେ ଏହା ଖାଉଟିମାନଙ୍କୁ ରଗେଇଦେବ। ଯାହା ଫଳରେ ନିର୍ବାଚନ ଅଙ୍କ ଗଡବଡ ହୋଇଯାଇପାରେ !
ଏମନ୍ତ ଅବସ୍ଥା ଦେଖି ବହୁ ଲୋକ ସେୟାର ବଜାରରେ ବିକ୍ରି ବନ୍ଦ କରିଦେଲେଣି। ରତ୍ପାନି-ଆମଦାନୀ କ୍ଷେତ୍ରରେ ମାନ୍ଦାବସ୍ଥା। ତୈଳ ଓ ଖାଦ୍ୟପଣ୍ୟ କ୍ଷେତ୍ରରେ ଆମେ ଆମଦାନୀ କରିବାକୁ ବାଧ୍ୟ। ଆମଦାନୀ ବାଧାପ୍ରାପ୍ତ ହେଲେ – ବଜାରରେ କୃତ୍ରିମ ଅଭାବ ସୃଷ୍ଟିହେବ। ପଣ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧ ଘଟିଲେ ଦେଶର ଅର୍ଥନୀତି ପ୍ରଚଣ୍ଡ ଧକ୍କା ଖାଇବ। ଅର୍ଥ ମନ୍ତ୍ରାଳୟ ଯେତେ ଦେଶବାସୀଙ୍କୁ ଆଶ୍ୱାସନା ଦେଲେ ବି – ବାସ୍ତବ ପରିସ୍ଥିତି ଭିନ୍ନ। ବାସ୍ତବରେ ଇସ୍ରାଏଲ-ପାଲେଷ୍ଟାଇନ୍-ହମାସ୍ ଯୁଦ୍ଧ ଅବୈଧ। ଜାତିସଂଘ ସେକ୍ରେଟାରୀ ଜେନେରାଲ ବାସ୍ତବ ପ୍ରସ୍ତାବକୁ ଇସ୍ରାଏଲ ବିରୋଧକରି ତାଙ୍କ ଇସ୍ତଫା ଦାବି କରିଛି। ଏହା ଘୋର ଅନ୍ୟାୟ। ବର୍ତ୍ତମାନ କେହି ଅନ୍ତର୍ଜାତୀୟ ମାନବତାବାଦୀ କାନୁନକୁ ମାନୁନାହାନ୍ତି। ଯାହା ଫଳରେ ଏହି ଯୁଦ୍ଧରେ ସାଧାରଣ ନାଗରିକ ପୁରୁଷ-ମହିଳା-ଶିଶୁ ବଳିପଡୁଛନ୍ତି। ରାଗ ବ୍ରହ୍ମଚଣ୍ଡାଳ। ଆମର ଅତି ପ୍ରିୟ ଲୋକକୁ ଯଦି କେହି ହତ୍ୟାକରେ – ଆମେ ବଦଲ୍ାନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ୧୯୭୩ରେ ଇସ୍ରାଏଲ ପାଲେଷ୍ଟାଇନ୍ ମସ୍ଜିଦ୍ ଉପରେ ବୋମା ପକାଇ ବହୁ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲେ। ୫୦ବର୍ଷ ପରେ ପାଲେଷ୍ଟାଇନ୍ ଗାଜା ଷ୍ଟ୍ରିପ୍ର ହମାସ୍ ଗୋଷ୍ଠୀ ଏଇ ୨୦୨୩ ଅକ୍ଟୋବର ୭ ତାରିଖରେ ତା’ର ବଦଲା ନେଲେ। ଇସ୍ରାଏଲ ମଧ୍ୟ ବଦଲ୍ା ନେଉଛି। ଯାହା ଫଳରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଉଭୟ ଯୋଦ୍ଧାକୁ ବିଶ୍ୱର ଶକ୍ତିଶାଳୀ ଦେଶମାନେ ସାହାଯ୍ୟ ସହଯୋଗ ଦେଇ ଯୁଦ୍ଧକୁ ମଣିଷପଣର ମଶାଣିପଦାରେ ପରିଣତ କରିବାରେ ଲାଗିଛନ୍ତି।
ଆପଣମାନଙ୍କର ସ୍ମରଣ ଥିବ – ୨୦୦୧ରେ ଅଲକାଏଦା ନ୍ୟୁୟର୍କ ଟାୱାର ଧ୍ୱଂସ କରିଦେଲେ। ସେତେବେଳର ରାଷ୍ଟ୍ରପତି ଜର୍ଜ ବୁଶ୍ ଅଲକାଏଦାକୁ ଧ୍ୱଂସ ନକରି ସମଗ୍ର ମୁସଲମାନମାନଙ୍କୁ ଟାର୍ଗେଟ୍ କରିବା ମସ୍ତବଡ ଭୁଲ୍ ଥିଲା। ଆକ୍ରମଣ-ପ୍ରତିଆକ୍ରମଣ ପରେ ଶାନ୍ତିସ୍ଥାପନ କହିବା ଏକ ବାହାନା ମାତ୍ର।
ଇସ୍ରାଏଲକୁ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ନେତାମାନେ ଧାଉଁଛନ୍ତି – ହେଲେ ଗାଜାରେ ମଣିଷକୁ ପଶୁଭଳି ମରାଯାଉଛି। ଏ ଜଘନ୍ୟ ଘଟଣାକୁ ସେମାନେ ଏଡାଇ ଯାଉଛନ୍ତି। ଉଭୟେ ଇସ୍ରାଏଲ-ହମାସ୍ ଯୁଦ୍ଧ ଅପରାଧୀ। ଏହା କିଭଳି ମାନବିକତା ? ୨ୟ ବିଶ୍ୱଯୁଦ୍ଧଠାରୁ ଗତ ଆଠଦଶନ୍ଧି ଧରି ମିଲିଟାରୀ ଉପରେ ଇସ୍ରାଏଲର ଅଭିଜ୍ଞତା ପ୍ରଚୁର। ବିଶ୍ୱରେ ଇସ୍ରାଏଲ ଆର୍ମି, ଗୁଇନ୍ଦା ଆମେରିକା ଭଳି ଅନ୍ୟତମ ଶ୍ରେଷ୍ଠ ବୋଲି କୁହାଯାଏ। ଏଥର କିନ୍ତୁ ହମାସ୍ ଇସ୍ରାଏଲକୁ ମାଟି କାମୁଡେଇ ଦେଲା। ଗୁଇନ୍ଦା ଫେଲ୍। ହମାସ୍ ଗୁଇନ୍ଦା ହିଁ ବିଶ୍ୱର ବର୍ତ୍ତମାନ ଏକନମ୍ବର ହୋଇଗଲା। ଯେ କୌଣସି ଦେଶର ମିଲିଟାରୀ ଯେତେ ଶକ୍ତିଶାଳୀ ହେଲେ ବି ସବୁବେଳେ ଯୁଦ୍ଧ ଜିତିବ ସେ ଗ୍ୟାରେଣ୍ଟି ଦିଆଯାଇନପାରେ। ଆମେରିକାକୁ ଅଲକାଏଦା, ଇସ୍ରାଏଲକୁ ହମାସ୍ ବୁଦ୍ଧି ଶିଖାଇଦେଲା। ହଁ ! ମିଲିଟାରୀ ବଳରେ ଯୁଦ୍ଧରେ ଜନଜୀବନ ଧନସଂପତ୍ତି ଧ୍ୱଂସ କରାଯାଇପାରେ; କିନ୍ତୁ ଯୁଦ୍ଧ ଜିତି ହୁଏନା। ଯେଉଁମାନେ ଯୁଦ୍ଧକ୍ଷେତ୍ରରେ – ସେମାନଙ୍କର ମଧ୍ୟ ଘରସଂସାର ପିଲାଛୁଆ ଅଛନ୍ତି। ସେମାନେ ସମସ୍ତେ ଦେଶପ୍ରେମୀ ନୁହନ୍ତି। ଯେତେବେଳେ ରାଜନେତା, ଦେଶର ମୁଖ୍ୟମାନେ ନିଜ ସ୍ୱାର୍ଥ ପାଇଁ, କ୍ଷମତା ପାଇଁ ଗର୍ବ, ଅହଂକାରରେ ଫାଟିପଡି, ପାଗଳା ହୋଇ ଯୁଦ୍ଧରେ ସାମିଲ ହୁଅନ୍ତି ବାସ୍ତବରେ ଏହି ନେତାମାନେ ଦେଶଦ୍ରୋହୀ। ଯୁଦ୍ଧକ୍ଷେତ୍ରରେ ସୈନ୍ୟମାନେ ମରନ୍ତି। ଏମାନେ ଚାକିରି କରିବା ପୂର୍ବରୁ ମରିବା ପାଇଁ ମଧ୍ୟ ମୁଚାଲିକା ଲେଖି ଦେଇଥାନ୍ତି। ଅନ୍ତର ଭିତରେ ଇଚ୍ଛା ନଥିଲେ ବି ଚାକିରି ପାଇଁ ଲେଖିବାକୁ ବାଧ୍ୟ। ସୈନ୍ୟ ବିଭାଗରେ ଚାକିରି କରି ବିନା ଯୁଦ୍ଧରେ ଯେଉଁମାନେ ଅବସର ନିଅନ୍ତି – ସେମାନେ ନିଜକୁ ଧନ୍ୟ ମନେକରନ୍ତି।
ଯୁଦ୍ଧରେ କେବଳ ସୈନ୍ୟବାହିନୀ ଉପରେ ନିର୍ଭର କଲେ ବିଫଳ ହେବା ନିଶ୍ଚିତ। ୧୯୪୫ ପରେ ଯେତେ ଯୁଦ୍ଧ ହୋଇଛି, କିଏ ହାରିଛି ତ କିଏ କ୍ଷୟକ୍ଷତି ଦୁଃଖଯାତନାରେ ପଡିଛି। ଯୁଦ୍ଧରେ କେହି ନା କେହି ଜିଣିବ। ଯଦି କୂଟନୀତି, ରାଜନୀତି, ସମାଧାନ ରାସ୍ତା ନ ଖୋଲେ ତା’ହେଲେ ଜିତିବା ଦେଶ ଶେଷରେ ହାରେ। ଆପଣମାନେ ଲକ୍ଷ୍ୟ କରନ୍ତୁ – ଗାଜା ୩୫୧ ସ୍କୋୟାର କିଲୋମିଟର, ୪୧ କିଲୋମିଟର ଲମ୍ବ ଏବଂ ୫ କିଲୋମିଟରରୁ ୧୨ କିଲୋମିଟର ଚଉଡା। ଗେଞ୍ଜାଗେଞ୍ଜି ହୋଇ ୨୩ ଲକ୍ଷ ଜନବସତି। ପୁଣି ମାଟି ତଳେତଳେ ସୁଡଙ୍ଗ ମାଇଲ୍ ମାଇଲ୍ ଧରି ଲମ୍ବା। ଇସ୍ରାଏଲ ଏହି ସୁଡଙ୍ଗ ଭିତରେ ପଶି ହମାସ୍କୁ ଖୋଜି ପାଇବା କାଠିକର ପାଠ। ଖୋଜିଲାବେଳେ ବହୁ ସାଧାରଣ ନାଗରିକ ବଳିପଡିବେ। ଆମେରିକା ୨୧ ବର୍ଷ କାଳ ମଣିଷକୁ ବଳିପକାଇ ଭିଏତ୍ନାମ ଯୁଦ୍ଧ ଜିତିପାରିଲା ନାହିଁ। ବର୍ତ୍ତମାନ ଇସ୍ରାଏଲ-ଗାଜା ଯୁଦ୍ଧରେ ମଣିଷକୁ ବଳି ପକାନଯାଉ।
ମାନବିକ, ଆଧ୍ୟାତ୍ମିକ ଅବବୋଧର ନିତ୍ୟନାଗରା ଶୁଣାଇ ଆସୁଥିବା ବଡବଡ ଦେଶମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ମାତି ସାରା ବିଶ୍ୱର ୮୦୦ କୋଟି ନରନାରୀଙ୍କ ମୁହଁର ରଙ୍ଗକୁ ଲଜ୍ଜାରୁଣ କରିସାରିଲେଣି। ଜାତିସଂଘର ୫ ମହାରଥୀ ଆମେରିକା, ବ୍ରିଟେନ୍, ରୁଷ, ଚୀନ୍, ଫ୍ରାନ୍ସଙ୍କ ଭିଟୋ ପାୱାର ମାନବୀୟ ପ୍ରସ୍ତାବ ଉପରେ ଯେକୌଣସି ଗୋଟିଏ ଅମଙ୍ଗ ହେଲେ ତାହା ରଦ୍ଦ ହୋଇଯାଉଛି। ଜି-୭, ଜି-୨୦ ଦେଶମାନେ ଯୁଦ୍ଧରେ ବନ୍ଧୁକଧାରୀ, ବନ୍ୟବିକୃତ ଗୁଣ୍ଡାବାହିନୀ, ବର୍ବର ବାହିନୀଙ୍କ ଅବର୍ଣ୍ଣନୀୟ ଅତ୍ୟାଚାର କୁତ୍ସିତ କ୍ରିୟାକାଣ୍ଡ ଯୋଗୁଁ ସମଗ୍ର ବିଶ୍ୱ କ୍ଷତବିକ୍ଷତ। ସାରା ବିଶ୍ୱରେ ଯେଉଁସବୁ ବୀଭତ୍ସ ଘଟଣାମାନ ପ୍ରତିନିୟତ ଘଟିଯାଉଛି – ତାହାର ମୂଳକାରଣ ବିଶ୍ୱ ପ୍ରତାରିତ ସମାଜ ବ୍ୟବସ୍ଥା। ଇତିହାସ ବଡ ନିଷ୍ଠୁର। ସେ ନିଶ୍ଚୟ ଲିପିବଦ୍ଧ କରିଦେବ ଏହି ବର୍ବରତାର କାହାଣୀ – ସେତେବେଳେ ସାରା ବିଶ୍ୱ କେବଳ ଆରୋପ-ପ୍ରତ୍ୟାରୋପରେ ହିଁ ଶେଷ କରିଦେଇଥିବେ ସମୟ। ବର୍ତ୍ତମାନ ସମଗ୍ର ବିଶ୍ୱରେ କୌଣସି ସ୍ଥାନ ସୁରକ୍ଷିତ ନୁହେଁ। ମଣିଷ ହୁଅନ୍ତୁ କି ଜୀବଜନ୍ତୁ – ଯେତେବେଳେ ଗତିଚ୍ୟୁତିର କବଳିତ ହେବେ – ସେତେବେଳେ ଛନ୍ଦ ହରାଇଦେବେ। ଗତିଶୀଳତାରେ ନାହାନ୍ତି ତ ଛନ୍ଦ ହଜାଇଛନ୍ତି। ଛନ୍ଦ ବଦଳରେ ତା’ପରେ ସବୁ ମନ୍ଦ। ଏ ମନ୍ଦରୁ ମାନ୍ଦା। ଏ ମାନ୍ଦାରୁ ମାନ୍ଦାବସ୍ଥାର ମାନଚିତ୍ରରୁ ଆରମ୍ଭକରି ମୈଦାନ ପର୍ଯ୍ୟନ୍ତ ସବୁଠି ଲାଗିରହିଥିବ ଯୁଦ୍ଧ ଦୁନ୍ଦୁଭି। ପ୍ରଗତି କେବଳ ପୋଷ୍ଟର – ପ୍ରତିଦିନ ପ୍ରହସନ।
୨୦୨୩ ଶେଷବେଳକୁ ଏବଂ ୨୪ ଆରମ୍ଭରେ ବିଶ୍ୱରେ ଭୂମିକମ୍ପ, ଭୂସ୍ଖଳନ, ଭୟଙ୍କର ଯୁଦ୍ଧ, ଗୃହଯୁଦ୍ଧ, ସାଂପ୍ରଦାୟିକ ଦଙ୍ଗା, ଜାତିଆଣ ହିଂସା, ହଣାକଟା, କଥାକଥାରେ ମୁଣ୍ଡ କାଟ୍, ନାରୀଧର୍ଷଣ, ନିର୍ଯାତନା, ଭୟଙ୍କର ଛାତିଥରା ହୃଦୟ ବିଦାରକ ଦୁର୍ଘଟଣା – ପ୍ରବଳ ବନ୍ୟା, ବାତ୍ୟା, ମରୁଡି, ରାସ୍ତା ଦୁର୍ଘଟଣାରେ କେଉଁଠି ଲୁହ ତ କେଉଁଠି ଲହୁର ତାରୁଣ୍ୟ ଆଖିପିଛୁଳାକେ ସବୁ ଘଟଣା ଘଟିଯାଉଛି। ଏବେ ଆସୁଛି ଡିଜିଜ୍ ଏକ୍ସ ମହାମାରୀ। କରୋନାଠାରୁ ୭ ଗୁଣ ଶକ୍ତିଶାଳୀ। ସବୁ ପ୍ରାକୃତିକ, ମନୁଷ୍ୟକୃତ ବିପଦ ମାଡିଆସୁଛି। ଭୋକ-ରୋଗରେ ମଣିଷ, ଜୀବଜନ୍ତୁ ପୋକମାଛି ଭଳି ମରିଯିବେ। ଏବେ ଆମେ ଏଥିରୁ ମୁକ୍ତି ଚିନ୍ତା କରିବା ନା ଯୁଦ୍ଧ କରି ଚାଲିବା!


