ବୃଦ୍ଧାବସ୍ଥା ଓ ସମାଜର ଆଭିମୁଖ୍ୟ

ନୀଳମାଧବ ମହାନ୍ତି

କିଛିଦିନ ତଳେ ଖ୍ୟାତନାମା ସଂଖ୍ୟା ଶାସ୍ତ୍ରଜ୍ଞ (Statistician) ପ୍ରଫେସର ସି.ଆର.ରାଓଙ୍କୁ ୧୦୨ ବର୍ଷ ବୟସରେ ୨୦୨୩ ମସିହାର ପରିସଂଖ୍ୟାନର ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାରଟି ପରିସଂଖ୍ୟାନ ବିଜ୍ଞାନର ‘ନୋବେଲ’ ପୁରସ୍କାର ଭାବରେ ପରିଚିତ। ପ୍ରଫେସର ରାଓ ଭାରତୀୟ ପରିସଂଖ୍ୟାନ ସଂସ୍ଥାରୁ ପାଖାପାଖି ୬୦ ବର୍ଷ ବୟସରେ ଅବସର ନେଲାପରେ ନିଜ ଝିଅ ଓ ନାତିନାତୁଣୀଙ୍କ ସହ ରହିବା ପାଇଁ ଆମେରିକା ଯାଇଥିଲେ। ସେଠାରେ ପହଞ୍ଚିବା ପରେ ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟ ତାଙ୍କୁ ପରିସଂଖ୍ୟାନ ବିଭାଗରେ ପ୍ରଫେସର ଭାବରେ ନିଯୁକ୍ତି ଦେଇଥିଲେ, ପରେ ପ୍ରାୟ ୬୮ ବର୍ଷ ବୟସରେ ସେ ପେନସିଲଭେନିଆ ଷ୍ଟେଟ୍‍ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ୭୫ ବର୍ଷ ବୟସରେ ଆମେରିକାର ନାଗରିକ ହେଲା ପରେ ରାଷ୍ଟ୍ରପତି ବୁଶ୍‍ ତାଙ୍କୁ ଆମେରିକାର ବିଜ୍ଞାନର ସର୍ବଶ୍ରେଷ୍ଠ ଜାତୀୟ ପୁରସ୍କାର (National Medal for Science) ପ୍ରଦାନ କରିଥିଲେ। ସେତେବେଳେ ତାଙ୍କୁ ୮୨ ବର୍ଷ ହୋଇଥିଲା। ବର୍ତ୍ତମାନ ୧୦୨ ବର୍ଷ ବୟସରେ ପରିସଂଖ୍ୟାନର ‘ନୋବେଲ’ ପୁରସ୍କାର ଦ୍ୱାରା ସେ ସମ୍ମାନିତ ହୋଇଛନ୍ତି। ଅପରପକ୍ଷରେ, ଆମ ଦେଶରେ ଅବସର ନେଲା ପରେ ଜଣେ ନାଗରିକ ବା କର୍ମଚାରୀର କାର୍ଯ୍ୟକାରୀ ଜୀବନର ସମାପ୍ତି ହେଲା ବୋଲି ଧରାଯାଏ ଏବଂ ନିଜ ସମାଜରେ ସେ ଆଉ ପୂର୍ବ ଭଳି ସମ୍ମାନ ପାଆନ୍ତି ନାହିଁ। ଏପରି କି ତାଙ୍କର ପୂର୍ବତନ ସହଯୋଗୀମାନେ ମଧ୍ୟ ଅନେକ ସ୍ଥଳରେ ତାଙ୍କଠାରୁ ଦୂରେଇ ଯିବାକୁ ପସନ୍ଦ କରନ୍ତି। ମନେହୁଏ, ଯେପରି ଆମ ଲୋକମାନେ କେବଳ କ୍ଷମତାର ପୂଜାରୀ, ଜ୍ଞାନ, କର୍ମକୁଶଳତା ତଥା ସମାଜକୁ ଅବଦାନର ବେଶୀ କଦର ନାହିଁ। ଏହି ମନ୍ତବ୍ୟଟି କେବଳ ସରକାରୀ ବା ବେସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ରାଜନୀତି କ୍ଷେତ୍ରରେ ମଧ୍ୟ ଅଭିଜ୍ଞ ଓ ବୟସ୍କ ନେତାମାନଙ୍କୁ ହତାଦର କରିବା ବା ‘ମାର୍ଗଦର୍ଶକ’ ସଦୃଶ ସମ୍ମାନସୂଚକ ଆଖ୍ୟା ଦେଇ ତାଙ୍କୁ ଅବହେଳିତ କରିବା ଘଟଣା ବିରଳ ନୁହେଁ।

ଦେଖିବାକୁ ଗଲେ, ଏହି ଢଙ୍ଗର ବ୍ୟବହାର ଆମ ସମାଜରେ ବୟସ୍କ ବା ବୃଦ୍ଧ ଲୋକଙ୍କ ପ୍ରତି ସାଧାରଣ ମନୋଭାବର ଏକ ସୂଚକ। ଅନେକେ ଦାବି କରିଥାଆନ୍ତି ଯେ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଭାରତୀୟ ସଂସ୍କୃତିରେ ବୃଦ୍ଧ ଅଗ୍ରଜମାନଙ୍କୁ ସମ୍ମାନ ଦେବା ଓ ବୃଦ୍ଧାବସ୍ଥାରେ ସେମାନଙ୍କର ଭରଣ ପୋଷଣ ପାଇଁ ଉପଯୁକ୍ତ ଯତ୍ନ ନେବା, ଏକ ବିଶେଷ ଲକ୍ଷଣ। ଶ୍ରବଣ କୁମାର ସଦୃଶ ପୌରାଣିକ ଗଳ୍ପ ଏହି (ଭ୍ରାନ୍ତ) ଧାରଣାକୁ ସୁଦୃଢ଼ କରିଥାଏ। ବାସ୍ତବ କ୍ଷେତ୍ରରେ ବୃଦ୍ଧ ବା ବୟସ୍କ ଲୋକମାନେ ଆମର ସାମାଜିକ ଜୀବନରେ ବିଶେଷ ପ୍ରଭାବଶାଳୀ ନୁହନ୍ତି ଓ ବିଭିନ୍ନ କ୍ଷେତ୍ର ବା ସଂସ୍ଥାମାନଙ୍କର ସେମାନଙ୍କର ମତାମତକୁ ଏତେଟା ଗୁରୁତ୍ୱ ଦିଆଯାଏ ନାହିଁ। ପରିବାର ଭିତରେ ମଧ୍ୟ ଅନେକ ସ୍ଥଳରେ ଅବସରପ୍ରାପ୍ତ ବୃଦ୍ଧ ବା ବୟସ୍କ ସଦସ୍ୟମାନେ ଅବହେଳିତ ହେବା ସାଙ୍ଗକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ସହ ବୃଦ୍ଧାବସ୍ଥା ଅତିବାହିତ କରିବାକୁ ବାଧ୍ୟ ହୁଅନ୍ତି। (ଅବଶ୍ୟ, ବୃଦ୍ଧ ଅଗ୍ରଜମାନେ ଯଦି ପରିବାରର ଅନ୍ୟ (ଅନୁଜ) ସଦସ୍ୟମାନଙ୍କ ପାଇଁ ବାସଗୃହ ତଥା ଭରଣପୋଷଣର ବ୍ୟବସ୍ଥା କରିଥାଆନ୍ତି, ତାହା ହେଲେ ଏହି ଅବସ୍ଥାରେ ପରିବର୍ତ୍ତନ ହେବାର ସମ୍ଭାବନା ଥାଏ!)

ବାଲ୍ୟାବସ୍ଥା ଓ ଯୌବନ ଭଳି ବାର୍ଦ୍ଧକ୍ୟ ମଧ୍ୟ ମଣିଷ ଜୀବନର ଏକ ଅପରିହାର୍ଯ୍ୟ ତୁଳନାରେ ବାର୍ଦ୍ଧକ୍ୟ ଅବସ୍ଥା ସାଧାରଣ ଆଲୋଚନାରେ ବା ସାହିତ୍ୟ, ବିଶେଷତଃ ଉପନ୍ୟାସ, କବିତା ଓ ନାଟକରେ ବିଶେଷ ସ୍ଥାନ ପାଇ ନଥାଏ। ବୃଦ୍ଧାବସ୍ଥା ସମ୍ବନ୍ଧୀୟ ଅଧିକାଂଶ ଲେଖା ଗବେଷଣା ମୂଳକ ସନ୍ଦର୍ଭରେ ସୀମିତ ଥାଏ। ବୋଧହୁଏ, ବୃଦ୍ଧାବସ୍ଥା ନ ଆସିଲା ପର୍ଯ୍ୟନ୍ତ, କେହି ସେ ବିଷୟରେ ଭାବିବାକୁ ଇଚ୍ଛୁକ ନୁହନ୍ତି, କାରଣ ବାର୍ଦ୍ଧକ୍ୟ ହେଉଛି ଜୀବନର ଏକ (ଅପେକ୍ଷାକୃତ) ଦୁଃଖଦାୟକ ଅନୁଭୂତି।

ତା’ଛଡ଼ା ଅପେକ୍ଷାକୃତ ଦୁର୍ବଳ ଲୋକଙ୍କୁ ନିଜର ଲକ୍ଷ୍ୟ ସାଧନ ପାଇଁ ବ୍ୟବହାର କରିବା ମଣିଷ ସମାଜର ଗୋଟିଏ ଅଭ୍ୟାସଗତ ପ୍ରକୃତି। ବୃଦ୍ଧଲୋକମାନେ ନିଜ ବୟସ୍କ ପିଲାମାନଙ୍କ ସହ ରହିଥିଲେ ମଧ୍ୟ, ସେହି ପରିବାରର ସଦସ୍ୟମାନେ (ଯଥା ବୋହୂ, ନାତିନାତୁଣୀ ଆଦି)ଙ୍କ ଦ୍ୱାରା ଶୋଷିତ ବା ଅପମାନିତ ହେବା ଅନେକ ପରିବାରରେ ଦେଖାଯାଏ। ଏଜ୍‍ୱେଲ ଫାଉଣ୍ଡେସନ (Agewell Foundation) ଦ୍ୱାରା କରାଯାଇଥିବା ଏକ ସ​‌େ​‌ର୍ବକ୍ଷଣରୁ ଜଣାପଡ଼େ ଯେ ଅବସର ନେଲାପରେ ଅନେକ ପ୍ରୌଢ଼ ଲୋକେ ସେମାନଙ୍କର ଆତ୍ମୀୟମାନଙ୍କ ପରିବାରରେ ଅପମାନିତ ହୋଇ, ଗାଳିଗୁଲଜ ମଧ୍ୟରେ ରହିବାକୁ ବାଧ୍ୟ ହୁଅନ୍ତି। ଅନେକ ସମୟରେ ପରିବାରର ସଦସ୍ୟମାନେ ସେମାନଙ୍କୁ ଗୋଟିଏ ‘ବୋଝ’ ବୋଲି ଭାବନ୍ତି, ଏବଂ ବୃଦ୍ଧଲୋକମାନେ ଅନୁଭବ କରନ୍ତି ଯେମିତି ତାଙ୍କର ଜୀବନ ଆଉ ସେମାନଙ୍କ ନିଜ ହାତରେ ନାହିଁ। ବୟସ୍କ ଲୋକମାନଙ୍କର ନିର୍ଯାତନା (Elder abuse)) ସମାଜର ଭିନ୍ନ ଭିନ୍ନ ଆର୍ଥିକ ବର୍ଗମାନଙ୍କରେ ବିଭିନ୍ନ ରୂପରେ ପ୍ରତିଫଳିତ ହୁଏ। ତଥାପି, ଯେହେତୁ ଏ ପର୍ଯ୍ୟନ୍ତ ଭାରତର ଜନସଂଖ୍ୟାରେ ବୃଦ୍ଧ ଲୋକମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‍ ଥିଲା (ଜନସଂଖ୍ୟାର ପ୍ରାୟ ଶତକଡ଼ା ୫-୧୦ ପ୍ରତିଶତ), ଏହି ସମସ୍ୟାଟା ଏତେ ଜରୁରୀ ଭାବରେ ଦୃଷ୍ଟି ଆକର୍ଷଣ କରୁ ନଥିଲା। ୨୦୧୧ ଜନଗଣନା ଅନୁସାରେ ୧୦୪ ନିୟୁତ (ଜନସଂଖ୍ୟାର ୮.୬ ପ୍ରତିଶତ) ବୃଦ୍ଧ ବୟସ୍କ (୬୦+ବର୍ଷ) ଲୋକ ଭାରତରେ ଥିଲେ; ୨୦୫୦ ମସିହା ବେଳକୁ ସେମାନଙ୍କର ସଂଖ୍ୟା ୩୦୦ ନିୟୁତ ବା ସମଗ୍ର ଜନସଂଖ୍ୟାର ପ୍ରାୟ ଶତକଡ଼ା ୧୮ ପ୍ରତିଶତ ହୋଇଯିବ। ୨୦୧୧ ଓ ୨୦୨୧ ମସିହା ମଧ୍ୟରେ ସାଧାରଣ ଜନସଂଖ୍ୟା ୧୨.୪ ପ୍ରତିଶତ ବଢ଼ିଥିଲା; ମାତ୍ର ବୃଦ୍ଧ ଲୋକଙ୍କର ସଂଖ୍ୟା ସେହି ସମୟରେ ୩୬ ପ୍ରତିଶତ ବଢ଼ିବାର ଦେଖା ଯାଇଥିଲା। ସୁସ୍ଥ ଅର୍ଥନୈତିକ ଅବସ୍ଥା, ଉପଯୁକ୍ତ ସ୍ୱାସ୍ଥ୍ୟ ଓ ଚିକିତ୍ସାଜନିତ ସୁବିଧା ଓ ନିମ୍ନତର ଉତ୍ପାଦିକା ଶକ୍ତି (reduced fertility rate) ଯୋଗୁଁ ଭାରତରେ ଲୋକଙ୍କର ଆୟୁ ବଢ଼ି ଚାଲିଛି। ୮୫ରୁ ୯୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ହୋଇ ବଞ୍ଚି ରହିବା ଆଉ ଅସମ୍ଭବ ନୁହେଁ। ତା’ ସାଙ୍ଗକୁ ଯୁକ୍ତ, ପରିବାର ପ୍ରଥାର ଅବସାନ ଓ ନ୍ୟୁକ୍ଳିୟ ପରିବାର ( ବା ପିତାମାତା ଓ ସେମାନଙ୍କ ସନ୍ତାନକୁ ନେଇ ଗଠିତ ପରିବାର)ର ପ୍ରଚଳନ ଯୋଗୁଁ ବୃଦ୍ଧାବସ୍ଥା ଓ ତତ୍‍ଜନିତ ସାମାଜିକ ପ୍ରଥା ଓ କାର୍ଯ୍ୟ ପଦ୍ଧତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ ହୋଇପଡ଼ିଛି।

prayash

ବର୍ତ୍ତମାନର ସାମାଜିକ ଓ ଆର୍ଥିକ ପରିସ୍ଥିତିରେ ବୃଦ୍ଧ ମାତା ପିତା ଅବସର ଗ୍ରହଣ ପେରେ ପୁଅ ବା ଝିଅଙ୍କ ପାଖରେ ରହି ଜୀବନଯାପନ କରିବା ଉଭୟଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଏହାଦ୍ୱାରା ପିଲାମାନଙ୍କର ବୃତ୍ତିଗତ ଜୀବନର ବିକାଶ ପାଇଁ ବାଧା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଥାଏ। ତେଣୁ ବାପାମା’ଙ୍କର କର୍ତ୍ତବ୍ୟ ହେଲା ପିଲାଙ୍କୁ ବଡ଼ ଓ ଯୋଗ୍ୟ କରିବା; କିନ୍ତୁ ତା’ ସାଙ୍ଗକୁ ସେମାନେ ମଧ୍ୟ ନିଷ୍ପତ୍ତି ନେବେ ଯେ ବୃଦ୍ଧାବସ୍ଥାରେ ସେମାନେ ସ୍ୱାଧୀନ ଭାବରେ ରହିବେ ଓ ସେହି ଅନୁସାରେ କ୍ରିୟାଶୀଳ ଜୀବନ ସମୟରେ ଭବିଷ୍ୟତ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ।

ସାମାଜିକ କ୍ଷେତ୍ରରେ ମଧ୍ୟ ସହଯୋଗୀ କାର୍ଯ୍ୟପ୍ରଣାଳୀ ସ୍ଥିର କରିବାର ଆବଶ୍ୟକତା ରହିଛି। କେତେକ ପାଶ୍ଚାତ୍ୟ ଦେଶମାନଙ୍କରେ ବୟସ୍କ ଲୋକଙ୍କ ସୁବିଧା ପାଇଁ ସେମାନେ ରହୁଥିବା ଅଞ୍ଚଳ (ବା ସାଇପଡ଼ିଶା)ର ସମବାୟ ଭିତ୍ତିରେ ସ୍ୱାସ୍ଥ୍ୟ, ଯାନବାହନ ଆଦି ସର୍ବସାଧାରଣ ସୁବିଧା ଓ ସୁଯୋଗର ବ୍ୟବସ୍ଥା କରାଯାଇଥାଏ। ଆମ ସମାଜରେ ଥିବା ପରିସ୍ଥିତିରେ ଏହି ପ୍ରକାର ବ୍ୟବସ୍ଥା କେତେ ଦୂର ଓ କିପରି କରାଯାଇପାରିବ, ଏହା ଆଲୋଚନା କରିବା ସମୀଚୀନ ହେବ। ବୟସ୍କ ଲୋକମାନେ ବିନା କଷ୍ଟ ବା ଅସୁବିଧାରେ ରହିବା ପାଇଁ ସ୍ୱତନ୍ତ୍ର ବାସଗୃହ ସମୂହ (residential complex) ସୃଷ୍ଟି କରି ସେଠାରେ ଅଭିଜ୍ଞ ସେବିକା (ନର୍ସିଂ) ସୁବିଧା ଓ ଅନ୍ୟାନ୍ୟ ରୋଗୀମାନଙ୍କ ଚିକିତ୍ସା ସମ୍ବନ୍ଧୀୟ ଓ ପୀଡ଼ାହ୍ରାସକ ଯତ୍ନ (Palliative care) ପାଇଁ ବ୍ୟବସ୍ଥା କରାଯାଇଥାଏ। ଭାରତରେ ମଧ୍ୟ କେତେକ ଜାଗାରେ ଏହିପରି ବ୍ୟବସ୍ଥା ଓ ସୁବିଧା ଆରମ୍ଭ ହେଲାଣି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ବାଞ୍ଛନୀୟ।

ଭଗବାନ ବୁଦ୍ଧ, ଯୁବାବସ୍ଥାରେ ‘ସିଦ୍ଧାର୍ଥ’ ନାମରେ ପରିଚିତ ଥିଲାବେଳେ, ନିଜର ସାରଥିର ପରାମର୍ଶ ପରେ, ରାସ୍ତାରେ ଚାଲୁଥିବା ଜଣେ ବୃଦ୍ଧଲୋକଙ୍କ ଅବସ୍ଥା ଦେଖି ନିଜର ଭବିଷ୍ୟତ ମଧ୍ୟ ସେହିପରି ହେବ ବୋଲି ମନକୁ ଧାରଣା ଆଣିଥିଲେ।

ପରିଶେଷ‌ରେ, ପ୍ରଫେସର ସି.ଆର.ରାଓଙ୍କ ଜୀବନୀ, କୃତି ଓ କୀର୍ତ୍ତି ଉଭୟ ଉଦାହରଣାତ୍ମକ ଓ ବୈଶିଷ୍ଟ୍ୟଯୁକ୍ତ। ଦୀର୍ଘଆୟୁ ନାଗରିକମାନଙ୍କୁ ସେମାନଙ୍କ ଜୀବନର ଗଠନମୂଳକ କାର୍ଯ୍ୟ ଚାଲୁ ରଖିବା ପାଇଁ ଅଧିକ ସୁଯୋଗ ଦେଇଥାଏ। ଏହାଦ୍ୱାରା ବୟସ୍କ ଲୋକ ଓ ସେମାନଙ୍କର ପରିବାରଙ୍କ ସାଙ୍ଗକୁ ସମଗ୍ର ସମାଜ ଲାଭବାନ୍‍ ହୁଏ। ଏହା ସମ୍ଭବ ହୋଇପାରେ ଯଦି ବୟସ୍କ ଲୋକମାନେ ତାଙ୍କର ପ୍ରତ୍ୟାଶିତ ବା ସାଧାରଣଠାରୁ ଅଧିକ ବର୍ଷ ଭଲ ସ୍ୱାସ୍ଥ୍ୟରେ ଅତିବାହିତ କରିପାରନ୍ତି। ସେଥିପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ହେଉଛି ସମାଜର ପ୍ରଧାନ କର୍ତ୍ତବ୍ୟ।
(ଗତ ୧୯ ତାରିଖ ‘ସମାଜ’ର ସମ୍ପାଦକୀୟରେ ‘ବାର୍ଦ୍ଧକ୍ୟରେ ନ ଗଡୁ ଲୁହ’ ଶୀର୍ଷକ ଲେଖାଟି ପଢ଼ିବା ପରେ)

kalyan agarbati

Comments are closed.