କର୍ମଫଳରୁ ନାହିଁ ନିସ୍ତାର

ଡକ୍ଟର ବିବୁଧ ରଞ୍ଜନ

ବୁଦ୍ଧଦେବଙ୍କୁ ତାଙ୍କର ଜଣେ ଶିଷ୍ୟ ଥରେ ପଚାରିଲେ – ଆଜ୍ଞା, ଭାଗ୍ୟ ବୋଲି କିଛି ଅଛି ନା ନାହିଁ ? ପ୍ରଶ୍ନ ଶୁଣି ବୁଦ୍ଧଦେବ ହସିଲେ ଏବଂ କହିଲେ – ଭିକ୍ଷୁ ମନେରଖ ଭାଗ୍ୟବୋଲି ଆଦୌ କିଛି ନାହିଁ। ତୁମର ଆଜିର କର୍ମ ଆସନ୍ତା କାଲିର ଭାଗ୍ୟ ନେଇ ଉପସ୍ଥିତ ହୋଇଥାଏ। ଆହୁରି ସରଳ ଭାବରେ କହିଲେ ଏତିକି ବୁଝିବାକୁ ଚେଷ୍ଟାକର ଯେ – ତୁମେ ଆଜି ଯାହା କରୁଛ – ତୁମରି କର୍ମର ଫଳ ଭବିଷ୍ୟତରେ ଯେଉଁ ପରିଣତି ନେଇ ଆସିଥାଏ ତାହାକୁ ହିଁ ସାଧାରଣ ମଣିଷ ଭାଗ୍ୟ ବୋଲି କହିଥାଏ। ତା ନ ହେଲେ ଭାଗ୍ୟ ଏପରି ଆଦୌ କିଛି ନାହିଁ। ତୁମେ ଯଦି ଆଜି ଭଲ କର୍ମ କରିଛ ତେବେ ତାର ଫଳ ଆଗାମୀ ଦିନରେ ଭଲ ହେବ। ମନ୍ଦ କର୍ମ କରିଥିଲେ ମନ୍ଦ ଫଳ ମିଳିବ। କର୍ମଫଳ ଭୋଗରୁ କାହାରି ନିସ୍ତାର ନାହିଁ। ଆଜିର କର୍ମ ଆସନ୍ତାକାଲିର ଭାଗ୍ୟ। ମଣିଷ କିନ୍ତୁ ଅନେକ ସମୟରେ ଅଭିଯୋଗ କରିଥାଏ ଯେ – ସେ ଏ ଜୀବନରେ ଆଦୌ କୌଣସି ଖରାପ କାର୍ଯ୍ୟ କରିନାହିଁ। ଅନ୍ୟାୟ ଅନୀତି କରିନାହିଁ। କାହାରି ଅମଙ୍ଗଳ କଥା ମନରେ ସୁଦ୍ଧା ଭାବି ନାହିଁ। ତଥାପି ସେ କାହିଁକି ଦୁଃଖ ଯନ୍ତ୍ରଣା ଭୋଗୁଛି। ଏହାର ଉତ୍ତର ହେଲା ପ୍ରାରବ୍ଧ। ତା ଅର୍ଥ ଯାହା ତୁମେ ତୁମର ପୂର୍ବ ଜନ୍ମରେ କରିଥିଲ ଅଥଚ ଫଳ ଭୋଗିବା ପୂର୍ବରୁ ତୁମର ସେ ଜୀବନର ପରିସମାପ୍ତି ଆସି ଯାଇଥିଲା ତାହାର ଫଳ ଏ ଜନ୍ମରେ ଭୋଗିବାକୁ ବାଧ୍ୟ। ଆମେ ସାଧାରଣରେ ଦେଖିଥାଉ ମାଲିମୋକଦ୍ଦମାରେ ଗୋଟିଏ ଗୋଟିଏ କେସ୍‍ରେ ରାୟ ବାହାରିବାକୁ କୋଡ଼ିଏ-ଚବିଶ ବର୍ଷ ଲାଗିଯାଇଥାଏ। ହତ୍ୟାକାରୀ ଦଣ୍ଡ ପାଇବା ବେଳକୁ ଅନେକ ବର୍ଷ ବିତି ଯାଇଥାଏ। ଅଥଚ କୌଣସି ଘଟଣାରେ ଫାଷ୍ଟ୍‍ ଟ୍ରାକ୍‍ କୋର୍ଟରେ ମାତ୍ର ମାସକ ମଧ୍ୟରେ ଦଣ୍ଡ ବିଧାନ ହୋଇଯାଇଥାଏ। ଅବିକଳ ସେଇମିତି କର୍ମଫଳ। ତୁମ କର୍ମର ଗମ୍ଭୀରତାକୁ ନେଇ ତତ୍‍କ୍ଷଣାତ୍‍ ଦଣ୍ଡ ମିଳିଯାଇପାରେ ଅବା ଅନେକ ବର୍ଷ ପରେ ମିଳିପାରେ। ଆଉ ସବୁଠାରୁ ମଜାର କଥା ହେଲା – ମଣିଷ ଯେତେବେଳେ ଦୁରାରୋଗ୍ୟ ବ୍ୟାଧିରେ ପଡ଼ି ଛଟପଟ ହେଉଥାଏ ସେ ଆଦୌ ଭାବି ପାରେ ନାହିଁ ଯେ – ଅତୀତରେ କରିଥିବା କର୍ମର ଫଳ ସେ ଏବେ ହାସ୍‍ପାତାଳରେ ପଡ଼ି ଭୋଗୁଛି ବୋଲି। ସେ ତା ଭାଗ୍ୟକୁ ନିନ୍ଦିଥାଏ। ହେଲେ ତା ଭାଗ୍ୟ ସେ ନିଜେ ତା ଅତୀତର କର୍ମ ଦ୍ୱାରା ଅର୍ଜନ କରିଥାଏ। ପାଠକ ବନ୍ଧୁମାନଙ୍କୁ ମୋର ବିନମ୍ର ନିବେଦନ – ଆଚରଣ, ଉଚ୍ଚାରଣରେ କାହାରିକୁ ଆଘାତ ଦିଅ ନାହିଁ। କାହାରି ପ୍ରତି ବେଇମାନି, କୃତଘ୍ନତା କରନାହିଁ। ମୋ ନିଜ ଜୀବନରୁ ଦୁଇଟି ଛୋଟ ଘଟଣା କହୁଛି – ସକାଳେ ବଜାର କଲାବେଳେ ମୋର ଜଣେ ଘନିଷ୍ଠ ବନ୍ଧୁ ଦେଖାହେଲେ। ବୟସରେ ସାନ ହେଲେ ବି ସେଦିନ ସେ ମୋତେ ଏପରି ବ୍ୟବହାର କଲେ ଯାହା ମୁଁ ତାଙ୍କଠାରୁ ଆଦୌ ଆଶା କରୁନଥିଲି। ମୋ ହୃଦୟକୁ ବାଧିଲା। ମନ ଭିତରେ ମୁଁ ଜାଣିଗଲି – ବନ୍ଧୁ ଈଶ୍ୱରଙ୍କ ଠାରୁ ଦଣ୍ଡ ପାଇବା ସୁନିଶ୍ଚିତ। ବଜାର ସଉଦା ସାରି ମୁଁ ଫେରୁଛି ଦେଖିଲି ଟିକିଏ ପୂର୍ବରୁ ବନ୍ଧୁ ରାସ୍ତାରେ ଏକ ଦୁର୍ଘଟଣାଗ୍ରସ୍ତ ହେଇ ତଳେ ପଡ଼ିଛନ୍ତି। ମୋର ଜଣେ ବ୍ୟାଙ୍କ ସହ କର୍ମଚାରୀ ଅକାରଣରେ ମୋତେ ଗାଳିଗୁଲଜ କରିବାର ଚବିଶ ଘଣ୍ଟା ନପୂରୁଣୁ ମଟର ଦୁର୍ଘଟଣାରେ ପ୍ରାଣ ହରେଇଦେଲେ। କହିବାର କଥା ହେଲା – ଯାହାଠାରୁ ତୁମେ ସାହାଯ୍ୟ, ସହାନୁଭୂତି, ଭଲପାଇବା ପାଉଛ ତା ପ୍ରତି ଆଦୌ କୃତଘ୍ନତା କରନାହିଁ। କାରଣ ଏ କର୍ମର ଫଳ ଖୁବ୍‍ ଶୀଘ୍ର ମିଳି ଯାଇଥାଏ।

ଜୀବନଯାତ୍ରାରେ ସୁଖ କମ୍‍ ଦୁଃଖ ଅନେକ। ମଣିଷ ଅନେକ ଦୁଃଖ, ଯନ୍ତ୍ରଣା, ଅଶାନ୍ତି ଭୋଗ କରେ; କିନ୍ତୁ ଆମେ ଜାଣି ପାରୁନାହିଁ କିମ୍ବା ଜାଣିବାକୁ ଚେଷ୍ଟା କରୁନାହିଁ ଯେ – ଯାହାକିଛି ଦୁଃଖ କଷ୍ଟ ଆମେ ଭୋଗଁୁ ତାହା ଆମରି ଦ୍ୱାରା ଦିନେ ନା ଦିନେ ସୃଷ୍ଟି ହୋଇଥାଏ। ଆମେ ହିଁ ଆମର କର୍ମ ଦ୍ୱାରା ହେଉ ଅବା ଆଚରଣ ଦ୍ୱାରା ସେହି ମଞ୍ଜି ବୁଣିଥାଉ ଯାହା ପରବର୍ତ୍ତୀ ସମୟରେ ଦୁଃଖ ଯନ୍ତ୍ରଣାର ଫଳ ଭାବେ ଆମ ଜୀବନରେ ପ୍ରାପ୍ତ ହୋଇଥାଏ। ଜୀବନରେ କୌଣସି ଘଟଣା, ଦୁର୍ଘଟଣା, ଅଘଟଣ ଅକାରଣରେ ହୋଇନଥାଏ। କାରଣ ନିହିତ ଥାଏ। ହୁଏତ ଆମେ ସ୍ମରଣ କରି ପାରୁନାହିଁ କିମ୍ବା ହୃଦୟଙ୍ଗମ କରି ପାରୁ ନାହିଁ। ତା’ର କାରଣ ନିଶ୍ଚିତ ଭାବରେ ମଞ୍ଜି ବୁଣିବାରେ ଏବଂ ଫସଲ କାଟିବାରେ ବହୁତ ସମୟ ଲାଗି ଯାଇଥାଏ। ସେଇଥିପାଇଁ ଆମର ଆଦୌ ମନେ ରହେନାହିଁ ଯେ ଆମେ ଆମରି ବୁଣିଥିବା ମଞ୍ଜିର ଫସଲ କାଟିଥାଉ। ଥରେ ଥରେ ନିଜ ଜୀବନକୁ ଦେଖିଲେ ଲାଗେ ବା ଆମେ ମନ ଭିତରେ ଭାବି ବସୁ ମୁଁ ତ ଅମୃତର ମଞ୍ଜି ବୁଣିଥିଲି କିନ୍ତୁ ଦୁର୍ଭାଗ୍ୟକୁ ଏପରି ବିଷଫଳ ବାହାରିଲା କେଉଁଆଡ଼ୁ ? କିନ୍ତୁ ଏହା ଆମର ଅଜ୍ଞାନତା। ଏ ଜଗତରେ ଯାହା ହିଁ ଆମେ ବୁଣୁଛେ ଏହାର ଅତିରିକ୍ତ ଆମକୁ ଆଉ କିଛି ମିଳେ ନାହିଁ କି ମିଳିବାର କୌଣସି ଉପାୟ ନାହିଁ। ଆମେ ତାହା ହିଁ ପାଇଥାଉ ଯେପରି ଆମେ ଆମ ନିଜକୁ ନିର୍ମିତ କରିଥାଉ। ଆମେ ତାହା ହିଁ ପାଇଥାଉ ଯେପରି ଆମେ ପ୍ରସ୍ତୁତି କରିଥାଉ। ଆମେ ଶେଷରେ ସେହିଠାରେ ପହଞ୍ଚିଥାଉ ଯେଉଁ ପଥରେ ଆମେ ଯାତ୍ରା କରିଥାଉ। ଆମ ଜୀବନର ସୂତ୍ର ହେଲା ଯାହା ଆମେ ଫିଙ୍ଗିଥାଉ ତାହା ହିଁ ଆମ ପାଖକୁ ଫେରିଆସିଥାଏ। ଚତୁଃର୍ଦିଗରୁ ଆମରି ହିଁ ଫୋପଡ଼ା ଯାଇଥିବା ଧ୍ୱନି ପ୍ରତିଧ୍ୱନ୍ୱିତ ହୋଇ ଆମ ପାଖକୁ ଫେରିଆସେ। ବିଳମ୍ବ ହୁଏତ ହୋଇଥାଏ। ଧ୍ୱନି ଯାଏ, ବାହାରେ ଧକ୍କାଖାଇ ମୂଳକେନ୍ଦ୍ରକୁ ଫେରିଆସେ। ସମୟ ତ ନିଶ୍ଚୟ ଲାଗି ଯାଇଥାଏ। ଆଉ ଯେତେବେଳେ ଆମ ପାଖକୁ ଫେରିଆସେ ସେତେବେଳକୁ ଆମର ଆଉ ଖିଆଲ ନଥାଏ ଯେ ମୁଁ ହିଁ ଯେଉଁ ଗାଳି ଦେଇଥିଲି ତାହା ହିଁ ମୋ ପାଖକୁ ଫେରି ଆସିଛି ବୋଲି।

prayash

ବୁଦ୍ଧଦେବଙ୍କର ଜଣେ ଶିଷ୍ୟ ମୌଗଲାୟନ୍‍ ରାସ୍ତାରେ ଯାଉଥିଲେ। ତାଙ୍କ ସହ ଦଶ ପନ୍ଦର ଜଣ ଆହୁରି ସନ୍ନ୍ୟାସୀ ଥିଲେ। ମୌଗଲାୟନଙ୍କ ପାଦରେ ରାସ୍ତାରେ ପଡ଼ିଥିବା ଏକ ପଥର ଜୋରରେ ବାଜିଲା। ଝୁଣ୍ଟି ପଡ଼ିଲେ ସେ। ରକ୍ତ ବାହାରିଲା। ମୌଗଲାୟନ ଆକାଶ ଆଡ଼କୁ ହାତକରି ଏକ ଆନନ୍ଦ ଭାବରେ ଆଖିମୁଜି କିଛି ସମୟ ଛିଡ଼ା ହୋଇଗଲେ। ଅନ୍ୟାନ୍ୟ ଭିକ୍ଷୁ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। ପଚାରିଲେ- ଆପଣ କ’ଣ କରୁଥିଲେ ? ପାଦରୁ ଆପଣଙ୍କର ରକ୍ତ ବାହାରୁଛି ଅଥଚ ହାତଯୋଡ଼ି ଆପଣ କାହାକୁ ଧନ୍ୟବାଦ୍‍ ଦେଉଥିଲେ ? ମୌଗଲାୟନ କହିଲେ – ମୋ ଭିତରେ ବାସ୍‍ ଏହି ଗୋଟିଏ ବିଷମଞ୍ଜି ବାକି ରହି ଯାଇଥିଲା। ମୁଁ ନିଶ୍ଚୟ କେବେ କାହାକୁ ପଥରଟାଏ ମାରିଥିଲି ଆଜି ସେଥିରୁ ମୁକ୍ତ ହୋଇଗଲି। ଆଜି ପ୍ରଭୁଙ୍କୁ ପ୍ରଣାମ କରି ଧନ୍ୟବାଦ ଦେଲି ଯେ – ଏବେଠାରୁ ମୋ ଭିତରେ ବୁଣିଥିବା ମଞ୍ଜି ଆଉ ଫଳ ଦେବାକୁ ରହିଲା ନାହିଁ। ସେଇଥିପାଇଁ ଏ ଧନ୍ୟବାଦ। ଏ କୃତଜ୍ଞତା; କିନ୍ତୁ ପାଠକବନ୍ଧୁ, ମୁଁ ଭଲ ଭାବରେ ଜାଣେ ଯେ – ଯଦି ରାସ୍ତାରେ ଚାଲିଲାବେଳେ ଆପଣମାନଙ୍କର ପାଦ କୌଣସି ପଥରରେ ଝୁଣ୍ଟି ରକ୍ତ ବାହାରେ ଆପଣ କେବେ ବି ହଠାତ୍‍ ଭାବି ପାରିବେ ନାହିଁ କୌଣସି ବୁଣିଥିବା ମଞ୍ଜିର ଏହା ଫଳ ବୋଲି। ସମ୍ଭାବନା ଅଧିକ ହୁଏତ କେହି କେହି ସେ ପଥରକୁ ହଠାତ୍‍ ରାଗରେ ଗାଳି ମଧ୍ୟ ଦେଇ ପାରନ୍ତି। ଆଉ କେବେ ଏହା ଖିଆଲରେ ଆଦୌ ଆସିବ ନାହିଁ ପଥରକୁ ଦେଉଥିବା ଗାଳି ଦ୍ୱାରା ମଞ୍ଜି ବୁଣା ଯାଉଛି ନିଜ ପାଇଁ। ତେଣୁ ପ୍ରଶ୍ନ ଏୟା ନୁହେଁ ଯେ – କାହାକୁ ଗାଳି ଦେଉଛ ? ପ୍ରଶ୍ନ ହେଉଛି ତୁମେ ଗାଳି ଦେଲ। ତେଣୁ ସେ ଗାଳି ମଧ୍ୟ ଦିନେ ନା ଦିନେ ତୁମ ପାଖକୁ ଫେରି ଆସିବ। ତେଣିକି ତୁମର ଗାଳି, ତୁମର ଆଚରଣ ମଣିଷ ପାଇଁ ନ ହୋଇ ପଶୁ, ପକ୍ଷୀ, ବୃକ୍ଷ ଲତା, ଝରଣା, ପାହାଡ଼, ପର୍ବତ ଯାହା ଉଦ୍ଦେଶ୍ୟରେ ହୋଇ ଥାଉନା କାହିଁକି।

ବଡ଼ ଆଶ୍ଚର୍ଯ୍ୟର କଥା – ମଣିଷ କ୍ରୋଧର ମଞ୍ଜି ବୁଣିବ ଅଥଚ ଶାନ୍ତି କାମନା କରିବ। ଘୃଣାର ମଞ୍ଜି ବୁଣି ପ୍ରେମର ଫସଲ ଚାହିଁବ। ଚାରିଆଡ଼େ ଶତ୍ରୁ ସୃଷ୍ଟି କରିବ ଅଥଚ ଚାହିଁବ ସମସ୍ତେ ତାର ମିତ୍ର ହେବେ। ଗାଳି ଦେଉଥିବ ଅଥଚ ଆଶା କରିବ ଆକାଶରୁ ତା ଉପରେ ଶୁଭାଶିଷ ଅଜାଡ଼ି ପଡ଼ିବ। ନା ଏପରି ହେବାର ନାହିଁ। ଏହା ବଡ଼ ଅସମ୍ଭବ କାମନା ମଣିଷର। ମୁଁ ସଭିଙ୍କୁ ଧୋକା ଦେଉଥିବି ଅଥଚ ମୋତେ କେହି ଧୋକା ଦେବେ ନାହିଁ ବୋଲି ଆଶା ରଖୁଥିବି। ମୋ ଆଚରଣରେ ଅନ୍ୟମାନେ ଦୁଃଖ ପାଉଥିବେ ଅଥଚ ମୋ ଜୀବନରେ ଆଦୌ ଦୁଃଖ ଆସିବ ନାହିଁ। ଏହା ଅସମ୍ଭବ। ଯାହା ଆମେ ବୁଣିବା ସେହି ଫସଲ ଅବଶ୍ୟ ଅମଳ କରିବା। ଆଉ ଗୋଟେ କଥା ମନେ ରଖିବା ଯେ – ଜୀବନରେ ଯେବେ ବି ଆମେ କିଛି ଭୁଲ୍‍ କରୁଛେ, ଅନ୍ୟାୟ କରୁଛେ ତାହା ଯେ ଆମେ ଅନ୍ୟମାନଙ୍କ ପାଇଁ କରୁଛେ ଏହି ଭ୍ରାନ୍ତ ଧାରଣା ଆମର ରହିଅଛି; କିନ୍ତୁ ବାସ୍ତବରେ ଆମେ ଆମ ସହ ହିଁ ଏହା କରିଥାଉ। କାହିଁକି ନା ଶେଷ ଫଳ ଆମକୁ ହିଁ ଭୋଗିବାକୁ ପଡ଼ିଥାଏ। ଯାହା ବି ଆମେ ବୁଣିଥାଉ ସେ ଫସଲ ଆମକୁ ହିଁ କାଟିବାକୁ ପଡ଼ିଥାଏ। ଗୋଟି ଗୋଟିକରି ହିସାବ। ଏ ଜଗତରେ କିଛି ବି ବିନା ହିସାବରେ ହୁଏନାହିଁ। ବନ୍ଧୁ, ତୁମେ ନିଷ୍ପତ୍ତି ନିଅ, ତୁମେ ଦୁଃଖ ଚାହଁ ନା ସୁଖ ???

kalyan agarbati

Comments are closed.