www.samajalive.in
Monday, December 15, 2025
15.1 C
Bhubaneswar

୯ ବର୍ଷ, ଅନେକ ପ୍ରଶ୍ନ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଇତି ମଧ୍ୟରେ ନଅ ବର୍ଷ ପୂରଣ କରିସାରିଛି। କୌଣସି ଦେଶ ବା ଏହାର ନାଗରିକମାନଙ୍କର ଜୀବନଧାରଣରେ ପରିବର୍ତ୍ତନ ପାଇଁ ନଅ ବର୍ଷ ଏକ ଯଥେଷ୍ଟ ସମୟ। ଅନେକ ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇ ଆସିଥିବା ଏହି ସରକାର ଅର୍ଥନୈତିକ ତଥା ଅନେକ ନୀତିଗତ ସଂସ୍କାର ଭିତ୍ତିକ ପଦକ୍ଷେପ ନେଇ ବିଭିନ୍ନ ସମୟରେ ଲୋକମାନଙ୍କର ଚର୍ଚ୍ଚାକୁ ଆସିଥିଲା। ନୂଆ ଭାରତ ଗଠନ ଉପରେ ମୁଖ୍ୟତଃ ଧ୍ୟାନ ଦିଆଯାଇଥିଲା। ୨୦୧୪ରେ ଏହି ସରକାର ନିର୍ବାଚିତ ହେବାଠାରୁ ବିଭିନ୍ନ ସମୟ ଅନ୍ତରରେ ଅନେକ ନୂଆ ନୂଆ ନୀତିଗତ ପଦକ୍ଷେପ ପାଇଁ ବିତର୍କର କେନ୍ଦ୍ର ହୋଇ ରହିଆସିଛି।

କେନ୍ଦ୍ର ସରକାର ନିର୍ବାଚିତ ହେବାପରେ ୨୦୧୫ ମସିହାରେ ପ୍ରଥମ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ୧୯୫୦ରୁ ଗଠିତ ‘ଯୋଜନା ଆୟୋଗ’ର ନାମକୁ ପରିବର୍ତ୍ତନ କରି ‘ନିତି ଆୟୋଗ’ ନାମରେ ନାମିତ କରିବା ସହିତ ଏହାର ଭୂମିକାରେ ଅନେକ ପରିବର୍ତ୍ତନ କରଯାଇଥିଲା। ଏକ ପକ୍ଷରେ ଯୋଜନା ଆୟୋଗର ଭୂମିକା ମୁଖ୍ୟତଃ ବିଭିନ୍ନ ରାଜ୍ୟମାନଙ୍କର ଯୋଜନାଗୁଡିକୁ ତର୍ଜମା କରି ଦେଶ ପାଇଁ ପଞ୍ଚବାର୍ଷିକୀ ଯୋଜନା କରିବାର ଦାୟିତ୍ବ ଥିବାବେଳେ ନିତି ଆୟୋଗର ଭୂମିକା ମୁଖ୍ୟତଃ ବୃହତ୍ତର ବିକାଶ ନିମନ୍ତେ ଦିଗ୍‌ଦର୍ଶନ ପାଇଁ ଅନୁଷ୍ଠାନିକ କ୍ଷେତ୍ର ପ୍ରସ୍ତୁତ କରିଥିଲା। ଯୋଜନା ଆୟୋଗ ଭଳି ନିତି ଆୟୋଗ ମଧ୍ୟ ବିଭିନ୍ନ ଯୋଜନାଗୁଡିକୁ ତର୍ଜମା କରି ରିପୋର୍ଟ ପ୍ରସ୍ତୁତ କରୁଥିଲେ ମଧ୍ୟ ପୂର୍ବ ଭଳି ପଞ୍ଚ ବାର୍ଷିକୀ ଯୋଜନା ଆଉ ପରିକଳ୍ପନା କରାଯାଉନାହିଁ। ଏହାଦ୍ବାରା ରାଜ୍ୟମାନଙ୍କରେ ଥିବା ଯୋଜନା ବୋର୍ଡଗୁଡିକର କେନ୍ଦ୍ର ସହିତ ସଂଯୋଜନା କରିବାର ସୁଯୋଗ କିମ୍ବା ପ୍ରାସଙ୍ଗିକତା ଆଉ ଦେଖାଯାଉ ନାହିଁ।

- Advertisement -

କେନ୍ଦ୍ର ସରକାରଙ୍କର ଦ୍ବିତୀୟ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସଂସ୍କାର ମୂଳକ ପଦକ୍ଷେପ ‘ବିମୁଦ୍ରାକରଣ’ ୨୦୧୬ ଆର୍ଥିକ ବର୍ଷରେ ନିଆଯାଇଥିଲା । ଏହି ନିଷ୍ପତ୍ତି ସାଧାରଣ ଲୋକମାନଙ୍କର ଜୀବନ ଜୀବିକାକୁ ଅନେକ ମାତ୍ରାରେ ପ୍ରଭାବିତ ସହିତ ଦେଶରେ ଆର୍ଥିକ ଅସନ୍ତୁଳନ ପରିବେଶ ସୃଷ୍ଠି ହୋଇଥିଲା। ଆର୍‌ବିଆଇ ଦ୍ବାରା ନିଆ ଯାଇଥିବା ଏହି ପଦକ୍ଷେପ ମୁତାବକ ଅବୈଧ ଘୋଷଣା କରାଯାଇଥିବା ନୋଟଗୁଡିକ କେନ୍ଦ୍ରୀୟ ବ୍ୟାଙ୍କକୁ ଫେରିଥିଲା । ନିର୍ଦେଶଟି ହଠାତ ହୋଇଥିବାରୁ ନୋଟଗୁଡିକୁ ବଦଳାଇବା ପାଇଁ ବ୍ୟାଙ୍କମାନଙ୍କ ନିକଟରେ ଲୋକମାନେ ଲମ୍ବାଧାଡିରେ ଛିଡ଼ା ଦେଇଥିଲେ। ବ୍ୟାଙ୍କ ଓ ସରକାରଙ୍କର ପୂର୍ବ ପ୍ରସ୍ତୁତି ଅଭାବରୁ ବଜାରରେ ନୋଟ୍‌ର ଅଭାବ ଦେଖା ଯାଇଥିଲା। ଦୈନନ୍ଦିନ ଓ ମୁଖ୍ୟ ଆବଶ୍ୟକତା କ୍ରୟ କରିବା ପାଇଁ ଲୋକମାନେ ଅନେକ କଷ୍ଟ ସହିଥିଲେ। ଏହି ଅବ୍ୟବସ୍ଥାଗୁଡିକର ପ୍ରଭାବ ଦେଶର ସାମଗ୍ରିକ ଅର୍ଥନୀତିରେ ମଧ୍ୟ ପଡିଥିଲା; କିନ୍ତୁ ଦେଖାଗଲା ଯେ ୯୯.୩ ପ୍ରତିଶତ ଅର୍ଥ ଆର୍‌ବିଆଇ ନିକଟକୁ ଫେରିଯାଇଥିଲା। ତେଣୁ, ବିମୁଦ୍ରାକରଣ ଭଳି ଏକ ସମ୍ବେଦନଶୀଳ ସଂସ୍କାର ଆପଣେଇ ସରକାର ପାଇଲେ କଣ? ନୀତିଗତ ପରିବର୍ତ୍ତନ ଦେଶ ହିତ ପାଇଁ ହେଉଥିବାରୁ ସାଧାରଣ ଲୋକଟିଏ ଏଥିପାଇଁ ସାମୟିକ ଅସୁବିଧା ଭୋଗକରିପାରେ; କିନ୍ତୁ ଏହାଦ୍ବାରା ଗୋଟିଏ ସାଧାରଣ ଲୋକର ଲାଭ କ’ଣ ହେଲା?

ଏହାର ପରବର୍ତ୍ତୀ ବର୍ଷ ୨୦୧୭ ମସିହାରେ ଜିଏସ୍‌ଟି ସହ ପ୍ରଣୟନ ବିକାଶ ବିତର୍କକୁ ଅନେକ ଖୋରାକ ଯୋଗାଇଥିଲା। ଦେଶରେ ସମ୍ବଳ ବୃଦ୍ଧି କରିବା ପାଇଁ ୧୭ଟି ବିଭିନ୍ନ ପ୍ରକାର ଟିକସର ସମ୍ମିଶ୍ରଣରେ ଦ୍ରବ୍ୟ ଓ ସେବା ଟିକସ ପ୍ରଣୟନ ହୋଇଥିଲା। ଏହି ଟିକସ ପ୍ରଣୟନ ଦ୍ବାରା କେନ୍ଦ୍ର ସରକାରଙ୍କର ସମ୍ବଳ ବୃଦ୍ଧି ବଜେଟ୍‌ର ଆକାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି; କିନ୍ତୁ କିଛି ରାଜ୍ୟର ନିଜସ୍ବ ସୂତ୍ରରୁ ରାଜସ୍ୱ ପ୍ରାପ୍ତି ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏପରିକି ଏହି କ୍ଷତିକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର କିଛି ଆର୍ଥିକ ସାହାଯ୍ୟ ଦେଲେ ମଧ୍ୟ ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସୁନାହିଁ। ଏହି ସବୁ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ସହିତ, ସରକାରଙ୍କର ପ୍ରଥମ ପାଳିରେ ବିଭିନ୍ନ ଲୋକକଲ୍ୟାଣ ଯୋଜନାମାନ ନାଗରିକ ମାନଙ୍କର ମନ ଜିଣିପାରିଥିବା ଭଳି ମନେ ହୁଏ। ମହିଳାମାନଙ୍କ କଲ୍ୟାଣ ନିମିତ୍ତ ଉଳା, ଜନ ଧନ ଯୋଜନା ଓ ଆୟୁଷ୍ମାନ ଭାରତ ଭଳି ଅନେକ କାର୍ଯ୍ୟକ୍ରମ ମଧ୍ୟ ପ୍ରଣୟନ ହୋଇଥିଲା। ୨୦୧୯ ଦ୍ବିତୀୟ ପାଳିରେ ବିଶ୍ବ ଅର୍ଥନୀତିରେ ଅନେକ ପରିବର୍ତ୍ତନ ପାଇଁ ଦେଶ ବହୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଲା। ୨୦୨୦ ମସିହାରେ କରୋନା ମହାମାରୀ ଅର୍ଥନୀତି ପାଇଁ ଏକ ମୁଖ୍ୟ ଆହ୍ବାନ ସୃଷ୍ଟି କରିଥିଲା। ଗତ ପାଳିର କଠିନ ନୀତିଗତ ନିଷ୍ପତ୍ତିଗୁଡିକ ଦ୍ବାରା ଭାରତର ଅସଜଡା ଅର୍ଥନୀତି ପାଇଁ ଏହି ମହାମାରୀ ଆହବନକୁ ଦ୍ବିଗୁଣିତ କରିଦେଇଥିଲା। ବଜାର କାରବାର ତଥା ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇ ଯିବା ଦ୍ବାରା, ଦେଶ ଅର୍ଥନୀତିରେ କୁପ୍ରଭାବ ପଡିଥିଲା। ନିଯୁକ୍ତି ଏକ ପ୍ରକାର ବନ୍ଦ୍‌ ହୋଇ ଯାଇଥିଲା। ବେକାରୀ ସଂଖ୍ୟା ମଧ୍ୟ ଅନେକ ମାତ୍ରାରେ ବୃଦ୍ଧି ଘଟିଥିଲା। ବିଶେଷ କରି ଦେଶାନ୍ତର ଶ୍ରମିକ ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବଞ୍ଚିବା ଦୁର୍ବିସହ ହୋଇ ପଡିଥିଲା। ଏହି ମହାମାରୀର ପ୍ରଭାବରୁ ଜନସାଧାରଣ ମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଅନେକ ଗୁଡିଏ ପ୍ରଶଂସନୀୟ ପଦକ୍ଷେପ ନେଇଥିଲେ। ଏତେ ବଡ ବିପର୍ଯ୍ୟୟକୁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ସଫଳତାର ସହ ମୁକାବିଲା କରି ଦେଶର ଆର୍ଥିକ ସ୍ଥିତିକୁ ପୂର୍ବାବସ୍ଥାକୁ ଫେରାଇ ଆଣିଥିଲେ ମଧ୍ୟ ଲୋକମାନଙ୍କର ଆର୍ଥିକ ସ୍ଥିତି ଏ ପର୍ଯ୍ୟନ୍ତ ସୁଦ୍ଧା ସୁଧୁରି ନାହିଁ।

ଏତେ ସବୁ ସମସ୍ୟା ଓ ଆହ୍ବାନ ମଧ୍ୟରେ ଭାରତ ବିଶ୍ବରେ ପଞ୍ଚମ ବୃହତ୍‌ ଅର୍ଥନୀତିରୁ ୨୦୩୭ ସୁଦ୍ଧା ତୃତୀୟ ବୃହତ୍‌ ରାଷ୍ଟ୍ରର ସ୍ଥାନ ନେବା ମଧ୍ୟ ଆକଳନ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧିକୁ ନେଇ କହିଛନ୍ତି ଯେ ଏହା ଏକ ଦୃଢ ଅର୍ଥନୀତି; କିନ୍ତୁ ମୋଟ ଘରୋଇ ଉତ୍ପାଦରେ ଭାରତ ବିଶ୍ବରେ ପଞ୍ଚମ ସ୍ଥାନରେ ଥିବାବେଳେ ମୁଣ୍ଡ ପିଛା ଘରୋଇ ଉତ୍ପାଦରେ ୧୯୪ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୪। ସାମାଜିକ ପ୍ରଗତି ସୂଚକଙ୍କରେ ୧୬୯ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୧୦। ପ୍ରଥମ ସ୍ଥାନରେ ନରୱେ ଥିବା ସ୍ଥଳେ ଦକ୍ଷିଣ ସୁଦାନ ସର୍ବଶେଷ ସ୍ଥାନ ୧୬୯ରେ ଅଛି। ବିଶ୍ବ କ୍ଷୁଧା ସୂଚଙ୍କରେ ୧୨୧ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭। ଏହା ନିଶ୍ଚିତ ଯେ ଆମ ଦେଶର ଅଭିବୃଦ୍ଧି ହାର ବୃଦ୍ଧି ପାଉଛି। ଏଥିସହିତ ଦେଶ ଅର୍ଥନୀତିର ଉପରସ୍ତରର ମାପଦଣ୍ଡଗୁଡିକରେ ଅନେକ ପରିବର୍ତ୍ତନ ଆସିଛି; କିନ୍ତୁ ବାସ୍ତବରେ ଗୋଟିଏ ସାଧାରଣ ଲୋକ ପାଇଁ ଜିଡିପିର ଅର୍ଥ ଅତି ନଗଣ୍ୟ। ଦେଶର ବୈଦେଶିକ ମୁଦ୍ରା ପାଣ୍ଠିରେ ବୃଦ୍ଧି ହେଉଛି ବୋଲି ବୁଝିଲେ ତାର ଜୀବନ ଧାରଣର ମାନ ବୃଦ୍ଧି ହେବ ନାହିଁ। ପରିସଂଖ୍ୟାନକୁ ଦେଖି ଅତି ଗବେଷଣାର ଆବଶ୍ୟକତା ନାହିଁ। ଅଭିବୃଦ୍ଧି ପଥରେ ସାଧାରଣ ଜନତାର ନିତ୍ୟ ଆବଶ୍ୟକତା ସରକାରଙ୍କ ପାଇଁ ଗୌଣ ହୋଇ ଯାଇଛି। ସାମଗ୍ରିକ ବିକାଶ ମାନେ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ। ଅର୍ଥନୀତିର ଅର୍ଥ କେବଳ ‘ଅର୍ଥ’ ନୁହେଁ। ତେଣୁ, ନଅ ବର୍ଷର ମୂଲ୍ୟବାନ ଅଭିଜ୍ଞତାଗୁଡିକୁ ପାଥେୟ କରି ସରକାର ଆସନ୍ତା ସମୟରେ ତୃଣମୂଳ ସ୍ତରରେ ଗୁଣାତ୍ମକ ବିକାଶ ପାଇଁ ଅଧିକ ପ୍ରାଥମିକତା ଦେବେ ବୋଲି ଆଶା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories