ବାକ୍ ସ୍ବାଧୀନତାର ଅଧିକାର ଶାନ୍ତି ପ୍ରତିଷ୍ଠାରେ ବାଧକ ନ ହେଉ!
ପ୍ରଫୁଲ୍ଲ କୁମାର ପାଣି
ବନ୍ଧୁକରୁ ଥରେ ଗୁଳି ବାହାରିଗଲେ ଯେପରି ଅଘଟଣ ହୁଏ, ପାଟିରୁ ଥରେ ଆପତ୍ତିଜନକ, ଆକ୍ଷେପମୂଳକ ତଥା ଉତ୍ତେଜନାକାରୀ ଟୀକା ଟିପ୍ପଣୀ ବାହାରିଗଲେ ଅବସ୍ଥା ଅସମ୍ଭାଳ ହୁଏ। ବନ୍ଧୁକରୁ ବାହାରି ଯାଉଥିବା ଗୁଳିକୁ ଅଟକାଇ ହେବ ନା’ ପାଟିରୁ ବାହାରି ଯାଇଥିବା ମନ୍ତବ୍ୟକୁ ଫେରାଇଆଣି ହେବ? ବନ୍ଧୁକର ଗୁଳି ଜଣେ ଦୁଇ ଜଣକୁ ଘାଇଲା କରେ; ମାତ୍ର ଜିଭରୁ ବାହାରିଥିବା ଗୁଳି ହଜାର ହଜାର ଲୋକଙ୍କୁ ଘାଇଲା କରିଦିଏ।
ଅତୀତରେ ହେଉ ବା ବର୍ତ୍ତମାନରେ ହେଉ, ଏଇ ଅକଥାକୁ ନେଇ କେତେ ଯେ ମହାଭାରତ ଘଟିଛି ତାହାକୁ ଆମ୍ଭେମାନେ ଅଳ୍ପ ବହୁତେ ଅନୁଭବ କରିଛନ୍ତି। ଅସଂଯତ କଥା ପାଇଁ ଦେବ ଦାନବ କଳି, ରାମ ରାବଣ ଯୁଦ୍ଧ, କୌରବ ପାଣ୍ଡବଙ୍କ ମଧ୍ୟରେ ମହାଭାରତ ଯୁଦ୍ଧର ବିଭୀଷିକା ଘଟିଯାଇଛି। ‘ଅନ୍ଧର ପୁତ୍ର ଅନ୍ଧ’ କଥାପଦକ କହି ଦ୍ରୌପଦୀ ଭରା କୁରୁସଭାରେ କେତେ ହିନସ୍ତା ନ ହୋଇଛନ୍ତି ? ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଅଯଥା କଥା କହିବାର ପରିଣାମରେ କେତେ ଯେ ଧ୍ବଂସର ତାଣ୍ଡବ ସଂଘଟିତ ହୋଇଛି ତା’ର ହିସାବ ନାହିଁ। କ୍ରମଶଃ ମଣିଷ ଦୈନନ୍ଦିନ ଜୀବନ ଧାରଣ ପ୍ରକ୍ରିୟାରେ ମୌଳିକ ଅଧିକାର ଅଭିବ୍ୟକ୍ତିକୁ ଅପବ୍ୟବହାର କରିବାର ଅଶାନ୍ତ ପରଂପରା ସୃଷ୍ଟି କରୁଛି। ଫଳରେ ସାମାଜିକ ସଂପର୍କ, ଅଖଣ୍ଡତା, ଦେଶଦେଶ ମଧ୍ୟରେ ସୁସଂପର୍କ ଓ ସମାଜ ସମୃଦ୍ଧିରେ ଘୋର ବିଶୃଙ୍ଖଳା ସୃଷ୍ଟି ହେଉଛି।
ଆମ ଭାରତୀୟ ସଂସ୍କୃତିରେ ରାଜା ମହାରାଜା ଶାସନ କାଳରୁ ବାକ୍ ସଂଯମତା ଉପରେ ନିୟନ୍ତ୍ରଣ ରହିଥିଲାବେଳେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତର ସମ୍ବିଧାନ ଓ ମାନବ ଅଧିକାର ପ୍ରତ୍ୟେକ ଜନସାଧାରଣଙ୍କୁ ନିଜର ବିଚାର ଏବଂ ନିଷ୍ପତ୍ତିକୁ ସ୍ବତନ୍ତ୍ର ରୂପେ ବିଚାର କରିବାର ଅଧିକାର ଅର୍ପଣ କରିଛି। ରାଜନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ କ୍ଷେତ୍ରରେ କହିବାର ମୌଳିକ ଅଧିକାର ପ୍ରଦାନ କରିଛି। ପ୍ରତ୍ୟେକ ନାଗରିକ ଅବାଧରେ ମତାମତ ପୋଷଣ କରୁଛନ୍ତି, କାରଣ ମତାମତ ଓ ଚିନ୍ତନର ଅବାଧ ଅଭିବ୍ୟକ୍ତି ହେଉଛି ମାନବ ସମାଜର ଜନ୍ମଗତ ଅଧିକାର। ମୌଖିକ ଭାବରେ,ଲିଖିତ ଭାବରେ, ଅନ୍ୟ ମାଧ୍ୟମରେ ବା ନିଜର ପସନ୍ଦ ଆକାରରେ ସମସ୍ତ ପ୍ରକାର ସ୍ବାଧୀନତା ଏହାର ଅନ୍ତର୍ଭୁକ୍ତ। ଏ ସବୁ ଅଧିକାରର ଅଭାବ ହେଲେ ଗଣତନ୍ତ୍ରରେ ସଙ୍କଟ ସୃଷ୍ଟି ହେବ ଏବଂ ସରକାର ଅତ୍ୟଧିକ କ୍ଷମତାର ଅଧିକାରୀ ହୋଇ ସ୍ବେଚ୍ଛାଚାରିତା ପ୍ରଦର୍ଶନ କରିବେ। ତେଣୁ ନାଗରିକମାନଙ୍କର ସତ୍ୟର ଅନ୍ବେଷଣ ପାଇଁ, ଗଣତନ୍ତ୍ରର ବିକାଶ ପାଇଁ, ବିଶ୍ବାସ ଏବଂ ରାଜନୈତିକ ଦୃଷ୍ଟିକୋଣ ବ୍ୟକ୍ତ କରିବା ପାଇଁ ବାକ୍ ସ୍ବାଧୀନତାର ଆବଶ୍ୟକତା ଅପରିହାର୍ଯ୍ୟ।
ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଏଇ ବାକ୍ ସ୍ବାଧୀନତାର ବ୍ୟବହାର ଉପରେ ଯେଉଁ ଲକ୍ଷ୍ମଣରେଖା ସବୁ ଟଣାଯାଇଛି ତାହାକୁ ମାନୁଛି କିଏ, ବରଂ ଦିନକୁ ଦିନ ବାକ୍ ସ୍ବାଧୀନତାର ଦାୟିତ୍ୱବୋଧକୁ ଜଳାଞ୍ଜଳି ଦେଇ ସମ୍ବିଧାନ ପ୍ରଦତ୍ତ ଅମୂଲ୍ୟ ଅଧିକାରକୁ ଅପବ୍ୟବହାର କରାଯାଉଛି। ନିଜର ସ୍ବାର୍ଥ ସାଧନ ପାଇଁ ହେଉ କିମ୍ବା ନିଜକୁ ଚର୍ଚ୍ଚାରେ ରଖିବାକୁ ହେଉ ଉଦ୍ଦେଶ୍ୟମୂଳକ ଭାବରେ ସଭା ସମିତିମାନଙ୍କରେ, ଗଣମାଧ୍ୟମ ସମ୍ମୁଖରେ ଅଥବା ସୋସିଆଲ୍ ମିଡିଆରେ ଖୋଲା ଖୋଲି ଭାବରେ ଯେଉଁଭଳି ଆପତ୍ତିଜନକ ଆକ୍ଷେପମୂଳକ ଅପମାନଜନକ ଟୀକା ଟିପ୍ପଣୀ ରଖୁଛନ୍ତି ତାହା ବାକ୍ ସ୍ବାଧୀନତା ଅଧିକାରର ଖୋଲା ଉଲ୍ଲଘଂନ। କିଏ ଦେଶ ବାହାରେ ରାଷ୍ଟ୍ରର ନିନ୍ଦା କଲାଣି ତ’ କିଏ ଦଳୀୟ ପ୍ରଚାର ପାଇଁ ସାଂପ୍ରଦାୟିକ ବିଭେଦ ସୃଷ୍ଟି କଲାଣି।
ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସାମ୍ବିଧାନିକ ପଦପଦବୀ ମଣ୍ଡନ କରିଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିନା ସଙ୍କୋଚରେ ଅସାମ୍ବିଧାନିକ ଶବ୍ଦ ଏବଂ କଟୁ ମନ୍ତବ୍ୟ ପ୍ରଦାନ କରୁଛନ୍ତି। ବିଦ୍ୱେଷମୂଳକ ମନ୍ତବ୍ୟର ପ୍ରତିବାଦ ନାମରେ ରାସ୍ତା ରୋକ, ବନ୍ଦ ଡାକରା, ଭଙ୍ଗାରୁଜା, ଜଳାପୋଡା, ସାଂପ୍ରଦାୟିକ ଗଣ୍ଡଗୋଳ ଘଟୁଛି। ସରକାରୀ ସଂପତ୍ତି ନଷ୍ଟ ହେଉଛି। ବ୍ୟବସାୟ ବାଣିଜ୍ୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହେଉଛନ୍ତି। ଜରୁରୀ ବ୍ୟବସ୍ଥା ଠପ୍ ହୋଇ ରୋଗୀ ମୃତ୍ୟୁ ମୁଖରେ ପଡୁଛି ଇତ୍ୟାଦି ନାନାଦି ଅସୁବିଧା ମଧ୍ୟରେ ଲାଭ ପରିବର୍ତ୍ତେ ଦେଶ ସଙ୍କଟ ଆଡକୁ ଠେଲି ହୋଇଯାଉଛି। ଏଇସବୁ ଉଦ୍ଦେଶ୍ୟମୂଳକ ବିନାଶକାରୀ କଥା କହି ଏମାନେ ପାଉଛନ୍ତି କ’ଣ?
କ୍ଷମତା ତଥା ସଂପଦର ଅପବ୍ୟବହାରରେ ଏମାନେ ଖସିଯାଉଛନ୍ତି ସତ୍ୟ ହେଲେ ବିଶ୍ବନିୟନ୍ତାଙ୍କ ଦରବାରରେ ଦିନେ ନା ଦିନେ ଦଣ୍ଡିତ ହେବେ। ନିଜକୁ ଥରେ ପ୍ରଶ୍ନ କରନ୍ତୁ ନା! ଆପଣମାନଙ୍କର ଏହି ପଦେ କଥା ଯୋଗୁଁ କେତେ ନିରୀହ ଜୀବନ ଅକାଳରେ ଚାଲିଯାଉଛି, ଦଙ୍ଗାଗୋଳ ମଧ୍ୟରେ କେତେ ଝିଅ ବୋହୂଙ୍କର ଇଜ୍ଜତ ଲୁଟ୍ ହେଉଛି। ଥରେ ଭାବନ୍ତୁନା ଏ ସବୁ କଥା! ଆପଣମାନଙ୍କ କୁତ୍ସିତ କଥାରେ ଭାରତମାତା କାନ୍ଦୁଥିଲାବେଳେ ସେଇ ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କ ମୁଖରୁ ପଦେପଦେ କଥା ଶୁଣି ଭାରତବାସୀ କେତେ ଉତ୍ସାହିତ ନ’ହୋଇଛନ୍ତି। ‘ବନ୍ଦେ ମାତରମ୍’, ‘ଇନ୍ କିଲାବ ଜିନ୍ଦାବାଦ୍’, ‘ଜୟହିନ୍ଦ୍’, ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି’, ‘ସତ୍ୟମେବ ଜୟତେ’, ‘ଜୟ ଯବାନ ଜୟ କିଷାନ’, ‘ସ୍ବରାଜ ମୋର ଜନ୍ମସିଦ୍ଧ ଅଧିକାର- ମୁଁ ଏହାକୁ ନେଇକରି ରହିବି’, ‘ଆରାମ୍ ହାରାମ ହୈ’, ‘ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ’, ‘ସ୍ବଚ୍ଛ ଭାରତ’ ପରି କଥା ଲୋକମାନଙ୍କୁ ଜାତୀୟତା ବୋଧରେ ଅନୁପ୍ରାଣିତ କରୁଛି।
ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ‘କର ବା ମର’ ପଦେ କଥାର ମର୍ମ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ଭାରତବାସୀ ଦ୍ବିଗୁଣିତ ଉତ୍ସାହରେ ବ୍ରିଟିଶ୍ ସିଂହାସନକୁ ଦୋହଲାଇ ଦେଇଥିଲେ। ଏହି ମହାମନୀଷୀମାନଙ୍କ କଥା ଚିରନ୍ତନ, ଅମୃତ ଏବଂ ଶାଶ୍ବତ। ଯେଉଁ ଭାଷଣ, ଯେଉଁ ବିବୃତି ଦେଶ ମାତୃକାର ଉନ୍ନତିରେ ଲାଗିପାରେ ତାହା ସାଧାରଣ ଜନତାକୁ ତରଙ୍ଗାୟିତ କରେ। କହି ଜାଣିଲେ କଥା ସୁନ୍ଦର। କହିବାର ଅଧିକାର ପାଇଛେ ବୋଲି ଆମେ ଯାହା ପାରି ତାହା କହିବା ଆଦୌ ଶୋଭନୀୟ ନୁହେଁ। ମନେରଖନ୍ତୁ! ଅରୁଚିକର ମନ୍ତବ୍ୟ ଦେଉଥିବା ଲୋକ ପାଇଁ ଯାହା ଖେଳ, ଦେଶ ପାଇଁ ତାହା କାଳ ହେଉଛି। ଏହି ଅଶାଳୀନ ମନ୍ତବ୍ୟ ପାଇଁ ରାଷ୍ଟ୍ରର ସାମାଜିକ ସନ୍ତୁଳନ ବ୍ୟବସ୍ଥା ବିଗିଡିବା ସହିତ ମାନବିକତା ଓ ଭାଇଚାରା ଭାବ ନଷ୍ଟ ହେଉଛି। ଏହା ନିଶ୍ଚିତ- ଆଜି ନୁହେଁ କାଲି, କଥା କହିବାର ସୀମା ଲଂଘନ ସମସ୍ୟା ଆମ ସଂସଦରେ ଆଲୋଚନା ହୋଇ ଆଇନ ପ୍ରଣୟନ ହେବ, ଯେତେବେଳେ ଜନସାଧାରଣ ନିଜ ସ୍ବାର୍ଥ ପାଇଁ ଦାବି ନ’କରି ରାଷ୍ଟ୍ରହିତ ପାଇଁ ଦାବି ରଖିବେ। ସେଇ ଦିନକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। କାରଣ କିଛି ଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ କହିଛନ୍ତି ଘୃଣ୍ୟ ଦ୍ୱେଷପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ ରୋକିବାକୁ ସଂସଦରେ ଆଇନ ପ୍ରଣୟନ କରାଯାଇ ପାରିବ।
Comments are closed.