ସ୍ଵଛ ଶାସନର ସ୍ୱରୂପ-ତୃଣମୂଳ ଗଣତନ୍ତ୍ର

ଶ୍ରୀକାନ୍ତ ଚାଟାର୍ଜୀ

ଆମ ଦେଶରେ ତିନି ସ୍ତରର ଶାସନ ବ୍ୟବସ୍ଥା ପ୍ରଚଳିତ ଅଛି। ଉଦ୍ଦେଶ୍ୟ, ଜନସାଧାରଣଙ୍କ କଲ୍ୟାଣ ଏବଂ ଉନ୍ନତି ପାଇଁ ଏକ ସ୍ବଚ୍ଛ ତଥା ଉତ୍ତରଦାୟୀ ବ୍ୟବସ୍ଥା। କେନ୍ଦ୍ର ଓ ରାଜ୍ୟ ସରକାର ବଡ଼ ସଂସ୍ଥା। ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା (ଅର୍ବାନ୍‌ ଲୋକାଲ ବଡିଜ୍‌- ୟୁଏଲବି) ହେଲେ ତୃଣମୂଳ ସ୍ତରର ସଂସ୍ଥା। ଆଶା କରାଯାଏ, ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ତୁଳନାତ୍ମକ ଭାବେ କମ୍‌ ହୋଇଥିବାରୁ ଏ ସଂସ୍ଥା ସବୁ ଅଧିକ ସ୍ପଷ୍ଟ ଓ ଦକ୍ଷ ହେବେ।

ୟୁଏଲବି କଥା ଦେଖାଯାଉ। ବଡ଼ ସହର ପାଇଁ ମହାନଗର ନିଗମ, ତା’ପରେ ନଗର ନିଗମ ଏବଂ ଛୋଟ ସହର ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ନୋଟିଫାଏଡ ଏରିଆ କାଉନ୍‌ସିଲ- ଏନ୍‌ଏସି)। ଅର୍ଥାତ୍‌ ଏନଏସି ହେଲା ସବୁଠୁ ଛୋଟ ୟୁଏଲବି୍‌। ଏ ଦୃଷ୍ଟିରୁ ବିଚାର କଲେ ଏନଏସି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଏକ ଆଦର୍ଶ ରୂପ ହେବା ଉଚିତ୍‌। ଏନଏସି/ମ୍ୟୁନିସିପାଲିଟି ପାଇଁ ଆଇନ୍‌ ହେଲା ‘ଓଡ଼ିଶା ମ୍ୟୁନିସିପାଲିଟି ଆଇନ ୧୯୫୦’ ଏବଂ ପ୍ରଯୁଯ୍ୟ ରୁଲ୍‌ ହେଲା ‘ଓଡ଼ିଶା ମ୍ୟୁନିସିପାଲ୍‌ ରୁଲ୍ସ ୧୯୫୩’। ବର୍ତ୍ତମାନ ନିୟମ ଅନୁସାରେ ଚେୟାରମ୍ୟାନ୍‌ (ଏବଂ କାଉନ୍‌ସିଲରମାନେ) ସିଧାସଳଖ ନିର୍ବାଚିତ ହେବେ। ପ୍ରତି ସହରକୁ କିଛି ୱାର୍ଡରେ ବିଭକ୍ତ କରାହୁଏ। ପ୍ରତ୍ୟେକ ୱାର୍ଡରୁ ଜଣେ କାଉନସିଲର ନିର୍ବାଚିତ ହେବେ। ନିର୍ବାଚନ ମୁଖ୍ୟତଃ ରାଜନୈତିକ ଦଳ ଭିତ୍ତିକ ହୋଇଥାଏ। ତେଣୁ ଅନେକ ସମୟରେ ୟୁଏଲ୍‌ବି ନିର୍ବାଚନ ରାଜନୈତିକ ବଳ କଷାକଷିର ଅଙ୍ଗ ହୋଇପଡ଼େ।

ତୃଣମୂଳ ସ୍ତରରୁ ୱାର୍ଡ କାଉନ୍‌ସିଲର୍‌ ହେଲେ ଏନ୍‌ଏସିରେ ଗୋଟିଏ ନିର୍ଦିଷ୍ଟ ୱାର୍ଡର ଜନପ୍ରତିନିଧି। ଆଇନର ଧାରା ୧୭ଏ ଅନୁସାରେ ଜଣେ କାଉନ୍‌ସିଲର୍‌ ପ୍ରାର୍ଥୀ ନିର୍ବାଚନରେ ସର୍ବାଧିକ ପଚାଶ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚିତ ହେଲେ ତାଙ୍କୁ କିଛି ଦରମା ମିଳିବ ନାହିଁ (ଧାରା ୪୦)। ରୁଲ ୩୮୭ ଅନୁସାରେ ମିଟିଙ୍ଗ୍‌ରେ ବସିବା ବାବଦକୁ ଫି ଆକାରରେ ଦେଢ଼ଶହ ଟଙ୍କା ମିଳିବ। ପରିଷଦ ଅଧୀନରେ ହେଉଥିବା ଠିକା କାମରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଅଂଶୀଦାର ହୋଇପାରିବେ ନାହିଁ। ତେବେ କାଉନ୍‌ସିଲର କରିବେ କ’ଣ? କାଉନ୍‌ସିଲର ହୋଇଥିବା ହେତୁ ପରିଷଦର ବିଭିନ୍ନ ମିଟିଙ୍ଗରେ ଭାଗନେଇ ନିଜସ୍ବ ମତାମତ ରଖିପାରିବେ ଏବଂ ଭୋଟ ଦେଇପାରିବେ। ଧାରା ୫୭ ଏ (୧) ଅଧୀନରେ ଗଠିତ ୱାର୍ଡ କମିଟିର ସେ ସଭାପତି ହେବେ। ଧାରା ୫୭ (ବି)ରେ ୱାର୍ଡ କମିଟିଙ୍କ କାର୍ଯ୍ୟାବଳୀ (ଫଙ୍କ୍‌ସନ୍‌)ର ଉଲ୍ଲେଖ ଅଛି। ଏସବୁ କାର୍ଯ୍ୟାବଳୀ ହେଲା ବର୍ଜ୍ୟବସ୍ତୁ ପରିଚାଳନାରେ ସାହାଯ୍ୟ କରିବା, ଉନ୍ନିତିମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ତା’ର କାର୍ଯ୍ୟାନ୍ବୟନରେ ସାହାଯ୍ୟ କରିବା, ସ୍ବଚ୍ଛତା କାର୍ଯ୍ୟ ତଦାରଖ କରିବା- ଏଭଳି ଏଗାରଟି କାର୍ଯ୍ୟ। ଏହାଛଡ଼ା, ଧାରା ୫୭-ସି (୧)ରେ ୱାର୍ଡ କମିଟିଙ୍କ ଦଶଟି ଦାୟିତ୍ବ (ରେସପନ୍ସିବିଲିଟି) ନିର୍ଦ୍ଧାରଣ କରାହୋଇଛି। ଏଥିରେ ୱାର୍ଡ ପାଇଁ ବାର୍ଷିକ ବଜେଟ୍‌ ତିଆରି, ରାସ୍ତାଘାଟ ନିର୍ମାଣ, ମରାମତି ଇତ୍ୟାଦି ଅନ୍ତର୍ଭୁକ୍ତ। ଉପଧାରା ଦୁଇରେ ୱାର୍ଡ କମିଟିକୁ ତାଙ୍କ କାର୍ଯ୍ୟ ଓ ଦାୟିତ୍ବ ନିର୍ବାହ ପାଇଁ ଇଓଙ୍କ ପାଖରୁ ତଥ୍ୟ ଆଣିବାର ଅଧିକାର ଦିଆଯାଇଛି। ଏସବୁ ନ୍ୟାୟିକ ପ୍ରାବଧାନକୁ ଦେଖିଲେ କାଉନ୍‌ସିଲରମାନେ ନିଃସ୍ବାର୍ଥ ସେବାର ପ୍ରତୀକ ହେବା ଉଚିତ। ବର୍ତ୍ତମାନ ଦେଖିବା ଏନଏସି / ମ୍ୟୁନିସିପାଲିଟିର କାମ କ’ଣ। ଧାରା ୧୧୭ରେ ‘ମ୍ୟୁନିସିପାଲ୍‌ ଫଣ୍ଡ୍‌’ ବ୍ୟବହାର ପାଇଁ ଚାଳିଶଟି ବିଷୟ ଉଲ୍ଲେଖ କରାହୋଇଛି। ଏଥିରେ ରାସ୍ତା, ପାର୍କ ଆଦି ତିଆରି/ମରାମତି, ଜଳଯୋଗାଣ, ପରିମଳ ବ୍ୟବସ୍ଥା, ଶିକ୍ଷକଙ୍କ ତାଲିମ, ବଜାରହାଟର ରକ୍ଷଣାବେକ୍ଷଣ ଇତ୍ୟାଦି ଅନ୍ତର୍ଭୁକ୍ତ। ଧାରା ୩୭୪ (ଏ)ରେ ନିଗମ/ଏନଏସିର କ୍ଷମତା (ପାୱାର)ର ବର୍ଣ୍ଣନା ଅଛି। ଏଥିରେ ମୋଟ ନ’ଟି ବିଷୟ ଅଛି। ତେଣେ ଧାରା ୩୭୪ (ବି)ରେ ନିଗମ/ଏନଏସି ପାଇଁ କୋଡ଼ିଏଟି ନିର୍ଦିଷ୍ଟ କର୍ତ୍ତବ୍ୟ (ଡ୍ୟୁଟି) ନିର୍ଦ୍ଧାରଣ କରା ହୋଇଛି।

ଅର୍ଥାତ୍‌ ନିଗମ/ଏନଏସିର କାର୍ଯ୍ୟକ୍ଷେତ୍ର; ସୁନିର୍ଦିଷ୍ଟ। ଏଥିପାଇଁ ଅର୍ଥ ଆବଶ୍ୟକ। ଏଣୁ ଆଇନରେ ଏସବୁ ସଂସ୍ଥା ପାଇଁ ‘ବଜେଟ୍‌’ର ବ୍ୟବସ୍ଥା ଅଛି। ଧାରା ୧୦୪-୧୧୩ ଏବଂ ରୁଲ୍‌ ୭୪-୮୦ରେ ବଜେଟ୍‌ କେମିତି ଆଗତ ହେବ, କେମିତି ଜନସାଧାରଣଙ୍କ ମତ ନିଆଯିବ, ସରକାର କେମିତି ସ୍ବୀକୃତି ପ୍ରଦାନ କରିବେ- ଏ ସବୁ ବିଷୟ ସ୍ପଷ୍ଟ ଭାବରେ ଲେଖାହୋଇଛି। ସରକାର ଅନୁଦାନ ଛଡ଼ା ସ୍ବୟଂ ସଂପୂର୍ଣ୍ଣ ହେବାପାଇଁ ଏ ସଂସ୍ଥାମାନଙ୍କୁ ନିଜସ୍ବ ପାଣ୍ଠି ଆବଶ୍ୟକ। ଏଣୁ ନିଗମ/ଏନଏସି ମାନଙ୍କୁ ଟିକସ ଲାଗୁ ଏବଂ ଆଦାୟ କରିବାର ଅଧିକାର ଦିଆହୋଇଛି। ଧାରା ୧୩୧/୧୩୨ ଅନୁସାରେ ୟୁଏଲ୍‌ବି ଘର ଜମି ଉପରେ ସମ୍ପତ୍ତି (ପ୍ରତିଟି) ଟିକସ, ଜଳକର, ଅଗ୍ନିକର, ରାସ୍ତା ପାଇଁ ଟୋଲ ଇତ୍ୟାଦି ଆଦାୟ କରି ପାରିବେ। ସମ୍ପତ୍ତି ଟିକସ ଉପରେ ବିବାଦ ଉପୁଜେ। ଏଥିପାଇଁ ବିଶେଷ ପ୍ରାବଧାନ ଅଛି (ଧାରା ୧୩୩-୧୫୯)।

ଏନ୍‌ଏସିରେ ଆଲୋଚ୍ୟ ବିଷୟରେ ବିବେଚନା ପରେ ଭୋଟାଧିକ୍ୟ ମାଧ୍ୟମରେ ନିଷ୍ପତ୍ତି ଗ୍ରହଣ କରାଯାଏ। (ଧାରା ୬୯)। ସମାନ ସମାନ ଭୋଟ ହୋଇଗଲେ ଚେୟାରମ୍ୟାନଙ୍କ ‘କାଷ୍ଟିଙ୍ଗ୍‌’ (ନିର୍ଣ୍ଣାୟକ) ଭୋଟ୍‌ରର ଅଧିକାର ଅଛି। ବିଭିନ୍ନ ବିଷୟରେ ଆଲୋଚନା ପାଇଁ ନିୟମିତ ମିଟିଙ୍ଗର ପ୍ରାବଧାନ ଅଛି। ମାସକୁ ଅନ୍ତତଃ ଥରେ ମିଟିଙ୍ଗ ହେବା କଥା। ମିଟିଙ୍ଗ୍‌ ସାଧାରଣତଃ ଚେୟାର୍‌ମ୍ୟାନ ଡାକନ୍ତି। ବିଶେଷ ପରିସ୍ଥିତିରେ କାଉନ୍‌ସିଲର ମିଟିଙ୍ଗ୍‌ ଡାକି ପାରନ୍ତି (ଧାରା୬୪)। ଆଲୋଚନାରେ ସଦସ୍ୟଙ୍କ ପ୍ରଶ୍ନ ପଚାରିବାର (ରୁଲ୍‌ ୧୪), ସଂଶୋଧନ ପ୍ରସ୍ତାବ ଆଗତ କରିବାର (ରୁଲ ୧୫-୨୫), ପ୍ରତିବାଦ/ଅସହମତି ପ୍ରକାଶ କରିବାର (ରୁଲ୍‌ ୩୨-୩୪) ତଥା ସ୍ଥାପନ ପ୍ରସ୍ତାବ ଆଗତ କରିବାର (ରୁଲ ୩୫-୩୭) ଅଧିକାର ଅଛି। ସବୁ ସଦସ୍ୟଙ୍କ ବିଶେଷତଃ ବିରୋଧୀଗୋଷ୍ଠୀ ପାଇଁ, ଏସବୁ ନ୍ୟାୟସଙ୍ଗତ ଏବଂ ଫଳପ୍ରଦ ଅସ୍ତ୍ର।

ୟୁଏଲ୍‌ବି ଅଧୀନରେ ପୂର୍ତ୍ତ କାମ ବିଶେଷ ଆକର୍ଷଣ ଓ ବିବାଦର ବିଷୟ। ଏସବୁ କାମ ସାଧାରଣତଃ ଠିକାଦାରଙ୍କ ଦ୍ବାରା ସମ୍ପନ୍ନ ହୋଇଥାଏ। ଧାରା ୩୭୮ରେ ଚେୟାରମ୍ୟାନ୍‌, ଭାଇସ୍‌ ଚେୟାରମ୍ୟାନ, କାଉନସିଲର, ଇଓ ଏବଂ ଏନ୍‌ଏସି ଅଧୀନରେ ନିୟୋଜିତ ଠିକାଦାରମାନଙ୍କୁ ଆଇପିସିର ଧାରା ୨୧ ଅନୁସାରେ ‘ପବ୍ଲିକ ସର୍ଭାଣ୍ଟ’ (ଜନତାଙ୍କ ସେବକ) ଘୋଷଣା କରାହୋଇଛି। ଏନ୍‌ଏସି ଅଧୀନରେ ଚାଲୁଥିବା ଠିକା କାମରେ ଯଦି ଏଭଳି ପବ୍ଲିକ ସର୍ଭାଣ୍ଟଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ଅଂଶଗ୍ରହଣ ଥାଏ ତେବେ ତାଙ୍କୁ ତାଙ୍କ ପଦରୁ ଅଯୋଗ୍ୟ ଘୋଷଣା କରାଯାଇପାରେ (ଧାରା ୩୮୧)। କେବଳ ସେତିକି ନୁହେଁ; ଏଭଳି ଠିକା କାମରେ ଏନଏସିର ‘ପବ୍ଲିକ ସର୍ଭାଣ୍ଟ’ ମାନଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପୃକ୍ତି ଥିଲେ ଉକ୍ତ ପବ୍ଲିକ ସର୍ଭାଣ୍ଟଙ୍କୁ ଆଇପିସିର ଧାରା ୧୬୮ ଅନୁସାରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଅର୍ଥଦଣ୍ଡ ହୋଇପାରେ। ଠିକା କାମ ପାଇଁ ନିର୍ଦିଷ୍ଟ ନିୟମାବଳୀ ଅଛି, ଯଥା କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ଗାଇଡ୍‌ଲାଇନ୍‌, ଓଡ଼ିଶା ପବ୍ଲିକ୍‌ ୱାର୍କ୍ସ ଡିପାର୍ଟମେଣ୍ଟ ବୋର୍ଡ଼ (ଓଡ଼ିଶା ପୂର୍ତ୍ତ ବିଭାଗ ନିୟମାବଳୀ)। ଓଡ଼ିଶା ମ୍ୟୁନିସିପାଲିଟି ଆଇନ୍‌ / ରୁଲ୍‌ ଇତ୍ୟାଦି। ଏପରି କି ଛୋଟ ଠିକା କାମ ପାଇଁ ମଧ୍ୟ ଏନଏସି ଅଫିସରେ ନୋଟିସ ଦେବାର ନିୟମ ଅଛି। ଅର୍ଥାତ୍‌ ଠିକାକାମ ସ୍ବଚ୍ଛ ଏବଂ ଉଚ୍ଚମାନର ହେବା ଉଚିତ। ଏନ୍‌ଏସିର ଦୁଇ ପ୍ରମୁଖ ପଦାଧିକାରୀ ହେଲେ ଚେୟାର୍‌ମ୍ୟାନ୍‌ ଏବଂ ଇ ଓ। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ପ୍ରଶାସନରେ ଉଭୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି। ଉପଭୋକ୍ତ କଟକଣା ବ୍ୟତୀତ ଉଭୟଙ୍କ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ କାର୍ଯ୍ୟାଳୟ/ପ୍ରଶାସନ ପରିଚାଳନା କ୍ଷେତ୍ରରେ ‘କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍‌ରେଷ୍ଟ’ (ସ୍ବାର୍ଥ ଜନିତ ଅବରୋଧ) ଯେମିତି ନ ହେଉ ସେଥିପ୍ରତି ସଜାଗ ରହିବା ଉଚିତ। ଏହା ମୁଖ୍ୟତଃ ଏକ ନୈତିକ ପ୍ରଶ୍ନ।

ଏନଏସି ରାଜ୍ୟ ସରକାରଙ୍କ ଏକ ଛୋଟ ସ୍ବରୂପ। ଏଠି ନିର୍ବାଚିତ ପ୍ରତିନିଧି ଅଛନ୍ତି, ଅମଲାତନ୍ତ୍ର ମଧ୍ୟ ଅଛି। ନିର୍ବାଚିତ ପ୍ରତିନିଧିଙ୍କ ମୁଖ୍ୟ ହେଲେ ଚେୟାରମ୍ୟାନ୍‌। ଅମଲାତନ୍ତ୍ରର ମୁଖ୍ୟ ହେଲେ ଇଓ। ଏଣେ ନିର୍ବାଚିତ ପ୍ରତିନିଧି (କାଉନ୍‌ସିଲର)ମାନେ ଚେୟାରମ୍ୟାନଙ୍କ ଦଳର ଅର୍ଥାତ୍‌ ଶାସକ ଦଳର ଏବଂ ଅନ୍ୟମାନେ ବିରୋଧୀଦଳର ହୋଇପାରନ୍ତି। ରାଜ୍ୟ ସରକାରଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ କିଛି ଭୂମିକା ଅଛି। ସେହିପରି ଏନଏସି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଅଛି। ତେଣୁ ନିର୍ବାଚିତ ପ୍ରତିନିଧି, ଇଓ ତଥା ତାଙ୍କ ଅଧୀନସ୍ଥ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ସମନ୍ବୟରେ ଏନଏସି ପରିଚାଳିତ ହୁଏ।

ଉପସଂହାରକୁ ଆସିବା। ୟୁଏଲ୍‌ବି ହେଲା ତୃଣମୂଳସ୍ତରର ଗଣତନ୍ତ୍ର ଏବଂ ତିନି ସ୍ତରୀୟ ଶାସନ ବ୍ୟବସ୍ଥାର ନିମ୍ନତମ ସ୍ତର। ଗୋଟିଏ ସହରର ନିୟମାନୁସାରେ ସୁପାରିଚାଳନା, ଉନ୍ନୟନମୂଳକ କାର୍ଯ୍ୟ ଇତ୍ୟାଦି ହେଲା ଏନ୍‌ଏସିର ଦାୟିତ୍ବ। ସହରବାସୀଙ୍କ ପ୍ରତିନିଧିମାନେ ଏଥିରେ ପ୍ରତ୍ୟକ୍ଷଭାବେ ଜଡ଼ିତ। ଜଣେ ନାଗରିକ ସାଂସଦ, ଏମଏଲଏ, ଚେୟାରମ୍ୟାନ ଏବଂ କାଉନସିଲର୍‌ ନିର୍ବାଚନ କରନ୍ତି। ଚାରିଜଣଯାକ ଭୋଟର-ନାଗରିକ ପାଖରେ ଉତ୍ତରଦାୟୀ। ଭୋଟରଙ୍କ ଦୃଷ୍ଟିରୁ ଦେଖିଲେ ନିକଟତମ ପ୍ରତିନିଧି ହେଲେ କାଉନ୍‌ସିଲର; ତା’ପରେ ଚେୟାରମ୍ୟାନ୍‌, ତା’ ପରେ ଏମଏଲଏ ଏବଂ ତା’ପରେ ସାଂସଦ। କାର୍ଯ୍ୟତଃ, କାଉନ୍‌ସିଲରଙ୍କ ସହ ଭୋଟର-ନାଗରିକଙ୍କ ନିରନ୍ତର ସଂଳାପ ବିଧେୟ। ୱାର୍ଡ କମିଟି ସବୁଠୁ ଛୋଟ ସଂସ୍ଥା। ୱାର୍ଡ କମିଟି କ’ଣ ଏବଂ କେମିତି କାମ କରୁଛି ନାଗରିକମାନେ ବୁଝିବା ଉଚିତ। ଏନ୍‌ଏସିର କାର୍ଯ୍ୟକଳାପ ବିଷୟରେ କୌଣସି ପ୍ରଶ୍ନଥିଲେ ପ୍ରଥମେ ନିଜ କାଉନ୍‌ସିଲରଙ୍କୁ ପଚାରିବା ଦରକାର। ଏହା ହିଁ ଅସଲ ତୃଣମୂଳ ସ୍ତରର ଗଣତନ୍ତ୍ର। ୱାର୍ଡ କମିଟି କ୍ରିୟାଶୀଳ ହେବା ଜରୁରୀ। ଏଣୁ ପ୍ରଥମେ ୱାର୍ଡ କମିଟି ଏବଂ ତା’ପରେ ଏନ୍‌ଏସି ହେଲା ତୃଣମୂଳ ସ୍ତରର ଗଣତନ୍ତ୍ରର ପ୍ରତୀକ।

Comments are closed.