ଭିନ୍ନ ଏକ ଭାବନା

ଜିତେନ୍ଦ୍ରନାଥ ଗୁରୁ

ବୃହଦାରଣ୍ୟକ ଉପନିଷଦରେ ତିନୋଟି ଚରିତ୍ର ଆମର ଦୃଷ୍ଟିପଥକୁ ଆସନ୍ତି – ଯାଜ୍ଞବଳ୍‌କ୍ୟ ଏବଂ ତାଙ୍କର ଦୁଇ ସହଧର୍ମିଣୀ ମୈତ୍ରେୟୀ ଓ କାତ୍ୟାୟନୀ। ସନ୍ନ୍ୟାସ ନେବାର ଅଭୀପ୍ସା ନେଇ ମୁନି ଯାଜ୍ଞବଳ୍‌କ୍ୟ ଜ୍ୟେଷ୍ଠା ପତ୍ନୀ ମୈତ୍ରେୟୀଙ୍କର ଅନୁମତି ନେବାକୁ ଆସିଛନ୍ତି ଆଉ ଜଣାଉଛନ୍ତି ତାଙ୍କ ମନକଥା ଯାହାକିଛି ବି ସମ୍ପତ୍ତି ଅଛି ଉଭୟଙ୍କ ମଧ୍ୟରେ ସମଭାବରେ ବାଣ୍ଟିଦେବାକୁ। ମୈତ୍ରେୟୀ ଭକ୍ତିଭାବପୂର୍ଣ୍ଣ ହୃଦୟରେ ଧର୍ମାନୁରାଗୀ ଥିଲେ ତଥା କାତ୍ୟାୟନୀ ପତ୍ନୀର ସବୁପ୍ରକାର ସ୍ବଭାବ ସୁଲଭ ସାମର୍ଥ୍ୟ ଗୁଣ ବହନକରି ଗୃହକର୍ମରେ ନିଜକୁ ତଲ୍ଲୀନ କରି ରଖୁଥିଲେ। ପତିଙ୍କ ବାକ୍ୟ ଶ୍ରବଣ କରି ମୈତ୍ରେୟୀ ଜାଣିବାକୁ ଚାହାନ୍ତି କ’ଣ ସେ ସଂସାରର ସକଳ ଧନ ସଂପତ୍ତିର ମାଲିକାଣୀ ହେବା ପରେ ଅମରତ୍ବକୁ ପ୍ରାପ୍ତ ହୋଇପାରିବେ। ଜ୍ଞାନୀ ଯାଜ୍ଞବଳ୍‌କ୍ୟ ସ୍ପଷ୍ଟୀକରଣ କରନ୍ତି ଧନସମ୍ପଦ ଭୋଗି ଚାଲିଥିବା ଜୀବନ ଯେଉଁ ହିସାବରେ ଚାଲିଛି ସେହିଭଳି ଚାଲିଥିବ। ସେଥିରୁ ଅମୃତତ୍ବ ଆଶା କରିବା ବୃଥା ପ୍ରୟାସ ମାତ୍ର। ମୈତ୍ରେୟୀ ସହଜ ଢଙ୍ଗରେ ଭିନ୍ନ ଭାବନାର ବଶବର୍ତ୍ତୀ ହୋଇ ଏବଂ ସମ୍ପତ୍ତିର ମୋହରୁ ନିଜକୁ ନିବୃତ୍ତ ରଖି ସେହି ଜ୍ଞାନ ହାସଲ କରିବାକୁ ଚାହିଁଛନ୍ତି ଯାହାଦ୍ବାରା ସେ ଅଳୀକ ନୁହେଁ ବରଂ ଶାଶ୍ବତ ସୁଖ ପାଇପାରିବେ। ସ୍ଥିର କରିଛନ୍ତି କାତ୍ୟାୟନୀଙ୍କୁ ଗୃହ ଦାୟିତ୍ବ ଅର୍ପଣ କରି ସ୍ବାମୀଙ୍କ ସହିତ ସେ ମଧ୍ୟ ସନ୍ନ୍ୟାସର ପଥରେ ଯିବେ ତଥା ପରମ ଶାନ୍ତିର ଅଧିକାରୀ ହେବେ, ଆତ୍ମା ଆଉ ପରମାତ୍ମାଙ୍କ ଅନୁଶୀଳନରେ ଲାଗିପଡିବେ। ଏଠି ଦେଖିବାକୁ ପାଉ ଭିନ୍ନ ଏକ ମାନସିକତା ଯାହା ସମସ୍ତଙ୍କଠାରେ ସମ୍ଭବପର ନୁହେଁ।

ମନୁଷ୍ୟ ସାଧାରଣତଃ କୌଣସି କାର୍ଯ୍ୟରେ ନିଜକୁ ସମ୍ପୃକ୍ତ କରେ ପେଟ ପୋଷିବାକୁ, ସୁଖଶାନ୍ତି ପାଇବାକୁ, ସନ୍ତୋଷ ହାସଲ କରିବାକୁ। ମାତ୍ର ତା’ର ଚିନ୍ତନ ସଙ୍କୁଚିତ ହେଲେ ସେ ଜାଣିପାରେ ନା ସୁଖୀ ଜୀବନ କେଉଁଟା। ଏବେ ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟା ବଳରେ ସବୁ ପ୍ରକାରର ସାଧନ ଉପଲବ୍ଧ ସୁଖ ସୁବିଧାର ଅଧିକାରୀ ହେବାକୁ। ଉପଭୋଗର ପରିସର ବଢ଼ି ବଢ଼ି ଚାଲିଛି, ଅତ୍ୟଳ୍ପ ପରିଶ୍ରମରେ ବହୁତ କିଛି ସୁଲଭ ହୋଇପାରୁଛି। ତା ସହିତ କ୍ଷଣିକର ଉନ୍ମାଦନାକୁ ସୁଖ ମନେକରି ଅଗ୍ରସର ହେଲା ବେଳକୁ ବିକଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ମଧ୍ୟ। ସବୁ ଥାଇ ସୁଦ୍ଧା କିଛି ନଥିବାର ପ୍ରତ୍ୟୟ ସୃଷ୍ଟି ହେଉଛି, ଅଧିକ ପ୍ରାପ୍ତିର ଜିଜୀବିଷା ବ୍ୟକ୍ତିକୁ ବ୍ୟତିବ୍ୟସ୍ତ କରି ପକାଉଛି, ପ୍ରାପ୍ତ ସୁଖର ଲାଳିମା ଅନ୍ୟର ଶିରୀକୁ ଅବଲୋକନ କରି ମଳିନ ହୋଇଯାଉଛି। ଚାଲିଚଳନର କ୍ରିୟାବିଧିକୁ ଦେଖି ମନେହୁଏ ନାହିଁ ଦୁନିଆରେ ଆମର ରହଣି ଦୁଇଦିନିଆ, ବୋଧହୁଏ ଆମେ ଦୃଢ଼ୀକୃତ ଏଇଠି ସବୁଦିନ ପାଇଁ ବଞ୍ଚି ରହିଥିବୁ। ଟିକିଏ ଭିନ୍ନ ଭାବନାରେ ରହିଲେ ଆଦି ଶଙ୍କରାଚାର୍ଯ୍ୟଙ୍କର ଉକ୍ତି ଉଚିତ ମନେହୁଏ, “ମା କୁରୁ ଧନଜନଯୌବନଗର୍ବଂ, ହରତି ନିମେଷାତ୍ କାଳଃ ସର୍ବମ୍ – ଐଶ୍ୱର୍ଯ୍ୟ, ପ୍ରତିପତ୍ତି, ଯୌବନକୁ ନେଇ ଗର୍ବୋନ୍ମତ୍ତ ହୁଅନା; ସମୟ ନିମିଷକେ ସେସବୁ ହରଣ କରିନେଇଥାଏ”। ଏହି ସତ୍ୟକୁ ଅଣଦେଖା କରି ଆଡ଼େଇ ଦେଲେ ତାହା ନିଜର ହିଁ କ୍ଷତି ସାଧନ କରିବ। ଦୁଃଖରୁ ମୁକ୍ତ ହେବାର ପ୍ରଚେଷ୍ଟା ନିରର୍ଥକ, ସତ୍ୟକୁ ଯେତେବେଳ ଯାଏ ଗ୍ରହଣ କରାନହୋଇଛି। ସୁଖ ଏବଂ ଦୁଃଖ ଜୀବନର ଅବସ୍ଥା ବିଶେଷ ମାତ୍ର। ସୁଖ ଅଛି ମାନେ ଦୁଃଖ ବି ରହିବ – ଏହା ଆମେ ବିସ୍ମୃତ ହେବାକୁ ଶ୍ରେୟ ମନେକରୁ। ଏହା ବୁଝିବାକୁ ସେମାନେ ସକ୍ଷମ ଯେଉଁମାନେ ଭିନ୍ନ ଏକ ଭାବନାରେ ନିଜର ବାହ୍ୟ ଆଉ ଅନ୍ତର୍ନିହିତ ଗୁଣକୁ ସମତୁଲ କରି ରଖିପାରନ୍ତି। ସେହି ଭିନ୍ନ ଭାବନା ସେମିତି ଜନ୍ମ ହେବାମାତ୍ରେ ଆସିନଥାଏ। ତା ପାଇଁ ଆବଶ୍ୟକ ଶୃଙ୍ଖଳା, ସମୁଚିତ ଶିକ୍ଷା, ସଂସ୍କାର। ସେ ଭାବନା ଆସିପାରିବ ସ୍ବୀୟ ମନୋବଳକୁ ବାତାବରଣ ସହ ସୁଗଠିତ ଭାବେ ସଂଯୋଜନା କରିପାରିଲେ।

‘ମୁଁ’ ‘ମୋର’ – ଏପରି ଅହଂ ଭାବନା ମନୁଷ୍ୟର ଅଧୋଗତିର କାରଣ ଯାହା ଗୀତାରେ ସୁସ୍ପଷ୍ଟ। “ଇଦମ୍ ଅଦ୍ୟ ମୟା ଲବ୍ଧମ୍ ଇମଂ ପ୍ରାପ୍ସ୍ୟେ ମନୋରଥମ୍, ଇଦମ୍ ଅସ୍ତିଦମ୍ ଅପି ମେ ଭବିଷ୍ୟତି ପୁନର୍ଧନମ୍” – ‘‘ଏହା ଆଜି ମୁଁ ଲାଭ କରିଛି, ଏଥିରେ ମୁଁ ମୋ ମନୋରଥ ପ୍ରାପ୍ତ ହେବି, ଏହା ମୋର ଏବଂ ଆଗକୁ ମଧ୍ୟ ଏହି ଧନ ବିଭବ ମୋର ହିଁ ହୋଇ ରହିବ।” ସମ୍ପତ୍ତି ଭୌତିକ ଅଭାବକୁ ପୂର୍ଣ୍ଣ କରିଥାଏ, ଦୁଃଖ ଦୁର୍ଦଶାରୁ କିଛି କ୍ଷଣ ପର୍ଯ୍ୟନ୍ତ ଆଶ୍ବସ୍ତ କରିପାରେ, କଷ୍ଟର ସାମୟିକ ଉପଶମରେ ସହାୟକ ସିଦ୍ଧ ହୋଇଥାଏ – ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ହେଲେ ମନୁଷ୍ୟ ମନକୁ ନେଇ ବେଦ ଉପଦେଶ ଦିଏ ‘ମନୁର୍ଭବ’ – ‘ମନୁଷ୍ୟ ହୁଅ’, ‘ମନନଶୀଳ ହୁଅ’। ଦିବାଲୋକରେ ଲଣ୍ଠନ ସହାୟତାରେ କିଛିଟାର ସନ୍ଧାନରେ ଥିବା ଦାର୍ଶନିକଙ୍କୁ ଯେତେବେଳେ ପ୍ରଶ୍ନ କରାଯାଏ ଏତେ ଜ୍ଞାନୀ ହୋଇ ମଧ୍ୟ ସେ ସୂର୍ଯ୍ୟଙ୍କ ତେଜୀୟାନ ଆଲୋକରେ ଲଣ୍ଠନରେ କ’ଣ ଖୋଜି ଚାଲିଛନ୍ତି ସେ ସହଜ ଉତ୍ତର ଦିଅନ୍ତି, “ମୁଁ ମନୁଷ୍ୟ ଖୋଜୁଛି।” ପ୍ରତିପ୍ରଶ୍ନ ପରେ କ’ଣ ଆମେ ସବୁ ମନୁଷ୍ୟ ନୋହୁଁ ସେ କହନ୍ତି – “ନା ତୁମେ ମନୁଷ୍ୟ ନୁହଁ। ତୁମ ଭିତରୁ କିଏ ବେପାରୀ, କିଏ ଗ୍ରାହକ, କିଏ ମାଲିକ ତ କିଏ ଚାକର, କିଏ ଚାଷୀ, ମୂଲିଆ ତ ଆଉ କିଏ ରାଜକର୍ମଚାରୀ। ତୁମ ଭିତରୁ କେହି ଜଣେ ହେଲେ ମନୁଷ୍ୟ ନୁହଁ।” ଏହା ହିଁ ଏବେକାର ସ୍ଥିତି। ଭିନ୍ନ ଏକ ଭାବନା ଆସିଲେ ଯାଇ ମନୁଷ୍ୟକୁ ଆମେ ପାଇପାରିବା। କଥାଟିଏ ଅଛି ତୁମେ ମଣିଷକୁ ମାଛ ଆଣି ଦିଅ ସେ ଦିନେ ମାତ୍ର ଖାଇବ, ତାହାକୁ ଶିକ୍ଷିତ କର କିପରି ମାଛ ଧରାଯାଏ ସେ ସବୁଦିନ ପାଇଁ ଖାଇବ – ‘Give a man a fish and he eats for a day; teach a man how to fish and he eats forever’।

ସୁଖଶାନ୍ତିର ସଫଳ ଜୀବନ ଜିଇବାକୁ ହେଲେ ପ୍ରତି ମୁହୂର୍ତ୍ତର ଘଟଣା ପ୍ରବାହ ମଧ୍ୟରେ ନିଜକୁ ନିଜେ ଆକଳନ କରିବାକୁ ହେବ। ଆବଶ୍ୟକ କ୍ଷେତ୍ରରେ ନିଜକୁ ସୁଧାରିବା ଜରୁରୀ ଅଟେ। କେବଳ ଗତାନୁଗତିକ ପୁରୁଣା ଢଙ୍ଗରେ ଅନୁଧାବନ କଲେ ପଛେଇଯିବା ସୁନିଶ୍ଚିତ। ସମୟ ସମୟରେ ଛୋଟ କଥା ହେଲେ ମଧ୍ୟ ତାହା ଗତିପଥ ପରିବର୍ତ୍ତନର କାରଣ ହୋଇଥାଏ। ରାସ୍ତା କଡ଼ରେ ଅନ୍ଧ ପିଲାଟି ସାହାଯ୍ୟ ନିମନ୍ତେ ବସିଛି। ନିକଟରେ ଟୋପିଟିକୁ ରଖିଛି। ଆଉ ଏକ କାଠପଟାରେ ଲେଖିରଖିଛି – ‘ମୁଁ ଅନ୍ଧ, ଦୟାକରି ମୋତେ ସାହାଯ୍ୟ କର।’ ଏ ପର୍ଯ୍ୟନ୍ତ ମାତ୍ର ସ୍ବଳ୍ପ ମୁଦ୍ରା ଟୋପିରେ ପଡ଼ିଛି। ହୃଦୟବାନ ବ୍ୟକ୍ତି ଜଣେ ସେପଟେ ଯାଉଥିବା ବେଳେ ଅନ୍ଧ ବାଳକକୁ ଦେଖି ଟିକିଏ ରହିଗଲେ। କିଛି ମୁଦ୍ରା ନିଜ ପକେଟରୁ ବାହାର କରି ଟୋପିରେ ଥୋଇଲେ ଏବଂ ଲେଖା ହୋଇଥିବା କାଠପଟା ଆଣି କିଛି ନୂଆ ବାକ୍ୟ ସେଠାରେ ଲେଖି ସେହି ସ୍ଥାନରେ ପୁଣି ରଖିଦେଲେ ଯେଭଳି ଯିବାଆସିବା ଲୋକ ତାକୁ ସ୍ପଷ୍ଟ ଭାବରେ ଦେଖିପାରିବେ। ଖୁବ୍ ଶୀଘ୍ର ଟୋପି ମୁଦ୍ରା ଓ ନୋଟରେ ପୂର୍ଣ୍ଣ ହେବା ଆରମ୍ଭ କଲା। ଅଧିକରୁ ଅଧିକ ବ୍ୟକ୍ତି ତା’କୁ ସାହାଯ୍ୟ କରିବାରେ ଲାଗିପଡିଲେ। ଦ୍ବିପହରରେ ସେହି ସୁହୃଦ୍‌ ବନ୍ଧୁ ଯିଏ ନୂଆ କିଛି ଲେଖିଥିଲେ ସକାଳର ଅବସ୍ଥାରେ କିଛି ସୁଧାର ହୋଇଛି ନା ନାହିଁ ଜାଣିବା ସକାଶେ ସେଠିକୁ ଫେରିଆସନ୍ତି। ପଦଚାରଣ ଶବ୍ଦରୁ ଅନ୍ଧ ତାଙ୍କୁ ଚିହ୍ନିପାରି ପଚାରେ ଏପରି କ’ଣ ସେ କଲେ ଯେ ସକାଳର ସ୍ଥିତିରେ ଏଡ଼େବଡ଼ ପରିବର୍ତ୍ତନ ଘଟିତ ହେଲା। ବ୍ୟକ୍ତି ଜଣକ ପିଲାକୁ ବୁଝାନ୍ତି – “କେବଳ ଯାହା ସତ୍ୟ ତାହା ଲେଖିଥିଲି। ତୋ ଲେଖିଥିବା ସେହି ବାକ୍ୟ, ସାମାନ୍ୟ ଭିନ୍ନ ଭାବରେ- “ଆଜି ଅତୀବ ସୁନ୍ଦର ଦିନଟିଏ, ହେଲେ ମୁଁ ତାହା ଉପଭୋଗ କରିପାରୁନାହିଁ।” ପିଲା ଲେଖିଥିବା ଆଉ ଏହି ଭିନ୍ନ ଲେଖାର ଭାବ ସୂଚାଏ ସେ ଅନ୍ଧ। ପ୍ରଥମ ଲେଖା ସାହାଯ୍ୟ ଭିକ୍ଷା କରୁଛି, ନିଜ ଦୁରବସ୍ଥା ବିଷୟରେ ଅବଗତ କରାଉଛି। ଭିନ୍ନ ଲେଖା ସହାନୁଭୂତି ସୃଷ୍ଟି କରୁଛି, ଦର୍ଶକ ମନରେ ସମବେଦନା ଜାଗ୍ରତ କରୁଛି। ଯିଏ ତାହା ପଢୁଛି ସେ ବାଳକର ସ୍ଥାନରେ ନିଜକୁ ଥୋଇ ଭାବୁଛି ଏତେ ମନୋରମ ପରିବେଶ ଅଥଚ ସଂସାରକୁ ସେ ଅନୁଭବ କରିପାରୁନାହିଁ। ହୃଦୟର କାତରତା ତାକୁ କିଛି ନଦେଇ ରହିପାରୁନାହିଁ। ସେ ବୁଝିପାରୁଛି ଭାଗ୍ୟ ତା ସହିତ ଥିବା ଯୋଗୁଁ ସେ ଅନ୍ଧ ନୁହେଁ।

ଯନ୍ତ୍ରଣା ଯେ ସନ୍ତୋଷ ଆଣିପାରେ ନାହିଁ ଏ ପ୍ରକାର ଅବଧାରଣା ତ୍ରୁଟିପୂର୍ଣ୍ଣ। ଉତ୍ତମ କର୍ମପନ୍ଥାରେ ସଂଲଗ୍ନ ରହିବାରେ ହିଁ ପ୍ରଶାନ୍ତି ମିଳିବ। ଯିଏ ଯେଉଁ ବୃତ୍ତିରେ ଥାଉନା କାହିଁକି ନିବିଷ୍ଟ ଚିତ୍ତରେ କର୍ମରେ ସଂପୃକ୍ତ ରହିଲେ ପ୍ରତୀକ୍ଷିତ ଆନନ୍ଦକୁ ଲାଭ କରାଯାଇପାରେ। ଏହି ସ୍ବାର୍ଥ ଭାବନା ‘ମୁଇଁ, ମୋର’ରୁ ଭିନ୍ନ ଏକ ପରାର୍ଥ ଭାବନା ‘ସମସ୍ତେ, ସମସ୍ତଙ୍କର ମଙ୍ଗଳ – ବିନା ଈର୍ଷାରେ, ବିନା ଦ୍ୱେଷରେ’କୁ ଯିବା କ୍ଳାନ୍ତିଜନକ ହେବନାହିଁ ଯଦି ଜଣେ ମନକୁ ଆୟତ୍ତରେ ରଖିପାରିବ,ପ୍ରକୃତ ମନୁଷ୍ୟ ହୋଇପାରିବ।

Comments are closed.