ଗୋ ସମ୍ପଦର ସୁରକ୍ଷା ଲୋଡ଼ା

ବିପ୍ଳବ

ଭାରତ ଗୋଟିଏ କୃଷି ପ୍ରଧାନ ଦେଶ। ଏହାର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। କୃଷି ଭିତ୍ତିକ ଅର୍ଥନୀତି କଥା ଆଲୋଚନା କଲାବେଳେ ଗୋ ସମ୍ପଦର ଅବଦାନକୁ ସ୍ୱୀକାର କରିବାକୁ ହେବ। କିଛି ବର୍ଷ ପଛକୁ ଫେରିଗଲେ ଗୋ ସମ୍ପଦ ଉପରେ ଭାରତୀୟ କୃଷି ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। ବିଲରେ ହଳ କରିବା, ଟେଳା ଭାଙ୍ଗିବା ବା ସମତଳ ପାଇଁ ମଇ ଭିଡ଼ିବା, ଧାନରୁଆ ପରେ ବିହୁଡ଼ିବା, ବିଲରୁ ଖଳାକୁ ଶଗଡ଼ରେ ବୁହାଇବା, ଧାନ ବିରି ପ୍ରଭୃତି ବେଙ୍ଗଳା କରିବା, ଅମଳ ଫସଲକୁ ବଜାରକୁ ନେବା, ବଳକା ଶସ୍ୟକୁ ଘରକୁ ଆଣି ସଂରକ୍ଷଣ କରିବା ଇତ୍ୟାଦି ପ୍ରତ୍ୟେକ କାର୍ଯ୍ୟରେ ଶଗଡ ବଳଦର ଆବଶ୍ୟକତା ହିଁ ରହୁଥିଲା। ଏପରିକି ବିବାହ ଆଦି ଶୁଭ କାର୍ଯ୍ୟରେ ଝିଅ ବିଦା ହେବା ପାଇଁ ଶଗଡ଼ବଳଦ ଉପରେ ମଣିଷ ନିର୍ଭରଶୀଳ ଥିଲା।
ଧାର୍ମିକ ଦୃଷ୍ଟିକୋଣରୁ ଆମ ଦେଶରେ ଗୋ ସମ୍ପଦର ଗୁରୁତ୍ୱ କେଉଁ ଅନାଦି କାଳରୁ ରହିଆସିଛି। ଗୋମାତା ଆମ ହିନ୍ଦୁ ସଂସ୍କୃତିର ମୂଳ ଆଧାର। ତା’ର ସେବା ଦ୍ୱାରା ସିଦ୍ଧିପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏପରିକି ଗୋମାତାର ଚାରିଖୁରାରେ ଧର୍ମ, ଅର୍ଥ, କାମ, ମୋକ୍ଷ ରହିଥାଏ ବୋଲି ହିନ୍ଦୁମାନଙ୍କର ଦୃଢ଼ ବିଶ୍ୱାସ। ଗୋମାତା ଯଦି ଘର ଭିତରେ ଥରେ ବୁଲି ଆସେ ତେବେ ସମସ୍ତ ଅଶୁଭ ତଥା ନକାରାତ୍ମକ ଶକ୍ତିର ବିନାଶ ଘଟିଥାଏ। କେବଳ କୃଷି କ୍ଷେତ୍ର ବା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ନୁହେଁ ମଣିଷ ସମାଜ ପାଇଁ ବିଭିନ୍ନ କାରଣରୁ ଗୋ ସମ୍ପଦର ଆବଶ୍ୟକତା ରହିଛି।

ଅଧିକାଂଶ ସରକାରୀ ଚିକିତ୍ସାଳୟରେ ପାଉଁରୁଟି ସହିତ ଦିଆଯାଉଥିବା ତରଳ ପାନୀୟ ହେଉଛି ଗୋରସ ବା କ୍ଷୀର, ଯାହା ଶିଶୁ ଓ ରୋଗୀମାନଙ୍କ ପାଇଁ ଅମୃତ ତୁଲ୍ୟ। ପ୍ରସବ ସମୟରେ ମା’କୁ ହରେଇଥିବା ଅବୋଧ ଶିଶୁର ବଞ୍ଚିବାର ଏକମାତ୍ର ବିକଳ୍ପ ଗାଈ କ୍ଷୀର କହିଲେ ଅତ୍ୟୁକ୍ତି ହେବନାହିଁ। ସେଥିପାଇଁ ବୋଧ ହୁଏ ପ୍ରତିଟି ହିନ୍ଦୁ ପରିବାର ସହିତ ଗୋମାତା ଜଡିତ। କୃଷି ଉପରେ ନିର୍ଭରଶୀଳ ଅଧିକାଂଶ ପରିବାର ଚାଷ ଉ​‌େ​‌ଦ୍ଦଶ୍ୟରେ ବଳଦ ଓ କ୍ଷୀର ଉ​‌େ​‌ଦ୍ଦଶ୍ୟରେ ଗାଈ ପାଳନ କରୁଥିଲେ। ଗୋମାତାର ଦର୍ଶନରେ ସକଳ ଶୁଭ ହୁଏ ବୋଲି ଗୃହର ପ୍ରବେଶ ପଥରେ ପ୍ରଥମେ ଗୁହାଳ ରଖାଯାଉଥିଲା। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଗୋପାଳ ଅବତାର ନେଇ ଗୋ ମହିମାର ପ୍ରଚାର କରିଥିଲେ। ବୈଦିକ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ମାନବ ସମାଜ ମୁଖ୍ୟତଃ କୃଷି ଓ ଗୋପାଳନ ଉପରେ ନିର୍ଭରଶୀଳ ହୋଇ ନିଜର ଜୀବନ ଓ ଜୀବିକା ନିର୍ବାହ କରିଆସୁଛି। ସେଥିପାଇଁ ହିନ୍ଦୁ ଧର୍ମରେ ଶ୍ରାବଣ ପୂର୍ଣ୍ଣିମା ଦିନ ପ୍ରଭୁ ବଳରାମଙ୍କ ପୂଜା ସହିତ ଗୋମାତାର ପୂଜା ବିଧି ମଧ୍ୟ ରହିଛି। ସେଦିନ ଗାଈଗୋରୁମାନଙ୍କୁ ଜଳରେ ଗାଧୋଇ ଦିଆଯାଇ ଫୁଲ ଚନ୍ଦନ ଦେଇ ପିଠାପଣା ସହିତ ପୂଜାର୍ଚ୍ଚନା କରାଯାଇଥାଏ।

ଗାଈ ବା ବଳଦ ପୃଥିବୀର ଏକମାତ୍ର ପଶୁ ଯାହାର ମଳ ବା ଗୋବରକୁ ପବିତ୍ର ମନେକରାଯାଇ ସମସ୍ତ ଧର୍ମୀୟ କାର୍ଯ୍ୟରେ ହିନ୍ଦୁମାନେ ବ୍ୟବହାର କରିଥାନ୍ତି। ଗୋବରକୁ ଶୁଖାଇ ଘସି କରି ଜାଳେଣି ରୂପେ ମଧ୍ୟ ବ୍ୟବହାର କରିଥାନ୍ତି। ସର୍ବୋପରି ଗୋବର ହେଉଛି ପୃଥିବୀର ଉତ୍କୃଷ୍ଟ ଜୈବିକ ସାର ଯାହା ସମଗ୍ର ବିଶ୍ୱର କୃଷିକ୍ଷେତ୍ର ପାଇଁ ଅପରିହାର୍ଯ୍ୟ। ଏ ସବୁ ବାଦ୍‍ ଗୋ ମାତା ସମ୍ପର୍କିତ ଦୁଇଟି ଚର୍ଚ୍ଚିତ ଖବର ଆମ୍ଭମାନଙ୍କୁ ଗୋ ସମ୍ପଦର ଆବଶ୍ୟକତା ଓ ସୁରକ୍ଷା ବିଷୟରେ ଭାବିବାକୁ ବାଧ୍ୟ କରିବ। ତିନି ଚାରିମାସ ତଳେ ଛତିଶଗଡ ଆମଖୋରାବ ଗାଁର ଖବରଟିଏ ଭାଇରାଲ୍‍ ହୋଇଥିଲା। ଯାହାର ଶୀର୍ଷକ ଥିଲା ‘ଗୋବର ବିକ୍ରିରୁ ଡାକ୍ତର।’ ଘଟଣାଟି ଏମିତି। ଛତିଶଗଡ଼ର ଭୂପେଶ ବାଘେଲା ସରକାରଙ୍କ ‘ଗୋଧନ ନ୍ୟାୟ’ ଯୋଜନାରେ ଚାଷୀ ସନ୍ତୋଷ ସିଂହ ଚାଳିଶିଟି ଗୋପାଳନ କରି ଗୋବର ବିକ୍ରି କରିଥିଲେ ଏବଂ ସେଥିରୁ ତିନି ଲକ୍ଷ ପଚିଶ ହଜାର ଟଙ୍କା ଲାଭ ପାଇଥିଲେ। ତାଙ୍କ ପୁଅ ଆଲୋକ ସିଂହ ଦ୍ୱାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହେଲେ। ଆଉ ଗୋବର ବିକ୍ରିରୁ ଲବ୍ଧ ଅର୍ଥ ତାଙ୍କୁ ଏଥିରେ ସାହାଯ୍ୟ କରିଥିଲା। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ନିଜେ ଫୋନ୍‍ କରି ଶୁଭେଚ୍ଛା ଜଣାଇବା ପରେ ଖବରଟି ଭାଇରାଲ୍‍ ହୋଇଥିଲା।

prayash

କୃଷି କ୍ଷେତ୍ରରେ ହଳ ପାଇଁ ବଳଦ ଯେମିତି ଆବଶ୍ୟକ ସେମିତି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଗୋମାତା କ୍ଷୀରର ଯଥେଷ୍ଟ ଆବଶ୍ୟକତା ରହିଛି। କ୍ଷୀରକୁ ନେଇ ଅନେକ ବାଣିଜ୍ୟ ବ୍ୟବସାୟ ଗଢ଼ି ଉଠିଛି। ଛେନା, ଦହି, ଘିଅ, ପନିର୍‍ ପ୍ରଭୃତି ପ୍ରସ୍ତୁତିରେ ଯେଉଁ କଞ୍ଚାମାଲ୍‍ ଆବଶ୍ୟକତା ରହିଛି ତାହା ହେଲା କ୍ଷୀର। ଏହି କ୍ଷୀର ସିଂହଭାଗ ଉତ୍ପାଦିତ ହୋଇଥାଏ ଗୋମାତା ଠାରୁ। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଗାଈ ଗୋବରକୁ ନେଇ ଏବେ ଯେଉଁ ଖବରଟି ଚହଳ ପକାଇଛି ତାହା ହେଲା ଗୋବରରୁ ପ୍ରସ୍ତୁତ ରଙ୍ଗ। ଆଉ ଏହା ସମ୍ଭବ ହୋଇଛି ଆମ ଓଡ଼ିଶା ବରଗଡରେ। ଝାଡଖଣ୍ଡ ଝିଅ ତଥା ଓଡ଼ିଶା ବୋହୂ ଦୁର୍ଗା ପ୍ରିୟଦର୍ଶିନୀ ଜଣେ ଯୁବ ଉଦ୍ୟୋଗୀ। ଗୋବରରୁ ରଙ୍ଗ ପ୍ରସ୍ତୁତ କରି ଏବେ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚିତ। ଆମ୍ଭେମାନେ ଗୋବରରୁ ଖତସାର ଏବଂ ବାୟୋଗ୍ୟାସ୍‍ ପ୍ଲାଣ୍ଟ୍‍ ପ୍ରସ୍ତୁତି କଥା ଜାଣିଥିଲେ। ମାତ୍ର ଗୋବରକୁ ନେଇ ଗୋଟିଏ ରଙ୍ଗ କାରଖାନା କରାଯାଇ ପାରିବ ଏବଂ ସେଥିରେ ଶହ ଶହ ଲୋକ ନିଯୁକ୍ତି ପାଇବେ, ଏହା ଆମ ପାଇଁ ପ୍ରେରଣାଦାୟୀ ଖବର ନିଶ୍ଚୟ। ବରଗଡ଼ର ଭେଡେନ୍‍ରେ ରହିଥିବା ଏହି ରଙ୍ଗ କାରଖାନାର ରଙ୍ଗ ଓଡ଼ିଶାର ସୀମାସରହଦ ଟପି ତେଲଙ୍ଗାନା, ବାଙ୍ଗାଲୋର, ଗୁଜୁରାଟ, ଛତିଶଗଡ଼ ଓ ଦିଲ୍ଲୀରେ ତାହାର କାୟା ବିସ୍ତାର କରିପାରିଛି। କିଲୋ ପ୍ରତି ପାଞ୍ଚଟଙ୍କାରେ କିଣାଯାଉଥିବା ଗୋବରରୁ ଯେ ନିରାପଦ ଆଉ ସୁବାସିତ ରଙ୍ଗ ପ୍ରସ୍ତୁତି ହେବା ସତରେ ଆଶ୍ଚର୍ଯ୍ୟଜନକ ନୁହେଁ କି? ରଙ୍ଗଗୁଡ଼ିକ ଗୋବରରୁ ପ୍ରସ୍ତୁତ ହୋଇଥିବାରୁ ଏହା ଜୈବିକ ଓ କ୍ଷତିକାରକ ନୁହେଁ। ଏଥିରୁ ଗୋପାଳକମାନେ ଉତ୍ସାହିତ ହେବା ସହିତ ଲାଭବାନ ବି ହୋଇପାରିବେ। ଚାଷ ପାଇଁ ଅନୁପଯୁକ୍ତ ବଳଦ, କ୍ଷୀର ପାଇଁ ଅନୁପଯୁକ୍ତ ହୋଇଯାଇଥିବା ଗାଈମାନଙ୍କୁ ବାହାରେ ଛାଡି ନଦେଇ ବା କଂସେଇ ହାତରେ ଟେକି ନଦେଇ ଗୋବର ଉଦ୍ଦେଶ୍ୟରେ ପାଳନ କରାଯାଇ ପାରିବ।

ଯେଉଁ ଦେଶରେ ଗୋ କୁ ମାତା ରୂପରେ ପୂଜା କରାଯାଏ , ଯାହାର କ୍ଷୀରକୁ ମା’କ୍ଷୀରର ବିକଳ୍ପ ରୂପେ ବିଚାର କରାଯାଏ ସେଠି ସଭ୍ୟ ବୋଲାଉଥିବା ବ୍ୟକ୍ତିଟିଏ ଗୋମାତାକୁ ହଟେଇ କୁକୁରଟିଏ ଧରି ବୁଲି ନିଜକୁ ସମ୍ଭ୍ରାନ୍ତ ବୋଲାଉଛି। ମୂକ ଜୀବପ୍ରତି ଦୟା ପ୍ରଦର୍ଶନ କରିବା ଏକ ସୁନ୍ଦର ମାନବୀୟ ଗୁଣ। ମାତ୍ର ଗୋ ମାତାର ବିକଳ୍ପ କଦାପି କୁକୁର ହୋଇପାରିବନି। ଗୋସେବା ପ୍ରତି ଉଦାସୀନ ମଣିଷ ପାଇଁ ଆଜି ଗୋମାତାର ହତ୍ୟା ଭୟଙ୍କର ଭାବରେ ବୃଦ୍ଧି ପାଉଛି। ମୁଖ୍ୟତଃ ମାଂସର ଚାହିଦା ପୂରଣ କରିବା ପାଇଁ ପ୍ରତିଦିନ ଶହ ଶହ ଗାଈଗୋରୁଙ୍କୁ ଭାରତରୁ ବାଂଲାଦେଶକୁ ଚାଲାଣ କରାଯାଉଛି। ଆମ ଓଡ଼ିଶା ଏଥିରୁ ବାଦ୍‍ ପଡ଼ିନି। ଓଡ଼ିଶାର ବରଗଡ, ନବରଙ୍ଗପୁର, କେନ୍ଦୁଝର, କେନ୍ଦ୍ରାପଡା, ମୟୂରଭଞ୍ଜ, କଳାହାଣ୍ଡି ଆଉ ଖୋର୍ଦ୍ଧା ଜିଲାରୁ ନିୟମିତ ଭାବରେ କଣ୍ଟେନର୍‍ ସାହାଯ୍ୟରେ ଗୋ ଚାଲାଣ କରାଯାଉଛି। ଲାଞ୍ଚଖୋର ପୁଲିସ୍‍ ଅଧିକାରୀ ଆଉ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଏଥିପାଇଁ ଦାୟୀ। ଗୋ ଚାଲାଣ ରୋକିବା ପାଇଁ ଚେଷ୍ଟା କରୁଥିବା ଗୋ ରକ୍ଷକମାନଙ୍କୁ ବେଳେ ବେଳେ ଗୋ ମାଫିଆମାନେ ଆକ୍ରମଣ କରି ଜୀବନରେ ମାରିଦେବା ପରି ଦୁଃଖଦ ଖବର ଶୁଣିବାକୁ ମିଳୁଛି। ଏପରିକି ବେଳେ ବେଳେ ପୁଲିସ୍‍ ଲାଞ୍ଚ ଖାଇ ଗୋରକ୍ଷକ ନାମରେ ମିଥ୍ୟା ମୋକଦ୍ଦମା କରି ହଇରାଣ କରୁଥିବାର ଅଭିଯୋଗ ହୁଏ।

ଚଳିତ ବର୍ଷ ଜାନୁୟାରୀ ମାସରେ ଗୋଚାଲାଣ ସଂପର୍କିତ ଏକ ମାମଲାର ବିଚାର କରି ଗୁଜୁରାଟ ଜିଲାଜଜ୍‍ ସମୀର ବିନୋଦଚନ୍ଦ୍ର ବ୍ୟାସ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ଜଣଙ୍କ ପାଇଁ ପାଞ୍ଚଲକ୍ଷ ଟଙ୍କା ଜୋରିମାନା କରିଥିଲେ। ତାଙ୍କ ରାୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଯେ ପୃଥିବୀ ପୃଷ୍ଠରେ ଗୋ ରକ୍ତ ପଡିବା ଦ୍ୱାରା ନାନା ସମସ୍ୟା ଦେଖାଯାଉଛି। ଆଉ ଏହି ବେଆଇନ୍‍ ଗୋ ହତ୍ୟା ବନ୍ଦ ହୋଇଗଲେ ଅଧିକାଂଶ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ। ଆଇନ୍‍ର ବ୍ୟବସ୍ଥା ଭିତରେ ଜଣେ ବିଚାରପତିଙ୍କର ଏପରି ବୟାନ ଭାବପ୍ରବଣତା ହୋଇପାରେ। ମାତ୍ର ଏକଥା ସତ୍ୟ ଯେ ମଣିଷ ଜୀବନରେ ଗୋ ସମ୍ପଦର ଭୂମିକା କେବେହେଲେ ଗୌଣ ହୋଇଯିବ ନାହିଁ। ଯେତେବେଳେ ମଣିଷ ସମାଜ ପାଇଁ ଜନନୀ, ଜନ୍ମଭୂମି ଏବଂ ଗୋମାତା ଅନାବଶ୍ୟକ ହୋଇଯିବ ସେତେବେଳେ ତା’ର ପତନ ଅବଶ୍ୟମ୍ଭାବୀ।

kalyan agarbati

Comments are closed.