mission shakti banner

ପାଣିରେ ଲାଗିଛି ନିଆଁ

ଜ୍ଞାନ ରଞ୍ଜନ ନାୟକ

BSKY banner  750×100

ନଦ-ନଦୀର ଦେଶ ଭାରତବର୍ଷ। ଗଙ୍ଗା-ଯମୁନା ସମେତ ପ୍ରାୟ ଦଶ ହଜାର ଛୋଟବଡ଼ ନଦୀ ଦେଶ ସାରା ଜାଲ ଭଳି ବିଛେଇ ହୋଇ ରହିଛନ୍ତି। ସୁଜଳା-ସୁଫଳା-ଶସ୍ୟ ଶ୍ୟାମଳାର ଦେଶ ଭାରତବର୍ଷ। ମେଘ ମହ୍ଲାର ଓ ମେଘଦୂତରେ ଦେଶ ଭାରତ। ଦେଶରେ ବାର୍ଷିକ ପ୍ରାୟ ଏଗାର ହଜାର ସାତଶହ ମିଲିମିଟର ବର୍ଷା ହୋଇଥାଏ। ସମଗ୍ର ପୃଥିବୀର ମୋଟ ମଧୁର ଜଳ ଉତ୍ସର ଚାରି ଶତାଂଶ ଭାରତରେ ଉପଲବ୍ଧ। ମୋଟାମୋଟି ଭାରତରେ ଆବଶ୍ୟକତାଠାରୁ ସାମାନ୍ୟ ଅଧିକ ଜଳ ଉପଲବ୍ଧ ହୋଇଥାଏ। ଭାରତର ସ୍ଥଳ ଭାଗର ପରିମାଣ ପୃଥିବୀର ଦୁଇ ଦଶମିକ ପାଞ୍ଚ ଶତାଂଶ ହୋଇଥିବାବେଳେ ଲୋକସଂଖ୍ୟା ପୃଥିବୀ ଲୋକସଂଖ୍ୟାର ଅଠର ପ୍ରତିଶତ ବସବାସ କରିଥାନ୍ତି। ଭୂତଳ ଜଳ ବ୍ୟବହାରରେ ଭାରତ ସର୍ବପ୍ରଥମ। ମୋଟ ଭୂତଳ ଜଳର ୨୫ ପ୍ରତିଶତ ଜଳ ଭାରତ କୃଷି, ଶିଳ୍ପ ଓ ଘରୋଇ କ୍ଷେତ୍ରରେ ବ୍ୟବହାର କରିଥାଏ; କିନ୍ତୁ ବର୍ଷାଜଳର ମାତ୍ର ଶତକଡ଼ା ୨୮ ପ୍ରତିଶତ ସଂରକ୍ଷଣ କରି ବ୍ୟବହାର କରୁଥିବା ବେଳେ ଶତକଡ଼ା ୭୨ ଭାଗ ଜଳ ସମୁଦ୍ରକୁ ପ୍ରବାହିତ ହୋଇଯାଇଥାଏ।

ବିକାଶ ଓ ମଧୁର ଜଳର ଛାଇ ଆଲୁଅର ଲୁଚକାଳି ଖେଳ ଜାରି ରହିଛି। ଦିନ ଥିଲା ଯେଉଁଠି ଯେତେ ପରିମାଣରେ ଜଳ ଉପଲବ୍ଧ ହେଉଥିଲା, ସେଠାରେ ସେହି ହାରରେ ଭୂ-ସାଂସ୍କୃତିକ ସୁସ୍ଥ ଜଳବାୟୁ ଜନିତ ବିକାଶ ଲାଗି ରହିଥିଲା। ସେଥିପାଇଁ ବଡ଼ ବଡ଼ ନଦୀକୂଳରେ ପ୍ରାଚୀନ ସଭ୍ୟତାଗୁଡ଼ିକ ଗଢି ଉଠିଥିଲା। ଏବେ କିନ୍ତୁ ସମୟ ପରିବର୍ତ୍ତନ ହୋଇଛି। ଯେଉଁଠି ଯେତେ ଶିଳ୍ପ, ସହର, ବିକାଶ ହୋଇଛି ସେଠାରେ ନଦୀ, ହ୍ରଦ, ପୋଖରୀ ସମେତ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଉଦାହରଣ ଭାବେ ପଞ୍ଚନଦୀର ରାଜ୍ୟ ପଞ୍ଜାବ କଥା ଦେଖାଯାଉ। ସବୁଜ ବିପ୍ଲବ ପରେ କୃଷି ଉତ୍ପାଦରେ ଏକ ସମୃଦ୍ଧ ରାଜ୍ୟ ଭାବେ ମାନ୍ୟତା ପାଇଥିବା ପଞ୍ଜାବ ରାଜ୍ୟ ଜଳସ୍ତର ଏତେ ନିମ୍ନ ସ୍ତରରେ ପହଞ୍ଚିଲାଣି ଯେ ଆଗାମୀ ୨୦ ବର୍ଷ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଜଳ ବିନିଯୋଗ ହୋଇସାରିଥିବ। ଅଶୀ ଦଶକରେ ଯେଉଁଠି ସତୁରି ଫୁଟ ତଳୁ ପାଣି ବାହାରୁଥିଲା, ଏବେ ସେଠାରେ ସାତଶହରୁ ବାରଶହ ଫୁଟ ପର୍ଯ୍ୟନ୍ତ ଖୋଳିବାକୁ ପଡ଼ୁଛି। ଭାରତର ଡେଟ୍ରୟଟ କୁହାଯାଉଥିବା ଚେନ୍ନାଇ ସହରର ୨୦୧୮ ମସିିହାରେ ଜଳ ସଙ୍କଟ ଏତେ ଉଗ୍ର ରୂପ ନେଇଥିଲା ଯେ, ସେଠାକାର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିଲା। ସୂଚନା ଓ ପ୍ରଯୁକ୍ତି କମ୍ପାନୀଗୁଡ଼ିକ ସେମାନଙ୍କର କର୍ମଚାରୀଙ୍କୁ ଅଫିସ୍‍ ନ ଆସି ଘରେଥାଇ କମ୍ପ୍ୟୁଟର ମାଧ୍ୟମରେ କାର୍ଯ୍ୟ କରିବାକୁ ନି​‌େ​‌ର୍ଦଶ ଦେଲେ।

ସିମ୍‍ଳା ସହରର ଜଳ ସଂକଟ ଯୋଗୁଁ ସେଠାକାର ନାଗରିକ ସମାଜ ପର୍ଯ୍ୟଟକମାନଙ୍କୁ ସିମ୍‍ଳା ନ ଆସିବାକୁ ନିବେଦନ କରୁଛନ୍ତି। ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ମହାନଗରଗୁଡ଼ିକର ସମାନ ଅବସ୍ଥା। ନିତି ଆୟୋଗର ରିପୋର୍ଟ ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ଦିଲ୍ଲୀ ମହାନଗରୀ ଅନ୍ଧାର ଇଲାକା (ଡାର୍କ ଜୋନ୍‍) ଘୋଷଣା ହୋବାକୁ ଯାଉଛି। ଅର୍ଥାତ୍‍ ସେଠାକାର ଭୂତଳ ଜଳସ୍ତର ସର୍ବନିମ୍ନ ସ୍ତରକୁ ଚାଲିଯାଇଥିବ। ଗ୍ରାମାଞ୍ଚଳ କଥା କହିବାକୁ ଗଲେ ଭାରତରେ ପ୍ରାୟ ୧୩ଟି ରାଜ୍ୟ ଥିବା ୭୦ଟି ଜିଲାରେ ଜଳାଭାବ ଅତି ଉତ୍କଟ ସ୍ଥିତିରେ ପହଞ୍ଚିଛି। ରାଜସ୍ଥାନ ଓ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଲୋକମାନଙ୍କର ମୁଖ୍ୟ ଦାବି ପିଇବା ପାଣି। ଏହି ଅଞ୍ଚଳକୁ କୌଣସି ଝିଅ ବିବାହ ହୋଇ ଯିବାକୁ ରାଜି ନୁହନ୍ତି। ଫଳରେ ସେଠାକାର ପୁଅମାନେ ଅବିବାହିତ ହୋଇ ରହିଯାଉଛନ୍ତି। ଜଳ ଅଭାବ ଯୋଗୁଁ ବହୁ ପରିବାର ବିସ୍ଥାପିତ ହୋଇ ବଡ଼ ବଡ଼ ସହରକୁ ଚାଲିଯାଉଛନ୍ତି। ଅନେକ ସ୍ଥାନରେ ପୁରୁଷଙ୍କ ଅନୁପସ୍ଥିତିରେ ପାନୀୟ ଜଳ ଯୋଗାଡ଼ କରିବା ସ୍ତ୍ରୀଲୋକଙ୍କ ପାଇଁ କାଠିକର ପାଠ ହୋଇଥାଏ। ଦୈନିକ ପ୍ରାୟ ୨ ରୁ ୬ କି.ମି. ପର୍ଯ୍ୟନ୍ତ ବାଟ ଚାଲିଚାଲି ପାଣି ଆଣିବାକୁ ପଡ଼ିଥାଏ। ଛୋଟପିଲାମାନେ ମଧ୍ୟ ବିଦ୍ୟାଳୟକୁ ନ ଯାଇ ପାଣି ଆଣିବା କାର୍ଯ୍ୟରେ ମାଆମାନଙ୍କୁ ସାହାଯ୍ୟ କରିଥାନ୍ତି। କେବଳ ପାଣି ଆଣିବାରେ ସେମାନେ ଦୈନିକ ୬ ରୁ ୮ ଘଣ୍ଟା ସମୟ ବିତାଇଥାନ୍ତି। ଦୂଷିତ ଜଳ ପାନ କରିବା ଯୋଗୁଁ ଭାରତରେ ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ଭାରତରେ ଦୂଷିତ ଜଳ ପାନ ଯୋଗୁଁ ପ୍ରତିଦିନ ୫୦୦ରୁ ଅଧିକ ପିଲା ହଇଜା, କଲେରା ଆଦି ରୋଗରେ ପଡ଼ି ମୃତ୍ୟୁବରଣ କରିଥାନ୍ତି। ପାଣିକୁ ନେଇ ଗଣ୍ଡଗୋଳ, ମାରପିଟ୍‍, ହତ୍ୟା, ଲୁଟ୍‍ ଏକ ସାଧାରଣ କଥା ପାଲଟି ଗଲାଣି। ନଦୀଜଳକୁ ନେଇ ରାଜ୍ୟରାଜ୍ୟ, ଦେଶଦେଶ ମଧ୍ୟରେ ବିବାଦ ଦେଖାଦେଲାଣି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନରେ ଭୂଷିତ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀ ଏକଦା ସଂସଦରେ କହିଥିଲେ, ‘ପାଣିରେ ବି ଲାଗିପାରେ ନିଆଁ’। ଆଗାମୀ ୩ୟ ବିଶ୍ୱଯୁଦ୍ଧ ଜଳ ପାଇଁ ହୋଇପାରେ ବୋଲି ସେ ଭବିଷ୍ୟବାଣୀ କରିଥିଲେ।

ପୃଥିବୀର ସମୁଦାୟ ଜଳର ଏକ ଭାଗରୁ କମ୍‍ ଜଳ ପାନୀୟ ଜଳ ବା ଭୂତଳ ଜଳ ଭାବରେ ଗଚ୍ଛିତ ହୋଇ ରହିଛି। ମାତ୍ରାଧିକ ଉତ୍ତୋଳନ ଗଚ୍ଛିତ ଜଳରାଶି ଉପରେ ପ୍ରଚୁର ଚାପ ସୃଷ୍ଟି କରୁଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ସହରୀକରଣର ବୃଦ୍ଧି, ଉତ୍ପାଦନ ପାଇଁ କଳକାରଖାନର ବୃଦ୍ଧି, କୃଷି ନିମନ୍ତେ ଭୂତଳ ଜଳର ମାତ୍ରାଧିକ ପ୍ରୟୋଗ, କଂକ୍ରିଟକରଣ, ଜଙ୍ଗଲ ହ୍ରାସ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପାୟନ, ସ୍ୱଳ୍ପ ବର୍ଷା ଆଦି କାରଣ ଯୋଗୁଁ ଭୂତଳ ଜଳ ହ୍ରାସ ପାଉଛି।

ନିତି ଆୟୋଗର ଆକଳନ ଅନୁଯାୟୀ ଏବେଠାରୁ ଜଳର ସୁପରିଚାଳନା କରା ନଗଲେ ଆଗାମୀ ୨୦୩୦ ମସିହା ସୁଦ୍ଧା ଭାରତର ୨୧ଟି ଛୋଟବଡ଼ ସହର ସମେତ ଶତକଡ଼ା ୪୦ଭାଗ ଅଞ୍ଚଳର ପ୍ରାୟ ୫୦କୋଟି ଲୋକ ଜଳ ସଂକଟ ଦେଇ ଗତି କରିବେ। ଭାରତର ମୋଟ ଘରୋଇ ଉତ୍ପାଦନ ୬ ପ୍ରତିଶତ ହ୍ରାସ ହେବ ଏବଂ ବିକାଶ ସର୍ବନିମ୍ନ ସ୍ତରକୁ ଖସି ଆସିବ ବୋଲି ଆକଳନ କରିଛନ୍ତି। ସମୁଦାୟ ଭୂତଳ ଜଳର ଶତକଡ଼ା ୬୫ଭାଗ ଜଳ କୃଷି ଉତ୍ପାଦନରେ, ଶତକଡ଼ା ୨୦ଭାଗ ଶିଳ୍ପ କ୍ଷେତ୍ରରେ ଓ ଶତକଡ଼ା ୧୪ଭାଗ ଜଳ ପିଇବା ଓ ଘରୋଇ କାର୍ଯ୍ୟରେ ଲାଗିଥାଏ। ବର୍ତ୍ତମାନ ସମୟରେ ଜଳ ସାକ୍ଷରତା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଭାରତର ବୈଦିକ ତଥା ସନାତନ ସଂସ୍କୃତି ଜଳକୁ ଅତି ଉଚ୍ଚ ଆସନ ଦେଇଥିଲା। ଜଳ ପଞ୍ଚମହାତତ୍ତ୍ୱ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ଉପାଦାନ। ସେଥିପାଇଁ କଥା ଛଳରେ କୁହାଯାଏ, “ଜଳ ବିହୁନେ ସୃଷ୍ଟିନାଶ ଓ ଜଳ ବହୁଳେ ସୃଷ୍ଟି ନାଶ”। ଜଳ ହିଁ ସୃଷ୍ଟିର ଆଧାର। ଜଳ ବିନା ଜଳବାୟୁର କଳ୍ପନା ଅସମ୍ଭବ। ଜଳଦାନ ମହାପୁଣ୍ୟ। ପ୍ରଚଣ୍ଡ ନିଦାଘ ସମୟରେ ବାଟୋଇମାନଙ୍କୁ ଜଳ ବିତରଣ କରି ତୃଷ୍ଣା ମେଣ୍ଟାଯାଇଥାଏ। ଭାରତୀୟ ସନାତନ ସଂସ୍କୃତି ପୁଣ୍ୟ‌େତାୟା ଗଙ୍ଗାଙ୍କୁ ମହାଦେବଙ୍କ ଜଟାରେ ସ୍ଥାନିତ କରିଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ଜଳର ସ୍ଥାନ ଭଗବାନଙ୍କ ଠାରୁ ବି ଊର୍ଦ୍ଧ୍ବରେ। ଜଳ କେବଳ ଜୀବନ ନୁହେଁ, ବରଂ ଜୀବନ ଦେଲାବାଲା ଆଦିସ୍ରଷ୍ଟା। କାଳକ୍ରମେ ପାଶ୍ଚାତ୍ୟ ଶିକ୍ଷା ଓ ଆଧୁନିକ ବିଜ୍ଞାନ ଶିକ୍ଷାରେ ଆମେ ଜଳର ଠିକ୍‍ ମୂଲ୍ୟାଙ୍କନ କଲେନାହିଁ। ଜଳକୁ ଏକ ସାଧନ କିମ୍ବା ସମ୍ବଳ ବୋଲି କହିଲେ। ପତିତପାବନ ଗଙ୍ଗାଙ୍କୁ ଅଳିଆ ବୁହା ମାଲଗାଡ଼ିରେ ପରିବର୍ତ୍ତନ କଲେ। ନିଜ ଗୋଡ଼ରେ ନିଜେ କୁରାଢି ମାରିଲେ। ପରମ ଶାସ୍ତ୍ର ଭାଗବତରେ କୁହାଯାଇଛି, ‘ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତାର ପ୍ରତିବାଦୀ।’ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଗରୁ ଆମେ ସମସ୍ତେ ସଚେତନ ହେବା। ମଣିଷ ଜଳର ମାଲିକ ନୁହେଁ। ବରଂ ଜଳର ଦାସ ବୋଲି ନିଜକୁ ଭାବିବା ଉଚିତ୍‍।

Comments are closed.