ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପ୍ରାସଙ୍ଗିକ ହେଉ
ସୁକାନ୍ତ କୁମାର ମହାନ୍ତି
ଆମେ କେଉଁଠି ଅଛୁ, ସେଥିରେ କିଛି ଯାଏ ଆସେ ନାହିଁ। ଆମେ କେଉଁ ଦିଗରେ ଯାଉଛୁ, ତାହା ହିଁ ବଡ଼ କଥା। ଉଦ୍ଦେଶ୍ୟ ବିନା ପରିଶ୍ରମ ଓ ସାହସ କିଛି କାମରେ ଆସେ ନାହିଁ। ନକାରାତ୍ମକ ଲକ୍ଷ୍ୟ ହେଉଛି ଯାହା ଜଣେ ଘଟୁ ବୋଲି ଚାହେଁ ନାହିଁ; କିନ୍ତୁ ଘଟିଥାଏ। ଫଳରେ ଅପ୍ରିୟତା ଓ ଦୁର୍ନାମଗ୍ରସ୍ତ ହୋଇଚାଲୁ। ତାହା ହିଁ ଘଟୁଛି ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ। ବିଦ୍ୟାଳୟଠାରୁ ବିଭାଗ ପର୍ଯ୍ୟନ୍ତ କାର୍ଯ୍ୟରତ ବ୍ୟକ୍ତି ବିଶେଷ ସକାରାତ୍ମକ, ଉତ୍ସର୍ଗୀକୃତ, ନିଷ୍ଠାପର ଓ ପାରଦର୍ଶୀ ନୁହନ୍ତି ବୋଲି ପ୍ରମାଣିତ।
ନୂତନ ଶିକ୍ଷା ବର୍ଷର ଆହ୍ୱାନ ପ୍ରତିଭା ଓ ଦକ୍ଷତାକୁ ସମ୍ବଳ କରି ବିଦ୍ୟାଳୟରେ ପ୍ରବେଶ କରିବା କାର୍ଯ୍ୟକ୍ରମକୁ ଆଗେଇ ନେବା। ପରୀକ୍ଷା ପଦ୍ଧତି, ଶିକ୍ଷାଦାନ ଓ ପରୀକ୍ଷା ପ୍ରବର୍ତ୍ତନ କ୍ଷେତ୍ରରେ ପରିବର୍ତ୍ତନ ବାଞ୍ଚନୀୟ। ନୂତନ ଶିକ୍ଷାବର୍ଷରେ ସରକାରଙ୍କ ଅବଦାନ ଶିଶୁ ଶ୍ରେଣୀ ପ୍ରଥା ପ୍ରଚଳନ। ରାଜ୍ୟର ଦୁଇହଜାର ସ୍କୁଲରେ ପ୍ରଥମେ ଏହି ପ୍ରଥା ଲାଗୁହେବ। ଅଙ୍ଗନବାଡ଼ି ଶିକ୍ଷା ଗ୍ରହଣ କରିବା ପରେ ଶିଶୁ ଶ୍ରେଣୀରେ ନାମ ଲେଖା ହେବ। ପ୍ରତ୍ୟେକ ଶିଶୁ ଶ୍ରେଣୀ ପାଇଁ ପ୍ରାୟ ୫୦ହଜାର ବ୍ୟୟ ଅଟକଳ କରାଯାଇଛି ହେଲେ ପ୍ରଥମ ୨ହଜାର ଶ୍ରେଣୀ ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି। ଏଥି ପାଇଁ ୨ଜଣ ଶିକ୍ଷକ ଓ ଜଣେ ମାର୍ଗଦର୍ଶକ ନିଯୁକ୍ତ ହେବେ। ଉଦ୍ଦେଶ୍ୟ ଗ୍ରହଣୀୟ ହେଲେ କାର୍ଯ୍ୟକାରିତା ସନ୍ଦେହଜନକ ନ’ହେଉ। ଏବର ନୂତନ ଗୁରୁକୁଳର ଅମନଯୋଗିତା ପ୍ରବେଶ ଉତ୍ସବକୁ ଗୁଣାତ୍ମକ କରିବା ସମୟ ସାପେକ୍ଷ। ପ୍ରାରମ୍ଭରେ ଶିଶୁ ଶ୍ରେଣୀ ନାମ ଲେଖା ବୟସକୁ ନେଇ ବିବାଦ ଠିଆ ହେଲାଣି। ୫ବର୍ଷ ଓ ୬ବର୍ଷ ବୟସକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଯଦିଓ ରାଜ୍ୟ ସରକାର ୫ବର୍ଷ ନିଷ୍ପତ୍ତି କାଏମ ରଖିଛନ୍ତି। ଏଣୁ ୪ ବର୍ଷ ବୟସ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନାମ ଲେଖା ହେବ।
ନୂତନ ବର୍ଷରେ ବର୍ତ୍ତମାନ ସରକାରୀ ସ୍କୁଲମାନଙ୍କରେ ପ୍ରବେଶ ଉତ୍ସବ ଶୋଭାଯାତ୍ରା ହେଉଛି ୨୫ ରୁ କମ୍ ଥିବା ପିଲା ସ୍କୁଲ ବନ୍ଦ ହେବା ପାଇଁ, ଏହା ଏକ ସୁଯୋଗ ଆଣିଛି। ଦେଖାଯାଏ, ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ର ଓ ପଞ୍ଚାୟତ କର୍ମକର୍ତ୍ତାଙ୍କ ସହଯୋଗରେ ପିଲା ସଂଖ୍ୟା ବୃଦ୍ଧି ହେବା ଉଦାହରଣ ଆସୁଛି। କିନ୍ତୁ ଭିତ୍ତିଭୂମିକୁ ଲକ୍ଷ୍ୟ କଲେ ୨୮ହଜାର ପ୍ରାଥମିକ ବିଦ୍ୟାଳୟର ଘର ନାହିଁ, ପାନୀୟ ଜଳ, ପାଇଖାନା ଓ ସ୍ୱତନ୍ତ୍ର ଶୌଚାଳୟ ନାହିଁ। ଏଥି ସହିତ ପରୀକ୍ଷା ପଦ୍ଧତି, ଶିକ୍ଷାଦାନ ପ୍ରଣାଳୀ, ପରୀକ୍ଷା ଓ ପରୀକ୍ଷା ପରିଚାଳନା ଯଥାର୍ଥ ହେଉ। ଯେଉଁ ୨ଜଣ ଶିକ୍ଷକ ଓ ମାର୍ଗଦର୍ଶକ ନିୟୋଜିତ ହେବେ ସେମାନେ ଉର୍ତ୍ସଗୀକୃତ ପ୍ରବୃତ୍ତି ସଂପନ୍ନ ହେବା ଜରୁରୀ। ଅନେକ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ୫୦ବର୍ଷରୁ ଊର୍ଦ୍ଧ୍ବ ରହି ନିରାପତ୍ତା ହରାଇଛନ୍ତି। ସରକାରଙ୍କ ଏକ ଯୋଜନାରେ ୫୦ବର୍ଷରୁ ଊର୍ଦ୍ଧ୍ବ ଆଜବେଷ୍ଟସ ଘରଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଛାତ୍ର ବହୁଳ ସ୍କୁଲକୁ ନୂତନ ଭାବେ ନିର୍ମାଣ କରିବା ପଦକ୍ଷେପ ତୁରନ୍ତ ନିଆଯାଇ ବିପତ୍ତିରୁ ପିଲା ଓ ଶିକ୍ଷକଙ୍କୁ ଉଦ୍ଧାର କରିବା ଉଚିତ୍। ଜଣାଯାଏ, ଆଗାମୀ ନିବାଚନ ପାଇଁ ଏଜେଣ୍ଟମାନଙ୍କୁ ବାନ୍ଧି ରଖିବାକୁ ସ୍କୁଲ ଓ ମନ୍ଦିର ନିର୍ମାଣରେ ଲାଭବାନ କରାଇବାରେ ରାଜନେତା ଓ ପ୍ରଶାସନିକ ଅଧିକାରୀ ଆଗେଇ ଯାଉଛନ୍ତି। ଶିକ୍ଷକ ଓ ଶିକ୍ଷାକର୍ମୀ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଉ। ବିଶେଷ କରି କମ୍ପ୍ୟୁଟର ଶିକ୍ଷକ ଓ ଅଫିସ ସହଯୋଗୀଙ୍କ ସମେତ ସହାୟକ ନିଯୁକ୍ତି ଗୁଣାତ୍ମକ କ୍ଷେତ୍ରରେ ପାରଦର୍ଶିତା ଆଣିପାରେ। ସଂସ୍କୃତ ଓ ହିନ୍ଦୀ ଶିକ୍ଷକଙ୍କ ନିଯୁକ୍ତି ପିଲାଙ୍କୁ ନ୍ୟାୟ ଦେବାରେ ଅତ୍ୟନ୍ତ ଉପଯୋଗୀ। ବହୁତ ଦିନର ନୀରବତା ପରେ ଭୁବନେଶ୍ୱରରେ ଶିକ୍ଷକବର୍ଗଙ୍କ ଧାରଣା ଓ ଶୋଭାଯାତ୍ରାରେ ବୁଲୁଛନ୍ତି। ଏକମାତ୍ର ଆଗାମୀ ନିର୍ବାଚନ ପୂର୍ବରୁ ସରକାର ଦେଉଥିବା ବିଭିନ୍ନ ପ୍ରକାରର ଶିକ୍ଷକମାନଙ୍କୁ ପ୍ରତିଶ୍ରୁତି ପୂରଣ କରିବା। ବାସ୍ତବିକ ଦେଖିଲେ ସ୍କୁଲଗୁଡ଼ିକରେ ୫ପ୍ରକାର ଭେଦ ଥିବାବେଳେ ସେଥିରେ ନିଯୁକ୍ତି ପାଉଥିବା ଶିକ୍ଷକମାନେ ମଧ୍ୟ ତଦନୁରୂପ ପ୍ରକାରଭେଦରେ ବିପର୍ଯ୍ୟସ୍ତ ହେଉଛନ୍ତି।
ଚଳିତ ବର୍ଷ ଦଶମ ଶ୍ରେଣୀ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶ ପାଇ ସମସ୍ତଙ୍କ ଆଶା ପୂରଣ କରିଛି। କରୋନା ପ୍ରଦତ୍ତ ସମ୍ମେଟିଭ ପରୀକ୍ଷା ଆରମ୍ଭରୁ ୯୭ଭାଗ ପରୀକ୍ଷା ଫଳ ଆଶା କରାଯାଇଥିବା ପୂରଣ ହୋଇଛି। ସମୟ ଥିଲା ସରକାରଙ୍କ କ୍ରୋଧରୁ ରକ୍ଷା ପାଇବାକୁ ଗ୍ରେସ୍ ମାର୍କ ଦେଇ ବୋର୍ଡ଼ କର୍ତ୍ତୃପକ୍ଷ ଯେପରି ହେଲେ ୬୦ଭାଗରୁ ୭୦ଭାଗ ମାଟ୍ରିକ ଫଳ କରାଇ ବାହାବା ନେଉଥିଲେ; କିନ୍ତୁ ବାସ୍ତବରେ ବିନା ଗ୍ରେସ୍ ମାର୍କରେ ଯେତିକି ଭାଗ ହେଉଥିଲା ସମ୍ମେଟିଭ ପ୍ରଣାଳୀ ସର୍ବ ପାସ୍ ଯୋଜନା ଗ୍ରହଣ କରିଛି। ଏ ବର୍ଷ ଯେଉଁ ପରୀକ୍ଷା ଫଳ ହୋଇଛି ତର୍ଜମା କରି ଦେଖିଲେ ୭୦ଭାଗରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ନିଜସ୍ୱ ଉଦ୍ୟମରେ ଗ୍ରେଡ଼ ହାସଲ କରିବା ନିଶ୍ଚିତ। ୬୦-୭୦ ଭାଗ ପର୍ଯ୍ୟନ୍ତ ରଖିଥିବା ମାର୍କ ସହ ଶିକ୍ଷକଙ୍କ କପି ଡ଼ାକିବା, ପ୍ରଶ୍ନ ଘୋଷଣା କରିବା, ପରୀକ୍ଷାର୍ଥୀଙ୍କ ମିଳିତ କପି ଯୋଜନା ସଂପୃକ୍ତ ନିଶ୍ଚିତ। ମୁଖ୍ୟତଃ ସମୂହ କପି ୯୭ଭାଗ ଫଳ କରାଇବାରେ ଏକାନ୍ତ ଦାୟୀ।
ଚଳିତ ବର୍ଷର ଦୁରବସ୍ଥା ଦେଖି ସରକାର ଏକ ଦୃଢ଼ ପଦକ୍ଷେପ ସମ୍ମେଟିଭ ପ୍ରଣାଳୀ ଉଠାଇ ମାଟ୍ରିକ ପରୀକ୍ଷା ବର୍ଷିକିଆ କରିବାକୁ ଘୋଷଣା କରିଛନ୍ତି। ପ୍ରିଟେଷ୍ଟ, ଟେଷ୍ଟ ଓ ଫାଇନାଲ ପରୀକ୍ଷା ପ୍ରବର୍ତ୍ତନ କରି ପ୍ରଶ୍ନ ପ୍ରସ୍ତୁତି ପ୍ରଣାଳୀ ପରିବର୍ତ୍ତନ କରି ୧ବର୍ଷିଆ ପରୀକ୍ଷା କିଛି ମାତ୍ରାରେ ଗୁଣାତ୍ମକ ହେବ କିନ୍ତୁ ଏ ବର୍ଷ ପରି କପି ଚାଷ ନ ହୋଇ ପିଲାଙ୍କ ପ୍ରସ୍ତୁତି ପାଇଁ ସୁଯୋଗ ଦେବ। ପିଲାଏ ଦାୟିତ୍ୱବାନ ହେବେ ଅଭିଭାବକ କର୍ତ୍ତବ୍ୟ ପରାୟଣ ହେବେ।
ସରକାରଙ୍କ ଏକ ଘୋଷଣା ଶିକ୍ଷକ ମହଲରେ ସଚେତନତା ଆଣିଛି। ଏହାର ବାସ୍ତବତା ଦ୍ୱନ୍ଦ୍ବାତ୍ମକ ହେଲେ ବି ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପ୍ରତ୍ୟେକ ବିଷୟରେ ପାସ୍ କରିବା ଦ୍ୱାରା ଶତକଡ଼ା ପାସ୍ହାର ବୃଦ୍ଧି ହେବା ନିଶ୍ଚିତ। ଏ କ୍ଷେତ୍ରରେ ଗଣିତ, ଇଂରାଜୀ ଓ ବିଜ୍ଞାନ ମୁଖ୍ୟତଃ ବିଷୟ ଶିକ୍ଷକଙ୍କୁ ଚିନ୍ତିତ କରିପାରେ। ଏଣୁ ବିଷୟ ଶିକ୍ଷକଙ୍କ ସଚେତନତା ଓ ଛାତ୍ରଛାତ୍ରୀଙ୍କ ଦାୟିତ୍ୱବୋଧ ଏ କ୍ଷେତ୍ରରେ ପ୍ରବେଶ ଉତ୍ସବରେ ସଫଳତା ଆଣିଥାଏ। ଶିକ୍ଷକମାନେ ଶିକ୍ଷକତାର ମର୍ଯ୍ୟାଦା ରକ୍ଷା କରିବା ଆଶା କରାଯାଏ। ସେମାନଙ୍କୁ ଆମେ ଶିକ୍ଷିତ ବ୍ୟକ୍ତି ବୋଲି କହିପାରିବା ଯେଉଁମାନେ ହିଁ ଭଲ ଗୁଣଯାକ ହାତ ମୁଠାରେ ରଖିଥାନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମେଧାବୃତ୍ତି ପ୍ରଦାନ ଉତ୍ସାହପ୍ରଦ ହେବ। ପରୀକ୍ଷା ଫଳରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ଛାତ୍ର କମିଟିକୁ ସେମାନଙ୍କର ଆନ୍ତରିକତା, ସ୍ୱଚ୍ଛତା, ଦାୟିତ୍ୱବୋଧତା ନିମନ୍ତେ ପୁରସ୍କୃତ କରିବାକୁ ୧୩୮.୯୭ କୋଟି ଟଙ୍କା ଦିଆଯିବାର ଯଥାର୍ଥତା ଆନନ୍ଦଦାୟକ। କାମ କରିବାକୁ ଅନିଚ୍ଛୁକ ହେବା ଯେତିକି ଲଜ୍ଜାଜନକ, ଅଜ୍ଞ ହୋଇରହିବା ସେତିକି ଲଜ୍ଜାଜନକ ନୁହେଁ।
Comments are closed.